ଉଦାସୀନରାଜପୁତ୍ର

ବୋଧିସତ୍ୱଙ୍କର ସେତେବେଳେ ତ ପାଟି ଫିଟିନାହିଁ । ତଥାପି ମଧ୍ୟ ସେ ସବୁ ବୁଝୁଥାନ୍ତି । ସେ ଦୀର୍ଘନିଃଶ୍ୱାସ ଛାଡି ଭାବୁଥାନ୍ତି; ହାୟ! ଥରେ ରାଜା ହୋଇ ମୁଁ ବହୁତ ସାଧୁ ସଚ୍ଚୋଟ ଭାବରେ ଶାସନ କରିବା ସତ୍ତ୍ୱେ ନିଜ ଅଜ୍ଞାତରେ ଯେତିକି ବି ପାପ କରିଥିଲି, ସେଥିପାଇଁ ମୋତେ ନର୍କ ଭୋଗିବାକୁ ପଡିଲା । ମୋର ପିତା ତଥା ଏ ଅଜ୍ଞାନୀ ରାଜା ଉପରଠାଉରିଆ ଭାବରେ ବିଚାର କରି ଯେତେ ପାପ ଅର୍ଜନ କରୁଛନ୍ତି, ଏହାର ପରିଣାମ କେଡେ ଭୟାବହ ଯେ ହେବ ତାହା ସେ ନିଜେ ବି ଜାଣି ନାହାଁନ୍ତି ।

ଏକଥା ଭାବୁ ଭାବୁ ସେ ନିଜେ ରାଜପୁତ୍ର ରୂପେ ଜନ୍ମ ଗ୍ରହଣ କରିବାକୁ ସମ୍ମତ ହୋଇଥିବାରୁ ଅନୁତାପ କରିବାକୁ ଲାଗିଲେ । ରାଜା ହୋଇ ଯାହା କରିବେ, ତାହାର ପରିଣାମରେ ତାଙ୍କୁ ପୁଣି ନର୍କଭୋଗ କରିବାକୁ ପଡିବ, ଏକଥା ଭାବି ସେ କୌଣସି ମତେ ସେଭଳି ସମ୍ଭାବନା ଏଡାଇ ଯିବା ନିମନ୍ତେ ଦୃଢ ନିଶ୍ଚୟ କଲେ ।

ଏହାପରେ ସେ ରାଜପୁତ୍ରଙ୍କ ମୁହଁରୁ ହସ ଲିଭି ଗଲା । ଏଣିକି ସେ ସର୍ବଦା ଚିନ୍ତାମଗ୍ନ ରହିଲେ ।

ସେହି ରାତିରେ ପୂର୍ବ ଜନ୍ମରେ ତାଙ୍କର ଯିଏ ଜନନୀ ଥିଲେ, ତାଙ୍କ ଆତ୍ମା ତାଙ୍କୁ ସ୍ୱପ୍ନରେ ଦେଖାଦେଇ କହିଲେ, “ବାପା! ଭୟ କରନା । ତୁ ଯଦି ସବୁ ଜଞ୍ଜାଳରୁ ମୁକ୍ତ ରହିବାକୁ ଚାହୁଁ, ତେବେ କାଲ, ବୋବା ଓ ଅଥର୍ବ ଭଳି ବ୍ୟବହାର କର ।”

ନିଦ ଭାଙ୍ଗି ଯିବା ପରେ ବୋଧିସତ୍ୱ ତାହାହିଁ କରିବାକୁ ସ୍ଥିର କଲେ ।

କ୍ରମେ ଅନ୍ୟ ପାଞ୍ଚଶହ ଶିଶୁମାନଙ୍କୁ ସେ ରାଜପ୍ରାସାଦକୁ ଆସି ରାଜପୁତ୍ରଙ୍କ ସହ ମିଶିବାର ସୁଯୋଗ ଦିଆଗଲା । ସେମାନେ ଖେଳନ୍ତି, କିନ୍ତୁ ରାଜପୁତ୍ରଙ୍କର ଖେଳିବାରେ ଆଦୌ ମନ ନଥାଏ । ଭୋକ କଲେ ସେମାନେ କାନ୍ଦନ୍ତି, କିନ୍ତୁ ରାଜପୁତ୍ର ଚୁପ୍ ରହନ୍ତି । ସେ ମନେ ମନେ ନିଜକୁ କହନ୍ତି ଯେ ନର୍କଭୋଗ ଅପେକ୍ଷା ଭୋକରେ ମୃତ୍ୟୁ ବରଣ କରିବା ବରଂ ବହୁତ ଭଲ ।

ରାଜପୁତ୍ରଙ୍କର ଏ ବିଚିତ୍ର ଆଚରଣ ବିଷୟ ଧାଇମାନେ ଯାଇ ରାଜାଙ୍କୁ କହିଲେ । ରାଜା ଜ୍ୟୋତିଷ, ପଣ୍ଡିତ ଓ ପୁରୋହିତମାନଙ୍କ ପରାମର୍ଶ ଲୋଡିଲେ । ସେମାନେ କହିଲେ, “ରାଜପୁତ୍ର ନିଜେ ଖାଇବା ପାଇଁ ବ୍ୟାକୁଳତା ନ ଦେଖାଇବା ସତ୍ତ୍ୱେ ତାଙ୍କୁ ଠିକ୍ ସମୟରେ ଖାଦ୍ୟପେୟ ପରଶି ଦିଆଗଲେ ସେ ତାହା ଗ୍ରହଣ କରିବେ ।”

ସେହିପରି କରାଗଲା ଓ ଦିନ ଗଡି ଚାଲିଲା । କିନ୍ତୁ ରାଜପୁତ୍ର କୌଣସି ବିଷୟରେ ଆଗ୍ରହ ନ ଦେଖାଇବା, ଭୋକ କଲେ ନ କାନ୍ଦିବା, ଖେଳିବାରେ ମୋଟେ ମନ ନ ଦେବା – ଏସବୁ ସମସ୍ତଙ୍କୁ ବଡ ବିଚିତ୍ର ଲାଗିଲା ।

ଦିନେ ରାଜା ପିଲାମାନେ ରାଜପୁତ୍ରଙ୍କୁ ଘେରି ଖେଳୁଥିବା ବେଳେ ପାଛିଆଏ ଲଡୁ ପଠାଇଦେଲେ । ପିଲାମାନେ ତତ୍କ୍ଷଣାତ୍ ପାଛିଆରୁ ଲଡୁମାନ କାଢି ନେଲେ । ପରସ୍ପର ଛଡାଛଡି ହେଲେ । କିନ୍ତୁ ରାଜପୁତ୍ର ତାହା ପ୍ରତି ମୋଟେ ଧ୍ୟାନ ଦେଲେ ନାହିଁ । ସେ ଉଦାସୀନ ହୋଇ ବସି ରହିଲେ । ରାଣୀ ଚନ୍ଦ୍ରାଦେବୀ ଅଳ୍ପ ଦୂରରେ ଠିଆ ହୋଇ ଏସବୁ ଘଟଣା ଦେଖୁଥିଲେ । ରାଜପୁତ୍ର ଏଭଳି ବିତସ୍ପୃହ ରହିବାର ଦେଖି ରାଣୀଙ୍କ ଆଖିରୁ ଲୂହ ବହିଲା । ସେ ଦୌଡିଯାଇ ଗୋଟିଏ ଲଡୁ ଉଠାଇ ଆଣି ପୁଅ ପାଟିରେ ଦେଲେ । ରାଜପୁତ୍ର ବିନା ଆଗ୍ରହରେ ତାକୁ ଖାଇଲେ । ରାଜା କ୍ରମେ କ୍ରମେ ଅଧିକ ଚିନ୍ତିତ ହେଲେ । ରାଜପୁତ୍ର ଯେତିକି ବଡ ହେଲେ, ତାଙ୍କ ଉଦାସୀନତା ସେତିକି ଅଧିକ ମାତ୍ରାରେ ସ୍ପଷ୍ଟ ହେଲା ।

ଦିନେ ରାଜା ରାଜପୁତ୍ରଙ୍କ ସମେତ ସବୁ ପିଲାଙ୍କୁ ଖେଳିବା ନିମନ୍ତେ ଗୋଟିଏ ଛପର ଘର ଭିତରକୁ ପଠାଇଦେଲେ । ପାଖରେ ସୈନ୍ୟମାନେ ଜଗି ରହିଲେ । ପିଲାମାନେ ଖେଳୁଥିବା ବେଳେ ସେ ଘରେ ନିଆଁ ଲଗାଇ ଦିଆଗଲା । ସଙ୍ଗେ ସଙ୍ଗେ ସବୁ ପିଲା ଚିତ୍କାର କରି ଦୌଡି ପଳାଇଗଲେ । କିନ୍ତୁ ରାଜପୁତ୍ର ସେମିତି ଚୁପ୍ଚାପ୍ ହୋଇ ବସି ରହିଲେ । ସେ ମନେ ମନେ କହୁଥାନ୍ତି; ନର୍କ ଭୋଗ ଅପେକ୍ଷା ଜଳି ମରିଗଲେ ବରଂ ଭଲ ।

ନିଆଁ ଯେତେବେଳେ ତାଙ୍କ ପାଖକୁ ଆସିଗଲା, ସୈନ୍ୟମାନେ ଦୌଡିଯାଇ ତାଙ୍କୁ ଟେକି ନେଇ ଆସିଲେ ।

ରାଜା ଭାବିଥିଲେ ସଙ୍କଟରେ ପଡିଲେ ରାଜପୁତ୍ର ଚଳଚଂଚଳ ହେବେ । କିନ୍ତୁ ତାଙ୍କ ବ୍ୟବହାର ବଦଳିଲା ନାହିଁ ଦେଖି ସେ ଖୁବ୍ ଆଶ୍ଚର୍ଯ୍ୟ ହେବା ସଙ୍ଗେ ସଙ୍ଗେ ଦୁଃଖିତ ବି ହେଲେ । ତଥାପି ମଧ୍ୟ ସେ ତାଙ୍କ ଚେଷ୍ଟାରୁ ଆଦୌ ବିରତ ହେଲେ ନାହିଁ । ପିଲାମାନେ ଖେଳୁଥିବା ବେଳେ ରାଜାଙ୍କ  ନିର୍ଦ୍ଧେଶରେ ସେମାନଙ୍କ ଭିତରକୁ ଗୁଡିଏ ସାପ ଛାଡି ଦିଆଗଲା । ଅବଶ୍ୟ ସେସବୁ ସାପଙ୍କ ପାଖରେ ତିଳେ ମଧ୍ୟ ବିଷ ନଥିଲା । ସାପ ଦେଖି ପିଲାଏ ଯିଏ ଯୁଆଡେ ପାରିଲେ ଦୌଡି ପଳାଇଲେ । କିନ୍ତୁ ରାଜପୁତ୍ର ପୂର୍ବବତ୍ ଠିକ୍ ସେମିତି ବସି ରହିଲେ । ସାପମାନେ ତାଙ୍କ ଦେହ ଉପରକୁ ଚଢିଯିବା ସତ୍ତ୍ୱେ ସେ ଆଦୌ ବିଚଳିତ ବୋଧ କଲେ ନାହିଁ ।

ରାଜପୁତ୍ରଙ୍କ ଭିତରେ ଭାବାବେଗର ଉଦ୍ରେକ କରିବା ପାଇଁ ରାଜା ଆହୁରି ଗୋଟିଏ ଉପାୟ କଲେ । ଜଣେ ଅଭିନେତା ଦିନେ ଗୋଟିଏ ଛୁରୀ ଧରି ପିଲାଙ୍କ ଭିତରକୁ ମାଡି ଆସି ପାଟିକରି କହିଲା, “ମୁଁ ରାଜପୁତ୍ରଙ୍କୁ ହତ୍ୟା କରିବି ।” ସବୁ ପିଲା ପଳାଇଗଲେ । କିନ୍ତୁ ରାଜପୁତ୍ରଙ୍କ ମନରେ କୌଣସି ଭାବାନ୍ତର ହେଲା ନାହିଁ । ଅଭିନେତା ଯେତେ ରଡିକଲେ ବି ଫଳ କିଛି ହେଲା ନାହିଁ । ବିଚରା ହାଲ୍ ଛାଡି ଦେଲା ।

ଏହାପରେ ରାଜା ଅନ୍ୟ ଉପାୟ ଅବଲମ୍ବନ କଲେ । ସେତେବେଳକୁ ତ ସେ ରାଜପୁତ୍ର ତରୁଣ ହେଲେଣି । ରାଜା ସୁନ୍ଦରୀ ନର୍ତକୀମାନଙ୍କୁ ପଠାଇଲେ । ସେମାନେ ରାଜପୁତ୍ରଙ୍କୁ ସ୍ନାନ କରାଇ, ସୁଗନ୍ଧ ଅତର ତାଙ୍କ ଉପରେ ଢାଳି ତାଙ୍କୁ ବସାଇ ନାଚଗୀତ ଦେଖାଇଲେ । କିନ୍ତୁ ଆଦୌ କିଛି ବି ଫଳ ହେଲା ନାହିଁ ।

ଶେଷରେ ସେମାନେ ଯାଇ ରାଜାଙ୍କୁ କହିଲେ, “ମଣିମା! ରାଜପୁତ୍ର ମଣିଷ ନୁହଁନ୍ତି । ଅନ୍ୟ କିଛି । ତାଙ୍କର ରସଜ୍ଞାନ ନାହିଁ, ସୌନ୍ଦର୍ଯ୍ୟ ଜ୍ଞାନ ନାହିଁ । ଏବେ ଆମେ ଆଉ କ’ଣ ବା କରିବୁ?”

ସବୁକଥା ଶୁଣି ରାଜା ଦୀର୍ଘନିଶ୍ୱାସ ଛାଡିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ