କାଳିକାପ୍ରସାଦ ଗୋରାପ

ବାବୁ ଶିବପ୍ରସାଦ ଚୌଧୁରୀଏ କହିଲେ, “ଆଜି ଦିନ ଦୁଇପ୍ରହର ବେଳେ ସଭା ବସିବା କଥା, କାଲି ଓପରଓଳିଠୁଁ ମହାଜନମାନଙ୍କୁ ଜଣାଇ ଦିଆଯାଇଛି- ଦେଖନ୍ତୁ, ଉଛୁଣିକା ଚଉଦଘଡି ବେଳ ଟଳିବାକୁ ବସିଲାଣି । ସମସ୍ତଙ୍କର ଦେଖାସାକ୍ଷାତ୍ ନାହିଁ, ଭାରି ଦରକାରୀ କାମରେ ଏପରି ମଠ କଲେ କି ଚଳେ?”

                ବାବୁ ଜଗବନ୍ଧୁ ମଲ୍ଲେ କହିଲେ, “ହେଉ, ହେଉ, ଆହେ ମାଗୁଣି ମହାନ୍ତିଏ ଲେଖିପକାନ୍ତୁ ତ! କିଏ କିଏ ବାବୁ ଆସିଲେ, ଖଣ୍ଡେ କାଗଜରେ ସେମାନଙ୍କ ନାମ ଟିପିଯାଆନ୍ତୁ ।”

ଗୁମାସ୍ତା ମାଗୁଣି ମହାନ୍ତିଏ ଫର୍ଦେ ବାଲେଶ୍ୱରୀ ଛଣି କାଗଜ ଗାର କାଟିଲା ପରି ଆଠଭାଙ୍ଗ କରି ଚୌତିଲେ । ପାଖରେ ଗୋଟାଏ ମାଟି ଦୁଆତରେ ଅଧେ କନା, ଅଧେ କାଳି ପୂରା ଥିଲା, ଗୋଟାଏ ଶରକାଠି କଲମ ଧରି ସେ ଲେଖିବାକୁ ଲାଗିଲେ ।

ଶ୍ରୀ ଶ୍ରୀ ଶାମ ରାଏ ମହାପ୍ରଭୁ ଚରଣେ ଶରଣ । ତୁଳ ଷୋଳଦିନ ଶୁକ୍ଳ ଦୁତିଆ ଗୁରୁବାର ବାବୁ ରଘୁନାଥ ଦେ’ଙ୍କ ଘରଠାରେ ସଭା ବସିଲା, ଏହି ବାବୁମାନେ ସଭାରେ ବିରାଜମାନ କଲେ-

୧.           ଶ୍ରୀ ଶ୍ରୀ ବାବୁ ରଘୁନାଥ ଦେ

୨.           ଏଜ୍ନ ଶିବପ୍ରସାଦ ଚୌଧୁରୀ

୩.           ଏଜ୍ନ ଜଗବନ୍ଧୁ ମଲ୍ଲେ

୪.           ଶ୍ରୀ ଶ୍ରୀ ବାବୁ ରାମରାମ ମହାପାତ୍ରେ

୫.           ଏଜ୍ନ ନାକଫୋଡି ନାୟକେ

୬.           ଏଜ୍ନ ନବଘନ ଶ୍ୟାମସୁନ୍ଦର ପ୍ରସାଦ ରାଉତେ

୭.           ଏଜ୍ନ ପରମ ପରିଜା

୮.           ଏଜ୍ନ ଚରଣ ଦାସେ

ଗୁମାସ୍ତା ନାମ ଲେଖିସାରି ଯେଉଁ ଯେଉଁ ଅକ୍ଷରରେ ବହଳ କାଳି ଲାଗି ଶୁଖି ନ ଥିଲା, ଖଣ୍ଡେ ସଫା ସରୁକନାରେ ସରୁ ବାଲିବନ୍ଧା ପୁଟୁଳା ସେଥିରେ ଥାପିଦେଇ ନାମ ସବୁ ଡାକିଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ