ଆମେ ଇଣ୍ଡିଆନ ଦେବା ଶିଖିଛୁ, କାହାଠାରୁ ଛଡେଇ ନେବା ଶିଖି ନାହୁଁ

ସେଦିନ ସଭାର ସଭାପତି ତଥା ବିଦ୍ୟାଳୟର ଅଧ୍ୟକ୍ଷ ଥିଲେ ଜଣେ ମର୍ଯ୍ୟାଦାବନ୍ତ ପୁରୁଷ । ସବୁବେଳେ ହସ ହସ ମୁହଁ ଓ ଶାନ୍ତ ପ୍ରକୃତିର ମଣିଷଟିଏ । ମଂଚ ଉପରେ ବସି ସଭା କାର୍ଯ୍ୟ ପରିଚାଳନା କରୁଥାନ୍ତି । ଠିକ୍ ଏତିକିବେଳେ ତାଙ୍କ ପରିବାରର ଜଣେ ଲୋକ ଆସି ଅଧ୍ୟକ୍ଷଙ୍କ କାନରେ କ’ଣ ଫୁସ୍ଫୁସ୍ କରି କହିଦେଲା । ହଠାତ୍ ତାଙ୍କର ମୁଖମଣ୍ଡଳ ମଳିନ ପଡିଗଲା, ସତେଯେପରି ହଠାତ୍ ଘୋର ବିପଦ ତାଙ୍କ ଉପରକୁ ମାଡି ଆସିଲା । ହେଲେ ସେ କ୍ଷଣିକ ପାଇଁ ବିବ୍ରତ ହୋଇ ପୁଣି ହସ ହସ ମୁହଁରେ ସଭାକାର୍ଯ୍ୟ ପରିଚାଳନା କଲେ । ତା’ପରେ ପୁରସ୍କାର ବିତରଣ କାର୍ଯ୍ୟ ଆରମ୍ଭ ହୋଇଗଲା ।

ସଭାରେ ଉପସ୍ଥିତ ଥିବା କୌଣସି ବ୍ୟକ୍ତି ଜାଣିପାରିଲେ ନାହିଁ ଯେ, ଅଧ୍ୟକ୍ଷ ମଝିରେ କାହିଁକି ଚିନ୍ତିତ ଜଣାପଡୁଥିଲେ । ପୁରସ୍କାର ବିତରଣ ଶେଷ ହେଲା ପରେ ଅଧ୍ୟକ୍ଷ ମୁହଁରେ ହସ ଫୁଟାଇ ତା’ର ସାରଗର୍ଭକ ବକ୍ତୃତା ମଧ୍ୟ ଦେଲେ । ଶେଷରେ ସଭା ସାଙ୍ଗ ହେଲା । ଯିଏ ଯୁଆଡେ ଗଲେ ।

ମାତ୍ର ଅଧ୍ୟକ୍ଷ ଉତ୍ସବ ଶେଷରେ ଘରକୁ ଫେରି ଦେଖିଲା ବେଳକୁ ତାଙ୍କର ପାଂଚବର୍ଷର ଅତି ଅଲିଅଳି ଝିଅ ‘ରେହେନା’ ଆଉ ଇହଜଗତରେ ନ ଥିଲା । ଝିଅଟି ବାରଣ୍ଡାରେ ଦୌଡୁଥିବାବେଳେ ତଳକୁ ଖସିପଡି ଆହତ ହୋଇଗଲା । ସେ ଅଚେତ ଅବସ୍ଥାରେ ଥିବାବେଳେ ସଭାମଂଚରେ ତାଙ୍କୁ ପ୍ରଥମ ଖବର ଦିଆଯାଇଥିଲା । ସେତେବେଳେ ଝିଅକୁ ଚିକିତ୍ସା ଲାଗି ଡାକ୍ତରଖାନା ନେବାକୁ ଘରେ କେହି ନ ଥିଲେ । ମାଆ ଝିଅକୁ ଧରି ବସି କାନ୍ଦୁଥାନ୍ତି । ଅବଶ୍ୟ କିଛି ସମୟ ପରେ ପଡୋଶୀଲୋକଙ୍କ ସହାୟତାରେ ଡାକ୍ତରଖାନା ନିଆଗଲା, ମାତ୍ର ତାକୁ ନେବାବାଟରେ ତା’ର ପ୍ରାଣବାୟୁ ଉଡିଯାଇଥିଲା ।

ଝିଅର ମୃତ୍ୟୁଖବର ନେଇ ଆଉ ଜଣେ ଲୋକ ବି ମଂଚ ଉପରେ ଦ୍ୱିତୀୟଥର ପାଇଁ ଖବର ଦେଲା । ଏହି ଖବର ଶୁଣି ଅଧ୍ୟକ୍ଷ ମହାଶୟ ଘରକୁ ଦୌଡିଆସିବେ ବୋଲି ଆଶା କରାଯାଉଥିଲା । ହେଲେ ତା’ ହୋଇନଥିଲା । ସଭା ଶେଷଯାଏଁ ମଧ୍ୟ ସଭାପତି ମହୋଦୟ ସଭା ମଂଚରେ ବସି ରହିଥିଲେ ।

ଯେତେବେଳେ ଅଧ୍ୟକ୍ଷ ତାଙ୍କ ଘରେ ଯାଇ ପହଁଚିଗଲେ, ସେତେବେଳେ ଘର ଲୋକମାନେ ତାଙ୍କ ଉପରେ ଅଭିଯୋଗ ପରେ ଅଭିଯୋଗ ବାଢିବସିଲେ । ସ୍ତ୍ରୀ ତାଙ୍କର ଅଭିମାନଭରା ଉତ୍କ୍ଷିପ୍ତ କଣ୍ଠରେ କହିଲେ, “ତୁମେ କେମିତି ଆସିଲ ନାହିଁ? ତୁମେ ଗୋଟେ ବାପା ନା ପଥର? ମନ ଡାକିଲାନି ଟିକିଏ ଝିଅକୁ ଦେଖିବାକୁ?”

ସବୁଶୁଣି ଅଧ୍ୟକ୍ଷ କହିଲେ, “ତୁମେ କ’ଣ ଜାଣିବ ସ୍କୁଲପିଲାଙ୍କର ମନର ଆନନ୍ଦକୁ? କେତେ ଆଗ୍ରହ ଉଦ୍ଦୀପନା ଥିଲା ସେମାନଙ୍କ ମନରେ? ସେମାନଙ୍କୁ ସେଇ ସୁଖରୁ ବଂଚିତ କରି ମୁଁ କିପରି ଆସିଥାନ୍ତି? ଆସିଥିଲେ କ’ଣ ଠିକ୍ ହୋଇଥାନ୍ତା? ମୋର ବ୍ୟକ୍ତିଗତ ଦୁଃଖପାଇଁ ପିଲାଙ୍କ ମୁହଁର ହସକୁ ମୁଁ କିପରି ଲୁଣ୍ଠନ କରିଥାନ୍ତି? କରିଥିଲେ କ’ଣ ଠିକ୍ ହୋଇଥାନ୍ତା? ତା’ପରେ ତୁମେ ସବୁ ତ ଥିଲା, ଆଉ ମୁଁ ଥିଲେ ଅଧିକ କ’ଣ କରିପାରିଥାନ୍ତି ଯେ?”

ସେଦିନର ସେହି ମହାମନା ଅଧ୍ୟକ୍ଷ ଓ ବାପାଜଣକ କିଏ ତୁମେମାନେ ଜାଣିଛ? ସେ ହେଉଛନ୍ତି ଆମ ଇଣ୍ଡିଆର ପୂର୍ବତନ ରାଷ୍ଟ୍ରପତି ଜାକିର୍ ହୋସେନ୍ ।


ଗପ ସାରଣୀ

ତାଲିକାଭୁକ୍ତ ଗପ