କଡମାଛ ଓ ରାଜକୁମାରୀ

ସେ ସ୍ତ୍ରୀଲୋକଟି ରାଜକୁମାରୀକୁ କହିଲା ‘ତୁମେତ ଗୋଟିଏ ରାତ୍ରି ମୋ ସ୍ୱାମୀଙ୍କ ପାଖରେ ରହିଲ । ଏବେ ତୁମେ ତୁମ ବାଟରେ ଯାଅ ।’

ଏହାପରେ ବିଚାରି ରାଜକୁମାରୀ ଅତ୍ୟନ୍ତ ମନ ଦୁଃଖରେ ସେ ବୁଢୀର ଭଉଣୀ ନିକଟକୁ ଫେରି ଆସି ତାକୁ ସବୁକଥା କହିଲା । ବୁଢୀର ଭଉଣୀ ରାଜକୁମାରୀକୁ ଗୋଟିଏ ସୁନ୍ଦର ମୁଦି ଦେଇ କହିଲା ‘ଏଥର ତୁ ଏ ମୁଦିଟିକୁ ହାତରେ ପିନ୍ଧିଲେ ବଗିଚାର ଚଟାଣ ଉପରେ ଯାଇ ବସିବୁ । ପୁଣି ସେ ସ୍ତ୍ରୀଲୋକମାନେ ଆସିବେ ଓ ତୋ ସ୍ୱାମୀର ନୂଆସ୍ତ୍ରୀ ଜଣକ ତୋତେ ଏ ମୁଦିଟି ମାଗିବ । ତୁ ପାନିଆଟି ଦେଲାବେଳେ ଯାହା ସବୁ କହିଥିଲୁ ପୁଣି ସେଇଆ ସବୁ କହିବୁ ଏବଂ ସେ ତୋତେ ନେଇ ତୋ ସ୍ୱାମୀ ପାଖରେ ପହଁଚାଇ ଦେଲେ ତୁ ତାକୁ ଏ ମୁଦିଟି ଦେବୁ । ଏଥର କିନ୍ତୁ ତୋ ସ୍ୱାମୀର ନିଦ ଭାଙ୍ଗିବାପାଇଁ ତୁ ଚେଷ୍ଟା କରିବୁ ।’

ଏଥର ରାଜକୁମାରୀ ସେ ଶଙ୍ଗମଲମଲ ଚଟାଣ ଉପରେ ବସିଥିବାବେଳେ ପୁଣି ସେ ତିନିଜଣ ସ୍ତ୍ରୀଲୋକ ଆସିଲେ ଓ ରାଜକୁମାରୀ ସ୍ୱାମୀର ନୂଆସ୍ତ୍ରୀ ତାକୁ ପିନ୍ଧିଥିବା ସୁନ୍ଦର ମୁଦିଟି ମାଗିଲା । ରାଜକୁମାରୀ ତା ସ୍ୱାମୀ ସହିତ ଗୋଟିଏ ରାତି ରହିବା କଥା କହିବାରୁ ସେ ସ୍ତ୍ରୀ ଲୋକଟି ରାଜକୁମାରୀକୁ ନେଇ ତା ସ୍ୱାମୀର ଶୋଇବାଘରେ ତାକୁ ଛାଡି ଦେଇ ତାଠାରୁ ସେ ସୁନ୍ଦର ମୁଦିଟି ନେଇ ଚାଲିଗଲା । ଏଥର ମଧ୍ୟ ସେ ସ୍ତ୍ରୀଲୋକଟି ତା ସ୍ୱାମୀକୁ ଗୋଟିଏ ନିଦ ବଟିକା ଖୁଆଇ ଦେଇଥିଲା ।

ରାଜକୁମାରୀ ତା ସ୍ୱାମୀକୁ ପଲଙ୍କ ଉପରେ ଆନନ୍ଦରେ ଶୋଇଥିବାର ଦେଖି ତାକୁ ଅନେକ ଡାକିଲା । ରାଜକୁମାରୀ ତା ସ୍ୱାମୀକୁ ଯେତେ ଡାକିଲେ ମଧ୍ୟ ତାର ନିଦ ମୋଟେ ଭାଙ୍ଗିଲା ନାହିଁ । ଯେମିତି ରାତି ପାହି ସକାଳ ହୋଇଛି ସେ ସ୍ତ୍ରୀଲୋକଟି ପହଁଚି ରାଜକୁମାରୀକୁ ସେଠାରୁ ଚାଲିଯିବାକୁ କହିଲା ।

                ରାଜକୁମାରୀ ମନଦୁଃଖରେ ଫେରି ଆସି ବୁଢୀର ଭଉଣୀକୁ ସବୁକଥା କହିଲା ଓ ଦୁଃଖରେ ଖାଲି କାନ୍ଦିବାକୁ ଲାଗିଲା । ବୁଢୀର ଭଉଣୀ ରାଜକୁମାରୀଠାରୁ ସବୁକଥା ଶୁଣି କହିଲା ‘ତୋ ସ୍ୱାମୀର ନୂଆସ୍ତ୍ରୀ ତୋ ସ୍ୱାମୀକୁ ନିଦ ବଟିକା ଖୁଆଇ ଦେଇଥିବାରୁ ରାତିରେ ତାର ନିଦ ମୋଟେ ଭାଙ୍ଗୁ ନାହିଁ ।’

ବୁଢୀର ଭଉଣୀ ରାଜକୁମାରୀକୁ ଗୋଟିଏ ସୁନ୍ଦର ରୁମାଲ ଦେଇ ପୁଣି ସେ ଶଙ୍ଖମଲମଲ ଚଟାଣ ପାଖକୁ ପଠାଇଲା । ସବୁଥର ଭଳି ସେ ତିନିଜଣଯାକ ସ୍ତ୍ରୀଲୋକ ସେଠାରେ ପହଁଚିଲେ ଓ ରାଜକୁମାରୀ ସ୍ୱାମୀର ନୂଆସ୍ତ୍ରୀ ରାଜକୁମାରୀକୁ ସେ ସୁନ୍ଦର ରୁମାଲଟି ମାଗିବାରୁ ପୂର୍ବଥର ଭଳି ରାଜକୁମାରୀ ତା ସ୍ୱାମୀ ନିକଟରେ ଗୋଟିଏ ରାତି କଟେଇବାପାଇଁ କହିଲା । ସେ ସ୍ତ୍ରୀ ଲୋକଟି ସେଥିରେ ରାଜିହୋଇ ତା ସ୍ୱାମୀ ଶୋଇବା ଘରେ ରାଜକୁମାରୀକୁ ଛାଡିଦେଇ ତାଠାରୁ ରୁମାଲଟି ନେଇ ଚାଲିଗଲା । ଏଥର ମଧ୍ୟ ସେ ସ୍ତ୍ରୀଲୋକଟି ତା ସ୍ୱାମୀକୁ ନିଦ ବଟିକା ଖୁଆଇ ଦେଲା ।

ରାତିଯାକ ରାଜକୁମାରୀ ତା ସ୍ୱାମୀକୁ ଯେତେ ଡାକିଲେ ମଧ୍ୟ ସେ ଶୁଣିଲା ନାହିଁ କି ତାର ନିଦ ବି ଭାଙ୍ଗିଲା ନାହିଁ । ରାତି ପାହିଯିବା ପରେ ସେ ସ୍ତ୍ରୀ ଲୋକଟି ଆସି ରାଜକୁମାରୀକୁ ଚାଲିଯିବା ପାଇଁ କହିଲା । ରାଜକୁମାରୀ ତାର ସ୍ୱାମୀକୁ ନପାଇବାର ଆଶା ଦେଖି ମନଦୁଃଖରେ ଖାଲି ଭୋ ଭୋ କରି କାନ୍ଦି ଉଠିଲା । ରାଜକୁମାରୀ ଆଖିରୁ ଦୁଇ ଟୋପା ଲୁହ ଝରି ତାର ସ୍ୱାମୀ ଉପରେ ପଡିଗଲା ।

ସେ ରାଜକୁମାରୀର ଲୁହ ଯେମିତି ତାର ସ୍ୱାମୀଉପରେ ପଡିଛି ତାର ନିଦ ହଠାତ୍ ଭାଙ୍ଗିଗଲା ଓ ସେ ଉଠି ପଲଙ୍କ ଉପରେ ବସିଲା । ସେ ତାର ପ୍ରଥମ ସ୍ତ୍ରୀକୁ ଦେଖି ଠିକ୍ ଚିହ୍ନି ପାରିଲା ।

ରାଜକୁମାରୀ ସ୍ୱାମୀର ନୂଆସ୍ତ୍ରୀ ରାଜକୁମାରୀକୁ ସେଠାରୁ ଯେମିତି ଚାଲିଯିବାକୁ କହିଛି ରାଜକୁମାରୀର ସ୍ୱାମୀ ତା ଦ୍ୱିତୀୟ ସ୍ତ୍ରୀକୁ କହିଲା ‘ନା, ସେ ମୋର ପ୍ରଥମ ସ୍ତ୍ରୀ ଓ ମୋର ପ୍ରକୃତ ସ୍ତ୍ରୀ ।’

ଏହା ଶୁଣି ଦ୍ୱିତୀୟ ସ୍ତ୍ରୀଟି ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲା ।

ରାଜକୁମାରୀର ସ୍ୱାମୀ ଯେକି ସେ ଦେଶର ରାଜା ଭାବରେ ଅଭିଷିକ୍ତ ହୋଇଥିଲା ସେ ଦେଶର ସମସ୍ତ ପାରିଷଦ ବର୍ଗ ଓ ସାମନ୍ତମାନଙ୍କୁ ଖୁବ୍ ଆଡମ୍ବର ସହକାରେ ଡକାଇ କହିଲା ‘ମୁଁ ଆପଣଙ୍କ ରାଜ୍ୟରେ ଅଭିଷିକ୍ତ ହୋଇ ରାଜ୍ୟ ଶାସନ ବୁଝୁଥିଲି । ମାତ୍ର ମୁଁ ଆଜି ଆପଣମାନଙ୍କୁ ଗୋଟିଏ କଥା ବିଚାର କରିବା ପାଇଁ ଡକାଇ ଅଛି । ଆପଣମାନେ ଏଠାରେ ଯେଉଁ ଦୁଇଜଣ ସ୍ତ୍ରୀଲୋକଙ୍କୁ ଦେଖୁଛନ୍ତି ସେମାନେ ମୋର ସ୍ତ୍ରୀ । ମାତ୍ର ଏମାନଙ୍କ ମଧ୍ୟରୁ ମୋର ପ୍ରକୃତ ସ୍ତ୍ରୀ କିଏ ଆପଣମାନେ ବିଚାର କରିବେ । ଏ ରାଜକୁମାରୀ ମୋର ପ୍ରଥମ ସ୍ତ୍ରୀ ଯେକି ନିଜ ଜୀବନକୁ ବିପନ୍ନ କରି ମୋତେ ଖୋଜି ଖୋଜି ଆସିଛି । ମାତ୍ର ଏ ମୋର ଦ୍ୱିତୀୟ ସ୍ତ୍ରୀ ଯେକି ସାମାନ୍ୟ ପାନିଆ, ମୁଦି ଓ ରୁମାଲ ପାଇଁ ମୋତେ ଆଉ ଜଣକ ପାଖରେ ବିକ୍ରି କରି ଦେଇଛି । ତେବେ ଆପଣମାନେ ବିଚାର କରନ୍ତୁ ମୋର ପ୍ରକୃତ ସ୍ତ୍ରୀ କିଏ?

ଉପସ୍ଥିତ ଥିବା ସମସ୍ତ ଓ ପାରିଷଦମାନେ କହି ଉଠିଲେ ‘ଯେଉଁ ସ୍ତ୍ରୀ ନିଜ ଜୀବନକୁ ବିପନ୍ନ କରି ଆପଣଙ୍କୁ ଖୋଜିବାକୁ ଆସିଛି ସେଇ ହେଉଛି ଆପଣଙ୍କର ପ୍ରକୃତ ସ୍ତ୍ରୀ ।’

ଏହାପରେ କଡମାଛର ସ୍ୱାମୀ ରାଜକୁମାରୀଙ୍କୁ ସଙ୍ଗରେ ଧରି ତାଙ୍କର ପୂର୍ବ ରାଜ୍ୟକୁ ଫେରିଆସି ସୁଖରେ କାଳାତିପାତ କରିବାକୁ ଲାଗିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ