କାର୍ଯ୍ୟକୁଶଳତା

ପରଦିନ ସକାଳୁ କେଶବବର୍ମା ଗିରିପୁର ରାଜ୍ୟକୁ ଗଲେ । ସୀମାନ୍ତରେ ଏକ ନଦୀ ପଡେ । ସେଠାରେ ଧୂମକେତୁର ଏକ ସୈନ୍ୟଶିବିର ଥାଏ । ଧରା ପଡିଲେ ସର୍ବନାଶ । ତେଣୁ ସେ ଏକ କେଉଟର ବେଶ ହୋଇ ନଦୀ ପାର ହୋଇ ଗିରିପୁରର ରାଜଧାନୀରେ ଯାଇ ପହଁଚିଲେ । ସେଠାରେ ସେ ବହୁତ ଚତୁରତା ପୂର୍ବକ ଖବର ନେଉଥା’ନ୍ତି । ସେ ଜାଣିପାରିଲେ ଯେ ରାଜକୁମାରୀଙ୍କୁ ନଦୀ ତୀରସ୍ଥ ଜଙ୍ଗଲ ମଧ୍ୟରେ ଥିବା ଏକ ପୁରୁଣା ଦୁର୍ଗରେ ସେ ବନ୍ଦୀ କରି ରଖିଛି ।

ରାତି ହେବା ପରେ କେଶବବର୍ମା ଯାଇ ପୂର୍ବୋକ୍ତ ଜଙ୍ଗଲରେ ପହଁଚିଲେ । ଗୁପ୍ତ ଭାବରେ ଛୋଟ ଛୋଟ ବୁଦା କଡେ କଡେ ଯାଇ ଦୁର୍ଗଟିର ରାସ୍ତାଘାଟ ଓ ସ୍ଥିତି ସବୁ ବୁଝିବାକୁ ଓ ମନେ ରଖିବାକୁ ଚେଷ୍ଟା କରୁଥା’ନ୍ତି । ଠିକ୍ ସେହି ସମୟରେ କିଏ ଜଣେ ତାଙ୍କ ମଥା ଉପରେ ପ୍ରହାର କଲା । ଚଟକରି ବୁଲିପଡି ସେ ଦେଖିଲେ ଯେ ଶତ୍ରୁ ରାଜାଙ୍କର ଜଣେ ମଶାଲଧାରୀ ସୈନିକ । ତା’ର ହାତରେ ଏକ ବାଡି । ସେ ପୁଣି ଥରେ କେଶବବର୍ମାଙ୍କୁ ପିଟିବାକୁ ହାତ ଉଠାଇବା ବେଳକୁ କେଶବବର୍ମା ତାଙ୍କ ତରବାରୀ ତା’ ଦେହରେ ଭୂସି ଦେଲେ । ଫଳରେ ସେ ସୈନିକଟି ଚିତ୍କାର କରି ସେହିଠାରେ ପଡିଗଲା । ତା’ର ଚିତ୍କାର ଶୁଣି ଅନ୍ୟ ସୈନ୍ୟମାନେ ସେଠାକୁ ତୁରନ୍ତ ଦୌଡି ଆସିଲେ । ମାତ୍ର ସେମାନେ ସେଠାରେ ପହଁଚିବା ପୂର୍ବରୁ କେଶବ ବର୍ମା ସୈନିକର ହାତରୁ ମଶାଲଟି ଛଡାଇ ନେଇ ସେହି ମଶାଲ ଦ୍ୱାରା ପାଖରେ ଥିବା ଶୁଖିଲା ଘାସପତ୍ର ଲଟା ଗଛ ଚାରିଆଡେ ନିଆଁ ଧରାଇ ଦେଲା । ତେଣୁ ତାଙ୍କୁ ସେଠାରୁ ପଳାଇବା ପାଇଁ ସୁଯୋଗ ମିଳିଗଲା ।

ପରଦିନ ସେ ରାଜା ଓ ମନ୍ତ୍ରୀଙ୍କୁ ଦେଖା କରି ସବୁ କହିଲେ । ସେମାନେ ଟିକିଏ ଚିନ୍ତିତ ହୋଇ ପଡିଲେ । ପରଦିନ ରାଜାଙ୍କୁ ଦେଖାକଲେ କୃତସେନ ନାମକ ବ୍ୟକ୍ତି । ସେ କହିଲେ, “ମହାରାଜ, ମୁଁ ସବୁ ଘଟଣା ଶୁଣିଛି । ଆଜ୍ଞା ଦେଲେ ମୁଁ ଏ କାମରେ ହାତ ଦେବି । ମୁଁ ପ୍ରାୟ ନିଶ୍ଚିତ ଯେ ଏଥିରେ ଅବଶ୍ୟ ମୁଁ ହିଁ ସଫଳ ହେବି ।”

ରାଜା କହିଲେ, “କେଶବବର୍ମାଙ୍କ ଘଟଣା ପରେ ମୋର ଆଉ ବିଶ୍ୱାସ ହେଉନାହିଁ । ତେବେ ତୁମେ ଯଦି କହୁଛ, ତାହେଲେ ଯାଅ । ତୁମକାର୍ଯ୍ୟ ଲାଗି ଯାହା ସବୁ ସାହାଯ୍ୟ ଆବଶ୍ୟକ ମନ୍ତ୍ରୀଙ୍କୁ କହି ତାହା ନେଇ ନିଅ । କିନ୍ତୁ ଯିବା ପୂର୍ବରୁ କେଶବବର୍ମାଙ୍କୁ ଟିକେ ଦେଖାକରି ଯିବ ।”

କୃତସେନ କହିଲେ “କ୍ଷମା କରିବେ ମହାରାଜ, କେଶବବର୍ମାଙ୍କୁ ଦେଖା କରିବାର ମୋର ବିଶେଷ ଆବଶ୍ୟକତା ନାହିଁ ।”

ତାଙ୍କ କଥା ଶୁଣି ରାଜା ଓ ମନ୍ତ୍ରୀ ହଠାତ୍ ଚମକି ଉଠିଲେ । ତା’ପରେ ରାଜା ପଚାରିଲେ, “କାହିଁକି?”

ତହୁଁ କୃତସେନ କହିଲେ “କାରଣ ଏତେ ଗୋଳମାଳ ପରେ ସେମାନେ ବିପଦର ଆଶଙ୍କା କରି ରାଜକୁମାରୀଙ୍କୁ ସ୍ଥାନାନ୍ତରିତ କରିଥିବେ । ତେଣୁ ଆମକୁ ଏଥିପାଇଁ ଅନ୍ୟ ଏକ ଉପାୟ କରିବାକୁ ପଡିବ ।”

ରାଜା ଓ ମନ୍ତ୍ରୀ କୃତସେନଙ୍କ କଥାର ସତ୍ୟତା ଉପଲବ୍ଧି କଲେ । ରାଜା କହିଲେ, “ତୁମର ବଡ ତୀକ୍ଷ୍ଣ ବୁଦ୍ଧି । ତେବେ ଏଠାରୁ ଶୀଘ୍ର ବାହାରିପଡ । ସେଥିଲାଗି ଯେତେ ଲୋକ ଓ ଯେତେ ଧନ ଚାହିଁବ ନେଇଯାଅ ।”

ପରଦିନହିଁ ସେ ଚାଲିଗଲେ । ଚାରିଦିନ ପରେ ସେ ଫେରି ଆସିଲେ, କିନ୍ତୁ ସେତେବେଳେ ତାଙ୍କ ସାଙ୍ଗରେ ତ ରାଜକୁମାରୀ ନଥିଲେ! ଏସବୁ ଦେଖି ସେ ରାଜାଙ୍କର ମନ ଭୀଷଣ ଖରାପ ହୋଇଗଲା । ତହୁଁ ସେ ରାଗିଯାଇ କହିଲେ, “ତୁମେ ଏକା ଫେରିବାକୁ ସାହସ କିପରି କଲ? ବରଂ ସେଇଠି ପ୍ରାଣ ଦେଇଥିଲେ ଖୁବ୍ ଭଲ ହୋଇଥାନ୍ତା ।”

କୃତସେନ ପୂର୍ବପରି ବିନମ୍ର ହୋଇ କହିଲେ, “ମହାରାଜ, କ୍ଷମା କରନ୍ତୁ । ଧୂମକେତୁ ରାଜକୁମାରୀଙ୍କୁ ଏକ ଦ୍ୱୀପରେ ବନ୍ଦୀ କରି ରଖିଛି । ସେଠାରେ ଅନେକ ସୈନିକ କଡା ପହରା ଦେଉଛନ୍ତି । ନଦୀ ଓ ସମୁଦ୍ରର ସଙ୍ଗମ ସ୍ଥଳରେହିଁ ସେ ଦ୍ୱୀପଟି ଅବସ୍ଥିତ । ମୁଁ ଏକା କାର୍ଯ୍ୟଟି ହାସଲ କରିପାରି ନଥା’ନ୍ତି ଭାବି ଫେରି ଆସିଲି ।”

ରାଜା ଓ ମନ୍ତ୍ରୀ ସେନାପତିଙ୍କୁ ଡକାଇ ପଠାଇଲେ । ରାଜା କହିଲେ, “ସେନାପତି, ଖବର ମିଳିଛି ରାଜକୁମାରୀଙ୍କୁ ଦ୍ୱୀପରେ ବନ୍ଦୀ କରାହୋଇ ରଖାଯାଇଛି । ସେଠାରୁ ରାଜକୁମାରୀଙ୍କୁ ମୁକ୍ତ କରି ଆଣିପାରିବା ସମ୍ଭବ କି?”

ସେନାପତି କହିଲେ “କାହିଁକି ନୁହେଁ? ନିଶ୍ଚୟ ସମ୍ଭବ । ମୁଁ ବଛା ବଛା ଶହେଜଣ ସୈନିକ ନେଇ କେଉଟ ବେଶରେ ଯିବି । ମାଛ ଧରିବା ବାହାନାରେ ଦ୍ୱୀପର ପଛପଟରେ ରହି ରାତିରେ ଆକ୍ରମଣ କରି ସେମାନଙ୍କୁ କାବୁ କରିଦେବୁ ।”

ମନ୍ତ୍ରୀ କହିଲେ “ଠିକ୍ ଅଛି । କାମ ତୁରନ୍ତ ଆରମ୍ଭ କର । ସାଙ୍ଗରେ କୃତସେନଙ୍କୁ ନେଇଯାଅ । ତୁମେମାନେ ସଫଳ ହେଲେ ସଙ୍ଗେ ସଙ୍ଗେ ଖବର ପଠାଅ । ଏଣେ ଆମେ ଅନ୍ୟ ସୈନ୍ୟମାନଙ୍କୁ ନେଇ ଗିରିପୁର ଆକ୍ରମଣ କରିବୁ ।”

ଅବଶେଷରେ ମନ୍ତ୍ରୀଙ୍କ ଯୋଜନା ସଫଳ ହେଲା । ରାଜକୁମାରୀ ମୁକ୍ତ ହେଲେ । ଗିରିପୁର ଯୁଦ୍ଧରେ ହାରିଯାଇ କାମ୍ବୋଜର ଅଧିକ ରାଜ୍ୟ ହୋଇ ରହିଲା । ଏସବୁ ପରେ ରାଜା ମନ୍ତ୍ରୀଙ୍କୁ କହିଲେ, “ମନ୍ତ୍ରୀବର, କେଶବବର୍ମା ଏଥିରେ ତାଙ୍କର ଜୀବନକୁ ବିପନ୍ନ କରି କାମ କରିଥିଲେ । ତାଙ୍କୁ କିଛି ସମ୍ମାନ ଦେବା ।”

ମନ୍ତ୍ରୀ କହିଲେ, “କାହିଁକି? କୃତସେନ ତ ସମ୍ମାନର ଅଧିକାରୀ ।”

ରାଜା ମନ୍ତ୍ରୀଙ୍କ କଥାରେ ସହମତ ହେଲେ । କୃତସେନ ବହୁତ ଧନ ଓ ସମ୍ମାନ ପାଇଲେ । ଏପରିକି ତାଙ୍କୁ ଗୁପ୍ତଚରଙ୍କ ମଧ୍ୟରେ ସର୍ବୋଚ୍ଚ ପଦ ମଧ୍ୟ ଦିଆଗଲା ।

କାହାଣୀଟି କହିସାରି ବେତାଳ କହିଲା, “ରାଜନ୍, କେଶବବର୍ମାଙ୍କ କଷ୍ଟ, ତ୍ୟାଗ ଓ ରାଜଭକ୍ତି ପାଇଁ ତାଙ୍କୁ କିଛି ବି ମିଳିଲା ନାହିଁ, ଅଥଚ କୃତସେନଙ୍କୁ ସବୁକିଛି ମିଳିଲା । ପୁଣି ମନ୍ତ୍ରୀଙ୍କ କଥାରେ ରାଜା ସହମତ ହୋଇଗଲେ । ଏହା କିପରି ସମ୍ଭବ? ଏହାର ଉତ୍ତର ଦିଅ । ଉତ୍ତର ଜାଣି ଯଦି ତମେ କିଛି ନ କହିବ ତେବେ ତୁମର ଶିର ନିଶ୍ଚୟ ସ୍କନ୍ଧଚ୍ୟୁତ ହେବ ।”

ଏକଥା ଶୁଣି ବିକ୍ରମ କହିଲେ, “ଅବଶ୍ୟ କେଶବବର୍ମା ଜଣେ କାର୍ଯ୍ୟକୂଶଳ ଓ ରାଜଭକ୍ତ ବ୍ୟକ୍ତି । କିନ୍ତୁ ତାଙ୍କ ପାଇଁ ବଡ କଥା ଥିଲା ନିଜ ଜୀବନକୁ ବଂଚାଇବା, ରାଜକୁମାରୀଙ୍କ ମୁକ୍ତି ନୁହେଁ । କାରଣ ଜଙ୍ଗଲରେ ନିଆଁ ଧରାଇବା ଦ୍ୱାରା ଶତ୍ରୁପକ୍ଷ ଜାଣିଗଲେ କି କାମ୍ବୋଜ ରାଜ୍ୟର ଲୋକମାନେ ଏଠାରେ ଅଛନ୍ତି । ପୁଣି ସେ ଜାଣିଥିଲେ ଯେ ରାଜକୁମାରୀ ବି ସେହି ଦୁର୍ଗରେ ରହୁଛନ୍ତି; ତା’ପରେ କିପରି ସେ ନିଆଁ ଲଗାଇଲେ? ତଦ୍ୱାରା ରାଜକୁମାରୀଙ୍କର ହୁଏତ କିଛି କ୍ଷତି ହୋଇଥାଆ’ନ୍ତା । ତେଣୁ ସମସ୍ୟା ସମାଧାନ ହେବା ବଦଳରେ ତାହା ଅଧିକ ବଡ ହୋଇ ଦେଖାଦେଲା । କୃତସେନଙ୍କ ତୀକ୍ଷ୍ଣ ବୁଦ୍ଧି ଯୋଗୁଁ ସେ ଜାଣିପାରିଲେ ଯେ ରାଜକୁମାରୀଙ୍କୁ ସ୍ଥାନାନ୍ତରିତ କରାଯାଇଛି । ତା’ପରେ ଏହା ଏପରି ଏକ ସ୍ଥାନ ଥିଲା ଯେ ଜାଣିପାରିବା କଷ୍ଟ । ସେ ଖବର ମଧ୍ୟ ସେ ସଂଗ୍ରହ କଲେ ତେଣୁ ସମଗ୍ର ଘଟଣାରେ କୃତସେନଙ୍କ କୃତିତ୍ୱ ସବୁଠାରୁ ବେଶୀ ।”

ରାଜା ବିକ୍ରମଙ୍କ କଥା ଶେଷ ହେବା ମାତ୍ରେ ଶବସ୍ଥିତ ସେ ବେତାଳ ତାଙ୍କ କାନ୍ଧରୁ ଖସିଯାଇ ପୁନର୍ବାର ବୃକ୍ଷ ଡାଳରେ ଯାଇ ଝୁଲି ପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ