କୃତଘ୍ନର ଶାସ୍ତି

ରାଜକୁମାର ଯେଉଁ କାଠଗଡ ଧରି ଭାସୁଥାନ୍ତି, ତହିଁରେ ଗୋଟିଏ ମୂଷା, ଗୋଟିଏ ସାପ ଓ ଗୋଟିଏ ଶୁଆ ଚଢେଇ ଆଶ୍ରା ନେଇଥାନ୍ତି । କ୍ରମେ ସେ କାଠଟି ଯାଇ ଗୋଟିଏ ବଣ ପାଖରେ ପହଁଚିଲା । ନଈ ସେ ବଣ ମଝିଦେଇ ଯାଇଥାଏ ।

ସେତେବେଳେ ବୋଧିସତ୍ତ୍ଵ ଜଣେ ସାଧୁ ରୂପେ ସେ ବଣରେ ରହିଥାନ୍ତି । ରାଜପୁତ୍ରଙ୍କ ଆର୍ତ୍ତନାଦ ତାଙ୍କ କାନରେ ପଡିଲା । ସେତେବେଳକୁ ତ ବର୍ଷା ଛାଡି ଯାଇଥାଏ । ଆକାଶ ପରିଷ୍କାର ହୋଇ ଯିବାରୁ ସୂର୍ଯ୍ୟାସ୍ତ ହେବା ସତ୍ତ୍ୱେ ଆଲୁଅ ଥାଏ ।

ବୋଧିସତ୍ତ୍ଵ ସଙ୍ଗେ ସଙ୍ଗେ ନଦୀ ଗର୍ଭକୁ ଲମ୍ଫ ଦେଲେ ଓ କାଠ ଗଡଟିକୁ ଠେଲି ଠେଲି ତାକୁ କୂଳକୁ ନେଇ ଆସିଲେ । ରାଜପୁତ୍ର, ସାପ, ମୂଷା ଏବଂ ଶୁଆକୁ ସେ ନିଜ କୁଡିଆ ପାଖକୁ ନେଇଯାଇ ନିଆଁ ଜାଳି ସେମାନଙ୍କୁ ଉଷୁମ୍ କରାଇଲେ । ତା’ପରେ ସେ ଖାଦ୍ୟଦ୍ରବ୍ୟ ଆଣି ପ୍ରଥମେ ତିନି ଛୋଟିଆ ପ୍ରାଣୀଙ୍କୁ ଖାଇବାକୁ ଦେଇସାରି ତା’ପରେ ରାଜପୁତ୍ରଙ୍କୁ ଖାଇବାକୁ ଦେଲେ ।

ପରଦିନ ସମସ୍ତେ ବୋଧିସତ୍ତ୍ଵଙ୍କ ନିକଟରୁ ବିଦାୟ ନେଲେ । ସାପ କହିଲା, “ମହାତ୍ମା! ପୂର୍ବ ଜନ୍ମରେ ମୁଁ ଜଣେ ଲୋଭୀ ବଣିକ ଥିଲି । ଅନେକ ଟଙ୍କା ସଞ୍ଚୟ କରି ପୋତି ରଖି ମରିଗଲି । ସେସବୁର ଲୋଭ ତ୍ୟାଗ କରି ନପାରି ସାପ ରୂପେ ସେ ପୋତା ଧନକୁ ଜଗିଛି । କିନ୍ତୁ ଏଣିକି ଆଉ ମୋର କୌଣସି ପ୍ରକାର ଲୋଭ ନାହିଁ । ତୁମେ ଯଦି ସେ ଟଙ୍କା ବାହାର କରିନେଇ କୌଣସି ହିତ କାମରେ ଲଗାଇ ପାରନ୍ତ, ତେବେ ମୁଁ ଏ ସର୍ପ ଜନ୍ମରୁ ମୁକ୍ତି ପାଆନ୍ତି ।” ଏହା କହି ସେ ସାପ ନିଜର ଠିକଣା ଦେଲା । ବୋଧିସତ୍ତ୍ଵ ଯଥା ସମୟରେ ତାକୁ ଦେଖା କରିବାର ପ୍ରତିଶୃତି ଦେଲେ ।

ସେହିପରି ଭାବରେ ମୂଷା ଓ ଶୁଆର ନିମନ୍ତ୍ରଣ ମଧ୍ୟ ସେ ରକ୍ଷା କରିବେ ବୋଲି କହି ସେମାନଙ୍କୁ ବିଦାୟ ଦେଲେ । ତା’ପରେ ରାଜପୁତ୍ରଙ୍କୁ ସେ ବଣ ଭିତରୁ ବାହାରି କିପରି ନଅରରେ ଯାଇ ପହଁଚିବାକୁ ହେବ, ସେ ମାର୍ଗ ମଧ୍ୟ ବତାଇ ଦେଲେ । ରାଜପୁତ୍ର କହିଲେ, “ମହାତ୍ମା! କେବେ ଯଦି ମୋ ରାଜଧାନୀକୁ ଆସିବେ, ତେବେ ମୁଁ ଆପଣଙ୍କର ଉପଯୁକ୍ତ ସତ୍କାର କରିବି ।”

ବୋଧିସତ୍ତ୍ଵ ଦିନେ ନା ଦିନେ ତାଙ୍କର ଅତିଥି ହେବେ ବୋଲି ନିର୍ଭରଯୋଗ୍ୟ ପ୍ରତିଶୃତି ଦେଲେ ।

କିଛିଦିନ ପରେ ରାଜା ବ୍ରହ୍ମଦତଙ୍କର ମୃତ୍ୟୁ ହେଲା । ତା’ପରେ ରାଜପୁତ୍ର ରାଜା ହେଲେ । ସିଂହାସନରେ ବସିବା ମାତ୍ରେ ସେ ଆହୁରି ଭୀଷଣ ଅତ୍ୟାଚାରୀ ହେଲେ ଓ ଯଥେଚ୍ଛା ଶାସନ କରିବାକୁ ଲାଗିଲେ ।

ଦିନେ ବୋଧିସତ୍ତ୍ଵ ତାଙ୍କ ପ୍ରତିଶୃତି ରକ୍ଷା କରି ରାଜଧାନୀରେ ଯାଇ ଉପସ୍ଥିତ ହେଲେ । ସେ ରାଜପଥରେ ଚାଲୁଥିବା ବେଳେ ନୂଆ ରାଜା ରଥଚଢି ଶୀକାର ଉଦ୍ଧେଶ୍ୟରେ ବାହାରିଥାନ୍ତି । ବୋଧିସତ୍ତ୍ଵଙ୍କୁ ଦୂରରୁ ଚିହ୍ନି ପକାଇ ସେ ତାଙ୍କ ଦେହରକ୍ଷୀମାନଙ୍କୁ କହିଲେ, “ସେ ସାଧୁକୁ ବାନ୍ଧି ପକାଇ ବେଦମ୍ ପିଟ । ତା’ପରେ ତାକୁ ନେଇ ମାରିଦିଅ! ଦିନେ ମୁଁ ତା’ର ଅତିଥି ହୋଇଥିଲି ଯେ ସେ ପ୍ରଥମେ ମୋତେ ଖାଇବାକୁ ନ ଦେଇ ମୂଷା, ସାପ ଓ ଶୁଆଙ୍କୁ ଦେଇଥିଲା । ମୁଁ ସେ ଅପମାନ ଏଯାଏଁ ମଧ୍ୟ ଭୁଲି ନାହିଁ ।”

ଆଜ୍ଞା ପାଇବା ମାତ୍ରେ ଦେହରକ୍ଷୀମାନେ ଯାଇ ବୋଧିସତ୍ତ୍ଵଙ୍କୁ ଧରି ପକାଇଲେ । ତା’ପରେ ସେମାନେ ତାଙ୍କୁ ବାନ୍ଧି ପକାଇ ଠିକ୍ ପିଟିବାକୁ ପ୍ରସ୍ତୁତ ହେବା ବେଳକୁ ଦଳେ ସାଧାରଣ ଲୋକ ଜମିଯାଇ ସେ ଦେହରକ୍ଷୀମାନଙ୍କୁ ସେମାନଙ୍କ କାର୍ଯ୍ୟରେ ବାଧା ଦେଇ ବୋଧିସତ୍ତ୍ଵଙ୍କୁ ପଚାରିଲେ, “କଥା କ’ଣ? ଆପଣଙ୍କ ଉପରେ ଆମ ରାଜା ଖପା ହେବାର କାରଣ କ’ଣ?”

“କାରଣ ମୁଁ ଦିନେ ତାଙ୍କର ପ୍ରାଣରକ୍ଷା କରିଥିଲି ।” ଏହାପରେ ବୋଧିସତ୍ତ୍ଵ ସବୁ ଘଟଣା ଆମୂଳଚୁଳ ବର୍ଣ୍ଣନା କଲେ ।

ଲୋକେ ତ ଅନେକ ଦିନ ଧରି ସେ ରାଜା ଉପରେ କ୍ରୁଦ୍ଧ ହୋଇ ରହିଥାନ୍ତି । ଜଣେ ପରୋପକାରୀ ନିରୀହ ସାଧୁଙ୍କ ପ୍ରତି କୃତଘ୍ନ ରାଜାର ଏଭଳି ଆଚରଣରେ ସେମାନେ ଏଡେ ଉତ୍ୟକ୍ତ ହୋଇ ଉଠିଲେ ଯେ ସଙ୍ଗେ ସଙ୍ଗେ ଦେହରକ୍ଷୀମାନଙ୍କୁ ସେଠାରୁ ତଡିଦେଲେ ଓ ସାଧୁଙ୍କୁ ସେମାନଙ୍କ କବଳରୁ ମୁକ୍ତ କରି ସାରି ରାଜାଙ୍କୁ ଧରିବା ପାଇଁ ଦୌଡିଲେ । ରାଜା ପଳାଇଯାଇ ପ୍ରାଣରକ୍ଷା କରିବାର ଚେଷ୍ଟା କଲେ, କିନ୍ତୁ ସେ ପାରିଲେ ନାହିଁ । ରଥକୁ ଓଲଟାଇ ଦେଇ ଲୋକେ ସେ ରାଜାଙ୍କୁ ମାରିଦେଲେ । ବୋଧିସତ୍ତ୍ଵଙ୍କର ସେଠାରେ କିଛି କରିବାର ନଥିଲା କାରଣ ଏସବୁ ଘଟଣା ଏତେ ଶୀଘ୍ର ଗୋଟିଏ ପରେ ଗୋଟିଏ ଘଟିଗଲା ଯେ ଭାବିଚିନ୍ତି କରିବା ପାଇଁ ତାଙ୍କ ପାଖରେ ଆଉ ଅବସର ନଥିଲା ।

ଅତ୍ୟାଚାରୀର ମୃତ୍ୟୁରେ ସମସ୍ତେ ବେଶ୍ ଆନନ୍ଦିତ ହେଲେ । ତା’ପରେ ପ୍ରଶ୍ନ ହେଲା କିଏ ରାଜା ହେବ । ସେତେବେଳକୁ ତ ବୋଧିସତ୍ତ୍ଵଙ୍କ ସୌମ୍ୟ ଚେହେରା ଓ ବ୍ୟବହାର ସେମାନଙ୍କୁ ଅତିଶୟ ମୁଗ୍ଧ କରିଥାଏ । ସୁତରାଂ ସେମାନେ ତାଙ୍କୁହିଁ ଅନୁରୋଧ କରି ସିଂହାସନରେ ନେଇ ବସାଇଲେ ।

ରାଜା ହେବା ପରେ ବୋଧିସତ୍ତ୍ଵ ଯାଇ ବଣ ଭିତରେ ସେ ସାପକୁ ସାକ୍ଷାତ କଲେ ଓ ତା’ର ନିର୍ଦ୍ଧେଶ ଅନୁସାରେ ପୋତାଧନ ବାହାର କରି ଆଣି ସେସବୁକୁ ଜନକଲ୍ୟାଣରେ ବ୍ୟୟ କଲେ । ସାପ, ଶୁଆ ଏବଂ ମୂଷାକୁ ଆଣି ସେ ତାଙ୍କ ନଅରରେ ରଖାଇଲେ । ରାଜ-ଅତିଥି ରୂପେ ସେମାନେ ସେଠାରେ ଅତି ଆନନ୍ଦରେ ବାସ କଲେ । ବୋଧିସତ୍ତ୍ଵଙ୍କ ଶାସନରେ ସେ ରାଜ୍ୟରେ ସୁଶାସନ ପ୍ରତିଷ୍ଠା ହେଲା । ଏହି କାରଣରୁ ଲୋକେ ତାଙ୍କର ଜୟଗାନ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ