କୁଆ ଏବଂ ପେଚା କାହାଣୀ

       ଦ୍ୱିତୀୟ ମନ୍ତ୍ରୀ ସଂଜୀବୀ କହିଲେ, ‘ଶତ୍ରୁ ସହିତ ଯୁଦ୍ଧ ନକରି ସନ୍ଧି କରିବା ଉଚିତ୍ । କାରଣ ଶତ୍ରୁ ଆମଠାରୁ ବଳବାନ୍ । ବଳବାନ୍ ଶତ୍ରୁ ସହିତ ଯୁଦ୍ଧ କରିବା ଅର୍ଥ ପରାସ୍ତ ହେବା ହିଁ ସାର ହୁଏ । ତେଣୁ ଶତ୍ରୁ ସହିତ ସମ୍ମୁଖ ଯୁଦ୍ଧ ନକରି କୂଟନୀତି ଦ୍ୱାରା ବଳବାନ୍ ଶତ୍ରୁକୁ ପରାସ୍ତ କରାଯାଇପାରେ । ଯେପରି ସିଂହ ବଳଶାଳୀ ହୋଇଥିଲେ ମଧ୍ୟ ସାମାନ୍ୟ ଠେକୁଆର ବୁଦ୍ଧି ନିକଟରେ ପରାଜିତ ହୋଇ ଶେଷରେ ମୃତ୍ୟୁ ବରଣ କଲା’ ।

       ଏହାପରେ କୁଆରାଜା ମେଘବର୍ଣ୍ଣକୁ ତୃତୀୟ ମନ୍ତ୍ରୀ ‘ଅନୁଜୀବି’ କହିଲେ, ‘ମହାରାଜ! ଆମ୍ଭମାନଙ୍କର ଶତ୍ରୁ ବଳବାନ୍ । ତେଣୁ ତା ସହିତ ଯୁଦ୍ଧ କିମ୍ବା ସନ୍ଧି ସ୍ଥାପନ କରିବା ଉଚିତ୍ ହେବ ନାହିଁ । ଏହି କ୍ଷେତ୍ରରେ ଆମକୁ ଦୁଇଟି ପନ୍ଥା ଅବଲମ୍ବନ କରିବାକୁ ପଡିବ । ଚାଲନ୍ତୁ ଆମେ ସମସ୍ତେ ଏହି ଜାଗା ଛାଡି ଅନ୍ୟତ୍ର ପଳାଇବା । ନଚେତ୍ ପ୍ରଥମେ ଆମ୍ଭେମାନେ ଜାଣିବା ଆବଶ୍ୟକ ଯେ, ଯୁଦ୍ଧରେ ଆମେ ବିଜୟୀ ହେବା କି, ନାହିଁ । ଏହି ସମ୍ବନ୍ଧରେ ଅବଗତ ନହୋଇ ଯଦି ଆମେ ଶତ୍ରୁକୁ ଆକ୍ରମଣ କରିବା ତା’ହେଲେ ପରାଜୟ ସୁନିଶ୍ଚିତ ।’

       ଏହାପରେ ମେଘବର୍ଣ୍ଣ ଚତୁର୍ଥ ମନ୍ତ୍ରୀ ‘ପ୍ରଜୀବୀ’ଙ୍କ ପରାମର୍ଶ ଲୋଡିଲେ । ପ୍ରଜୀବୀ ନିଜର ମତାମତ ଦେବାକୁ ଯାଇ କହିଲେ, ‘ମହାରାଜ! ଆପଣ ନିଶ୍ଚିନ୍ତରେ ଏଠାରେ ବାସ କରନ୍ତୁ । ସମସ୍ତେ ଯଦି ଏକାଠି ହୋଇ ରହିବା, ଯେତେ ବଡ ଶତ୍ରୁ ହେଲେ ମଧ୍ୟ ସେ ପରାଜିତ ହୋଇପାରିବ । ଉଦାହରଣ ଦେବାକୁ ଯାଇ କହିଲେ, ପାଣି ମଧ୍ୟରେ କୁମ୍ଭୀରଟି ବିରାଟକାୟ ହାତୀକୁ ଟାଣି ନେଇପାରେ ମାତ୍ର ପାଣି ମଧ୍ୟରୁ ବାହାରି ଆସିଲେ ସାମାନ୍ୟ କୁକୁର ଦ୍ୱାରା ମଧ୍ୟ ସେ ପରାଜିତ ହୋଇଥାଏ । ତେଣୁ ଅନ୍ୟ କୌଣସି ସ୍ଥାନକୁ ନଯାଇ ଏହି ସ୍ଥାନରେ ରହି ଆପଣ ଶତ୍ରୁର ମୁକାବିଲା କରନ୍ତୁ । ଦେଖିବେ ଆମ୍ଭେମାନେ ନିଶ୍ଚୟ ବିଜୟୀ ହେବା’ ।

       ଏହାପରେ ରାଜା ମେଘବର୍ଣ୍ଣ ପଂଚମ ମନ୍ତ୍ରୀ ଚିରଂଜୀବିଙ୍କର ପରାମର୍ଶ ଲୋଡିଲେ । ଚିରଂଜୀବି କହିଲେ ‘ନିଜେ ଏକାକୀ କୌଣସି ପଦକ୍ଷେପ ନେବା ଉଚିତ୍ ନୁହେଁ । ଅନ୍ୟଠାରୁ ସାହାଯ୍ୟ ଗ୍ରହଣ କରିବା ଆବଶ୍ୟକ । ପବନ ବହୁ ଥିବା ସ୍ଥାନରେ ଜଳନ୍ତା ନିଆଁ ଲିଭିଯାଇଥାଏ । ତେଣୁ ଆପଣ ଏ ସ୍ଥାନ ଛାଡି କଦାପି ଅନ୍ୟତ୍ର ଯାଆନ୍ତୁ ନାହିଁ । ଅନ୍ୟ ସ୍ଥାନରେ ଆପଣଙ୍କୁ କେହି ସାହାଯ୍ୟ କରିବେ ନାହିଁ । ଜ୍ୱଳନ୍ତ ଅଗ୍ନିଶିଖାକୁ ପବନ ସାହାଯ୍ୟ କରିଥାଏ କିନ୍ତୁ ଅନ୍ୟତ୍ର ଏକାକୀ ଜଳୁଥିବା ଦୀପଶିଖାକୁ ପବନ କଦାପି ସାହାଯ୍ୟ କରିନଥାଏ’ ।

       ମେଘବର୍ଣ୍ଣଙ୍କ ଦରବାରର ପାଂଚଜଣ ମନ୍ତ୍ରୀ ପାଂଚ ପ୍ରକାର ମତବ୍ୟକ୍ତ କଲେ । ପାଂଚଜଣଙ୍କ ମଧ୍ୟରୁ ରାଜା କାହାର ମତକୁ ଗ୍ରହଣ କରିବେ କିଛି ଠିକ୍ କରିପାରିଲେ ନାହିଁ । ବଡ ଦ୍ୱନ୍ଦ୍ୱରେ ପଡିଲେ । ଶେଷରେ ରାଜାଙ୍କ ମନକୁ ଏକ ଚିନ୍ତା ଆସିଲା । ନିଜ ପିତାଙ୍କ ସମୟରେ ସ୍ଥିରଜୀବି ନାମକ ଜଣେ ବୃଦ୍ଧ ମନ୍ତ୍ରୀ ଥିଲେ । ସେ ଥିଲେ ଅତ୍ୟନ୍ତ ବୁଦ୍ଧିମାନ୍ । ରାଜା ମେଘବର୍ଣ୍ଣ ତାଙ୍କରି ମତାମତ ଲୋଡିଲେ । ତାଙ୍କ ପାଖରେ ଯାଇ ପହଁଚି କହିଲେ, ‘ମହାଶୟ! ମୋର ପ୍ରଣାମ ଗ୍ରହଣ କରନ୍ତୁ ।’ ଏହା କହିସାରି ଏ ପର୍ଯ୍ୟନ୍ତ ଘଟିଥିବା ସମସ୍ତ ଘଟଣା ବର୍ଣ୍ଣନା କଲେ । ଏବଂ କେଉଁ ମତାମତକୁ ସେ ଗ୍ରହଣ କରିବେ ତାହା ତାଙ୍କୁ ସ୍ଥିରଜୀବି କହିଲାପରେ ସେ ତାହା ସାଦରେ ଗ୍ରହଣ କରିବେ ।

       ସବୁ ଶୁଣି ସାରିବା ପରେ ସ୍ଥିରଜୀବି କହିଲେ, ଆପଣଙ୍କ ଦରବାରର ମନ୍ତ୍ରୀମାନେ ନୀତିଶାସ୍ତ୍ର ଅନୁଯାୟୀ ମତପ୍ରଦାନ କରିଛନ୍ତି । କିନ୍ତୁ ବର୍ତ୍ତମାନ ଏହି ବିପଦକୁ ଏଡାଇବା ପାଇଁ ତାହା ଆମର କୌଣସି କାର୍ଯ୍ୟରେ ଆସିବ ନାହିଁ । ଶତ୍ରୁକୁ ପରାଜିତ କରିବାକୁ ହେଲେ କୂଟ ନୈତିକ କୌଶଳ ଅବଲମ୍ବନ କରିବା ଆବଶ୍ୟକ । ପ୍ରଥମେ ଶତ୍ରୁ ସହିତ କପଟ ଭାବରେ ମିତ୍ରତା ସ୍ଥାପନ କରି ତା’ର ଦୁର୍ବଳତାକୁ ଅନୁସନ୍ଧାନ କରିବ । ଉଚିତ୍ ସମୟ ସୁଯୋଗ ଦେଖି ଶତ୍ରୁକୁ ଧ୍ୱଂସ କରିବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ