କନକ ଉପତ୍ୟକାର କାହାଣୀ

                ଅତିଜ୍ଞାନୀମାନେ ସାଧ୍ୟାନୁସାରେ ଆଖି ବଡ ବଡ କରି ରାଜୁ ନିର୍ଦ୍ଧେଶ କରୁଥିବା ସ୍ଥାନ ଆଡେ ଅନାଇଲେ ।

                ମନ୍ତ୍ରୀ କହିଲେ “ମୁଁ ଦେଖୁଛି ଗୋଟିଏ ବିଶେଷ ପେଚା!”

                ମୁଖ୍ୟ ଅମାତ୍ୟ କହିଲେ “ମୁଁ ଦେଖୁଛି ଗୋଟିଏ ଅତିକାୟ ମାଙ୍କଡଶା ।”

                ରାଜୁ ବଡ ବ୍ୟଥିତ ଭାବରେ ପ୍ରଶ୍ନ କଲା “ହା ଭଗବାନ! ଆପଣମାନେ କେହି କିମ୍ବଦନ୍ତିର ସେ ସୁବର୍ଣ୍ଣ ପ୍ରତିମା ଦେଖିପାରୁ ନାହାଁନ୍ତି?”

                ମୁଖ୍ୟ ଅମାତ୍ୟ କହିଲେ “କିମ୍ବଦନ୍ତିର ସୁବର୍ଣ୍ଣ ପ୍ରତିମା? ଆରେ! ଏ ଟୋକା ତ ପାଗଳ!” ଅନ୍ୟମାନେ ବି ତାଙ୍କ ସହ ଏକମତ ହେଲେ ।

                ରାଜା ହୁକୁମ୍ ଦେଲେ “ଏ ଟୋକାକୁ ପର୍ବତ ଶିଖରକୁ ନେଇଯାଇ ତଳକୁ ଗଡାଇ ଦିଅ ।” ସେ ସ୍ୱୟଂ ନିଜ ହୁକୁମ୍ ତାଲିମ୍ କରିବା ନିମନ୍ତେ ତତ୍ପର ହୋଇ ରାଜୁର ଡାହାଣ ହାତକୁ କାବୁ କରିନେଲେ । ମନ୍ତ୍ରୀ ତା’ର ବାମ ହାତ ଧରିନେଲେ । ଦୁଇ ଅମାତ୍ୟ ତା’ର ଦୁଇ ଗୋଡର ଦାୟିତ୍ୱ ନେଲେ । ତୃତୀୟ ଜଣକ ତା’ର ବେକକୁ ଧରିଲେ । ବାକି ଦୁଇଜଣ କିଛି ଧରିବାକୁ ନପାଇ ବଡ ବିକଳରେ ଲସର ପସର ହେଉଥାନ୍ତି ।

                ରାଜା ତଥା ଏ ଭଦ୍ରଲୋକମାନେ ସୁବର୍ଣ୍ଣ ପ୍ରତିମା ଦେଖିପାରୁ ନଥିବାରୁ ରାଜୁ ଏଡେ ଆଶ୍ଚର୍ଯ୍ୟ ହେଉଥାଏ ଯେ ସେମାନଙ୍କୁ ବାଧା ଦେଲାଭଳି ଉତ୍ସାହ ତା’ର ନଥାଏ । ସେମାନେ ତାକୁ ଧରି ପର୍ବତାରୋହଣ କରିବାକୁ ପ୍ରସ୍ତୁତ ହୋଇ ଯେମିତି ଉପରକୁ ଅନାଇଛନ୍ତି, ସେମିତି ସେମାନଙ୍କ କଣ୍ଠରୁ ସମବେତ ବିସ୍ମୟ-ସୂଚକ ଧ୍ୱନି ନିର୍ଗତ ହେଲା । ସେମାନେ ରାଜୁକୁ ଛାଡିଦେଲେ ।

                ଏଥର ସେ ରାଜୁ ଆହୁରି ଆଶ୍ଚର୍ଯ୍ୟ ହେଲା ।

                ଅମାତ୍ୟମାନେ କହିଲେ “ଚମତ୍କାର! ଚମତ୍କାର!”

                ରାଜା ଗର୍ଜନ କଲେ “ଚୋପ୍!” “ମୁଁ ସିନା ସେକଥା କହିବି! ଚମତ୍କାର, ଚମତ୍କାର!! ମାନେ, ଇଏ, ଲଡୁ ଭଳି, ନା ନା, ଅନେକ ଲଡୁ ଭଳି, ନା, ନା, ଆହୁରି ବେଶି ଲଡୁ ଭଳି ଚମତ୍କାର!”

                ରାଜୁ ନମ୍ର କଣ୍ଠରେ ମନ୍ତବ୍ୟ ଦେଲା “ମହାରାଜ, ବୋଧହୁଏ ଇନ୍ଦ୍ରଧନୁ ଭଳି, କିମ୍ବା ପଦ୍ମଫୁଲ ଭଳି, ଅଥବା ଅପ୍ସରା ଭଳି ସୁନ୍ଦର କହିଲେ ଠିକ୍ ହେବ ପରା!”

                “ବାଳକ, ତୁ ବି କେଡେ ଚମତ୍କାର! ମୁଁ ଜାଣେ, ମୁଁ ବୋକା ନୁହେଁ, ତୋତେ ଛୁଇଁବା ଫଳରେ ମୁଁ ସେ ପ୍ରତିମା ଦେଖିଲା ଭଳି ଦୃଷ୍ଟି ପାଇଲି । ଆହୁରି ଭଲ କରି ତୋତେ ଛୁଇଁବି ।” ରାଜା ଏହା କହି ରାଜୁକୁ ଭିଡି ଧରିଲେ ।

                ମନ୍ତ୍ରୀ କହିଲେ “ମୋ କ୍ଷେତ୍ରରେ ବି ସେଇଆ ହେଲା!” ଅମାତ୍ୟମାନେ ବି ସେଇଆ କହି ରାଜୁ ଆଡେ ସପ୍ରଶଂସ ଦୃଷ୍ଟିରେ ଅନାଇଲେ ।

                ରାଜୁ କହିଲା “ମହାରାଜ, ଆପଣ ସେ ସୁବର୍ଣ୍ଣ ପ୍ରତିମା ଅବଲୋକନ କରିବା ଫଳରେ ନିଜେ କେଡେ ଚମତ୍କାର ଦିଶିଲେଣି ଜାଣନ୍ତି?”

                ରାଜା ଅଧୈର୍ଯ୍ୟ ହୋଇ କହିଲେ “ନା, ମୁଁ ତ ଜାଣେ ନା! ଆରେ, କିଏ ଅଛ, ମୋ ଦର୍ପଣ କାହିଁ? ଆଣ, ଆଣ, ଦୌଡି ଯାଇ ମୋ ଦର୍ପଣ ନେଇ ଆସ । ମୁଁ ମୋ ନିଜକୁ ଆଗ ଟିକେ ଦେଖିବି! ମୁଁ କେଡେ ସୁନ୍ଦର!”


ଗପ ସାରଣୀ

ତାଲିକାଭୁକ୍ତ ଗପ