କୁଜାର ଅଦ୍ଭୁତ ଭେଳିକି

ରାଜାଙ୍କ ହୁକୁମ୍ ଅନୁସାରେ ସେହି ଦିନଟି ଆଜିକୁ ଧାର୍ଯ୍ୟ ହୋଇଥିଲା । ଆଜି ସକାଳୁ ମଣିମା ଡଗରକୁ ଡକାଇ ଆଜ୍ଞା ଦେଇଥିଲେ ଯେ ସେ ଉଆସପୁର ଭିତରେ ସମସ୍ତ ମରଦ, ମାଇପୀ ଲୋକମାନଙ୍କୁ କହିବ, ସେମାନେ ସମସ୍ତେ ସହଳେ ସହଳେ ଯେଝାର କାମଧନ୍ଦା ସାରି ଭେଳିକି ଦେଖିବାକୁ ରାଜସଭା ମଣ୍ଡପ ଆଗ ଅଗଣାରେ ରୁଣ୍ଡହେବେ । ଆଜି ନିପୁଣ ବଢିଆ, ଅଦ୍ଭୁତ କୁହୁକ ବିଦ୍ୟାର କରାମତି ଦେଖାଇବେ । ଆଜ୍ଞା ପାଇଲା ମାତ୍ରେ ଡଗର ଯାଇ ଉଆସର ପୁରେ ପୁରେ ସମସ୍ତଙ୍କୁ ଏହି କଥାଟି ଶୁଣାଇଦେଲା । କୁଜାକୁଜୀର ଭେଳିକି ଦେଖିବା କଥା ଶୁଣି ସମସ୍ତଙ୍କ ମନ ଭାରି ଛନଛନ । ତରବର ହୋଇ ଯେଝା କାମଧନ୍ଦା ଯିଏ ସାରିବାକୁ ଲାଗିଲେ । ପୁଣି କୁଜାକୁଜୀଙ୍କର ଭେଳିକି ଏକାବେଳକେ ଅଲୌକିକ ଆଉ ଅଦ୍ଭୁତ, ଯେ ଥରେ ଦେଖିଥିବ, ତା’ ମନ ଲାଗିଥିବ । ସମସ୍ତଙ୍କଠଉଁ କୁଜୀ ଆଜି ବେଶି ଚଅଁଫରା ଗୁଣ୍ଡାଏ କେମିତି ନାକରେ କାନରେ ଗୁଞ୍ଜି ଦେଇ ଭଲ ଶାଢୀଖଣ୍ଡେ ପିନ୍ଧି ବାହାରି ପଡିବ, ସେଥିପାଇଁ ଭା’ରି ତରବର । ରଜାଙ୍କ ଯେଉଁ ସଭାସଦମାନେ ସେ ଦିହିଁଙ୍କୁ ଦେଖି ନାକ ଟେକୁଥିଲେ, ଥଟ୍ଟାକରି ହସୁଥିଲେ, ସେହିମାନେ ଆଜି ଦେଖନ୍ତୁ, ଏହି କୁଜାକୁଜୀଙ୍କ ମୁଣ୍ଡରେ କେମିତିକା ବିଦ୍ୟା ଅଛି । କୁଜାର ବି ଏବେ ବେଶ ବଦଳିଛି । ସେ ଏବେ ରାଜାଙ୍କର ସଭାସଦମାନଙ୍କ ଭିତରେ ଜଣେ ହୋଇଥିବାରୁ ସବୁବେଳେ ସଫାସୁତୁରା ବେଶ ପିନ୍ଧି ବାହାରୁଛି । ଆଜି ଆଚ୍ଛା ଜକଜକିଆ ପୋଷାକ ପିନ୍ଧି, ରଜା ଦେଇଥିବା ରତ୍ନ ହାରଟି ବେକରେ ଗଳାଇ ନିଜର ପେଡି, ପୁଟୁଳି, ଢୋଲକ ଧରି କୁଜା ବାହାରିଗଲା ସଭାମଣ୍ଡପ ସାମନା ଅଗଣାକୁ ।

ଅଗଣାକୁ ଆସି ସେ କୁଜା ଦେଖିଲା, ଉଆସର ଲୋକେ ଆସ୍ତେ ଆସ୍ତେ ଜମୁଛନ୍ତି । ଶୁଣାଶୁଣିରେ ସେ ନଅରର ପାଖଲୋକେ ପଚିଶ ପଚାଶ ଜଣ ଆସି ଆଗ ଜାଗା ମାଡି ବସିଲେଣି । କେତୋଟି ସଭାସଦ ଆସି ଆସନରେ ବସିଲେଣି । ଉପରମହଲା ଜଳାକବାଟି ଆଉ ଝରକା ପାଖରେ ଭିତର ପୋଇଲୀ ପରିବାରୀ, ମୁଦୁସୁଲୀମାନେ ରୁଣ୍ଡହୋଇ ତଳକୁ ଚାହିଁଛନ୍ତି । ମହାରାଜା ସଭାକୁ ବିଜେକରି ନାହାଁନ୍ତି । ଉଆସର ପାହାରୀ ପାଇକମାନେ ହୋ’ ହୋ’ ହେଇ ସମସ୍ତଙ୍କୁ ସଜାଡି ବସାଉଛନ୍ତି ।

ଠିକ୍ ଏତିକିବେଳେ ସେ ଉଆସ ଭିତରୁ ତୁରୀ, କାହାଳି, ଶଙ୍ଖ ଶବଦ ଶୁଣାଗଲା । ଡାକୁଆ ପାଇକ “ରାଜା ବିଜେ” ବୋଲି କହି ଡାକଛାଡିଲେ । ମହାରାଜା ବିକ୍ରମାଦିତ୍ୟ ନିଜର ପାତ୍ର, ମନ୍ତ୍ରୀ, ସେନାପତି, ପାଟଯୋକ୍ଷୀ ରାଜବୈଦ୍ୟ, ପାଟଜ୍ୟୋତିଷ, କାନଖୋଇ, ଛାମୁକରଣଙ୍କ ଗହଣରେ ଆସି ସିଂହାସନରେ ବସିଲେ । ନବରତ୍ନ ବିଦ୍ୱାନମାନେ ମହାରାଜାଙ୍କୁ ଆଶୀର୍ବାଦ କରି ସେମାନଙ୍କର ଆସନରେ ବସିଲେ । ଅନ୍ୟମାନେ ଯେ ଯେଉଁଠିଥିଲେ, ରାଜାଙ୍କ ଆସିବା ଦେଖି ଅଗଣାରେ ଆସି ଖୁନ୍ଦି ହୋଇଗଲେ । ଉପରମହଲା ଜଳାକବାଟ ପଛରେ ଭାନୁମତୀଙ୍କ ସହିତ ଅନ୍ୟରାଣୀମାନେ ଆସି ବସିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ