ଉଦାସୀନ ରାଜପୁତ୍ର

ଯେତେବେଳେ ରାଜପୁତ୍ର ତୈମିୟଙ୍କୁ କୌଣସି ଉପାୟରେ ରାଜା କଥା କୁହାଇ ପାରିଲେ ନାହିଁ କି କୌଣସି ବିଷୟରେ ତାଙ୍କ ଭିତରେ ଆଗ୍ରହ ସଂଚାର କରିପାରିଲେ ନାହିଁ, ସେତେବେଳେ ରାଜା ଜ୍ୟୋତିଷଙ୍କୁ ଡକାଇଲେ ଓ ଧମକ ଦେଇ ତାଙ୍କୁ ପଚାରିଲେ: “ତମେ କହିଥିଲ ମୋ ପୁଅ ଜୀବନରେ କୌଣସି ଅଶୁଭ ଲକ୍ଷଣ ନାହିଁ । ବର୍ତ୍ତମାନ ଦେଖାଯାଉଛି ସେ ମୂକ, ବଧିର ଏବଂ ଓଲୁ । କିଛି ବୁଝିପାରେ ନାହିଁ । କୌଣସି ବିଷୟରେ ତା’ର କିଛି ଆଗ୍ରହ ନାହିଁ । ସିଏ ପଥର ଭଳି ଅଥର୍ବ । ତମେ ସେଭଳି ଭୁଲ୍ ଭବିଷ୍ୟତ୍ବାଣୀ କିପରି କରିଥିଲ?”

                ଜ୍ୟୋତିଷ ଭୟଭୀତ ହୋଇ କହିଲେ, “ମହାରାଜ! ଆଜି ଆପଣଙ୍କୁ ସତ କଥା କହୁଛି । ହେଲେ ଆପଣ ମୋତେ ଆଉ ଦଣ୍ଡ ଦେବେନାହିଁ ତ?”

                ରାଜା କହିଲେ “ନା, ନିର୍ଭୟରେ କୁହ । ତୁମକୁ ଦଣ୍ଡ ଦେଇ କ’ଣ ହେବ?”

                ଜ୍ୟୋତିଷ କହିଲେ “ମହାରାଜ! ରାଜପୁତ୍ର ଯେତେବେଳେ ଜନ୍ମ ହେଲେ, ସେତେବେଳେ ଆପଣ ଉତ୍ସବରେ ମାତିଥିଲେ । ରାଜଧାନୀର ସବୁ ଲୋକେ ସେତେବେଳେ ଖୁସି । ଆପଣଙ୍କର, ରାଣୀଙ୍କର ତଥା ନଗରବାସୀଙ୍କ ସେ ଉତ୍ସାହ ଭାଙ୍ଗିଦେବାକୁ ମୋର ମନ ଗଲା ନାହିଁ । ତେଣୁ ମୁଁ ସତ୍ୟ ଗୋପନ କରିଥିଲି ।”

                ରାଜା ପଚାରିଲେ “ଯେଉଁ ସତ୍ୟ ଗୋପନ କରିଥିଲ, ତାହା କ’ଣ?”

                ଜ୍ୟୋତିଷ ତ ରାଜାଙ୍କଠାରୁ ଅଭୟ ପାଇଥିଲେ, ତେଣୁ କଣ୍ଠସ୍ୱର ନିମ୍ନ କରି ସେ କହିଲେ, “ମହାରାଜ! ଆପଣଙ୍କ ପାଖରେ ଜନ୍ମ ହୋଇଥିବା ଏ ପିଲା ଆପଣଙ୍କ ବିଖ୍ୟାତ ବଂଶର କଳଙ୍କ । ଏ ପିଲା ଆପଣଙ୍କ ପ୍ରତି ତଥା ମହାରାଣୀଙ୍କ ପ୍ରତି ଭୀଷଣ ଅଶୁଭ । ଆପଣ ଗୋଟାଏ କାମ କରନ୍ତୁ । ଆପଣଙ୍କର ଅନେକ ରଥ ଭିତରୁ ଯେଉଁ ଗୋଟିକ ଚଢି କୁଆଡେ ଗଲେ କାମ ବ୍ୟର୍ଥ ହୁଏ, ଅର୍ଥାତ୍ ଯେଉଁ ରଥ ଅଶୁଭ, ସେହି ରଥରେ ପିଲାକୁ ବସାଇ, ଅଶୁଭ ଘୋଡା ଯୋଖି ପଶ୍ଚିମ ଦ୍ୱାର ଦେଇ ତାକୁ ଶ୍ମଶାନକୁ ପଠାଇ ଦିଅନ୍ତୁ । ସେଠାରେ ଗୋଟାଏ ଗାତ ଖୋଳି ଏହି ପିଲାକୁ ତହିଁ ଭିତରକୁ ଠେଲି ଦେଇ ତାକୁ ପୋତି ଦିଆଯାଉ । ତାହାହେଲେ ଯାଇ ଏ ଅଶୁଭ କଟିଯିବ ।”

                ରାଜପୁତ୍ରଙ୍କର ଚାଲିଚଳଣ ଓ କଥା ନ କହିବା ଦେଖି ରାଜା ପୂର୍ବରୁ ବହୁତ ବିରକ୍ତ ଓ ଦୁଃଖିତ ହୋଇଥିଲେ । ଏବେ ଜ୍ୟୋତିଷର କଥାରେ ସେ ସମ୍ପୂର୍ଣ୍ଣ ବିଶ୍ୱାସ କଲେ ଓ ସେହି ଅନୁସାରେ କାର୍ଯ୍ୟ କରିବେ ବୋଲି ମନେ ମନେ ସ୍ଥିର କଲେ ।

                ଡମ୍ଫା ଜ୍ୟୋତିଷର ଏକଥା ରାଣୀ ଅନ୍ତରାଳରୁ ଶୁଣୁଥିଲେ । ଜ୍ୟୋତିଷର କଥା ଯେ ରାଜାଙ୍କୁ ଭଲ ଭାବରେ ପ୍ରଭାବିତ କରିଛି ରାଜାଙ୍କ ମୁହଁର ଭାବ ଦେଖି ତାହା ସେ ଅନୁମାନ କରିନେଲେ । ପୁତ୍ରର ଆଶୁ ମୃତ୍ୟୁ କଥା ଭାବି ତାଙ୍କର ହୃଦୟ ଶତଧା ବିଦୀର୍ଣ୍ଣ ହେଲା । ନିଜର ଆଧ୍ୟାତ୍ମ ବୁଦ୍ଧି ବଳରେ କିନ୍ତୁ ରାଣୀ ଜାଣି ପାରିଥିଲେ ଯେ ତାଙ୍କ ପୁଅ ଜଣେ ଯୋଗଜନ୍ମା । ମୌନ ହୋଇ ରହିଲେ ମଧ୍ୟ ଏକ ମହାନ୍ ଆତ୍ମା ଯେ ତାଙ୍କ ପୁଅ ହୋଇ ଜନ୍ମ ନେଇଛି ସେ ବିଷୟରେ ସେ ନିଃସନ୍ଦେହ ଥିଲେ । ଏଭଳି ଏକ ଶାନ୍ତ ଓ କୋମଳ ବାଳକ ପ୍ରତି ଏ ଦଣ୍ଡ ଅନ୍ୟାୟ ହେବ । ପୁଣି ମା’ର ହୃଦୟ ଏକଥା କିପରି ସହିବ । ପୁଅକୁ ମୃତ୍ୟୁରୁ ରକ୍ଷା କରିବା ପାଇଁ ସେ ନାନା ଉପାୟ ଚିନ୍ତା କଲେ । ପୁଣି ଜ୍ୟୋତିଷ କଥା ଶୁଣିଛନ୍ତି ଓ ସେଥିପାଇଁ ପ୍ରତିକ୍ରିୟା ଦେଖାଉଛନ୍ତି ଶୁଣିଲେ ରାଜା ହୁଏତ ଅଧିକ ବିରକ୍ତି ହେବେ । ସେଥିପାଇଁ ସେ ପୁଅର ଦୀର୍ଘଜୀବନ ପାଇଁ ରାଣୀ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ ଓ ନୀରବରେ ଖାଲି କାନ୍ଦିବାକୁ ଲାଗିଲେ । କିଛି ସମୟ ପରେ ସେ ଧୈର୍ଯ୍ୟ ଧରି ମନ ମଧ୍ୟରେ ନାନାକଥା ଚିନ୍ତା କରି ରାଜାଙ୍କର ଆଗମନକୁ ଅପେକ୍ଷା କରି ରହିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ