କର୍ମ ହିଁ ଜୀବନର ମାନଦଣ୍ଡ

ଠିକ୍ ଏହିସମୟରେ ହଠାତ୍ ଲିଙ୍କନଙ୍କର ନିଦ ଭାଙ୍ଗିଗଲା । ତାଙ୍କର ଅତି ଆଦରର ବହିଟିର ଏଭଳି ଦୟନୀୟ ଅବସ୍ଥା ଦେଖି ସତେ ଯେମିତି ତାଙ୍କର ବୁଦ୍ଧି ହଜିଗଲା । ତା’ପରେ ସେ ମନଦୁଃଖରେ ଭାଙ୍ଗିପଡିଲେ । ସେ କ’ଣ କହି କିଭଳି ଭାବରେ ପଡୋଶୀଙ୍କୁ ବୁଝାଇବେ କିଛି ବି ଚିନ୍ତା କରି ପାରିଲେ ନାହିଁ । ତଥାପି ମଧ୍ୟ ସେ ବ୍ୟଥିତ ମନରେ ପଡୋଶୀଙ୍କୁ କ୍ଷମା ମାଗିନେବା ପାଇଁ ଯାଇ କହିଲେ, “ମୁଁ ଆପଣଙ୍କଠାରୁ ନେଇଥିବା ବହଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସେଥିଲାଗି ମୋତେ କ୍ଷମା କରିଦିଅନ୍ତୁ । ମୁଁ ପରିଶ୍ରମ କରି ଆପଣଙ୍କୁ ନୂଆ ବହିଟିଏ ଦେବି । ମାତ୍ର ସେଥିଲାଗି ଅବଶ୍ୟ ଟିକିଏ ଡେରି ହୋଇପାରେ ।”

ଲିଙ୍କନଙ୍କର ଦାରିଦ୍ର୍ୟ ସମ୍ପର୍କରେ ସେ ପଡୋଶୀ ଜଣକ ତ ବହୁ ଆଗରୁ ବେଶ୍ ଭଲ ଭାବରେ ଜାଣିଥିଲେ । ତହୁଁ ସେ ପଚାରିଲେ କିଭଳି ପରିଶ୍ରମ କରି ମୋତେ ପୁସ୍ତକଟି ଫେରାଇ ପାରିବ?

ପଡୋଶୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଲିଙ୍କନ କହିଲେ, “ସେଥିଲାଗି ଆପଣ ଆଦୌ ଚିନ୍ତା କରନ୍ତୁ ନାହିଁ । ମୋର ମୋ ନିଜ ଶକ୍ତି ଉପରେ ଢେର୍ ଭରସା ଅଛି । କାଲିଠାରୁ ମୁଁ ଆପଣଙ୍କ ଶସ୍ୟକ୍ଷେତ୍ରରେ କାମକରି ସେ ପୁସ୍ତକର ଦୁଇଗୁଣା ଦାମ୍ ଦେଇଦେବି ।”

ବାଳକ ଲିଙ୍କନ୍ଠାରୁ ଏଭଳି ଉତ୍ତର ଶୁଣି ସେ ପଡୋଶୀ ଜଣକ ଅତ୍ୟନ୍ତ ଖୁସି ହୋଇଗଲେ । ଆଉ କହିଲେ, “ଠିକ୍ ଅଛି । ତୁମେ କାମ କରି ବହିଟିର ମୂଲ୍ୟ ଶୁଝିଦିଅ ଏବଂ ବର୍ଷାଜଳଭିଜା ସେ ବହିଟିକୁ ସଜାଡି ଯତ୍ନସହକାରେ ତୁମେ ତୁମ ପାଖରେ ରଖ ।”

ସତକୁ ସତ ତା’ପରଦିନ ସକାଳୁ ଲିଙ୍କନ ଯାଇ ତାଙ୍କ ପଡୋଶୀ ଲୋକଟିର ଜମିରେ କାମ କଲେ । କଠୋର ପରିଶ୍ରମ କରି ବହିଟିର ମୂଲ୍ୟ ତ ସେ ଶୁଝିଦେଲେ ଆଉ ନଷ୍ଟ ହୋଇଥିବା ସେ ବହିଟିକୁ ନିଜର ସମ୍ପତ୍ତି ଭଳି ତାଙ୍କ ଘରୋଇ ପାଠଗାରରେ ପ୍ରଥମ ପୁସ୍ତକ ସ୍ୱରୂପ ସାଇତି ରଖିଲେ, ଯାହାକୁ କି ସେ ନିଜର ପରିଶ୍ରମ ବଳରେ ହିଁ ପାଇଥିଲେ ।

ଏଇଠି ଜାଣିବାର କଥା ଯେ, ଅତୀତର ସେଇ ନିଃସ୍ୱ ବାଳକଟି ନିଜର ଦୃଢ ଇଚ୍ଛାଶକ୍ତି, କଠୋର ସାଧନା ଓ ନିଷ୍ଠାବଳରେ ଦିନେ ଆମେରିକାର ଲକ୍ଷ ଲକ୍ଷ ନିଗ୍ରୋ କ୍ରିତଦାସଙ୍କର ତ୍ରାଣକର୍ତ୍ତା ପାଲଟି ଯାଇଥିଲେ । ଆମେରିକାରେ ପ୍ରଚଳିତ ଥିବା କଳା ଗୋରା ଭେଦଭାବ ଓ ଦାସତ୍ୱ ପ୍ରଥାର ବିଲୋପ କରି ସେ ଚିରଦିନ ଲାଗି ଅମର ହୋଇ ରହିଯାଇଛନ୍ତି । ଆବ୍ରାହମ୍ ଲିଙ୍କନ୍ ଆମେରିକାର ରାଷ୍ଟ୍ରପତି ପଦ ଅଳଙ୍କୃତ କରିବା ତାଙ୍କ ପାଇଁ କିଛି କମ୍ ବଡ ଗୌରବର କଥା ନଥିଲା । ସେ ରାଷ୍ଟ୍ରପତି ପଦରେ ଥାଇ ଆତତାୟୀ ଗୁଳିରେ ନିହତ ହେବା ଅତି ଦୁଃଖର ବିଷୟ ଥିଲା ସିନା ହେଲେ ତାଙ୍କର ବଳିଷ୍ଠ ଆଦର୍ଶ ମାନବ ସମାଜ ପାଇଁ ପ୍ରେରଣାର ଉତ୍ସ ପାଲଟି ଯାଇଛି ।


ଗପ ସାରଣୀ

ତାଲିକାଭୁକ୍ତ ଗପ