ଏତେ ସପନକୁ ରାତି କାହିଁ

ଅଧ୍ୟକ୍ଷଙ୍କ କଥାରେ ସେ ପିଲାଟି ହସି ହସି କହିଲା, “ମହାଶୟ! ମୁଁ ତ ସ୍ୱପ୍ନ ଦେଖୁଥିଲି?”

ତହୁଁ ସେ ଅଧ୍ୟକ୍ଷ ଜଣକ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ଇଏ କେମିତିକା କଥା? କିଏ ସିନା ଶୋଇବା ଅବସ୍ଥାରେ ସ୍ୱପ୍ନ ଦେଖେ, ହେଲେ ତୁମେ ଚେଇଁରହି ଚାଲିଚାଲି ଏମିତି କି ସ୍ୱପ୍ନ ଦେଖୁଥିଲ କି? ଶୋଇବା ଅବସ୍ଥାରେ ଚାଲିବା ରୋଗ ତୁମର ଅଛି କି?”

ଏହାଶୁଣି ସେ ଛାତ୍ରଟି କହିଲା, “ନା, ନା, ସେ ରୋଗ ମୋର ନାହିଁ, କିନ୍ତୁ ମୁଁ ଯେଉଁ ସ୍ୱପ୍ନ ଦେଖୁଛି, ତାହା ମୋର ନିଦ ହରଣ କରି ନେଇଛି ।”

ଛାତ୍ରର ଏଭଳି କଥା ଶୁଣି ସେ ଅଧ୍ୟକ୍ଷ ଜଣକ ପୁନଶ୍ଚ ପଚାରିଲେ, “କି ସ୍ୱପ୍ନ ଦେଖୁଛ ଟିକିଏ କହିଲ?”

ତହୁଁ ସେ ପିଲାଟି କହିଲା, “ମୁଁ ଗୋଟିଏ ଦରିଦ୍ର ପରିବାରର ପିଲା । ପାଠ ପଢି ଖୁବ୍ ବଡ ବୈଜ୍ଞାନିକ ହେବାକୁ ମୋର ଭାରି ଇଚ୍ଛା । ସେଥିଲାଗି ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଗବେଷଣା କରିବାକୁ ମୁଁ ଚାହେଁ । ସେଇ ଝୁଙ୍କ ହିଁ ମୋର ମୁଣ୍ଡରେ ପଶିଲା ଦିନଠାରୁ ମୋର ନିଦ ହଜି ଯାଇଛି । ମୁଣ୍ଡରେ ଏବେ ମୋର କେବଳ ଗୋଟିଏ ଚିନ୍ତା ଯେ, ମୁଁ କିଭଳି ଜଣେ ବଡ ବୈଜ୍ଞାନିକ ହେବି? ତାହାହିଁ ମୋର ସ୍ୱପ୍ନ । ଆଉ ସେହି ସ୍ୱପ୍ନକୁ ଚରିତାର୍ଥ କରିବା ପାଇଁ ମୋତେ ନିଦ ଲାଗୁନି ।”

ଠିକ୍ ସେତିକିବେଳେ ସେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜଣେ ଅଧ୍ୟାପକ ବସିଥିଲେ । ପିଲାଟି ମୁହଁରୁ ଏଭଳି କଥା ଶୁଣି ସେ ଆଗ ହସିଦେଲେ । ତା’ପରେ ସେ କହିଲେ, “ଏତେ ସପନକୁ ରାତି କାହିଁ?”

ଅଧ୍ୟାପକଙ୍କର ଏଭଳି ତାତ୍ସଲ୍ୟପୂର୍ଣ୍ଣ କଥା ଶୁଣି ସେ ପିଲାଟି ସତେଯେମିତି ଚିହିଁକି ଉଠିଲା । ତା’ର ମନୋବଳ ଅହୁରି ବଢିଗଲା । ସେଦିନ ସେହିଠାରେ ହିଁ ସେ ପ୍ରତିଜ୍ଞା କଲା, ଦିନେନା ଦିନେ ସେ ନିଶ୍ଚୟ ବଡ ବୈଜ୍ଞାନିକ ହେବ ।

ଅବଶ୍ୟ ପିଲାଟିର ହାବଭାବରୁ ଅଧ୍ୟକ୍ଷ ଜାଣିପାରିଥିଲେ ଯେ, ଏଇ ପିଲାଟି ନିଶ୍ଚୟ ଦିନେ ବଡ ବୈଜ୍ଞାନିକ ହେବ । ସୁତରାଂ ସେଦିନ ସେଇ ପିଲାଟିକୁ ସେ କହିଥିଲେ, “ତୁମର ସ୍ୱପ୍ନ ଅବଶ୍ୟ ଦିନେ ନା ଦିନେ ଚରିତାର୍ଥ ହେବ । ଏବେ ତୁମେ ଯାଇପାର ।”

ପିଲାଟି ସେଠାରୁ ଚାଲିଗଲା ପରେ ଅଧ୍ୟକ୍ଷ ସେହି ଅଧ୍ୟାପକଙ୍କୁ କହିଲେ, “ଶୋଇଥିବା ବେଳେ ତ ସମସ୍ତେ ସ୍ୱପ୍ନ ଦେଖନ୍ତି । ହେଲେ ରାତି ପାହିଗଲା ପରେ ସେ ସ୍ୱପ୍ନସବୁ ମଉଳିଯାଏ, ଆଉ ମନରେ ବି ନଥାଏ । କିନ୍ତୁ ଯେଉଁ ସ୍ୱପ୍ନ ଆଖିରୁ ନିଦ ହଜେଇ ଦିଏ, ସେହି ସ୍ୱପ୍ନ ହିଁ ସତରେ ପରିଣତ ହେଲାଯାଏଁ ମନରେ ବଂଚିରହେ । ଦେଖିବ, ଏ ପିଲା ଦିନେ ନିଶ୍ଚୟ ବଡ ବୈଜ୍ଞାନିକ ହେବ ।”

ସତକୁ ସତ ସେଇ ପିଲାଟି ନିଜର ଅଧ୍ୟବସାୟ ବଳରେ ଦିନେ ବିଶ୍ୱପ୍ରସିଦ୍ଧ ବୈଜ୍ଞାନିକ ପାଲଟି ଯାଇଥିଲା, ଯାହାଙ୍କର ନାମ ଥିଲା – “ସାର୍ ଆଇଜାକ୍ ନିଉଟନ୍ ।”

“ସବୁ ସ୍ୱପ୍ନ ହୁଏ ନାହିଁ ସତ୍ୟ ତଥାପି କେତେକ ହୁଏ

ସତ୍ୟ ହୁଏ ସେହି ସ୍ୱପ୍ନ ଦିନେ ଯିଏ ନିଦକୁ ହଜେଇଦିଏ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ