କାବ୍ୟ ସାଧନା

ଏହାପରେ ନିଜର କାବ୍ୟ ଗୁଡିକ ସହିତ କଳାନାଥ ଗଣେଶ୍ୱରଙ୍କୁ ସାକ୍ଷାତ କରିବା ପାଇଁ ସିଂହପୁରୀଠାରେ ଯାଇ ପହଁଚିଲେ । ତାଙ୍କ ଗୃହ ସମ୍ମୁଖରେ ଥିବା ଦ୍ୱାରପାଳ ତାଙ୍କୁ କହିଲେ, “ପ୍ରଥମେ ତୁମର କାମ କଣ ତାହା ପ୍ରକାଶ କର ।”

କଳାନାଥ ସ୍ୱଲିଖିତ କାବ୍ୟ ମଧ୍ୟରୁ କେତୋଟି ବିଶିଷ୍ଟ ପଦ ନିର୍ବାଚିତ୍ତ କରି ତାଳପତ୍ର ଉପରେ ଲେଖି ଦ୍ୱାରପାଳକୁ ଦେଇ କହିଲେ, “ଏହି ପଦ୍ୟରୁ କବିଶ୍ରୀ ଗଣେଶ୍ୱର ମୋର ଅଭିପ୍ରାୟ ବୁଝିପାରିବେ ।” ଦ୍ୱାରପାଳ ସେହି ତାଳପତ୍ର ଦେଖି ବିସ୍ମୟାନ୍ୱିତ ହୋଇ ପ୍ରଶ୍ନ କଲା, “ବାସ୍ ଏତିକି, ତୁମେ ଅନ୍ୟ କିଛି ଆଶା କରୁନାହଁ? କବିଶ୍ରୀଙ୍କ ହୃଦୟ ବେଶ୍ ଉଦାର । ସେହି ଉଦାର ହୃଦୟ ବିଶିଷ୍ଟ ବ୍ୟକ୍ତିଙ୍କ ଠାରୁ ତୁମେ ଯେଉଁ ପ୍ରକାରର ସାହାଯ୍ୟ ଆଶା କରିବ, ତାହା ପାଇପାରିବ ।” ଏକଥା ଶୁଣି କଳାନାଥ କହିଲେ ଯେ ତାଙ୍କର ଅନ୍ୟ କିଛି ସାହାଯ୍ୟ ଲୋଡା ନାହିଁ ।

ଗଣେଶ୍ୱର ସେହି ତାଳପତ୍ର ନିଜର ଶିଷ୍ୟଙ୍କୁ ସମର୍ପଣ କରି କହିଲେ, “ଏହାକୁ ପଢି ତାଙ୍କର ଅଭିପ୍ରାୟ ଲେଖ । ମୁଁ ହସ୍ତାକ୍ଷର କରିଦେବି ।” ଶିଷ୍ୟ ଧ୍ୟାନର ସହିତ ପଦ୍ୟଗୁଡିକ ପଠନ କରିବା ପରେ ମନ୍ତ୍ରମୁଗ୍ଧ ହୋଇ ପଡିଲେ । କହିଲେ, “ଗୁରୁବର, ଏହି ପଦ୍ୟ ଅସାଧାରଣ ମନେ ହେଉଛି । ଏହି କବି ଶ୍ରେଷ୍ଠଙ୍କୁ ଭିତରକୁ ଡାକିବି କି?”

ଗଣେଶ୍ୱର ଶିଷ୍ୟଙ୍କୁ କହିଲେ “ପୁତ୍ର, ଏବେ ଏଠାରେ ବହୁଲୋକ ଉପସ୍ଥିତ ଅଛନ୍ତି । କବିତା ଆଲୋଚନାର ଏହା ପ୍ରକୃଷ୍ଟ ସମୟ ନୁହେଁ । ତା’ ବ୍ୟତୀତ ସେ ତ ଆଉ ମୋଠାରୁ ତାଙ୍କ କବିତାସମ୍ବନ୍ଧରେ ମତାମତ ଲୋଡିନାହାଁନ୍ତି । ତେଣୁ ତୁମେ ତଦନୁସାରେ ପ୍ରତ୍ୟୁତ୍ତର ଫେରାଇଦିଅ ।” ଶିଷ୍ୟ ଗୁରୁଙ୍କର ପରାମର୍ଶ ଅନୁସାରେ ଉତ୍ତର ଲେଖି ତାହା ଦ୍ୱାରପାଳ ହସ୍ତରେ ଫେରସ୍ତ କରିଦେଲେ ।

ଦ୍ୱାରପାଳ ତାହା ନେଇ କଳାନାଥଙ୍କୁ ଦେବାରୁ ସେ ବଡ ନିରାଶ ହେଲେ । ସେ ଗଣେଶ୍ୱରଙ୍କୁ ଭେଟିବା ପାଇଁ ବହୁ ଆଶା କରି ଆସିଥିଲେ । କିନ୍ତୁ ବିଫଳ ହୋଇ ଫେରି ଯିବାକୁ ଶେଷରେ ସେ ବାଧ୍ୟ ହେଲେ ।

କିଛି ଦିନ ପରେ ରାଜାଙ୍କ ଆଦେଶ ଅନୁସାରେ ଗଣେଶ୍ୱର ଦେଶ ଭ୍ରମଣ ଉଦ୍ଧେଶ୍ୟରେ ବାହାରିଲେ । ଦିନେ ସେ ଯାଇ ରାମପୁରଠାରେ ପହଁଚିଲେ । ସେ ହାତୀ ଉପରେ ବସିଥିଲେ ଓ ତାଙ୍କ ସଙ୍ଗରେ ଅନେକ ପାରିଷଦ ଥିଲେ । ଗ୍ରାମବାସୀ ବଡ ଆଡମ୍ବର ସହକାରେ ସେମାନଙ୍କର ସ୍ୱାଗତ କଲେ ।

ଗଣେଶ୍ୱର ସେହି ଗ୍ରାମରେ ଦୁଇଦିନ ପାଇଁ ଅବସ୍ଥାନ କଲେ । ପ୍ରଥମ ଦିନ ଗ୍ରାମବାସୀମାନେ ଜଣ ଜଣ କରି ଆସି ନିଜର ଅଭିଯୋଗ ମାନ ଉପସ୍ଥାପିତ କଲେ । ଗ୍ରାମମୁଖ୍ୟ ଗଣେଶ୍ୱରଙ୍କୁ କହିଲେ, “ମହାଶୟ, ଲୋକମାନଙ୍କର ସମସ୍ୟା ସମ୍ବନ୍ଧରେ ଆପଣ ପ୍ରତ୍ୟକ୍ଷ ରୂପେ ସବୁ ଜାଣିବାକୁ ପାଇଲେ । ଏହି ସମସ୍ୟାମାନ ସମାଧାନ ପାଇଁ ଆମର ଆର୍ଥିକ ସହାୟତା ଆବଶ୍ୟକ । ଆପଣ ରାଜାଙ୍କୁ ଏକଥା କହି ଆମକୁ ସାହାଯ୍ୟ କରିବେ ।

ଗଣେଶ୍ୱର ଗ୍ରାମମୁଖ୍ୟଙ୍କୁ କହିଲେ “ରାଜା ଅବଶ୍ୟ ମୋ କଥା ରଖିବେ । ମୋ ଦ୍ୱାରା ଯାହା ସମ୍ଭବ ତା’ ବ୍ୟବସ୍ଥା ମୁଁ ତ ନିଶ୍ଚୟ କରାଇଦେବି । ଆସନ୍ତା କାଲି ମୁଁ ଗ୍ରାମ ପରିଭ୍ରମଣ କରି ଦେଖିବାକୁ ଚାହେଁ । ଯେପରି ଆବଶ୍ୟକୀୟ ଆୟୋଜନ ଯଥାରୀତି ହେବ ।”

ପରଦିନ ଗଣେଶ୍ୱର ଗ୍ରାମ ପରିଦର୍ଶନ ଅଭିମୁଖେ ବାହାରିଲେ । ତାଙ୍କୁ ଦେଖିବା ପାଇଁ ଲୋକମାନେ ବହୁତ ଭିଡ ଜମେଇଥାନ୍ତି । ଲୋକମାନଙ୍କର ଗହଳିକୁ ନିୟନ୍ତ୍ରଣ କରିବା ସେତେବେଳେ ଅତ୍ୟନ୍ତ କଷ୍ଟକର ହୋଇପଡୁଥାଏ । ଦ୍ୱିପହର ପର୍ଯ୍ୟନ୍ତ ଗ୍ରାମର ସମସ୍ତ ଅଂଚଳ ବୁଲିବା ଓ ସବୁ ଲୋକଙ୍କୁ ସାକ୍ଷାତ କରିବା ତଥାପି ମଧ୍ୟ ସମାପ୍ତ ହେଲା ନାହିଁ । ତେଣୁ ସେଠାରୁ ଫେରିବା ପରେ ସେ ଗ୍ରାମମୁଖ୍ୟଙ୍କୁ କହିଲେ, “ଏକ ସାଧାରଣ ସଭାର ଆୟୋଜନ କର ।”

ସାଧାରଣ ସଭା ବିଷୟ ଘୋଷଣା କରାଯିବା ପରେ ଲୋକମାନେ ବହୁ ସଂଖ୍ୟାରେ ଏଥିରେ ଯୋଗ ଦେଲେ । ଗଣେଶ୍ୱର ଏକ ସାରଗର୍ଭକ ଭାଷଣ ପ୍ରଦାନ କଲେ । ସମବେତ ଜନତା କରତାଳି ଦ୍ୱାରା ସେମାନଙ୍କର ସମ୍ବର୍ଦ୍ଧନା ଜଣାଇଲେ ।

ସଭାର ସମାପ୍ତି ପରେ ଦୁଇଜଣ କବି ଓ ତିନି ଚାରି ଜଣ ସାହିତ୍ୟପ୍ରେମୀ ଗଣେଶ୍ୱରଙ୍କୁ ଭେଟିଲେ । ସେମାନଙ୍କୁ ଗଣେଶ୍ୱର ଗ୍ରାମରେ ଏକ ସର୍ବସାଧାରଣ ପାଠାଗାର ଖୋଲିବା ପାଇଁ ପ୍ରତିଶ୍ରୁତି ଦେଲେ ।

ଏତେବେଳକୁ ଗ୍ରାମମୁଖ୍ୟ ଜାଣିପାରିଲେ ଯେ, କଳାନାଥ ଗଣେଶ୍ୱରଙ୍କୁ ଭେଟିବା ପାଇଁ ଆସିନାହିଁ । ସେ କଳାନାଥଙ୍କ କବିତାର ଜଣେ ସୁପ୍ରଶଂସକ । ସେ ଏହା ମଧ୍ୟ ଜାଣିଥିଲେ ଯେ, କଳାନାଥ ଗଣେଶ୍ୱରଙ୍କୁ ଭେଟିବା ପାଇଁ ଯାଇ କିପରି ନିରାଶ ହୋଇ ଫେରିଛନ୍ତି । ତେଣୁ ସେ ସେହି ଦୁଇଜଣଙ୍କୁ ଭେଟ କରାଇବା ପାଇଁ ତତ୍ପର ହୋଇ ଉଠିଲେ । ସେ କଳାନାଥଙ୍କୁ ଆସି ଗଣେଶ୍ୱରଙ୍କୁ ଭେଟିବା ପାଇଁ ଖବର ପଠାଇଥିଲେ । କିନ୍ତୁ ସେ ସାକ୍ଷାତ କରିବା ପାଇଁ ଆସିଲେ ନାହିଁ ।

ସମୟ ଗଡି ଚାଲିଥାଏ । କିଛି ଦିନ ପରେ ଗଣେଶ୍ୱରଙ୍କ ମନରେ ଭାବାନ୍ତର ସୃଷ୍ଟି ହେଲା । ଇହଲୋକର ଏହି ଚାକଚକ୍ୟ, ଆଡମ୍ବର ତାଙ୍କୁ ମୂଲ୍ୟହୀନ ମନେହେଲା । ସେ ନିଜର ପଦବୀ, ସମ୍ମାନ ପ୍ରତି ମଧ୍ୟ ବୈରାଗ୍ୟ ଭାବ ପ୍ରଦର୍ଶନ କଲେ । ଶେଷରେ ନିଜର ସେହି ଅତୀବ କ୍ଷମତାଶାଳୀ ପଦବୀ ତ୍ୟାଗ କରି, ସେ ତାଙ୍କର ସମସ୍ତ ସମ୍ପତ୍ତି ପୁତ୍ରମାନଙ୍କ ମଧ୍ୟରେ ବାଂଟିଦେଲେ । ପତ୍ନୀଙ୍କୁ ସଙ୍ଗରେ ଧରି ନିକଟସ୍ଥ ଅରଣ୍ୟରେ ଏକ ଆଶ୍ରମରେ ବାନପ୍ରସ୍ଥ ଗ୍ରହଣ କରି ଅବସ୍ଥାନ କଲେ ।

ଏହି କଥା କଳାନାଥ ଜାଣିପାରିଲେ । ସେ ସ୍ୱଲିଖିତ କାବ୍ୟ ସଙ୍ଗରେ ଧରି ଗଣେଶ୍ୱରଙ୍କୁ ସାକ୍ଷାତ କରିବା ପାଇଁ ଅରଣ୍ୟ ମାର୍ଗରେ ଯାତ୍ରା କଲେ । ପଥ ମଧ୍ୟରେ ଅନେକ କଷ୍ଟ ସ୍ୱୀକାର କରି ସେ ଆଶ୍ରମରେ ପହଁଚି ଗଣେଶ୍ୱରଙ୍କୁ ଦର୍ଶନ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ