କୁଶଳଙ୍କ କୌଶଳ

ଚନ୍ଦନପୁର ଗ୍ରାମରେ କୁଶଳ ନାମରେ ଜଣେ ପଣ୍ଡିତ ଥିଲେ । ସେହି ଗ୍ରାମରେ ଅନେକ ଶ୍ରମିକ ଓ ବ୍ୟବସାୟୀ ମଧ୍ୟ ଥିଲେ । ତେଣୁ କୁଶଳଙ୍କର ପାଣ୍ଡିତ୍ୟକୁ ଚିହ୍ନିବା ଭଳି ଲୋକ କେହି ନ ଥିଲେ । ତେଣୁ ସେ ବାଧ୍ୟ ହୋଇ ରାଜାଙ୍କୁ ଦେଖା କରିବା ପାଇଁ ରାଜଧାନୀ ଗଲେ ।

                ବହୁତ ଚେଷ୍ଟା କରି ମଧ୍ୟ ରାଜାଙ୍କ ସହିତ ଦେଖା ମିଳିଲା ନାହିଁ । ସେତିକିବେଳେ ଚତୁରଙ୍କ ସହିତ ତାଙ୍କର ଦେଖା ହେଲା; ସେ ତାଙ୍କର ପିଲାଦିନର ସାଥୀ ଥିଲେ ଓ ରାଜଧାନୀରେ ସେ ରହୁଥିଲେ । ସେ ପରିଶ୍ରମ କରିପାରନ୍ତି ନାହିଁ ବା ବ୍ୟବସାୟରେ ପାରିଲେ ନାହିଁ ବୋଲି ଗ୍ରାମ ଛାଡି ଆସି ରାଜଧାନୀରେ ରହିଛନ୍ତି । ଲୋକଙ୍କ ସହିତ ମିଠାମିଠା କଥା କହି ସେମାନଙ୍କୁ ପ୍ରଭାବିତ କରିବାର କଳା ତାଙ୍କୁ ବେଶ୍ ଜଣା ଥିଲା । ତେଣୁ ସେ ରାଜଦରବାରରେ କୌଣସିମତେ ଚାକିରୀ ଖଣ୍ଡିଏ ଯୋଗାଡ କରିଥିଲେ ଓ ଅଳ୍ପ ସମୟ ମଧ୍ୟରେ ରାଜାଙ୍କର ପ୍ରିୟପାତ୍ର ମଧ୍ୟ ହୋଇପାରି ଥିଲେ । ସେ କୁଶଳଙ୍କୁ କହିଲେ, “ମୁଁ ତୁମକୁ ରାଜଦର୍ଶନ କରାଇ ଦେବି । କିନ୍ତୁ ରାଜାଙ୍କୁ ସନ୍ତୁଷ୍ଟ କରିବା ଦାୟିତ୍ୱ ତୁମର ନିଜର ।” କୁଶଳ ସେଥିରେ ରାଜି ହେଲେ ।

ପରଦିନ ରାଜାଙ୍କର ଦର୍ଶନ ମିଳିଲା । କୁଶଳଙ୍କ ପାଣ୍ଡିତ୍ୟ ଦେଖି ରାଜା ଭାରି ଆଶ୍ଚର୍ଯ୍ୟ ହେଲେ । ସେ କୁଶଳଙ୍କୁ ଦରବାରରେ ରଖିଲେ । ସେତେବେଳେ କୁଶଳ କହିଲେ, “ମହାରାଜ, ମୁଁ ତ ଚନ୍ଦନପୁର ଛାଡିବାକୁ ଚାହେଁନି! ଯଦି ଆପଣ ସହାୟତା କରନ୍ତି ତ ମୁଁ ସେଇଠି କ୍ଷେତବାଡି କରି ଚଳିବି ।”

ରାଜା କୁଶଳଙ୍କୁ ପ୍ରାୟ ପଚାଶ ହଜାର ମୁଦ୍ରା ଦେଇ କହିଲେ, “ମୋ ପାଖରେ ରାଜନୀତି ଉପରେ ଲେଖା ହୋଇଥିବା ଗୋଟିଏ ପୁରୁଣା ଗ୍ରନ୍ଥ ଅଛି । ପଣ୍ଡିତମାନେ କହନ୍ତି ଯେ ଚାଣକ୍ୟଙ୍କର ଅର୍ଥଶାସ୍ତ୍ରରେ ନଥିବା କଥା ମଧ୍ୟ ସେଥିରେ ଅଛି । କିନ୍ତୁ ସେହି ଗ୍ରନ୍ଥର ଭାଷା ଅତି ଜଟିଳ, ଏପରିକି ଦରବାରରେ ଥିବା ପଣ୍ଡିତମାନେ ମଧ୍ୟ ତାହାର ବ୍ୟାଖ୍ୟା କରିପାରନ୍ତି ନାହିଁ । ସେହି ଗ୍ରନ୍ଥର ବ୍ୟାଖ୍ୟା ଆପଣ ଏକ ବର୍ଷ ମଧ୍ୟରେ କରି ଦିଅନ୍ତୁ । ମୁଁ ଆହୁରି ପଚାଶ ହଜାର ମୁଦ୍ରା ଦେଇ ଆପଣଙ୍କୁ ସନ୍ତୁଷ୍ଟ କରିବି ।”

ଗ୍ରନ୍ଥଟିକୁ ନେଇ କୁଶଳ ଗ୍ରାମକୁ ଫେରି ଆସିଲେ । ତା’ପରେ ରାଜା କୁଶଳଙ୍କ ବିଷୟରେ ବହୁତ ପ୍ରଶଂସା କରି ଚତୁରକୁ କହିଲେ, “ତୁମେ ଯେତେଦିନ ଧରି ମୋ ଦରବାରକୁ ଆସିଛ ଆଉ ଯେତେ କାର୍ଯ୍ୟ କରିଛ, ସେସବୁ ତୁଳନାରେ କୁଶଳଙ୍କୁ ମୋ ସହିତ ପରିଚୟ କରାଇ ଦେଇ ସବୁଠାରୁ ଭଲ କାର୍ଯ୍ୟ କରିଛ ।”

କୁଶଳଙ୍କର ଏତେଗୁଡାଏ ପ୍ରଶଂସା ଚତୁରଙ୍କୁ ଆଦୌ ଭଲ ଲାଗିଲା ନାହିଁ । ସେ ନିଜେ ରାଜାଙ୍କ ପାଖରେ ଦଶବର୍ଷ ଧରି କାମ କରିଛନ୍ତି । ସେ ଆରାମ୍ରେ ଥିଲେ, ଧନୀ ନ ଥିଲେ । କିନ୍ତୁ କୁଶଳ ପ୍ରଥମ ଥର ଦେଖାସାକ୍ଷାତ କରି ପଚାଶହଜାର ମୋହର ନେଇ ସାରିଛନ୍ତି ।

ଦିନେ ସେ ରାଜାଙ୍କୁ କହିଲେ, “ପ୍ରଭୁ, ମୁଁ ବହୁତ ପୂର୍ବରୁ କୁଶଳର ପରିଚୟ ଆପଣଙ୍କ ସହିତ କରାଇବାକୁ ଚାହିଁଥିଲି । କିନ୍ତୁ ତାର ମନଭିତରେ ବହୁତ ଅଭିମାନ ଥାଏ । ତାକୁ ମୁଁ ଯେତେଥର ଡାକି ପଠାଏ, ସେ ଆସିବାକୁ ମନାକରି ପଠାଏ । ଅବଶେଷରେ ସେ ଆପଣଙ୍କ ପାଖକୁ ଆସିଲା, ଯେତେବେଳେ ପଇସାଟିଏବି ସୁଦ୍ଧା ଘରେ ନଥିଲା ।” ଚତୁରଠାରୁ ଏପରି କଥା ଶୁଣିବା ପରେ ରାଜା ତାଙ୍କ ସହିତ କୁଶଳଙ୍କ ବିଷୟରେ କଥାବାର୍ତ୍ତା ବନ୍ଦ କରିଦେଲେ । ଏମିତି ଛଅମାସ ବିତିଗଲା । ଦିନେ ରାଜା ତାଙ୍କୁ କହିଲେ, “ମୁଁ ଜାଣିବାକୁ ଚାହେଁ ଯେ ଯେଉଁ ଗ୍ରନ୍ଥ ମୁଁ କୁଶଳଙ୍କୁ ଦେଇଛି ତାହାର ବ୍ୟାଖ୍ୟା ସେ କେତେ ପର୍ଯ୍ୟନ୍ତ କଲେଣି ଓ କିପରି ଭାବରେ କରିଛନ୍ତି । ତମେ ଥରେ ତାଙ୍କୁ ଏଠାକୁ ଡାକି ଆଣ ।” ଚତୁର କୁଶଳଙ୍କ ପାଖକୁ ଖବର ନ ପଠାଇ ଦୁଇଦିନ ପରେ ରାଜାଙ୍କୁ ଦେଖା କରି କହିଲେ, “କୁଶଳ କହିପଠାଇଛି ଯେ ସେ କିଛି ଦିନ ପର୍ଯ୍ୟନ୍ତ ଆପଣଙ୍କୁ ଦେଖା କରିପାରିବ ନାହିଁ ।”

କିନ୍ତୁ ଫଳରେ ରାଜାଙ୍କର କୁଶଳଙ୍କ ପ୍ରତି କୌଣସି କ୍ରୋଧ ଭାବ ଆସିଲା ନାହିଁ । ବରଂ ସେ କହିଲେ, “ଭୁଲ୍ ତ ମୋର । ମୁଁ ତାଙ୍କୁ ବର୍ଷେ ସମୟ ଦେଇଛି । ଏପରି ମଝିରେ ତାଙ୍କୁ ଡାକିପଠେଇବାଟା ଅସୁନ୍ଦର କଥା । ତେବେ ମୁଁ ନିଜେ ସମୟ ଦେଖି ତାଙ୍କ ପାଖକୁ ଯିବି ଓ ଦେଖିବି ସେଠାରେ ସେ କି ପ୍ରକାର କାର୍ଯ୍ୟ କରୁଛନ୍ତି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ