କନକ ଉପତ୍ୟକାର କାହାଣୀ

ସେ ସାଧୁ ଓ ଦୟାଳୁ ଦିଶୁଥିଲେ । ମନ୍ଦିର ପାଖରେ ତାଙ୍କ ଛଡା ଆଉ କେହି ମଧ୍ୟ ନଥିବା ଦୃଷ୍ଟିରୁ ରାଜୁ ନିଜ ମନେ ମନେ ଧରିନେଲା କି ସେ ପୁରୋହିତ ।

ରାଜୁ ସାଧୁଙ୍କୁ ଅଭିବାଦନ ଜଣାଇ କହିଲା “ମୋ ମନରେ ଥିବା ପ୍ରଶ୍ନ ଆପଣ ଜାଣି ଦେଇଛନ୍ତି ଦେଖୁଛି! ବାସ୍ତବିକ, ଗଛ କୋଟର ଭିତରେ ଥିବା ସାମାନ୍ୟ ଶୂନ୍ୟ ସ୍ଥାନ ଭିତରୁ ଏଭଳି ବ୍ୟାପକ ଉଦ୍ୟାନ, ମନ୍ଦିର କିପରି ପ୍ରକଟିତ ହେଲା, ତାହାହିଁ ମୋର ବିସ୍ମୟ ।”

ସାଧୁ ପଚାରିଲେ “ଦେଖ ବାବୁ, ଶୂନ୍ୟର ପୁଣି ସାମାନ୍ୟ କ’ଣ, ଆଉ ବ୍ୟାପକ କ’ଣ? ଶୂନ୍ୟ ସ୍ଥାନର ପୁଣି ଛୋଟ ବଡ କ’ଣ? ତମେ ଶୂନ୍ୟକୁ କେଉଁଥିରେ ମାପିଥାଅ?”

“ମାପକାଠି ବା ଫିତା ଦେଇ ମାପିବାରୁ – ପାରୁ ନା? ହାତେ, ଦୁଇହାତ…”

“ତମେ ତମ ମାପ କାଠି ବା ଫିତାକୁହିଁ ମାପ, ହେଲେ ଶୂନ୍ୟକୁ ନୁହେଁ । ଶୂନ୍ୟର ତ ସେମିତି ନିର୍ଦ୍ଦିଷ୍ଟ କୌଣସି ଆକାର ନାହିଁ; ମାପ ନାହିଁ । ଆଞ୍ଜୁଳାଏ ଶୂନ୍ୟ ଓ ମହାଶୂନ୍ୟରେ କିଛିବି ଫରକ୍ ନାହିଁ । ଶୂନ୍ୟ ଏକ । ତାହାକୁ ଭାଗ ଭାଗ କରିହେବ ନାହିଁ ।”

ରାଜୁକୁ ସାଧୁଙ୍କ କଥା ପ୍ରହେଳିକା ଭଳି ମନେ ହେଲା ନାହିଁ । ତା’ର ଯେତିକି ଅଭିଜ୍ଞତା ହୋଇଥିଲା, ସେଥିରୁ ମନେ ହେଲା ସାଧୁଙ୍କ କଥା ଅତ୍ୟନ୍ତ ବାସ୍ତବ ।

ରାଜୁ ମନେ ପକାଇ ଦେଲା “ହଁ, ଆପଣ ମୋ ଚିନ୍ତା କିପରି ଜାଣିଦେଲେ? ସେ ପ୍ରଶ୍ନଟିର ଉତ୍ତର ମୁଁ ପାଇନାହିଁ ।”

ସାଧୁ ପ୍ରଶ୍ନ କଲେ “ତମର ଚିନ୍ତା ବୋଲି କିଛି ନାହିଁ । ସବୁ ଚିନ୍ତା ସାର୍ବଜନୀନ । ତମ ଭୌଗଳିକ ଜ୍ଞାନର ଅଗୋଚରରେ ଥିବା ଶୂନ୍ୟର ଯେଉଁ ସ୍ତରରେ ତମେ ଆସି ପହଁଚି ଯାଇଛ, ଏଠାରେ ଚିନ୍ତାର ତରଙ୍ଗ ସବୁ ସିଧା ସଳଖ ଦେଖାଯାଏ – ଯେମିତି ତମେ ଦେଖ ଜଳର ତରଙ୍ଗ ବା ମେଘମାଳା ବା ଇନ୍ଦ୍ରଧନୁ । କାହିଁକି, ତମେ କ’ଣ ମୋ ଚିନ୍ତା ଦେଖିପାରୁ ନାହଁ?”

ରାଜୁ ସାଧୁଙ୍କ ଆଡେ ଅନାଇଲା ଓ ସେ କ’ଣ ଭାବୁଛନ୍ତି, ତତ୍କ୍ଷଣାତ୍ ତାହାବି ବୁଝିପାରିଲା ।

ରାଜୁ କୌତୁହଳୀ ହୋଇ ପ୍ରଶ୍ନ କଲା “ଆପଣ ମୋତେ ବର୍ତ୍ତମାନ ଯାହା କହିବେ ବୋଲି ଭାବୁଛନ୍ତି, ତାହା ମୁଁ ଠିକ୍ ବୁଝିପାରୁଛି । ଯେଉଁ ଦେବୀଙ୍କ ସନ୍ଧାନରେ ମୁଁ ଆସିଛି, ସେ ଏହି ମନ୍ଦିରରେ ବିରାଜିତା ବୋଲି ଜଣାଇବା ସଙ୍ଗେ ସଙ୍ଗେ ଆପଣ ମୋତେ କହିବାକୁ ଚାହୁଁଥିଲେ କି ମୁଁ ତାଙ୍କୁ ମାତ୍ର ତିନୋଟି ବର ମାଗି ପାରିବି, ତହିଁରୁ ଅଧିକ ନୁହେଁ । ଠିକ୍ ତ?”

ସାଧୁ କହିଲେ “ଠିକ୍ । ମୁଁ ବୁଝୁଛି, ତମେ କିନ୍ତୁ ବେଶ୍ ବିଚଳିତ ବୋଧ କରୁଛ । ଚାରିଗୋଟି ବର ମାଗିବା ତମର ଉଦ୍ଧେଶ୍ୟ ଥିଲା ।”

“ଆପଣ ଠିକ୍ କହିଛନ୍ତି ।”

ସାଧୁ କହିଲେ “କିନ୍ତୁ ତାହା ତ ଅସମ୍ଭବ । ତିନିହିଁ ସୀମା ।” ସାଧୁ ଟିକିଏ ରହି ପୁଣି କହିଲେ, “କିନ୍ତୁ ବିଚଳିତ କାହିଁକି? ଯାହା କିଛି ହୋଇଯାଏ, ତା’ର ତ ପୁଣି ଯଥାର୍ଥ୍ୟ ଥାଏ! ତମେ ହଠାତ୍ ସେ ସିଂହ ଉପରେ ନିଜକୁ ଦେଖି ବିଚଳିତ ବୋଧ କରିଥିଲ । କିନ୍ତୁ ସିଂହ ତମକୁ ଆଣି ନଥିଲେ ତମେ ସେ ଆଗ୍ନେୟ ପ୍ରାଚୀର ଅତିକ୍ରମ କରି ପାରିଥାନ୍ତ କି? କୋଟର ଭିତରେ ପଶି ତଳକୁ ଖସିବା ମୁହୂର୍ତ୍ତରେ ବି ତମେ ବିଚଳିତ ବୋଧ କରିଥିଲ । କିନ୍ତୁ ସେ ଅବସ୍ଥାରେ ନ ପଡିଥିଲେ ତମେ କେବେବି ଏଠି ଆସି ପହଁଚି ପାରିଥାନ୍ତ କି?”

ରାଜୁ ଏଥର ତାଙ୍କ କଥାର ସତ୍ୟତା ବୁଝିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ