କର୍ମ ହିଁ ଜୀବନର ମାନଦଣ୍ଡ

                ଆମେରିକାରୁ ଘୃଣ୍ୟ ଦାସତ୍ୱ ପ୍ରଥାର ବିଲୋପ ପାଇଁ ଲଢେଇ କରି ସଫଳତା ହାସଲ କରିଥିବା ଆବ୍ରାହମ୍ ଲିଙ୍କନ୍ ଅତି ଦରିଦ୍ର ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ପିଲାଟି ଦିନରୁ ଦାରିଦ୍ର୍ୟ କଷଣ ସବୁ ଧୈର୍ଯ୍ୟର ସହିତ ସହିଯିବା ତାଙ୍କର ଜୀବନର ବିଶେଷତ୍ୱ ଥିଲା ।

                ଅଭାବୀ ପରିବାରରେ ଜନ୍ମ ଗ୍ରହଣ କରି ଲିଙ୍କନ୍ ସୁଖ କ’ଣ ଜାଣି ନଥିଲେ ସିନା କିନ୍ତୁ ସେ ବେଶ୍ ଦୃଢପ୍ରତିଜ୍ଞ ଥିଲେ । ପିଲାଦିନେ ଲିଙ୍କନଙ୍କୁ ତାଙ୍କ ପରିବାର ପ୍ରତିପୋଷଣ ପାଇଁ କେବେ ନୌକା ଚଳାଇବାକୁ ତ ଆଉ କେବେ କାଠ ବିକ୍ରି କରିବାକୁ ପଡୁଥିଲା । ଜୀବନଯାପନ ଲାଗି ଏଭଳି ଛୋଟ କର୍ମ କରିବାକୁ ସେ କେବେବି ଘୃଣା କରିନଥିଲେ କି ସାମାନ୍ୟ ହତୋତ୍ସାହିତ ମଧ୍ୟ ହୋଇ ନଥିଲେ ।

                ପିଲାଟି ଦିନରୁ ଲିଙ୍କନ୍ ମହାପୁରୁଷଙ୍କ ଜୀବନୀ ପୁସ୍ତକ ପଢିବାପାଇଁ ବେଶ୍ ଆଗ୍ରହ ପ୍ରକାଶ କରୁଥିଲେ । ହେଲେ ବହିଖଣ୍ଡିଏ କିଣି ପଢିବା ପାଇଁ ତାଙ୍କ ପକ୍ଷରେ ଆଦୌ ସମ୍ଭବପର ନଥିଲା । ତେଣୁ ସେ ଅନ୍ୟଠାରୁ ମାଗିଆଣି ବହି ପଢୁଥିଲେ ।

                ଆବ୍ରାହମ୍ ପିଲାଦିନୁ ଆମେରିକାର ପ୍ରଥମ ରାଷ୍ଟ୍ରପତି ଜର୍ଜ ୱାଶିଂଟନଙ୍କର ଜୀବନଦର୍ଶନ ଦ୍ୱାରା ବେଶ୍ ପ୍ରଭାବିତ ହୋଇଥିଲେ । ସେ ତାଙ୍କ ବିଷୟରେ ଅଳ୍ପ କିଛି ଜାଣିଥିଲେ । ମାତ୍ର ଯେତେବେଳେ ଲିଙ୍କନ୍ ଜାଣିବାକୁ ପାଇଲେ ଯେ, ତାଙ୍କର ଜଣେ ଧନୀ ପଡୋଶୀଙ୍କ ପାଖରେ ୱାଶିଂଟନଙ୍କର ପୂର୍ଣ୍ଣାଙ୍ଗ ଜୀବନୀ ସମ୍ବଳିତ ପୁସ୍ତକଟିଏ ଅଛି, ସେ ତାହାକୁ ପଢିବା ପାଇଁ ମନ ବଳାଇଲେ । ସୁତରାଂ ସେ ତାଙ୍କ ପଡୋଶୀଙ୍କୁ ବହିଟି ପଢିବା ପାଇଁ ମାଗିଲେ ।

                ମାତ୍ର ସେ ପଡୋଶୀ ଜଣକ ଲିଙ୍କନଙ୍କ ଭଳି ଜଣେ ଗରିବ ପିଲାକୁ ଏଡେ ସୁନ୍ଦର ମୂଲ୍ୟବାନ ନୂଆ ବହିଟିକୁ ଦେବା ପାଇଁ ଇଚ୍ଛା ପ୍ରକାଶ କଲେ ନାହିଁ । ମାତ୍ର ପିଲାଟିର ପଢିବାକୁ ଥିବା ଆଗ୍ରହ, ନିଷ୍ଠା ତଥା ରୁଚିକୁ ସେ ପଡୋଶୀ ଜଣକ ଆଦୌ ଏଡାଇ ଦେଇ ପାରିନଥିଲେ । ସୁତରାଂ ଖୁବ୍ କମ୍ ଦିନ ଭିତରେ ବହିଟିକୁ ପଢି ଅକ୍ଷତ ଅବସ୍ଥାରେ ଫେରାଇ ଦେବାର ସତର୍କ ସୂଚନା ଦେଇ ସେ ପଡୋଶୀ ଜଣକ ଲିଙ୍କନଙ୍କୁ ଉକ୍ତ ବହିଟି ଦେଇଦେଲେ ।

                ପୁସ୍ତକଟି ପାଇ ଲିଙ୍କନ୍ ଖୁବ୍ ଖୁସି ହୋଇଗଲେ । ସେ ଭୋକ ଶୋଷ ଭୁଲି ତାକୁ ଖାଲି ପଢିବାରେ ଲାଗିଲେ । ରାତି ଅଧାରୁ ଅଧିକ ଗଡିଗଲାଣି, ହେଲେ ସେ ଲିଙ୍କନଙ୍କର କିନ୍ତୁ ବହିପଢା ଶେଷ ହୋଇନଥାଏ । ତାଙ୍କୁ ନିଦ ଲାଗିବାରୁ ବହିଟିକୁ ସେ ଝରକା ପାଖରେ ରଖି ଶୋଇପଡିଲେ । ସେଦିନ ପାହାନ୍ତି ପହର ଅଚାନକ ପ୍ରବଳ ବର୍ଷା ତାଙ୍କ ଉପରେ ଦାଉ ସାଧିଲା । ପ୍ରବଳ ବର୍ଷା ଯୋଗୁଁ ତାଙ୍କର ଝୁମ୍ପୁଡି ଘର ଝରକା ଦେଇ ଘରଭିତରକୁ ପାଣି ଛିଟିକା ପଶିଲା । ଲିଙ୍କନଙ୍କର ନିଦ ଭାଙ୍ଗିଲା ବେଳକୁ ସେ ବହିଟି ପବନରେ ଉଡି ତାଙ୍କ ଘରର ମାଟି ଚଟାଣରେ ପଡିଯାଇଛି ଏବଂ ପାଣିରେ ତାହା ସମ୍ପୂର୍ଣ୍ଣ ଭିଜିଯାଇଛି ।


ଗପ ସାରଣୀ

ତାଲିକାଭୁକ୍ତ ଗପ