ଉପସ୍ଥିତ ବୁଦ୍ଧି

ଶ୍ୟାମଲାଲ ଓ ହରିମୋହନ ଉଭୟେ ବଣିକ । ଦୁହିଁଙ୍କ ଘର ଗୋଟାଏ ସହରରେ । ଦୁହେଁ ବାଣିଜ୍ୟ କରିବାକୁ ଶ୍ରୀପୁର ଯାଇଥିଲେ ସେଇଠି ହିଁ ସେ ଦୁହିଁଙ୍କର ଦେଖା ହୋଇଗଲା ।

                ଶ୍ୟାମଲାଲ ବୋଇତରେ ସେଠାକୁ ଯାଇଥିଲେ । ମାତ୍ର ସ୍ଥଳ ପଥରେ ହରିମୋହନ ସେଠାକୁ ଯାଇଥିଲେ । ଶ୍ୟାମଲାଲଙ୍କ ଅନୁରୋଧରେ ହରିମୋହନ ନିଜ ସହକାରୀ ତିନିଜଣଙ୍କ ସମେତ ତାଙ୍କ ବୋଇତରେ ଦେଶକୁ ଫେରିବାକୁ ରାଜି ହେଲେ । ବୋଇତ ଛାଡିଦେଲା ।

                ରାତିରେ ଶ୍ୟାମଲାଲ ହରିମୋହନଙ୍କୁ ଦୁଇଖଣ୍ଡି ହୀରା ଦେଖାଇ କହିଲେ, “ଭାଇ, ଏହାହିଁ ମୋର ସବୁଠାରୁ ମୂଲ୍ୟବାନ ଆମଦାନୀ । ଯଦି ଜଳଦସ୍ୟୁଙ୍କ ହାବୁଡରେ ପଡିବୁ, ତେବେ ମୁଁ କ’ଣ କରିବି?”

                ହରିମୋହନ କହିଲେ “ତମେ ତାକୁ ଅଂଟିରେ ବାନ୍ଧିରଖ ।”

                ସତକୁ ସତ ତା’ପରଦିନ ଗୋଟାଏ ଜଳଦସ୍ୟୁ ଜାହାଜ ଆସି ଶ୍ୟାମଲାଲ୍ଙ୍କ ବୋଇତର ସାମ୍ନା କଲା । ଦସ୍ୟୁମାନେ ଆଉ ସବୁ ନେବା ପରେ ଦଳପତି ଶ୍ୟାମଲାଲ୍ ଓ ହରିମୋହନଙ୍କୁ ଛୁରୀ ଦେଖାଇ କହିଲା, “ବର୍ତ୍ତମାନ ତମମାନଙ୍କୁ ତଲାସ୍ କରିବି ।”

                ହରିମୋହନ ଶ୍ୟାମଲାଲ୍ଙ୍କ ଆଡେ ଅନାଇ ବିକଳ ଭାବରେ କହିଲେ, “ଭାଇ, ପ୍ରାଣଠୁଁ କ’ଣ ହୀରାଟା ବଡ? ଆମର ସେ ହୀରା ଦୁଇଖଣ୍ଡ ଦେଇ ଦିଅ ।” ଶ୍ୟାମଲାଲ କାନ୍ଦ କାନ୍ଦ ହୋଇ ଅଂଟାରୁ ହୀରା ଖୋଲି ଦେଇଦେଲେ । ତା’ପରେ ଜଳଦସ୍ୟୁମାନେ ସେଠାରୁ ଚାଲିଗଲେ ।

                ଶ୍ୟାମଲାଲ୍ କହିଲେ, “ହରିମୋହନ, ତମେ ମୋତେ ଦଗା ଦେଲ?”

                ହରିମୋହନ ଧୀର ଭାବରେ ନିଜ ଅଂଟିରୁ ଗୋଟାଏ ଥଳି ବାହାର କରି ତାକୁ ଖୋଲି ଧରିଲେ । ସେଥିରେ କୋଡିଏ ଖଣ୍ଡି ମୂଲ୍ୟବାନ ହୀରା ଥିଲା । ସେ କହିଲେ, “ଭାଇ, ଏସବୁ ତମର ସେ ହୀରାମାନଙ୍କ ତୁଳନାରେ ଅଧିକ ମୂଲ୍ୟବାନ । ମୁଁ ତମ ହୀରା ଦୁଇଖଣ୍ଡି କଥା କହି ନଥିଲେ ସେ ଆମ ଉଭୟଙ୍କୁ ତଲାସ୍ କରି ଆମଠୁଁ ସବୁ ନେଇ ଯାଇଥାନ୍ତା । ବର୍ତ୍ତମାନ ଏଥିରୁ ଯେ କୌଣସି ଚାରିଗୋଟି ହୀରା ତମେ ନିଅ!”


ଗପ ସାରଣୀ

ତାଲିକାଭୁକ୍ତ ଗପ