ଆନ୍ତର ସୌନ୍ଦର୍ଯ୍ୟ

                ବିଦ୍ୟାଧର କହିଲା “ମୋ କଥା କିନ୍ତୁ ଭିନ୍ନ । ମୁଁ କୌଣସି ଗୁଣକୁ ବା କଣ୍ଠଫଂଟକୁ ମୂଲ୍ୟ ଦେଉନାହିଁ । ମୁଁ ଚାହେଁ ମୋ ସ୍ତ୍ରୀ ରମ୍ଭା, ଉର୍ବଶୀଙ୍କ ପରି ସୁନ୍ଦରୀ ହୋଇଥିବ ସେହି ଗୋଟିଏହିଁ ସର୍ତ୍ତ ।”

                ମନ୍ଦାକିନୀ କହିଲା “ଆଚ୍ଛା, ତେବେ ଏପରି କଥା? ଆଗରୁ କାହିଁକି ନ କହିଲ? ହଁ ମନେ ପଡିଲା, ବର୍ଷକ ପୂର୍ବେ ମୁଁ ମୋ ବାପାଙ୍କ ସହିତ ତୀର୍ଥଯାତ୍ରା କରିବାକୁ ଯାଇଥିଲି । ଫେରିବା ବାଟରେ ଏହି ନିକଟରେ କେଉଁଠି ଏକ ବିଶ୍ରାମ ଗୃହରେ ଆମେ ରହିଥିଲୁ । ତାକୁ ଜଣେ ଗରୀବ ସ୍ତ୍ରୀଲୋକ ଚଳାଉଥାଏ । ତା’ର ଗୋଟିଏ ଝିଅ ଥିଲା । ସେ ବହୁତ ସୁନ୍ଦର ଥିଲା । ତା’ର ସୌନ୍ଦର୍ଯ୍ୟ ବିଷୟରେ ସମସ୍ତେ ଆଲୋଚନା କରନ୍ତି, ତାକୁ ବହୁତ ପ୍ରଶଂସା ବି କରନ୍ତି । ଯଦି ଚାହଁ ତ ଥରେ ତମେ ସେଠାକୁ ଯାଇ ତାକୁ ଦେଖ ।”

                “ହଁ, ହଁ, ନିଶ୍ଚୟ ଯିବା ।” ବିଦ୍ୟାଧର ଏହାକହି ସେଠାକୁ ଯିବାକୁ ବ୍ୟସ୍ତ ହୋଇ ପଡିଲା ।

                ମନ୍ଦାକିନୀ ଓ ବିଦ୍ୟାଧର ଦୁହେଁ ସହରରେ ପହଁଚି ପୂର୍ବୋକ୍ତ ବିଶ୍ରାମ ଗୃହରେ ଯାଇ ରହିଲେ । ଭୋଜନ ପାଇଁ ମଧ୍ୟ ସେଠାରେ ସବୁପ୍ରକାର ବନ୍ଦୋବସ୍ତ ହୋଇଥିଲା । ଦୁଇଜଣ ଖାଉଥା’ନ୍ତି । ସେତେବେଳେ ପୁରୁଷବେଶୀ ମନ୍ଦାକିନୀ ବିଶ୍ରାମ ଗୃହର ମାଲିକାଣୀ ସ୍ତ୍ରୀଲୋକକୁ କହିଲା, “କିଛି ଦିନ ପୂର୍ବେ, ମୁଁ ଯେତେବେଳେ ଏଠାକୁ ଆସିଥିଲି, ସେତେବେଳେ ମୁଁ ତୁମ ଝିଅକୁ ଦେଖିଥିଲି । ସେ ଦେବକନ୍ୟା ପରି ସୁନ୍ଦର ଥିଲା । ଏବେ ସେ କେଉଁଠି?”

                ଏକଥା ଶୁଣିବା ମାତ୍ରେ ସେ ସ୍ତ୍ରୀଲୋକଟି ଭୀଷଣ ଦୁଃଖିତ ହୋଇ କହିଲା, “ତମେ ତ ବର୍ଷକ ପୂର୍ବର କଥା କହୁଛ । କେତେ ସୁନ୍ଦର ସେ ନଥିଲା । ତା’ର ଚିତ୍ରପଟ ଦେଖିବାକୁ ଚାହଁ ତ ମୁଁ ଏବେ ତାହା ନେଇ ଆସୁଛି । ଓଃ ସେକଥା ଆଉ ମନେ ପକାଅ ନାହିଁ ।” ଏହାକହି ସେ ସ୍ତ୍ରୀଲୋକ ଜଣକ ଗୋଟିଏ ଚିତ୍ରପଟ ନେଇ ଆସିଲା ।

                ଚିତ୍ରପଟଟିରେ ଥିବା ସେ ଝିଅଟି ଖୁବ୍ ସୁନ୍ଦରୀ ଥିଲା । ବିଦ୍ୟାଧର ତାକୁ ଦେଖି ଖୁବ୍ ମୁଗ୍ଧ ହୋଇ ଯାଇ କହିଲା, “ତୁମ ଝିଅ କାହିଁ? ଥରେ ତାକୁ ଏଠାକୁ ଡାକ ନା!”

ସ୍ତ୍ରୀଲୋକଟି ପ୍ରଥମେ ଟିକିଏ ଇତସ୍ତତଃ ହୋଇ ପରେ ଭିତରକୁ ଯାଇ ଗୋଟିଏ ଝିଅକୁ ନିଜ ସଙ୍ଗରେ ଧରି ଆସିଲା । ତାକୁ ଦେଖି ବିଦ୍ୟାଧର ହଠାତ୍ ଚମକି ପଡିଲା । ସେ ଯାହାକୁ ଦେଖୁଛି ତା’ର ରଙ୍ଗ କଳା, ଗୋଟାଏ ଆଖିରେ ଫୁଲା ପଡିଛି, ଚେହେରା କଦାକାର ।

ସ୍ତ୍ରୀଲୋକଟି ଦୁଃଖପୂର୍ଣ୍ଣ ସ୍ୱରରେ କହିଲା, “ବାବୁ! ଏସବୁ ତ ଭାଗ୍ୟର ଖେଳ । ତା’ର ବିବାହ ସ୍ଥିର ହୋଇ ସାରିଥିଲା । ମାତ୍ର ହଠାତ୍ କାହୁଁ ଏକ ବେମାରି ଆସି ତାକୁ ଏପରି କଦାକାର କରିଦେଲା । ମଣିଷ ପାଇଁ ଏହି ଶରୀରର ରୂପ ଚିରସ୍ଥାୟୀ ନୁହେଁ । କାହିଁକିନା ଏହି ଶରୀର ତ ଦିନେନା ଦିନେ ମାଟିରେ ମିଶିଯିବ ।”

ଗରୀବ ସ୍ତ୍ରୀଲୋକର ଏଭଳି କଥା ଶୁଣି ବିଦ୍ୟାଧରର ମନେ ହେଲା କିଏ ଯେପରି ତା’ ପିଠିରେ ଛାଟ ପିଟୁଛି । ଭାବିଲା, “ଯଦିଓ ସେ କୌଣସି ଦେବକନ୍ୟା ପରି ସୁନ୍ଦରୀ ଝିଅକୁ ବିବାହ କରିବ ତେବେ ବି ତାହା ଚିରସ୍ଥାୟୀ ନୁହେଁ । କ’ଣ ବି ଘଟିପାରେ । ମନ୍ଦାକିନୀ ଅତି ସୁନ୍ଦର ନୁହେଁ, କିନ୍ତୁ ସେ ତ ଏତେବି ଅସୁନ୍ଦର ନୁହେଁ । ସାଧାରଣ ଭାବରେ ସେ ସୁନ୍ଦର । କିନ୍ତୁ ତା’ର ମନର ସୌନ୍ଦର୍ଯ୍ୟ ଅତୁଳନୀୟ । ମୁଁ କାହିଁକି ମୂର୍ଖଙ୍କ ପରି ଧ୍ରୁବ ତେଜି ଅଧ୍ରୁବକୁ ଖୋଜି ଚାଲିଛି? ମନ୍ଦାକିନୀ ସୁନ୍ଦରୀ ଓ ଗୁଣବତୀ । ମନଟି ତା’ର ସୁଗନ୍ଧରେ ପୂର୍ଣ୍ଣ ଫୁଲଟିଏ ପରି । ଯାହା ମିଳିବ ହୁଏତ ସୁନ୍ଦର ଅଥଚ ସୁଗନ୍ଧହୀନ ଫୁଲଟିଏ । ମୋର ସେପରି ଦରକାର ନାହିଁ ।”

ବିଦ୍ୟାଧର ସେଠାରେ ପେଟ ପୁରାଇ ଆଉ ଖାଇପାରିଲା ନାହିଁ । ଅଧା ଖାଇ ସେହିଠାରୁ ସେ ଉଠିଗଲା । । ଖାଦ୍ୟ ଓ ବିଶ୍ରାମ ପାଇଁ ପଇସା ଦେଇ ସାରି ମନ୍ଦାକିନୀକୁ ସେ କହିଲା, “ମୁଁ ଏବେ ମୋ ନିଜ ଗ୍ରାମକୁ ଫେରିଯାଉଛି; ମୁଁ ସେଠାରେ ଏପରି ଏକ ଝିଅକୁ ବିଭାହେବି ଯାହାର ମନ ବହୁତ ସୁନ୍ଦର । ତୁମେ ଏଣିକି ଏକା ମଧୁର ସ୍ୱର ଥିବା ଝିଅକୁ ଖୋଜୁଥାଅ । କିନ୍ତୁ ତୁମ ସହିତ ବନ୍ଧୁତା ହେବା ଯୋଗୁଁ ମୋର ଆଖି ଖୋଲିଗଲା । ସେଥିପାଇଁ ମୁଁ ତୁମ ପାଖରେ ଚିର କୃତଜ୍ଞ । ଯେତେଦିନ ଧରି ଆମେ ଏକାଠି ଥିଲେ ଆମ ସମୟ ବହୁତ ସୁନ୍ଦର ଭାବରେ ବିତୁଥିଲା । ଆଚ୍ଛା, ମୁଁ ଏବେ ଯାଉଛି ।” ଏତିକି କହି ବିଦ୍ୟାଧର ସେଠାରୁ ଚାଲିଗଲା ।

ଯେଉଁଦିନ ବିଦ୍ୟାଧର ତା’ଘରେ ଯାଇ ପହଁଚିଲା, ମନ୍ଦାକିନୀ ମଧ୍ୟ ଠିକ୍ ସେହିଦିନ ନିଜ ଘରେ ଯାଇ ପହଁଚିଲା ଓ ବାପାଙ୍କୁ ସବୁକଥା କହିଲା । ତା’ପରେ ଖୁବ୍ ଅଳ୍ପଦିନ ମଧ୍ୟରେ ସେମାନଙ୍କର ବିବାହ ମହାଆଡମ୍ବରରେ ଆୟୋଜିତ ହେଲା । ସମସ୍ତେ ଖୁସି । କିନ୍ତୁ ଏ ନାଟକ କଥା ମନ୍ଦାକିନୀ ଏବେସୁଦ୍ଧା ବିଦ୍ୟାଧରକୁ କିଛି ହେଲେବି କହିନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ