କୀର୍ତ୍ତିସିଂହ

                ରାଣୀଙ୍କ ଏପ୍ରକାର କଥା ଶୁଣି ରାଜା ବଡ ପ୍ରସନ୍ନ ହୋଇ କହିଲେ, “ଆଚ୍ଛା ଏବେ କୁହ ଆକାଶର ରାଜା ଓ ରାଣୀ କିଏ?”

                ରାଣୀ ଅଳ୍ପ ହସି କହିଲେ, “ମୁଁ ଏବେ କହିବି ନାହିଁ । ବିବାହ ପରେ ତମେ ନିଜେହିଁ ବୋହୁର ମୁହଁରୁ ଏହାର ଉତ୍ତର ପାଇ ପାରିବ ।”

                ରାଜା ଏବେ ଶାନ୍ତିରେ ଶୋଇଗଲେ ।

                ଯେତେବେଳେ କୋଶଳରେ ଏସବୁ ଚାଲୁଥିଲା, ସେତେବେଳେ ଗରୁଡଦତ କାମ୍ବୋଜରେ ଏକ ଯୋଜନା ପ୍ରସ୍ତୁତ କଲେ । ଏଥର ତାଙ୍କ ସହିତ ଅନ୍ୟ ଦୁଇଜଣ ରାଜା ମଧ୍ୟ ସହଯୋଗ କଲେ । ଜଣେ ନାଗଦେଶର ରାଜା ନାଗକର୍ଣ୍ଣ ଯିଏ କି ଗରୁଡଦତଙ୍କର ଶ୍ୟାଳକ; ଅନ୍ୟ ଜଣେ ହେଲେ ଚାକ୍ୟ ଦେଶର ରାଜା କୁନ୍ଦନ ବର୍ମା ।

                ଗରୁଡଦତ ହାର ପାଇବା ପାଇଁ କୋଶଳ ଉପରେ ଆକ୍ରମଣ କରି ବିଚିତ୍ରବର୍ମାଙ୍କ ଚିଠିଟି ହସ୍ତଗତ କରିବା ପାଇଁ ସ୍ଥିର କଲେ । ତେଣୁ ସେ ଏକଥା ତାଙ୍କ ଶ୍ୟାଳକ ନାଗକର୍ଣ୍ଣଙ୍କୁ କହିଲେ ଓ ତା’ପରେ କୁନ୍ଦନବର୍ମା ମଧ୍ୟ ସେଥିରେ ଯୋଗ ଦେଲେ; ଏବେ ସେ ତିନିରାଜା ମିଳି କୋଶଳ ଦେଶ କିପରି ଆକ୍ରମଣ କରିବେ ତାହାର ସମସ୍ତ ଯୋଜନା ପ୍ରସ୍ତୁତ କଲେ ।

                ସେମାନେ ବହୁସମୟ ଧରି ଆଲୋଚନା କରି ଶେଷରେ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ ବିଜୟ ତ ନିଶ୍ଚୟ ତିନିରାଜାଙ୍କର ହେବ । ତା’ପରେ ହାରଟି ଗରୁଡଦତ ନେବେ ଓ କୋଶଳର ଅଧା ନାଗକର୍ଣ୍ଣ ଓ ବାକି ଅଧା କୁନ୍ଦନବର୍ମା ନେବେ । କିନ୍ତୁ ବାସ୍ତବରେ ସେ ତିନିଜଣଯାକ ହାର ପାଇଁ ଆକର୍ଷିତ ହୋଇଥିଲେ । ତେଣୁ ଅନ୍ୟ ଦୁଇଜଣ ଗୋପନରେ ନିଜ ନିଜର ଯୋଜନା ପ୍ରସ୍ତୁତ କଲେ ।

                ଯୋଜନା ମଧ୍ୟରେ ନାଗକର୍ଣ୍ଣ କହିଲେ, “କିନ୍ତୁ ଏକଥା ମନେରଖିବାକୁ ହେବଯେ ଆମ ତିନିରାଜ୍ୟର ସୈନ୍ୟ ଶକ୍ତି ଯେତିକି, ଏକା କୋଶଳର ସେତିକି; ତାଙ୍କ ଦେଖାଦେଖି କୁନ୍ଦନ ବର୍ମା କହିଲେ, ପୁଣି କାଲି ରାଜକୁମାର କୀର୍ତ୍ତିସିଂହ ଗୁରୁକୁଳରୁ ଘରକୁ ଆସୁଛି । ସେ ଯଦି ସେନାପତି ହୋଇଯିବ ତ ତାହେଲେ ତାଙ୍କ ସୈନ୍ୟଙ୍କୁ ଜିତିବା ଭାରି କଷ୍ଟ ହେବ ।”

                ଗରୁଡଦତ କହିଲେ, “ବରଂ କୀର୍ତ୍ତିସିଂହଙ୍କୁ ଆକ୍ରମଣ କରି ତାକୁ ମାରିପକାଇଲେ ଖୁବ୍ ଭଲ ହେବ ।”

                ଅନ୍ୟ ଦୁଇଜଣ ପଚାରିଲେ, “ତାହା କିପରି ସମ୍ଭବ ହେବ?”

                ଗରୁଡଦତ ବିସ୍ତାରସ୍ୱରୂପ କହିଲେ, “ତିନି ଚାରିଜଣ ବଳଶାଳୀ ସୈନିକ ଲୁଚି ଲୁଚି ତାକୁ ସେମାନେ ଅନୁସରଣ କରିବେ ଓ ରାସ୍ତାରେହିଁ ତାକୁ ମାରି ପକାଇବେ । ତା’ର ମୃତ୍ୟୁ ଯୋଗୁଁ ସାରା କୋଶଳ ଦେଶ ଯେତେବେଳେ ଶୋକରେ ବୁଡି ରହିଥିବେ, ଠିକ୍ ସେତିକିବେଳେ ହିଁ ଆମେ ଆକ୍ରମଣ କରିବା, ତେବେ ଯାଇ ଆମର ବିଜୟ ଏକବାରେ ସୁନିଶ୍ଚିତ ହେବ ।”

                ନାଗକର୍ଣ୍ଣ କହିଲେ “ତା’ଠାରୁ ତ ଆଉ ଏକ ଭଲ ଉପାୟ ଅଛି । କୀର୍ତ୍ତିସିଂହଙ୍କୁ ଆମେ ରାସ୍ତାରେହିଁ ବନ୍ଦୀ କରିଦେବା ଏବଂ ତା’ପରେ ତା’ ପିତାଙ୍କୁ ଏହି ଖବର ଦେବା ଯେ ହାର ପଠାଇଲେ ହିଁ ପୁତ୍ରକୁ ଫେରି ପାଇବ । ଯଦି ହାର ନ ଦେବ ତେବେ ତାଙ୍କ ପୁତ୍ରକୁ ମାରିଦିଆଯିବ ।”

                କୁନ୍ଦନବର୍ମା କହିଲେ “ଠିକ୍ କଥା । କାରଣ ଆମେ ମଧ୍ୟ ଜାଣି ନାହୁଁ ଯେ ସେ ହାର ଏବେ କେଉଁଠି ଅଛି କିନ୍ତୁ ହାର ପ୍ରକୃତରେ ଯେଉଁଠି ଗୁପ୍ତରେ ରଖା ହୋଇଛି ମୋର ଗୁପ୍ତଚରମାନେ କହନ୍ତି, ନିଜେ ରାଜା ମଧ୍ୟ ସେ ବିଷୟରେ ଆଦୌ କିଛି ବି ଜାଣନ୍ତି ନାହିଁ । ହାରର ଗୁପ୍ତ ସ୍ଥାନକୁ ନିର୍ଦ୍ଧେଶ କରି ଗୋଟିଏ ପତ୍ରରେ ଲେଖା ରହିଛି । ରାଜା ସୁଷେଣ ତାଙ୍କ ପୁତ୍ରକୁ ନିଜ ଜୀବନଠାରୁ ମଧ୍ୟ ବହୁତ ବେଶି ଭଲ ପା’ନ୍ତି । ପୁଅକୁ ମାରିଦେଲେ ହାର ପାଇବାର ସମସ୍ତ ସମ୍ଭାବନାକୁ ସେ ଧ୍ୱଂସ କରିଦେବେ । ତେଣୁ ହାର ଆଉ ମିଳିବ ନାହିଁ । କିନ୍ତୁ ପୁତ୍ରକୁ ବନ୍ଦୀ କରି ରଖିଲେ ରାଜା ନିଶ୍ଚୟ ହାର ଦେଇ ଦେବେ ବା ଗୁପ୍ତସ୍ଥାନ ନିର୍ଦ୍ଧେଶ କରୁଥିବା ପତ୍ରଟି ଦେଇ ଦେବେ । ତା’ପରେ ହାର ଆମ ହାତକୁ ଆସିବା ମାତ୍ରେ କୀର୍ତ୍ତିସିଂହଙ୍କୁ ତ ଆମେ ମାରିଦେବା ।”

                ଅନ୍ୟ ଦୁଇଜଣ ତାଙ୍କ ନିଷ୍ପତିକୁ ଚୁଡାନ୍ତ ବୋଲି ସ୍ୱୀକାର କଲେ । ତେଣୁ ଯୋଜନା ଏପରି ହେଲା ଯେ କେତେକ ସୈନିକ ଯାଇ କୀର୍ତ୍ତିସିଂହଙ୍କୁ ବାଟରୁ ହରଣଚାଳ କରି ଆଣିବେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ