କୃଷକର ପତ୍ନୀ

       ରାତିରେ ବୃଦ୍ଧ କୃଷକ ଶୋଇଥିବା ସମୟରେ ତା’ର ସ୍ତ୍ରୀ ସମସ୍ତ ଧନରତ୍ନ ଲୁଟି ନେଇ ପ୍ରେମିକ ନିକଟକୁ ଚାଲିଗଲା । ଏହାପରେ ସେମାନେ ଯାତ୍ରା ଆରମ୍ଭ କଲେ । କିଛି ବାଟ ଗଲାପରେ ରାସ୍ତାରେ ଏକ ନଦୀ ପଡିଲା । ଲୋକଟି ତ’ ଯେମିତି ଲୋଭୀ ସେହିପରି ଠକ । କୃଷକ ସ୍ତ୍ରୀର ଧନ ଦେଖି ସେ ମନେ ମନେ କିପରି ସେହି ଧନକୁ ନିଜେ ନେବ ସେହି କଥା ଚିନ୍ତା କରୁଥାଏ । କୃଷକର ସ୍ତ୍ରୀକୁ କହିଲା, ପ୍ରିୟେ! ଏତେବଡ ନଦୀକୁ ଆମ୍ଭେମାନେ ପାର କରିବା କିପରି? ଚାଲ! ଗୋଟେ କାମ କରିବା । ମୁଁ ପ୍ରଥମେ ଜିନିଷପତ୍ର ନେଇ ନଦୀ ଆରପଟରେ ସୁରକ୍ଷିତ ସ୍ଥାନରେ ରଖିଦେଇ ଆସିବି । ତା’ପରେ ତୁମେ ମୋ ପିଠି ଉପରେ ବସିବ । ମୁଁ ତୁମକୁ ପହଁରି ପହଁରି ନଦୀ ପାର କରାଇବି । ସ୍ତ୍ରୀଟି ସଂଗେ ସଂଗେ ରାଜି ହୋଇଗଲା । ଠକତ’ ଏହି ସୁଯୋଗ ଅପେକ୍ଷାରେ ଥାଏ । ସେ ତତ୍କ୍ଷଣାତ୍ ସବୁ ଧନରତ୍ନ ନେଇ ନଦୀ ପାରହୋଇ ଆରପଟକୁ ଚାଲିଗଲା । କିନ୍ତୁ ଆଉ ଏପଟକୁ ନଆସି ସେ ସେହିଠାରୁ ଦୂରକୁ ଦୂରକୁ ଚାଲିବାକୁ ଲାଗିଲା । ନଦୀ ଏପଟେ ସ୍ତ୍ରୀ ଲୋକଟି ବିଚରା ପ୍ରେମିକକୁ ଅପେକ୍ଷା କରି ବସିଥାଏ ।

       କିଛି ସମୟପରେ ସେ ଦେଖିଲା ଟିକେ ଦୂରରେ ଏକ ବିଲୁଆ ତାର ପାଟିରେ ମାଂସ ଖଣ୍ଡେ ଧରି ଆସୁଛି । ସେହି ସମୟରେ ବିଲୁଆଟି ନଦୀ କୂଳରେ ଏକ ମାଛ ପଡିଥିବାର ଦେଖି ମାଂସ ଖଣ୍ଡକୁ ତଳେ ରଖି ମାଛ ଖାଇବାପାଇଁ ଆସିଲା । ମାଛଟି ସଂଗେ ସଂଗେ ଛଟପଟ ହୋଇ ପାଣି ଭିତରକୁ ଡେଇଁ ପଳାଇଲା । ନଦୀ କୂଳରୁ ଫେରି ମାଂସ ନିକଟରେ ପହଁଚିଲା ବେଳକୁ ହଠାତ୍ ଏକ ଚିଲ କେଉଁଠାରୁ ଉଡିଆସି ମାଂସ ଖଣ୍ଡକୁ ନେଇ ଉଡିଗଲା । ଏହା ଦେଖି କୃଷକ ସ୍ତ୍ରୀ ଜୋର୍ରେ ହସିଦେଲା । କୃଷକ ସ୍ତ୍ରୀ ହସିବାର ଦେଖି ବିଲୁଆ କହିଲା, ମୋର ବୋକାମୀ ପାଇଁ ତୁ କ’ଣ ହସୁଛୁ? ତୋର ଯେଉଁ ଅବସ୍ଥା ହୋଇଛି ମୋର ମଧ୍ୟ ସେହି ଅବସ୍ଥା ହେଲା । ସ୍ୱାମୀପରି ଦେବତାକୁ ତ୍ୟାଗ କରିବା ସଂଗେ ସଂଗେ ତା’ର ଧନ ରତ୍ନକୁ ଅପହରଣ କରି ଯେଉଁ ପ୍ରେମିକକୁ ପାଇବା ଆଶାରେ ତୁ ଏଠାରେ ଆସି ବସିଛୁ । ସେ ଲୋକ ସବୁ ଧନରତ୍ନ ନେଇ କେଉଁଆଡେ ପଳାଇଲାଣି । ବିଲୁଆଠାରୁ ଏହି କଥା ଶୁଣି ବିଚରା କୃଷକ ପତ୍ନୀ ଲାଜରେ କାନ୍ଦିବାକୁ ଲାଗିଲା ।

       କୁମ୍ଭୀରଟି ମାଙ୍କଡକୁ ଏହି କାହାଣୀ ସଂପର୍କରେ କହୁଥିବା ବେଳେ ହଠାତ୍ ଆଉ ଗୋଟିଏ ଜଳଜୀବ ଆସି ସେଠାରେ ପହଁଚିଲା । କୁମ୍ଭୀରକୁ କହିଲା, କୁମ୍ଭୀର ଭାଇ! ତୁମେ ଏଠାରେ କ’ଣ କରୁଛ? ତୁମ ସ୍ତ୍ରୀ ମରିବା ପରେ କେଉଁଆଡୁ ଏକ ବଡ କୁମ୍ଭୀର ଆସି ତୁମ ଘରକୁ ମଧ୍ୟ ଅଧିକାର କରିନେଲାଣି । ଜଳଜୀବର କଥା ଶୁଣିସାରିବା ପରେ କୁମ୍ଭୀରଟି କିଛିକ୍ଷଣ ପାଇଁ ସ୍ତମ୍ଭୀଭୂତ ହୋଇଗଲା । ବିପଦ ପରେ ବିପଦ କୁମ୍ଭୀରକୁ ଗ୍ରାସ କରିବାକୁ ଲାଗିଥାଏ । ପ୍ରଥମେ ବନ୍ଧୁ ସଂଗେ ଶତ୍ରୁତା, ପତ୍ନୀର ମୃତ୍ୟୁ, ନିଜ ଗୃହକୁ ଅନ୍ୟ ଜଣକର ଅଧିକାର କଥା ଭାବି କୁମ୍ଭୀରଟି କ’ଣ କରିବ, ନକରିବ କିଛି ଚିନ୍ତା କରିପାରୁ ନଥାଏ । ଶେଷରେ ମାଙ୍କଡକୁ କହିଲା, ବନ୍ଧୁ! ମୋର ଏହି ଦୁଃସମୟରେ ତୁମେ ଯେଉଁ ଉପଦେଶ ଦେବ ମୁଁ ତାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି ।

       କମ୍ଭୀରର କଥା ଶୁଣି ମାଙ୍କଡ କହିଲା, “ପାପୀଷ୍ଠ! ମୁଁ ତୋ’ ସହିତ କୌଣସି ସମ୍ପର୍କ ରଖିବାକୁ ଚାହୁଁ ନାହିଁ । ତେଣୁ ତୁ ଯଥାଶୀଘ୍ର ମୋ ସାମ୍ନାରୁ ଚାଲିଯା” । ମାଙ୍କଡର ହୃଦୟ ଜୟ କରିବାକୁ ଯାଇ କହିଲା, “ବନ୍ଧୁ! ମୁଁ ତୁମ ପାଖରେ ଘୋର ଅପରାଧ କରିଛି । ମୋର ଅପରାଧ ପାଇଁ ମୁଁ ତୁମ ନିକଟରେ କ୍ଷମା ମାଗୁଛି । ଥରୁଟିଏ ହେଲେ ଆମର ପୂର୍ବ ସଂପର୍କ କଥା ମନେ ପକାଅ । ଉତ୍ତର ଦେବାକୁ ଯାଇ ମାଙ୍କଡ କହିଲା, ପତ୍ନୀକୁ ଅନ୍ଧ ଭାବରେ ଭଲ ପାଉଥିବା ତୋ ପରି ଅହଂକାରୀକୁ ମୁଁ କୌଣସି ଉପଦେଶ ଦେବାକୁ ଚାହୁଁ ନାହିଁ । ଯିଏ ସତ୍ଜନ ମାନଙ୍କ ଉପଦେଶକୁ ଭୂକ୍ଷେପ କରେ ନାହିଁ ଶେଷରେ ଘଂଟି ବାନ୍ଧିଥିବା ଓଟ ବିନାଶ ହେବାପରି ବିନାଶ ହୁଏ ।

       କୁମ୍ଭୀରଟି ଉକିଣ୍ଠାର ସହିତ ଘଂଟି ବନ୍ଧା ଓଟ ସମ୍ପର୍କରେ ପଚାରିଲା । ମାଙ୍କଡଟି କାହାଣୀ କହିବା ଆରମ୍ଭ କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ