ଆରୋଗ୍ୟ – ରହସ୍ୟ

ଶତ୍ରୁଘ୍ନ କହିଲେ, “ଏହି ଶରୀର ଏକ ଯନ୍ତ୍ର ସ୍ୱରୂପ । ଏଥିରେ ଛୋଟ ଛୋଟ ଝମେଲା ରହିବାଟା ତ ନିହାତି ସ୍ୱାଭାବିକ । ତାକୁ ଆମେ ରୋଗ, ବେମାର ଆଖ୍ୟା ଦେଇ ବିବ୍ରତ ହେବାର କୌଣସି ଆବଶ୍ୟକତା ନାହିଁ । ରୋଗ, ବେମାର କହିଲେ, ଯେଉଁ ସବୁ ବଡଧରଣର ଅସୁସ୍ଥତା ଶରୀରର ହୃତପିଣ୍ଡ, ମସ୍ତିଷ୍କ ବା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ପ୍ରଭାବିତ କରେ । ତାହା ପ୍ରତି ଆମେ ସଚେତନା ରହିବା । କିନ୍ତୁ ସାଧାରଣ ଓ ସାମାନ୍ୟ ଅସୁସ୍ଥତାରେ ବ୍ୟତିବ୍ୟସ୍ତ ହୋଇ ମାନସିକ ସ୍ଥିରତା ହରେଇ ବସିଲେ, ତାହା ସ୍ୱାଭାବିକ ଜୀବନ ଯାପନରେ ବାଧା ସୃଷ୍ଟି କରିବ, ଏଣେ ନିଜକୁ ରୋଗୀ ରୂପରେ ଅନ୍ୟ ପାଖରେ ପରିଚିତ ହେବାକୁ ପଡିବ । ଆହାର, ବିଶ୍ରାମ ବ୍ୟାୟାମ ଓ ସୁସ୍ଥ ମାନସିକ ଚିନ୍ତାଧାରା ତତ୍ ସହିତ ଭଗବତ୍ ବିଶ୍ୱାସ, ମନରେ ଆତ୍ମପ୍ରତ୍ୟୟ ଭରିଦିଏ ଓ ଶରୀରକୁ ସର୍ବଦା କାର୍ଯ୍ୟକ୍ଷମ ରଖିଥାଏ । କୌଣସି ରୋଗ ବା ତାହା ସହିତ ସମ୍ବନ୍ଧୀୟ ଦୁଃଶ୍ଚିନ୍ତାକୁ ପାଖରେ ପଶିବାକୁ ଦିଏ ନାହିଁ । ଏହାହିଁ ଆରୋଗ୍ୟ–ରହସ୍ୟ ।”

ଗୁରୁନାଥ ତାଙ୍କର ଏହି କେଇପଦ କଥାର ଅସଲ ମର୍ମ ବୁଝିପାରି କହିଲେ, “ମୋର ସନ୍ଦେହ ଦୂର ହୋଇଛି । ଶରୀରର ସାମାନ୍ୟ ଅସୁବିଧାକୁ ବିରାଟ ରୂପ ଦେଇ, କ୍ଷୁଦ୍ର ସୋରିଷକୁ ପର୍ବତ ସମାନ ମନେକରି, ମୁଁ ନିଜକୁ ଜଣେ ଅସୁସ୍ଥ ବ୍ୟକ୍ତି ବୋଲି ମନେ କରୁଚି । ତାହାହିଁ ମୋର ରୋଗର ମୁଖ୍ୟ କାରଣ । ଆଉ ଆପଣଙ୍କର ଆରୋଗ୍ୟର ରହସ୍ୟ ହେଉଛି, ଶୁଦ୍ଧ ଜୀବନଯାପନ ପ୍ରଣାଳୀ, ସନ୍ତୁଳିତ ଆହର, ବିଶ୍ରାମ ଓ ମାନସିକ ନିରୁଦ୍ବେଗତା । ତାହା ଆପଣଙ୍କର ମନକୁ ସଦା ପ୍ରଫୁଲ୍ଲ ରଖି ମନରେ ଅଫୁରନ୍ତ ଉତ୍ସାହ ଭରିଦେଉଛି ।” ତାଙ୍କ କଥାରେ ଶତ୍ରୁଘ୍ନ ଅଳ୍ପହସି, ଭଗବାନଙ୍କ ଉଦ୍ଧେଶ୍ୟରେ ହାତ ଯୋଡିଲେ ।

ଗୁରୁନାଥ ଶଙ୍କରଙ୍କ ଆରୋଗ୍ୟ–ରହସ୍ୟ ସ୍ମରଣକୁ ଆଣି ଭାବିଲେ, ପ୍ରକୃତରେ ରୋଗ ଶରୀରରେ ନ ଥାଏ, ଥାଏ ମନରେ । ଗୁରୁନାଥ ଉତ୍ସାହ ସହକାରେ ଘରକୁ ଫେରିଲେ । ଏହାପରେ ସେ ଆଉ କେବେବି ଶର୍ଦ୍ଦି, ମୁଣ୍ଡବ୍ୟଥା, କାଶ, ଦାନ୍ତବ୍ୟଥା ଆଦିକୁ ନେଇ ବିବ୍ରତ ହୋଇ ତିଳକୁ ତାଳ କରନ୍ତି ନାହିଁ । କିମ୍ବା ସେହି ସମ୍ବନ୍ଧରେ ଅନ୍ୟମାନଙ୍କ ସହ ବିଶେଷ ଆଲୋଚନା କରନ୍ତି ନାହିଁ । ତେଣୁ ଲୋକଙ୍କ ମନରେ ଏହି ଧାରଣା ସୃଷ୍ଟି ହେଲା ଯେ, ଗୁରୁନାଥଙ୍କ ସ୍ୱାସ୍ଥ୍ୟ ଏବେ ବେଶ୍ ଭଲ ରହୁଛି ।


ଗପ ସାରଣୀ

ତାଲିକାଭୁକ୍ତ ଗପ