କଡମାଛ ଓ ରାଜକୁମାରୀ

ସମ୍ରାଟଙ୍କର ମୁଖରୁ ଏ କଥା ଶୁଣି ବୁଢାଟି ବିଚରା ଦୁଃଖ ଓ ଭୟରେ କାନ୍ଦି କାନ୍ଦି ଘରକୁ ଗଲା । ଘରେ ତାର ପୁଅକୁ ଦେଖି ଆହୁରି ଜୋର୍ରେ କାନ୍ଦି ଉଠିଲା । କଡମାଛଟି ଏହାଦେଖି ପଚାରିଲା ‘ବାପା ତୁମେ ଏପରି କାହିଁକି କାନ୍ଦୁଛ?’

ବୁଢାଟି କହିଲା ‘ସମ୍ରାଟ ତାଙ୍କ ଝିଅକୁ ତୋ ସହିତ ବିବାହ କରିଦେବାପାଇଁ ଗୋଟିଏ ସର୍ତ୍ତ ରଖିଛନ୍ତି । ଆମେ ଯଦି ଆଜି ଭିତରେ ତାଙ୍କ ରାଜଉଆସ ଭଳିଆ ଗୋଟିଏ ନୂଆ ଉଆସ ତିଆରି କରିଦେବା ତେବେ ସେ ତାଙ୍କ ଝିଅକୁ ତୋ ସହିତ ବିବାହ ଦେବେ ନଚେତ୍ କାଲି ସକାଳୁ ତୋର ଓ ମୋର ମୁଣ୍ଡ କାଟ ହେବ ।’

ଏତିକି ଶୁଣି କଡମାଛଟି ବୁଢାକୁ କହିଲା ‘ବାପା ତୁମେ ଆଉ ବ୍ୟସ୍ତ ହୋଇ କାନ୍ଦ ନାହିଁ । ଏବେ ତୁମେ ଯାଇ ଆନନ୍ଦରେ ଶୁଅ । ଯାହା କରିବାର କଥା ଏଥର ମୁଁ କରିବି ।’

ରାତିରେ ଯେତେବେଳେ ବୁଢାବୁଢୀ ଆନନ୍ଦରେ ନିଦରେ ଶୋଇପଡିଲେ ଠିକ୍ ସେତିକି ବେଳେ କଡମାଛଟି ଗୁରୁଣ୍ଡି ଗୁରୁଣ୍ଡି ଆସି ଘରୁ ବାହାରକୁ ଫକ୍ କିନା ଡେଇଁ ପଡିଲା । ସେ ଯେମିତି ବାହାରକୁ ଡେଇଁ ପଡିଛି ସଙ୍ଗେ ସଙ୍ଗେ ସେ ଏକ ସୁନ୍ଦର ଯୁବକରେ ପରିଣତ ହୋଇଗଲା । ତା ହାତରେ ଥିବା ଲୁହା ବାଡିକୁ ଯେମିତି ସେ ତଳେ ବାଡେଇ ଦେଇଛି ହଠାତ୍ ସେଠାରେ ତିରିଶ ଜଣ ସଶସ୍ତ୍ର ଲୋକ ଆସି ପହଁଚିଗଲେ ।

ସେମାନେ ସେ ଯୁବକକୁ କହିଲେ ‘ପ୍ରଭୁ’ ଆପଣ କାହିଁକି ଆମକୁ ସ୍ମରଣ କଲେ?’ ଯୁବକ ଜଣକ କହିଲା ‘ଆଜି ରାତି ମଧ୍ୟରେ ସମ୍ରାଟଙ୍କ ଉଆସ ନିକଟରେ ଏକ ନୂଆ ଉଆସ ତୋଳିଦିଅ ।’

ଏପରି କଥା ଶୁଣି ସେ ସଶସ୍ତ୍ର ଲୋକମାନେ ‘ନିଶ୍ଚୟ ପ୍ରଭୁ!’ କହି କଦମ ପକାଇ ଚାଲିଗଲେ ।

ସେମାନେ ସେଠାରୁ ଯିବାପରେ ଯୁବକଟି ପୁଣି କଡ ମାଛର ରୂପ ଧାରଣକରି ଶେଯରେ ଶୋଇଗଲା । ସକାଳୁ କଡମାଛଟି ତା ବୁଢାବାପାକୁ ଉଠାଇ କହିଲା ‘ବାପା’ ଆପଣ ସମ୍ରାଟଙ୍କ ଉଆସପାଖକୁ ଯାଇ ଦେଖନ୍ତୁ ସେଠାରେ କ’ଣ ହୋଇଛି ।’

ବୁଢାଟି ସମ୍ରାଟଙ୍କ ଉଆସ ପାଖରେ ପହଁଚି ଯାହା ବି ଦେଖିଲା ସେଥିରେ ସେ ଆଶ୍ଚର୍ଯ୍ୟ ହୋଇଗଲା । ସେ ଦେଖିଲା ସେଠାରେ ସମ୍ରାଟ୍ ଉଆସ ଅପେକ୍ଷା ଖୁବ୍ ସୁନ୍ଦର ଆଉ ଗୋଟିଏ ଉଆସ ତୋଳାହୋଇ ଯାଇଛି ।

ସମ୍ରାଟ୍ ସକାଳୁ ତାଙ୍କ ଝରକା ବାଟେ ନୂଆ ଉଆସକୁ ଦେଖି ଆଶ୍ଚର୍ଯ୍ୟ ହୋଇ ମନକୁ ମନ କହି ଉଠିଲେ ‘ସେ ବୁଢାର କଡମାଛର ପୁଅର ନିଶ୍ଚୟ କିଛି ଅଲୌକିକ ଗୁଣ ଅଛି ।’ ବୁଢାଟି ସେ ନୂଆ ଉଆସ ଚାରିପାଖ ବୁଲି ଦେଖି ଘରକୁ ଫେରି ଆସିଲା ।

କଡମାଛଟି ବାପା ଫେରି ଆସିବାର ଦେଖି ପଚାରିଲା ‘ବାପା! ସମ୍ରାଟଙ୍କ ଉଆସ ପାଖରେ କ’ଣ ଦେଖିଲ?’ ବୁଢା କହିଲା ‘ସେଠାରେ ତୋଳା ହୋଇଥିବା ନୂଆ ଉଆସଟି ସମ୍ରାଟଙ୍କ ଉଆସ ଅପେକ୍ଷା ଦେଖିବାକୁ ଆହୁରି ସୁନ୍ଦର ।’

କଡମାଛଟି ବୁଢାକୁ କହିଲା ‘ବାପା! ତୁମେ ଏଥର ଯାଇ ସମ୍ରାଟଙ୍କୁ ତାଙ୍କ ଝିଅକୁ ବିବାହ କଥା କୁହ । ବୁଢାଟି ଖୁବ୍ ଖୁସିରେ ସମ୍ରାଟଙ୍କୁ ଭେଟି କହିଲା ‘ହଜୁରୁ ଆପଣଙ୍କ କହିବା ଅନୁଯାୟୀ ଆପଣଙ୍କ ଉଆସ ପାଖରେ ନୂଆ ଉଆସ ହେଲା ଏବେ ଆପଣ ଆପଣଙ୍କ କଥା ରକ୍ଷାକରି ମୋ ପୁଅ ସହିତ ତୁମ ଝିଅକୁ ବିବାହ ଦିଅନ୍ତୁ ।’

ସମ୍ରାଟ କହିଲେ ‘ଠିକ୍ ଅଛି । ତୁମ ପୁଅକୁ କହିଦିଅ ଯେ ଯେଉଁ ମନ୍ଦିରରେ ବିବାହ ଉତ୍ସବ ଅନୁଷ୍ଠିତ ହେବ ତାହା ପୁରୁଣା ହୋଇ ଗଲାଣି । ସେ ପୁରୁଣା ମନ୍ଦିରରେ ବିଭାଘର ହୋଇ ପାରିବ ନାହିଁ । ଯଦି ତୁମ ପୁଅ ଆଜି ରାତିକ ମଧ୍ୟରେ ପୁରୁଣା ମନ୍ଦିର ପାଖରେ ଏକ ନୂଆମନ୍ଦିର ତୋଳିଦେବ ଏବଂ ନୂଆମନ୍ଦିରରୁ ପୁରୁଣା ମନ୍ଦିରକୁ, ନୂଆ ଉଆସରୁ ପୁରୁଣାର ଉଆସକୁ ଓ ନୂଆଉଆସରୁ ନୂଆମନ୍ଦିରକୁ ତିନୋଟି ସିଡିବାଟ ତିଆରି କରିଦେବ ତେବେ ତୁମ ପୁଅ ସହିତ ମୋ ଝିଅର ବିବାହ ସମ୍ଭବ ହେବ ନଚେତ୍ ତୁମ ଦୁଇଜଣଙ୍କ ମୁଣ୍ଡକାଟ ହେବ ।’

ସମ୍ରାଟଙ୍କଠାରୁ ଏକଥା ଶୁଣି ବୁଢା ଭୟରେ କାନ୍ଦି ଉଠିଲା ଓ ସେ ଘରକୁ ପୁଅ ପାଖକୁ ଫେରି ଆସିଲା । କଡମାଛ ବୁଢାବାପାକୁ କାନ୍ଦୁଥିବାର ଦେଖି ପଚାରିଲା, ବାପା ତୁମେ କାନ୍ଦୁଛ କାହିଁକି? ବୁଢାଟି ସମ୍ରାଟ ଯାହା କହିଲେ ସବୁ ପୁଅ ଆଗରେ କହିଲେ ।

ସବୁ ଶୁଣି କଡମାଛଟି ତାର ବୁଢା ବାପାକୁ କହିଲା ‘ବାପା’! ତୁମେ ଯାଇ ଘରେ ଖାଇ ପିଇ ଶୁଅ । କାଲି ସକାଳୁ ତୁମେ ଯାଇ ସମ୍ରାଟଙ୍କୁ ଦେଖା କରିବ ।’ ପୁଅ କଥାରେ ବୁଢା ଘରେ ଯାଇ ଖାଇ ପିଇ ଶୋଇଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ