କରୁଣାର ପ୍ରମାଣ

ତା’ପରେ ପ୍ରବୋଧ କାନି ଫିଟାଇ ମୁଦ୍ରାଟି ବାହାର କଲେ । କିନ୍ତୁ କହିଲେ, “ଭାଇ, ମୋର ଯାହା ଥିଲା, ତମକୁ ଦେଇ ଦେଇଛି । ଏ ମୁଦ୍ରାଟି କାଶୀ ବିଶ୍ୱନାଥଙ୍କ ହୁଣ୍ଡିରେ ପକାଇବା ନିମନ୍ତେ ମୋତେ ଜଣେ ଗରୀବ ମୋଚି ଦେଇଛି । ତମେ ଏହାକୁ ମୋଠାରୁ ନିଅ ନାହିଁ ।”

ଡାକୁ ସ୍ତବ୍ଧ ହୋଇ ରହିଲା । “ଜଣେ ଗରୀବ ମୋଚି ତମ ହାତରେ ବିଶ୍ୱନାଥଙ୍କୁ ପ୍ରଣାମୀ ପଠାଇଛି? ଆଚ୍ଛା! ତେବେ ତମେ ଏ ଥଳି ବି ନେଇଯାଅ । ମୋ ତରଫରୁ ଦିଅଁଙ୍କୁ ପ୍ରଣାମୀ ଦେବ ।” ଏହା କହି ପ୍ରବୋଧଙ୍କ ଟଙ୍କା ଥଳି ତାଙ୍କୁ ସେ ଫେରାଇ ଦେଲା ।

ଏହାପରେ ଆହୁରି ଦୀର୍ଘପଥ ବାକି ଥାଏ । ବାଟରେ ଏକ ଭୀଷଣ ଘନ ଜଙ୍ଗଲ ପଡିଲା । ପ୍ରବୋଧ ଜଙ୍ଗଲ ଭିତର ଦେଇ ଯାଉଛନ୍ତି, ପ୍ରବଳ ହୁଙ୍କାର ଛାଡି ତାଙ୍କ ଆଡକୁ ଲଂପଂଦେଇ ଗୋଟିଏ ବ୍ରହ୍ମରାକ୍ଷସ ଆସିଲା । ସେ ପ୍ରବୋଧଙ୍କୁ ଗୋଟାଏ ହାତରେ କାବୁ କରିନେଇ ଖାଇବାକୁ ଉଦ୍ୟତ ହେଲା ।

ପ୍ରବୋଧ ଭୀଷଣ ଶଙ୍କିଯିବା ସତ୍ତ୍ୱେ କହିଲେ, “ରାକ୍ଷସ! ମୋର ଅନୁରୋଧ ଶୁଣ । ମୁଁ କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରିବାକୁ ଯାଉଛି । ଜଣେ ଗରୀବ ମୋଚି ମୁଁ ତାକୁ ଦେଇଥିବା ପାରିଶ୍ରମିକ ଓ ଜଣେ ଡାକୁ ମୋଠୁଁ ଲୁଣ୍ଠନ କରିନେଇଥିବା ଅର୍ଥ ପୁଣି ମୋତେ ଦେଇ ଦିଅଁଙ୍କ ପାଖରେ ପହଁଚାଇ ଦେବାକୁ କହିଛନ୍ତି ଓ ମୁଁ ସେମାନଙ୍କୁ ତାହା କରିବି ବୋଲି ପ୍ରତିଶୃତି ମଧ୍ୟ ଦେଇଛି । ତୁମେ ମୋତେ ବର୍ତ୍ତମାନ ଗ୍ରାସ କଲେ ମୁଁ ମୋ ପ୍ରତିଶୃତି ରକ୍ଷା କରି ପାରିବି ନାହିଁ । ଫଳରେ ମୁଁ ପାପୀ ହେବି । ମୁଁ କଥା ଦେଉଛି, ଏଇ ବାଟରେ ଲେଉଟି ଆସିବି । ସେତେବେଳେ ତମେ ମୋତେ ଖାଇବ । ମୋତେ ବିଶ୍ୱାସ କର ।”

ପ୍ରବୋଧଙ୍କ କଥାରେ ରାକ୍ଷସର ବିଶ୍ୱାସ ହେଲା । ସେ ତାଙ୍କୁ ଛାଡି ଦେଲା ।

ବଣରୁ ବାହାରିବା ମାତ୍ରେ ଦଳେ ଯାତ୍ରୀଙ୍କ ସହ ପ୍ରବୋଧଙ୍କର ସାକ୍ଷାତ୍ ହେଲା । ସେ ଯାତ୍ରୀମାନଙ୍କ ଦଳରେ ଜଣେ ବିଶିଷ୍ଟ ବଣିକ ଥିଲେ । ଗୁରୁ ଜୀବାନନ୍ଦଙ୍କ ପ୍ରତି ତାଙ୍କର ଗଭୀର ଶ୍ରଦ୍ଧା ଥିଲା । ସେ ଜୀବାନନ୍ଦଙ୍କ ଶିଷ୍ୟ ପ୍ରବୋଧଙ୍କୁ ଭେଟି ବହୁତ ଆନନ୍ଦିତ ହେଲେ । ତେଣିକି ପ୍ରବୋଧଙ୍କ ଖିଆପିଆ ଖର୍ଚ୍ଚ ସବୁ ସେ ବହନ କଲେ । କାଶୀରେ ପହଁଚିବା ପରେ ସେ ଯାତ୍ରୀଦଳ ଯେଉଁ ଅତିଥି ଭବନରେ ରହିଲେ, ପ୍ରବୋଧ ମଧ୍ୟ ସେହିଠାରେ ରହିଲେ ।

ରାସ୍ତାରେ ଯାହା ଯାହା ଘଟିଥିଲା, ପ୍ରବୋଧ ସେସବୁ ବଣିକଙ୍କୁ କହିଲେ । ବଣିକ ଯେତିକି ଆଶ୍ଚର୍ଯ୍ୟ ହେଲେ, ସେତିକି ଆତଙ୍କିତ ବି ହେଲେ । ସେ ପ୍ରବୋଧଙ୍କୁ କହିଲେ, “ଯାହା ହେବାର ହେଲାଣି । ଆପଣ ଆମ ସାଙ୍ଗରେ କୌମୁଦୀ ରାଜ୍ୟକୁ ଫେରିବେ । ମୁଁ ଆପଣଙ୍କୁ ନେଇ ଜୀବାନନ୍ଦଙ୍କ ପାଖରେ ପହଁଚାଇ ଦେବି । ବଣ ରାସ୍ତାରେ ଆସିବା ଉଚିତ୍ ହୋଇନାହିଁ ।”

ପ୍ରବୋଧ ବଣିକଙ୍କ କଥାରେ ରାଜି ହେଲେ । କିନ୍ତୁ ଯେଉଁଦିନ ସେମାନେ କାଶୀ ଛାଡିବା କଥା, ସେଦିନ ସେ କହିଲେ, “ମହାଶୟ, ମୋର ଏଠାରେ ଆଉ ଦିନେ ଦୁଇଦିନ ରହିବାକୁ ଭାରି ଇଚ୍ଛା ।”

ବଣିକ କାଶୀ ଛାଡିବା ପରଦିନ ପ୍ରବୋଧ କିନ୍ତୁ ବଣରେହିଁ ପଶିଲେ ଓ ବ୍ରହ୍ମରାକ୍ଷସକୁ ଖୋଜିଲେ । ତା’ ନାମ ରୁଧୀରବର୍ଣ୍ଣ ବୋଲି ସେ ମନେ ରଖିଥିଲେ । ସେ ସେହି ନାମରେ ପାଟି କରି ତାକୁ ଡାକିଲେ ।

ହଠାତ୍ ବଣୁଆ ଶୀକାରୀ ଭଳି ଦିଶୁଥିବା ଜଣେ ଲୋକ ଆସି ତାଙ୍କୁ ପ୍ରଣାମ କଲା ଓ କହିଲା, “ମହାଶୟ, ଆପଣଙ୍କ ପ୍ରତି ମୁଁ କ’ଣ କହି କୃତଜ୍ଞତା ଜଣାଇବି? ଆପଣ ଈଶ୍ୱରଙ୍କ ଆଶୀର୍ବାଦ ରୂପେ ମୋ ପାଖକୁ ଆସିଥିଲେ । ଜଣେ ଭକ୍ତର ପ୍ରାଣ ମୁଁ ନେଲି ନାହିଁ । ସେହି ପୂଣ୍ୟରୁ ମୁଁ ମଣିଷ ହୋଇ ଯାଇଛି ।”

ପ୍ରବୋଧ ରାକ୍ଷସ ରୁଧୀରବର୍ଣ୍ଣକୁ ମଣିଷ ରୂପରେ ଦେଖି ଅତ୍ୟନ୍ତ ଆନନ୍ଦିତ ହେଲେ । ସେ ହସି ହସି କହିଲେ, “ମୁଁ ତେବେ ଯାଇପାରେ?”

ରୁଧୀରବର୍ଣ୍ଣ କହିଲା “ଆଜ୍ଞା, ଯଦି କେବେ ମୋ ଦ୍ୱାରା କିଛି ସେବା ପାଇବା ଦରକାର ହେବ, ତେବେ ନିଃସଙ୍କୋଚରେ କହିବେ ।”

ପ୍ରବୋଧ ତାକୁ ଆଶୀର୍ବାଦ ଦେଇ ଅଗ୍ରସର ହେଲେ । କିଛି ଦୂର ଯିବା ପରେ ସେ ଦେଖିଲେ ବଣ ଭିତରେ ଧୂମ୍ଧାମ୍ ଉତ୍ସବ ଲାଗିଛି । ଭୀଲ୍ ମାନେ ନାଚଗୀତରେ ମାତିଛନ୍ତି । ପ୍ରବୋଧ ଜଣକୁ ପଚାରିଲେ, “ଆଚ୍ଛା, ଅଗ୍ନିଶିଖ ଡାକୁ କେଉଁଠି ଥାଇପାରେ?” ସଙ୍ଗେ ସଙ୍ଗେ ସେ ଭୀଲ୍ ପ୍ରବୋଧଙ୍କୁ ସସମ୍ମାନେ ସେମାନଙ୍କ ରାଜା ପାଖକୁ ନେଇଗଲା । ରାଜା ପ୍ରବୋଧଙ୍କୁ ପ୍ରଣାମ କରି କହିଲା, “ମହାଶୟ, ମୁଁ ସେହି ଡାକୁ । ଭୀଲ୍ମାନଙ୍କ ରାଜା ମରିଯିବାରୁ ସେମାନଙ୍କ ରୀତି ଅନୁସାରେ ସେମାନେ ଗୋଟିଏ କପୋତ ଉଡାଇ ଦେଲେ । କପୋତ ଆସି ମୋ ମୁଣ୍ଡରେ ବସିବାରୁ ମୁଁ ରାଜା ହେଲି । ଏସବୁ କେବଳ କାଶୀ ବିଶ୍ୱନାଥଙ୍କ କରୁଣା ଓ ଆପଣଙ୍କ ଆଶୀର୍ବାଦ ।”

ପ୍ରବୋଧ ଏଥିରେ ବିସ୍ମିତ ଓ ଆନନ୍ଦିତ ହେଲେ । ଭୀଲ୍ ରାଜା ତାଙ୍କୁ ତା’ ଅତିଥି ରୂପେ କିଛିଦିନ ରହିବାକୁ ଅନୁରୋଧ କଲା । କିନ୍ତୁ ସେ ରହିଲେ ନାହିଁ । ଭୀଲ୍ ରାଜା କହିଲା “ମୋତେ କିଛି ଉପଦେଶ ଦିଅନ୍ତୁ ।”

ପ୍ରବୋଧ କହିଲେ “ସମସ୍ତଙ୍କ ପ୍ରତି ସଦୟ ହେବ ।”

ଭୀଲ୍ ରାଜା କହିଲା “ମୁଁ ଏହା ନିଶ୍ଚେ ମନେ ରଖିବି ।”

ପ୍ରବୋଧ ଖୁସି ହୋଇ ଭୀଲ୍ ରାଜାଠୁଁ ବିଦାୟ ନେଇ ଅଗ୍ରସର ହେଲେ । ବଣରୁ ବାହାର ହେବା ପରେ ସେ ମୋଚିକୁ ଖୋଜିଲେ, କିନ୍ତୁ ତାକୁ ଆଉ ପାଇଲେ ନାହିଁ । ଗୋଟିଏ ଛୋଟ ସହର ବାଟରେ ଯାଉ ଯାଉ ସେ ନୂଆ ଦୋକାନଟିଏ ଦେଖିଲେ । ଦୋକାନୀ ଦୌଡି ଆସି ତାଙ୍କୁ ପ୍ରଣାମ କଲା । ଦେଖିବା ବେଳକୁ ସେ ସେହି ମୋଚି । ସେ କହିଲା, “ମହାଶୟ, କେଇଦିନ ତଳେ ରାଜା ଏ ବାଟରେ ଯାଉଥିଲେ । ମୋ କାରିଗରୀ ଦେଖି ଅତ୍ୟନ୍ତ ମୁଗ୍ଧ ହୋଇ ମୋତେ ଏ ଘର ଦେଲେ ଓ ଦୋକାନ ପାଇଁ ପୁଞ୍ଜିବି ଦେଲେ । ଏସବୁ କାଶୀ ବିଶ୍ୱନାଥଙ୍କ କରୁଣା ଓ ଆପଣଙ୍କ ଆଶୀର୍ବାଦ ।”

ପ୍ରବୋଧ ଶାନ୍ତିବନକୁ ଫେରି ଆସି ପହଁଚି ଗୁରୁ ଜୀବାନନ୍ଦଙ୍କୁ ସବୁ କଥା କହିଲେ । ସେ ନିଜେ ଯେତିକି ଖୁସି ହୋଇଥାନ୍ତି ଗୁରୁ ବି ସେତିକି ଖୁସି ହେଲେ । କିନ୍ତୁ ପ୍ରବୋଧ ପଚାରିଲେ, “ଗୁରୁଦେବ! ବ୍ରହ୍ମରାକ୍ଷସ, ଡାକୁ ଓ ମୋଚି ସମସ୍ତେ ତୁରନ୍ତ ବିଶ୍ୱନାଥଙ୍କ କୃପା ଲାଭ କଲେ । ମୁଁ କିନ୍ତୁ କିପରି କିଛି ପାଇଲି ନାହିଁ?”

ଏମନ୍ତ କଥାରେ ଜୀବାନନ୍ଦ ହସିଲେ ଓ କହିଲେ, “ତମେ ଏ ପ୍ରଶ୍ନ ଉପରେ ଭଲ କରି ଚିନ୍ତା କରିଛ?”

ପ୍ରବୋଧ ନୀରବ ରହିଲେ ।

ଜୀବାନନ୍ଦ ବୁଝାଇ ଦେଲେ: “ସେ ତିନି ଜଣଙ୍କ ପ୍ରାର୍ଥନା ଓ ଆବଶ୍ୟକତା ଯାହା, ତମର ତାହା ନୁହେଁ । ବ୍ରହ୍ମରାକ୍ଷସ ତୁରନ୍ତ ମଣିଷ ହୋଇଯିବାର କାରଣ ରାକ୍ଷସ ରୂପେ ସେ ଆହୁରି କେତେ ଅନ୍ୟାୟ କରିଥାନ୍ତା । ଡାକୁ ବିଷୟରେ ବି ଏକା କଥା ପ୍ରଯୁଯ୍ୟ । ମୋଚି ଦାରିଦ୍ର୍ୟରୁ ରକ୍ଷା ପାଇଗଲା, କାରଣ ତାହାହିଁ ତା’ର ପ୍ରାର୍ଥନା ଥିଲା । ତମେ ବିଶ୍ୱନାଥଙ୍କ ପାଖକୁ ଯାଇଥିଲ କୌଣସି ସ୍ଥୁଳ ଲାଭ ଆଶାରେ ନୁହେଁ, ବରଂ ତମ ଚେତନାର ବିକାଶ ପାଇଁ । ତାହା ହୋଇ ନାହିଁ ବୋଲି କହୁଛ?”


ଗପ ସାରଣୀ

ତାଲିକାଭୁକ୍ତ ଗପ