କନକ ଉପତ୍ୟକାର କାହାଣୀ

ରାଜପୁତ୍ର ରାଜୁ ପାଖକୁ ଲାଗି ଆସିଲେ । ସେହି ସମୟରେ ତାଙ୍କ ଆଖିରେ କୃତଜ୍ଞତାର ଅଶ୍ରୁ ଜକେଇ ଥାଏ । ସ୍ନେହସିକ୍ତ କଣ୍ଠରେ ରାଜୁ ସମ୍ବୋଧନ କଲା “କୁନି ରାଜକୁମାର!” କିନ୍ତୁ ପ୍ରହରୀମାନେ ତତ୍କ୍ଷଣାତ୍ ତାକୁ ରାଜପୁତ୍ରଙ୍କଠୁଁ ଟାଣି ନେଇଗଲେ ।

ରାଜୁ ପଛରେ ରାଜା ଓ ବତ୍ର-ଦାଢୀ ଚାଲିଥାନ୍ତି । ସର୍ପ ଦାନବର ଦେହ କେଉଁଠି ପୋତା ହେବ ଓ ତା’ପରେ କେଡେ ବିରାଟ ସ୍ମୃତିସ୍ତମ୍ଭ ନିର୍ମାଣ ହେବ, ସେମାନେ ସେଇକଥା ଆଲୋଚନା କରୁଥାନ୍ତି ।

ନିଶାର୍ଦ୍ଧ । ରାଜୁ ଯେତେ ଚିନ୍ତା କରୁଥାଏ, ତା’କୁ ସେତିକି ବିସ୍ମୟ ଲାଗୁଥାଏ । ସର୍ପ-ଦାନବର ନିଧନରେ ରାଜା ଓ ବତ୍ରଦାଢୀ କାହିଁକି ବିଚଳିତ ହେଲେ? ରାଜପୁତ୍ରକୁ ରକ୍ଷା କରିବା ଅପରାଧ କିପରି ହେଲା?

କାରାକକ୍ଷ ଆଗର ସୁଡଙ୍ଗପଥ ମୃଦୁ ଆଲୋକରେ ଉଦ୍ଭାସିତ ହେଲା । ଜଣେ ପ୍ରହରୀ କକ୍ଷ ଖୋଲିଦେଲା । ଆଗରେ ରାଜା ଛିଡା ହେଲେ । ତା’ପରେ ସେ କହିଲେ “ତରୁଣ! ତମେ ମୋ ପୁତ୍ରର ଜୀବନ ରକ୍ଷା କରିଛ । ଏଣୁ ମୁଁ ତୁମପ୍ରତି କୃତଜ୍ଞ । ମୁଁ ତମର ମୃତ୍ୟୁ କାମନା କରୁନାହିଁ ।”

ରାଜୁ କହିଲା “ମହାରାଜ, ଆଉ କିଏ ବି କାହିଁକି ମୋ ମୃତ୍ୟୁ କାମନା କରିବ ସେକଥା କାହିଁ ମୁଁ ତ ଯମା ବୁଝି ପାରୁନାହଁ ।”

ଏହାପରେ ସେ ରାଜା ତାକୁ ବୁଝାଇବାକୁ ଯାଇ କହିଲେ “ତରୁଣ, ଇଏ ହେଲା ଜ୍ଞାନ-ବିଜ୍ଞାନ ରାଜ୍ୟ । ଜ୍ଞାନପାଇଁ ଶୃଙ୍ଖଳା ଲୋଡା । ସେ ସର୍ପ-ଦାନବ ଶୃଙ୍ଖଳାର ଅଧିଷ୍ଠାତା ଥିଲା । ସେ ଶୃଙ୍ଖଳା ମାନି ଦୈନିକ ଗୋଟାଏ ମଣିଷ ଖାଉଥାଏ, ମାତ୍ର ତା’ଠୁଁ ଅଧିକ ନୁହେଁ । ସେ କେଉଁଦିନ କାହାକୁ ଗ୍ରାସ କରିବ, ସେଇଟା ତା’ର ଇଛା । ଆଜି ସେ ମୋ ପୁଅକୁ ଖାଇବାକୁ ଉଦ୍ୟତ ହେଲା ବୋଲି ମୁଁ କିପରି ସେଥିରେ ବାଧା ଦେବି? ରାଜା ହିସାବରେ ଶୃଙ୍ଖଳାର ଦୃଷ୍ଟାନ୍ତ ରଖିବା ବରଂ ମୋର ପ୍ରଥମ କର୍ତ୍ତବ୍ୟ ।”

ରାଜୁ ପଚାରିଲା “ମହାରାଜ, ସର୍ପ-ଦାନବ ଶୃଙ୍ଖଳାର ଅଧିଷ୍ଠାତା କିପରି ହେଲା?”

ରାଜା କହିଲେ “ସେଇଟା ଅବଶ୍ୟ ଗୋପନ କଥା । କିନ୍ତୁ ମୁଁ ତମକୁ କହି ଦେଉଛି । ସର୍ପ-ଦାନବ ତୁଚ୍ଛା ସର୍ପ-ଦାନବ; ତା’ଠୁଁ ବେଶି କିଛି ନୁହେଁ । କିନ୍ତୁ ଶୃଙ୍ଖଳାର ନିୟାମକ ଭାବରେ କାହାକୁ ତ ହେଲେ ଲୋକେ ମାନିବା କଥା । ନହେଲେ ସେମାନେ ବିଶୃଙ୍ଖଳ ହୋଇଯିବେ । ସେ ନିୟାମକ ଯେତେ ଭୟଙ୍କର ହେବ, ଲୋକେ ତାକୁ ସେତିକି ବେଶି ମାନିବେ ।”

ରାଜୁ ପ୍ରଶ୍ନ କଲା “ମହାରାଜ! ରଥକୁ ତ ମଣିଷ ନଟାଣି ଘୋଡା ଟାଣିବା ଉଚିତ୍, ଏତକ ଜ୍ଞାନ ବି ତ ଆପଣମାନଙ୍କର ନାହିଁ । ଆଉ ଏଇଟା କେଉଁ ଦୃଷ୍ଟିରୁ ଜ୍ଞାନବିଜ୍ଞାନ ରାଜ୍ୟ?”

ରାଜା ରାଜୁର ପିଠି ଥାପୁଡେଇ ଦେଇ କହିଲେ, “ତରୁଣ, ଯେଉଁମାନଙ୍କୁ ତମେ ମଣିଷ ରୂପରେ ଦେଖିଲ, ସେମାନେ ବାସ୍ତବରେ ଘୋଡା । ଆମେ ସେମିତି ଗୁଡାଏ ଘୋଡାଙ୍କୁ ମଣିଷ ଓ ଗୁଡାଏ ମଣିଷଙ୍କୁ ଘୋଡାରେ ପରିଣତ କରି ପାରିଛୁ । ଏଥିରୁ ଆମ ଜ୍ଞାନ ବିଜ୍ଞାନର କରାମତି ବୁଝୁଛଟି?”

“ବୁଝୁଛି!” ଏତିକି କହି ରାଜୁ ଦୀର୍ଘନିଃଶ୍ୱାସ ଛାଡିଲା ।

ରାଜା ଥଟ୍ଟାଳିଆ ଭାବରେ ଜେରା କଲେ “ବୁଝୁଛ?” ତା’ପରେ ସେ ପଚାରିଲେ, “କ’ଣ ବୁଝୁଛ?”

ରାଜୁ ତା’ର କଣ୍ଠସ୍ୱର ଟାଣ କରି କହିଲା “ବୁଝୁଛି ଯେ ଏ ଧରଣର ଜ୍ଞାନବିଜ୍ଞାନର ଅଧିଷ୍ଠାତା କେବଳ ସର୍ପ-ଦାନବହିଁ ହେବା ଉଚିତ!”

ରାଜା ଅସ୍ୱସ୍ତି ଅନୁଭବ କଲେ । ରାଜୁକୁ ସେମାନଙ୍କର ଆହୁରି ଅଧିକ କିଛି କରାମତି ଦେଖାଇବା ନିମନ୍ତେ ନଅରର ଛାତ ଉପରକୁ ସେ ନେଇଗଲେ । ଛାତର ଗୋଟିଏ କୋଣରେ ଏକ ଉଜ୍ଜ୍ୱଳ ଶୁଭ୍ର ଗମ୍ବୁଜ ଥିଲା । ତହିଁ ଉପରେ କିଛି ଲାଲ ଅଂଶ ଥିଲା । ରାଜା ସେହି ଅଂଶ ଉପରେ ତିନିଥର ହାତ ବାଡେଇଦେଲେ । ଲାଲ ଅଂଶ ଅପସରି ଯାଇ ଏକ ଦ୍ୱାର ଦେଖାଦେଲା ।

ରାଜୁ ରାଜାଙ୍କୁ ଅନୁସରଣ କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ