କଳାକାର

                ସମୀର କହିଲେ “ଆପଣ ଥଟ୍ଟା କରୁଛନ୍ତି ନା କ’ଣ? ଯଦି ବୁଝି ନ ପାରୁଛନ୍ତି ତେବେ ତାହା ଆପଣଙ୍କର ପସନ୍ଦ କିପରି ହେବ?”

                ବାସବ କହିଲେ, “ମୁଁ ତୁମର ପ୍ରାୟ ଶହେଟି ଗଳ୍ପ ଭଲକରି ଶୁଣିଲି । ସେ ସବୁ ଗୁଡିକୁ ମୁଁ ଖୁବ୍ ପସନ୍ଦ ବି କଲି । ହେଲେ ଖାଲି ଗୋଟିଏ ଗଳ୍ପ ପାଇଁ ମୁଁ ତୁମକୁ ଥଟ୍ଟା କରୁଛି ବୋଲି ତୁମେ କିପରି ଭାବୁଛ? ମୁଁ ତ ସେହି ଗଳ୍ପ ବିଷୟରେ ତୁମ ମୁହଁରୁ ଅଧିକ କିଛି ଜାଣିବାକୁ କେବଳ ଚାହିଁଥିଲି ।”

                ସମୀର କହିଲେ “ଗଳ୍ପ ଯଦି ବୁଝାଇ ଦେବାକୁ ପଡିବ, ଯଦି ସବୁ ଗଳ୍ପର ବକ୍ତବ୍ୟ କ’ଣ ଥାଏ ତାକୁ ମଧ୍ୟ ବୁଝାଇବାକୁ ହେବ, ତେବେ ମଣିଷ ଗଳ୍ପ ଲେଖିବ ବା କାହିଁକି?”

                ବାସବ ରାଗିଯାଇ କହିଲେ, “ମୁଁ କେତେବେଳେ କହିଲି ଯେ ଗଳ୍ପ ମଧ୍ୟରେ କିଛି ନା କିଛି ବକ୍ତବ୍ୟ ନିଶ୍ଚୟ ଥିବା ଦରକାର? ମୁଁ କେବଳ ଗଳ୍ପଟିର ପୂର୍ବାପର ସଙ୍ଗତି ଜାଣିବାକୁ ଚାହୁଁଥିଲି । ଏବେ ଉଦାହରଣ ସ୍ୱରୂପ ଶ୍ରୀକୃଷ୍ଣଙ୍କ ଲୀଳା କଥା ଶୁଣ । କେବେ ବା ମାତା ଯଶୋଦାଙ୍କୁ ସେ ହଇରାଣ କରୁଥିଲେ, କେବେ ପୁଣି ଗୋପୀମାନଙ୍କୁ ହଇରାଣ କରି ମାଖନ ଚୋରୀ କରି ଖାଉଥିଲେ । ସେସବୁ ଗଳ୍ପ ଲେଖିଲେ ମଣିଷ ଲୀଳାଗାଥାରୁ ଆନନ୍ଦ ପାଏ । ସେଥିରେ କ’ଣ ଉଦ୍ଧେଶ୍ୟ ଥାଏ ନା ବକ୍ତବ୍ୟ ଥାଏ?”

                ବାସବଙ୍କ କଥା ଏବେ ସମୀର ଠିକ୍ ବୁଝିଗଲେ ଏବଂ ବାସବଙ୍କୁ ବୁଝାଇବାକୁ ଚେଷ୍ଟା କରି କହିଲେ, “ମନ୍ଦିରଟିଏ ଥିଲା; କେତେଲୋକ ସେଠାରେ ଶିଳ୍ପକାର୍ଯ୍ୟ କରୁଥିଲେ । ମୁଖ୍ୟ ଶିଳ୍ପୀ ଯୁବା ଶିଳ୍ପୀମାନଙ୍କ ଶିଳ୍ପ ରାଜାଙ୍କ ପାଖକୁ ପଠାଉ ନଥିଲେ । ଏସବୁ ଜାଣିବା ପରେ ଦିନେ ଯୁବା ଶିଳ୍ପୀ ସବୁ ଶିଳ୍ପ ଭାଙ୍ଗିଦେଇ ସେଠାରୁ ଘରକୁ ଚାଲିଗଲା ।”

                ବାସବ ଅଳ୍ପ ହସି କହିଲେ, “ନିଶ୍ଚିତ ଥାଅ ଯେ ମୁଁ ସର୍ବଦାହିଁ ନିରପେକ୍ଷ ରହିବି ।”

                ତା’ପରେ ସେ ରାଜାଙ୍କ ସହିତ ଦେଖା କଲେ । କଥାବାର୍ତ୍ତା କରୁ କରୁ ସେ କହିଲେ, “ଆପଣଙ୍କ ରାଜ୍ୟର ଶିଳ୍ପୀ, ଲେଖକ, କଳାକାର ସମସ୍ତେ ଖୁବ୍ ଗର୍ବୀ । ଏପରି ସ୍ୱଭାବ ହେଲେ ଜନତା ସେମାନଙ୍କଠାରୁ କିଛି କିପରି ବା ଗ୍ରହଣ କରିବେ?”

                ରାଜା ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ଆପଣ କାହା ବିଷୟରେ କହୁଛନ୍ତି?”

                ବାସବ, ସମୀରଙ୍କ ବିଷୟରେ ସବୁକିଛି କହିବାରୁ ରାଜା କହିଲେ, “ସମୀର କିଏ ମୁଁ ତ କାହିଁ ତାଙ୍କୁ ଜାଣେ ନାହିଁ ।”

                ରାଜାଙ୍କ କଥା ଶୁଣି ବାସବ ହସି ହସି କହିଲେ, “ମହାରାଜ, ସମୀର ଜଣେ ବଡ ଗାଳ୍ପିକ । ଆପଣ ଏପର୍ଯ୍ୟନ୍ତ ତା’ପରି ଏକ ଗାଳ୍ପିକକୁ ଜାଣି ନାହାଁନ୍ତି ଏହା ତ ବଡ ଲଜ୍ଜାର କଥା । ସେମାନେ ଆପଣଙ୍କ ପାଖରେ ପହଁଚିପାରୁ ନାହାଁନ୍ତି । ତେଣୁ ଏସବୁ ବିଷୟରେ ଆପଣ ଟିକେ ଧ୍ୟାନ ଦିଅନ୍ତୁ । ମୁଁ ତାଙ୍କ ଗଳ୍ପର ପ୍ରଶଂସା କରିବାରୁ ସେ ଭାବିଲେ ମୁଁ ତାଙ୍କୁ ଥଟ୍ଟା କରୁଛି । ସେ ପୁଣି ଭାବିଲେ ଯେ ମୋ ଭଳି ବୟସ୍କ ଲେଖକ ତାଙ୍କପରି ପ୍ରତିଭାବାନ୍ ଲେଖକଙ୍କୁ ଆପଣଙ୍କ ପାଖକୁ ଯିବାକୁ ଦେଉନାହିଁ । ଅର୍ଥାତ୍ ଆପଣଙ୍କ ରାଜ୍ୟରେ ଏପରି କେହି ଗାଳ୍ପିକ ବା କାହାଣୀକାର ଅଛନ୍ତି ଯିଏକି ନୂତନ ଉଦୀୟମାନ କଳାକାରମାନଙ୍କୁ ସୁଯୋଗ ଦେଉନାହଁନ୍ତି । ପ୍ରକୃତରେ ନମ୍ରତାହିଁ ଗୋଟେ କଳାକାରର ଶ୍ରେଷ୍ଠତ୍ତ୍ୱ । ଏବେ ଆପଣ ସମୀରଙ୍କୁ ଖୋଜି ବାହାର କରି ତାକୁ ଯଥେଷ୍ଟ ସମ୍ମାନ ଦିଅନ୍ତୁ ଓ ଜାଣିବାକୁ ଚେଷ୍ଟା କରନ୍ତୁ ସେମାନଙ୍କୁ ଆପଣଙ୍କ ପାଖକୁ ଛାଡୁନଥିବା ଲୋକଟି କିଏ ।”

                ବାସବଙ୍କ କଥା ରାଜାଙ୍କ ପାଇଁ ବଡ ମହତ୍ତ୍ୱପୂର୍ଣ୍ଣ ଥିଲା । ସେ କହିଲେ, “ଆପଣ ମୋ କଥା ଉପରେ ବିଶ୍ୱାସ ରଖନ୍ତୁ ଯେ ଏଣିକି ମୁଁ ନିଜେ ଯାଇ ଏସବୁ କଥା ବୁଝିବି ଓ ଦେଖିବି ମୋ ରାଜ୍ୟରେ କୌଣସି କଳାକାର ଯେପରି ଉପେକ୍ଷିତ ନ ହୁଏ ।”

                ଏହାପରେ ବାସବ ସେଠାରୁ ବିଦାୟ ନେଇ ଚାଲିଗଲେ । କିନ୍ତୁ ରାଜାଙ୍କ ମନରେ ସେ ଦ୍ୱିତୀୟଥର ପାଇଁ ଗଭୀର ରେଖାପାତ କରିଗଲେ । ଯେଉଁ ବାସବଙ୍କ ଗଳ୍ପର ପ୍ରେରଣାରେ ରାଜା ପୁରୁଷ ପୁରୁଷ ଧରି ଚାଲିଆସୁଥିବା ରାଜତନ୍ତ୍ରର ଅବସାନ କରି ଲୋକତନ୍ତ୍ରର ପ୍ରବର୍ତ୍ତନ କରିଥିଲେ, ଲେଖକ ଓ କଳାକାରଙ୍କ ଉପରେ ତାଙ୍କ ମନ୍ତବ୍ୟକୁ ସେ ବା କିପରି ଉପେକ୍ଷା କରିଥାନ୍ତେ? ସେ ଅନୁସନ୍ଧାନ କରି ଦେଖିଲେ, ରାଜ୍ୟର ସାହିତ୍ୟ ଓ ସଂସ୍କୃତିର ଯିଏ କର୍ଣ୍ଣଧାର, ସିଏ ଅତ୍ୟନ୍ତ ରକ୍ଷଣଶୀଳ । ସେ କୌଣସି ନୂଆ ଚିନ୍ତାଧାରାକୁ ପ୍ରଶ୍ରୟ ଦେବାର ବିରୋଧୀ । ଏହା ଫଳରେ ନୂଆ ଲେଖକମାନଙ୍କ ମନରେ ଯେଉଁ ବିଦ୍ରୋହ ପୁଞ୍ଜିଭୂତ ହୋଇ ରହିଥିଲା, ସମୀରଙ୍କ କାହାଣୀ ତାହାହିଁ ସୂଚାଉଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ