କୁନିଭୂତ

ଗୋଟିଏ ଜଙ୍ଗଲରେ ଖାଲି ଭୂତ ପିଶାଚମାନେ ରହୁଥାନ୍ତି । ସେମାନଙ୍କ ମଧ୍ୟରେ କୁନି ଭୂତୁଣୀଟିଏ ବି ଥାଏ । ଥରେ ତା’ର ଦୁଷ୍ଟାମୀ ଯୋଗୁଁ ତା’ମା ତାକୁ ଖୁବ୍ ଗାଳି ଦେଲା । ତେଣୁ ସେ ରାଗିଯାଇ ନିଜର ଘରଦ୍ୱାର ଛାଡି ଗୋଟିଏ ଗାଁକୁ ଚାଲିଆସିଲା । ସେଠାରେ ସେ ଗୋଟିଏ ଘରପାଖ ନିମଗଛରେ ଥାଏ ।

ଲକ୍ଷ୍ମଣ ନାମକ ଚାଷୀ ହେଉଛନ୍ତି ସେ ଘରର ମାଲିକ । ତା’ର ବଡଝିଅର ନାମ ହେଉଛି ଲକ୍ଷ୍ମୀ । ସେ ବିବାହିତା, କିନ୍ତୁ ତା’ର ଶାଶୁଘର ଲୋକେ ଅଧିକ ଯୌତୁକ ଆଣିବା ପାଇଁ ବାରମ୍ବାର ବାଧ୍ୟ କରି ତାକୁ ବାପଘରକୁ ପଠାଇ ଦେଉଥା’ନ୍ତି । ଏପରି ଅବସ୍ଥା ଦେଖି ଲକ୍ଷ୍ମଣ ବଡ ବ୍ୟସ୍ତ ହେଲେ । ଏଇ ତ ଲକ୍ଷ୍ମୀର ଅବସ୍ଥା, ତା’ଉପରେ ପୁଣି ଆଉ ଦୁଇଟି ଝିଅ ମଧ୍ୟ ବିବାହ ପାଇଁ ଅଛନ୍ତି । ଲକ୍ଷ୍ମୀର ବାହାଘରରେ ଯାହା ଟଙ୍କା ସେ କରଜ କରିଥିଲେ ଲକ୍ଷ୍ମଣ ତ ଏବେ ପର୍ଯ୍ୟନ୍ତ ସେତକ ବି ଶୁଝି ପାରି ନାହାଁନ୍ତି । ଏଣେ ଲକ୍ଷ୍ମୀ ବି ତା’ଶାଶୁ ଘରକୁ ଯାଇପାରୁନାହିଁ । ତେଣୁ ସେ ବାଧ୍ୟ ହୋଇ ତାଙ୍କ ଘରବାଡି ସବୁ ବିକ୍ରି କରି ଲକ୍ଷ୍ମୀକୁ ଶାଶୁ ଘରକୁ ପଠାଇବାକୁ ପ୍ରସ୍ତୁତ ହେଲେ ।

ମାତ୍ର ସେଥିପାଇଁ ଲକ୍ଷ୍ମୀ ଆଦୌ ପ୍ରସ୍ତୁତ ନଥିଲା । ସେ କହିଲା, “ବାବା, ମୋ ଶାଶୁଘରର ଲୋକଙ୍କ ଭିତରେ ପଇସାର ଯେଉଁ ତୀବ୍ର ଲାଳସା ତାହା ତ କେବେ ହେଲେ ବି ଯିବନାହିଁ । ଆଉ ତାଛଡା ତୁମେ ତୁମ ଘର ବିକିଲେ ରହିବ ବା କେଉଁଠି? ପୁଣି ମୋର ଆଉ ଦୁଇଜଣ ଭଉଣୀଙ୍କୁ ତୁମେ କିପରି ବିଭା ଦେବ? ତେଣୁ ସର୍ବାପେକ୍ଷା ଭଲ କାର୍ଯ୍ୟ ହେବ ଯଦି ତମେ ମୋ ଶଶୁର ଘର ଲୋକଙ୍କୁ ପୁରା ଭୂଲିଯିବ ଓ ମୋତେ ଏଠାରେ ରହିବାକୁ ଦେବ । ଏହା ଶୁଣି ଲକ୍ଷ୍ମଣ କହିଲେ “ନା ଝିଅ, ତୁ ଏପରି କହନା । ତୁ ଯଦି ତୋ ଶାଶୁ ଘରକୁ ନ ଯାଇ ଏପରି ରହିଯିବୁ, ତେବେ ଆମେମାନେ ବଦନାମ୍ ହୋଇଯିବୁ ଓ ତୋର ଭଉଣୀମାନଙ୍କୁ ଆଉ କେହି ବି ବିବାହ କରିବେ ନାହିଁ ।”

ଏକଥା ଶୁଣି ଲକ୍ଷ୍ମୀର ସାନଭଉଣୀ କହିଲା, “ବାପା, ଆମେମାନେ ବି ବିବାହ କରିବାକୁ ଚାହୁଁନାହୁଁ । ଦିଦି ତ ବାହା ହୋଇ ଯେଉଁ ସୁଖ ପାଇଲା ତା’ ତ ଆମେ ଭଲ ଭାବେ ଦେଖୁଛୁ । ପୁଣି କାହିଁକି ଏ ବିବାହ? ଆପଣଙ୍କର ବୃଦ୍ଧାବସ୍ଥାରେ ଆମେ ଆପଣଙ୍କର ସେବା କରିବୁ ।”

ସମସ୍ତଙ୍କ କଥା ଶୁଣି ଲକ୍ଷ୍ମଣ ଭୀଷଣ ଭାବେ ରାଗିଯାଇ କହିଲେ, “ମୁଁ ଏବେ ଘର ବିକ୍ରି କରି ତୁମ ମାନଙ୍କୁ ତୁମମାନଙ୍କର ଭାଗ ଦେଇ ଦେବି । ମୁଁ ଯାହା କହୁଛି ତୁମେମାନେ ତାହା କର । ଲକ୍ଷ୍ମୀ ତା’ ଅଂଶ ନେଇ ଶାଶୁ ଘରକୁ ଯାଉ ଓ ସେଠି ସୁଖ ଶାନ୍ତିରେ ରହୁ ।” ଏକଥା ଶୁଣି ଲକ୍ଷ୍ମୀ ଆଉ ତା’ ବାପା ମୁହଁ ଉପରେ କିଛି ବି କହି ପାରିଲା ନାହିଁ ସତ ହେଲେ ରାତିରେ ସେ ନିଶ୍ଚିନ୍ତ ଭାବେ ଶୋଇ ବି ପାରିଲା ନାହିଁ । ସେ ଏହିକଥା ବିଷୟରେ ଭାବି ଲାଗିଲା ଯେ ସବୁ ସମ୍ପତ୍ତି ସେ ନେଇଗଲେ ତା’ ବାପା ଓ ଦୁଇଭଉଣୀ ବଡ କଷ୍ଟରେ ଚଳିବେ । ତେଣୁ ମୋପକ୍ଷେ ସବୁଠାରୁ ଭଲ ହେବ ଯେ ମୁଁ ଯାଇ ଆତ୍ମହତ୍ୟା କରିବି ।

ଘର ପଛପଟରେ ନିମ ଗଛଟିଏ ଥିଲା ଓ ତା’ତଳେ କୂଅ । ସେ ଭାବିଲା ସେଇଥିରେ ସେ ଯାଇ ଆତ୍ମହତ୍ୟା କରିବ । ତେଣୁ ଏପରି ଭାବି ସେ କୂଅ ପାଖକୁ ଆସିଲା । କୁନିଭୂତଟି ନିମ ଗଛ ଉପରୁ ତଳକୁ ଡେଇଁ ପଡିଲା । ଭୂତଟିକୁ ଦେଖି ତ ଲକ୍ଷ୍ମୀ ଡରରେ  ଚିତ୍କାର କରି ଉଠିଲା ଓ ଘର ଆଡକୁ ଦୌଡିଲା । ତା’ପାଟି ଶୁଣି ସମସ୍ତେ ଉଠି ପଡିଲେ । ଏଣେ ଲକ୍ଷ୍ମୀ ବି ଛାନିଆରେ ବେହୋସ । ସେ ଖାଲି ଏତିକି କହିଲା, “ପଛପଟ ଗଛରେ ଭୂତ ଅଛି ।

“ଆମ ଘରର ପଛପଟେ ପୁଣି ଭୂତ? ରହ, ମୁଁ ଯାଇ ଦେଖୁଛି ।” ଏହା କହି ଲକ୍ଷ୍ମଣ ପଛପଟକୁ ଗଲେ । ଲକ୍ଷ୍ମଣକୁ ଦେଖି କୁନିଭୂତଟି ତାଙ୍କ ସାମନାରେ ତଳକୁ କୁଦି ପଡିଲା । ଲକ୍ଷ୍ମଣ ତିଳେ ହେଲେ ବି ନଡରି ପଚାରିଲେ, “କ’ଣ ତୁ ଏକେଲା ନା ତୋ ସହିତ ଆହୁରି ବି କେହି ଅଛନ୍ତି?”

ଏଥିରେ ଲକ୍ଷ୍ମଣ ନ ଡରିବାରୁ ଭୂତଟି ଖୁବ୍ ଆଶ୍ଚର୍ଯ୍ୟ ହେଲା । ତା’ପରେ ସେ କୁନିଭୂତଟି ଲକ୍ଷ୍ମଣକୁ ନିଜର ସମସ୍ତ କାହାଣୀ ଶୁଣାଇଲା । ସବୁକଥା ଶୁଣିସାରିଲା ପରେ ଲକ୍ଷ୍ମଣ କହିଲା, “ତୁ ଯାହା କରିଛୁ ଆଦୌ ଠିକ୍ କରିନାହୁଁ । ତୋ ମା ତୋତେ ନପାଇ ବଡ କଷ୍ଟ ପାଉଛି । ମା’ର ସ୍ନେହ ଠାରୁ ବଳି ଜିନିଷ ଆଉ ଏ ଦୁନିଆରେ କ’ଣ କିଛି ଅଛି?”


ଗପ ସାରଣୀ

ତାଲିକାଭୁକ୍ତ ଗପ