କଥାର ଦୁଇ ଭଙ୍ଗୀ

                ରମେଶ ପଚାରିଲା “କାହାରି ମୁଣ୍ଡରେ ବସିବା ମୋର କ’ଣ ଦରକାର? ତାଛଡା କେଉଁ ଗରଜରେ ମୁଁ କାହା ସହ ମିଶିବାକୁ ଯିବି?”

                ସୁଧାକର କହିଲା “ଦେଖ ରମେଶ, ଗାଁରେ ସମସ୍ତେ ମିଳିମିଶି ଚଳିବା ହେଲା ଧର୍ମ । ଏହାହିଁ ପଲ୍ଲିଜୀବନର ମଧୁରତା ଓ ବିଶେଷତ୍ୱ । ତୁ ସହରରେ ଚାକିରୀ କରି ରହିଲେ ଏକା କୋଠାର ଅନ୍ୟ ମହଲାରେ ରହୁଥିବା ଲୋକ ସହ ବି ଆଳାପ ନଥିଲେ ଚଳିବ । କିନ୍ତୁ ଏଠାରେ ତ ସେପରି ଆଦୌ ହେବ ନାହିଁ । ତୁ ଅନ୍ୟମାନଙ୍କ ପ୍ରତି ସହାନୁଭୂତିଶୀଳ ହେବା ଆବଶ୍ୟକ । ସେଥିରେ ତୋତେହିଁ ଆନନ୍ଦ ମିଳିବ । ତୁ ସ୍ୱାର୍ଥପର ହେଲେ, ପରର ଛିଦ୍ର ଖୋଜିଲେ ଲୋକେ ମଧ୍ୟ ତୋ ପ୍ରତି ଠିକ୍ ସେହିପରି ଆଚରଣ କରିବେ ।”

                ରମେଶ ଶୁଣାଇ ଦେଲା “ଚୋପ୍! ମୁଁ ସ୍ୱାର୍ଥପର ଆଉ ତୁ ଭାରି ଉଦାର! ଆଉ ବେଶି କିଛି କହିଲେ ମୁଁ ତୋ ଛାମୁ ଦାନ୍ତ ଦୁଇଟା ଭାଙ୍ଗିଦେବି ।”

                ତା’କଥାଶୁଣି ସୁଧାକର ହସିଲା ଓ କହିଲା, “ହେଲା ଭାଇ, ହେଲା । ତୁ ଆଉ କଷ୍ଟ କରି ମୋ ଦାନ୍ତ ଭାଙ୍ଗିବା କିଛି ଦରକାର ନାହିଁ ।”

                ପରଦିନ ରମେଶ ସହ ସୁଧାକରର ଭେଟ ହୋଇଗଲା । ରମେଶ କହିଲା, “ସୁଧା! ଆଚାର୍ଯ୍ୟ ବଜ୍ରଦେବ ଆଜି ମନ୍ଦିର ଆଗରେ ଭାଷଣ ଦେବେ । କ’ଣ ସେଠାକୁ ଯିବୁଟି?”

                ସୁଧାକର କହିଲା, “ତୁ ଯଦି ଯିବୁ, ମୁଁ ବି ଯିବି ।”

                ସନ୍ଧ୍ୟାବେଳେ ରମେଶ ଆସି ସୁଧାକରକୁ ତା’ ଘରୁ ଡାକି ନେଇଗଲା । ଉଭୟେ ଯାଇ ସଭାର ଆଗ ଧାଡିରେ ବସିଲେ ଓ ବକ୍ତୃତା ଶୁଣିଲେ ।

ଆଚାର୍ଯ୍ୟ କହିଲେ, “ମଣିଷର ଅଶାନ୍ତିର ମୂଳ କାରଣ ସେ ନିଜେ । ଯାହା ଭିତରେ ଗ୍ଳାନି ଓ ଦୁର୍ବଳତା ଭର୍ତ୍ତି, ସିଏ ସବୁବେଳେ ଅନ୍ୟର ଭୁଲ୍ ଭ୍ରାନ୍ତି ବା ଦୋଷ ଦୁର୍ବଳତା ଉପରେ ମନ୍ତବ୍ୟ ଦିଏ । ଯାହା ମନରେ ଶାନ୍ତି ସଦ୍ଭାବ ଭର୍ତ୍ତି ହୋଇଥିବ, ଅନ୍ୟର ତ୍ରୁଟି ବିଷୟ କହିବାକୁ ତା’ ମନ ହେବ ନାହିଁ ।”

ସୁଧାକର କଣେଇ କଣେଇ ଲକ୍ଷ୍ୟ କଲା, ରମେଶ ମନ ଦେଇ ଆଚାର୍ଯ୍ୟଙ୍କ କଥା ଶୁଣୁଛି ।

ଆଚାର୍ଯ୍ୟ ପୁଣି କହିଲେ, “ଶାନ୍ତି, ସନ୍ତୋଷ ଭଗବାନଙ୍କଠୁଁ ଆସେ । କୌଣସି ମଣିଷ ବା ପରିସ୍ଥିତି ଏସବୁ ଦେଇପାରେ ନାହିଁ । ଏସବୁ ପାଇବା ମାର୍ଗ ହେଲା ଅନ୍ୟପ୍ରତି ସହାନୁଭୂତିଶୀଳ ହେବା, ନିଜେ ସ୍ୱାର୍ଥପର ନ ହେବା ।”

ସୁଧାକର ପୁଣି ରମେଶ ଆଡେ ଅନାଇଲା । ରମେଶ ଆଉ ସେହି ଆଚାର୍ଯ୍ୟଙ୍କ ଦାନ୍ତ ଭାଙ୍ଗିବାକୁ ବାହାରିପଡିବ ନାହିଁ ତ?

ସଭା ଶେଷ ହେଲା । ବାଟରେ ରମେଶ କହିଲା, “କିରେ ସୁଧା, ଆଚାର୍ଯ୍ୟଙ୍କ ଭାଷଣ କିପରି ଲାଗିଲା? ମୋତେ କିନ୍ତୁ ଭାରି ଭଲ ଲାଗିଲା ।”

                “ଆଚାର୍ଯ୍ୟଙ୍କ ଭାଷଣ ମୁଁ ଆଗରୁ ବି ଶୁଣିଛି । ସେ ବାସ୍ତବିକ ବହୁତ ଭଲ କହନ୍ତି ।”

                ସୁଧାକର ତା’କଥାରେ ଆମୋଦିତ ହେଲା । ପରଦିନ ସେ ଯାଇ ଆଚାର୍ଯ୍ୟଙ୍କୁ ଭେଟିଲା । ଆଚାର୍ଯ୍ୟ ତାକୁ ରାଜଦରବାରରେ ଆଗରୁ ଚିହ୍ନିଥିଲେ । ସୁଧାକର ଏକାନ୍ତରେ ତାଙ୍କୁ ରମେଶ କଥା କହିଲା ଓ ପ୍ରଶ୍ନ କଲା, “ଆଚାର୍ଯ୍ୟ! ଆପଣ ଯାହା କହିଥିଲେ, ମୁଁ ବି ତାକୁ ସେଇଆ କହିଥିଲି । କିନ୍ତୁ ସେ ମୋ ଉପରେ ରାଗିଗଲା । ଆପଣଙ୍କର ପ୍ରଶଂସା କଲା । ଏହାର ରହସ୍ୟ କ’ଣ?”

ଆଚାର୍ଯ୍ୟ ହସି ହସି କହିଲେ, “ତମେ ତାକୁ ନିର୍ଦ୍ଧିଷ୍ଟ ଭାବରେ ସ୍ୱାର୍ଥପର ବୋଲି କହିଲ । ମୁଁ ଯାହା କହୁଥିଲି, ତାହା ସମଗ୍ର ଜନସାଧାରଣଙ୍କ ପ୍ରତି ସାଧାରଣ ଭାବରେ ପ୍ରଯୁର୍ଯ୍ୟ । ତେଣୁ ତାକୁ ସେ ନିଜ ଉପରକୁ ନେଲା ନାହିଁ । ବରଂ ତମ କଥା ସେ ତା’ ନିଜ ଉପରକୁ ନେଲା । ସଙ୍ଗେ ସଙ୍ଗେ ନିଜ ଅହଂରେ ଲାଗିଲା ।”

ସୁଧାକର ଏଥର ବୁଝିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ