ଉତ୍ତରାଧିକାରୀର ଅଧିକାର

        ବେତାଳର କାହାଣୀ ସରିବା ବେଳକୁ ରାଜା ଶ୍ମଶାନରେ ତପସ୍ୟା କରୁଥିବା ସନ୍ନ୍ୟାସୀଙ୍କ ପାଖାପାଖି ହୋଇଯାଇଥିଲେ । ଏହାପରେ ବେତାଳ କହିଲା, ରାଜା ମୁଁ କିନ୍ତୁ ବର୍ତ୍ତମାନ ଆଉ ପଳାଇବି ନାହିଁ । ତୁମର ପ୍ରତିଜ୍ଞା ପୂରଣ ହୋଇଯିବ । ମୁଁ ମଧ୍ୟ ଏଥିପାଇଁ ତୁମର ସହାୟତା କରିବି ।” ବେତାଳର କଥା ଶୁଣିବାପରେ ବିକ୍ରମ ମନେ ମନେ ଆଶ୍ଚର୍ଯ୍ୟ ହେଲେ । ଏହାପରେ ବେତାଳ କହିଲା, “ରାଜା ବିକ୍ରମ! ସେହି ସାଧୁ ମହାଧୂର୍ତ ଅଟେ । ସେ ତୁମକୁ ହତ୍ୟା କରିବାକୁ ଯୋଜନା କରିଛି । ସେ ତୁମକୁ ସାଷ୍ଟାଙ୍ଗ ପ୍ରଣାମ କରିବାକୁ କହିବ । ତୁମେ ଯେମିତି ପ୍ରଣାମ କରିବ ସେ ତୁମର ଶିରଚ୍ଛେଦ କରିବ । ତେଣୁ ତୁମେ ସାବଧାନ ରହିଥିବ । ସତକୁ ସତ, ସନ୍ନ୍ୟାସୀ ରାଜାଙ୍କୁ ପ୍ରଣାମ କରିବାକୁ କହିଲେ, କିନ୍ତୁ ରାଜା ବିକ୍ରମଙ୍କୁ ମାରିବେ କ’ଣ ରାଜା ବିକ୍ରମ ସନ୍ନ୍ୟାସୀର ମୁଣ୍ଡକୁ କାଟିଦେଲେ । ଏହି ସମୟରେ ଶ୍ମଶାନରୁ ଏକ ଭୟାନକ ଅଟ୍ଟହାସ୍ୟ ଶୁଭିଲା । ବିକ୍ରମ କିନ୍ତୁ ଏଥିପ୍ରତି ସାବଧାନ ଥିଲେ । ସେ ଆଦୌ ଭୟଭୀତ ହେଉନଥାନ୍ତି । କାରଣ ସେହି ଅଟ୍ଟହାସ୍ୟ ବେତାଳର ଅଟ୍ଟହାସ୍ୟ ଥିଲା ।

        ଏହାପରେ ବେତାଳ ବିକ୍ରମଙ୍କ ସାମ୍ନାକୁ ଚାଲି ଆସିଲା । ସେହି ସମୟରେ ବେତାଳ ଏକ ସୁନ୍ଦର ଯୁବକରେ ରୂପାନ୍ତରିତ ହୋଇଯାଇଥିଲା । ଏହା ଦେଖି ରାଜା ଆଶ୍ଚର୍ଯ୍ୟ ହୋଇଯାଇ ବେତାଳକୁ ଏ ସଂପର୍କରେ ପଚାରିଲେ । ବେତାଳ କହିଲା, “ତୁମେ ସନ୍ନ୍ୟାସୀଙ୍କର ବଳୀ ଚଢାଇ ମୋତେ ଜୀବନ ଦାନ ଦେଲ । ତୁମେ ତାକୁ ମାରିନଥିଲେ ମୁଁ ଜୀବନ ଦାନ ପାଇନଥାନ୍ତି । ମୁଁ ତୁମ ନିକଟରେ ଚିରଋଣୀ ରାଜା । ରାଜା କହିଲେ, “ତା’ହେଲେ ଏବେ ତୁମେ କ’ଣ କରିବ?” ବେତାଳ କହିଲା, “ରାଜା ଆପଣ ମୋତେ ଜୀବନଦାନ ଦେଇଥିବାରୁ ଆପଣ ଯାହା କହିବେ ମୁଁ ତାହା କରିବି ।” ବେତାଳର କଥା ଶୁଣି ରାଜା କହିଲେ, “ତୁମେ ମୋ ସହିତ ରହିବ ବେତାଳ? ମୁଁ ତୁମକୁ ମୋର ମନ୍ତ୍ରୀ ପଦରେ ଅଭିଷିକ୍ତ କରିବି ।” ରାଜାଙ୍କ କଥା ଶୁଣି ବେତାଳ ଖୁସି ହୋଇଗଲା । ରାଜାଙ୍କୁ କହିଲା, “ମହାରାଜ! ସେହି ସନ୍ନ୍ୟାସୀ ମୋର ବଡଭାଇ । ତନ୍ତ୍ର ସାଧନା ବଳରେ ସେ ମୋତେ ବେତାଳ କରି ରଖିଥିଲା । ମୋର ସ୍ତ୍ରୀକୁ ସେ ଅପହରଣ କରିନେଇଗଲା । ସେ ବର୍ତ୍ତମାନ ତୁମର ରାଜ୍ୟ ଅପହରଣ କରିବାକୁ ଚାହୁଁଥିଲା । କିନ୍ତୁ ସୌଭାଗ୍ୟର ବିଷୟ ତୁମେ ତାକୁ ମାରିଦେଲ । ତୁମର ଖ୍ୟାତି ଦୁନିଆରେ ବ୍ୟାପିବ । ରାଜା ସମସ୍ତେ ତୁମକୁ ପୂଜା କରିବେ । ଏହାପରେ ବେତାଳ ରାଜାଙ୍କ ସହିତ ରାଜଧାନୀକୁ ଗଲା । ସେତେବେଳକୁ ସୁର୍ଯ୍ୟୋଦୟ ହୋଇସାରିଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ