କୃଷ୍ଣାବତାର

ତା’ପରେ କୃଷ୍ଣ ଓ ବଳରାମ ମିଶି ଉଗ୍ରସେନଙ୍କର ଅଭିଷେକ କଲେ । ଉଗ୍ରସେନଙ୍କର ଆନନ୍ଦ କହିଲେ ନ ସରେ । ସେ ନାତି ଦୁହିଁଙ୍କୁ ପାଇ ଅତି ଆନନ୍ଦରେ ଗଦ୍ ଗଦ୍ ହେଉଥା’ନ୍ତି । ଉଗ୍ରସେନଙ୍କ ତରଫରୁ କୃଷ୍ଣ ବଳରାମ ମଥୁରା ନଗରୀର ରାସ୍ତା, ଘାଟ ଇତ୍ୟାଦି ଖୁବ୍ ସୁନ୍ଦର କରି ତିଆରି କଲେ । ରାଜ୍ୟଶାସନରେ ମଧ୍ୟ ପ୍ରଜାଙ୍କର ହିତ ପାଇଁ ନାନା ପ୍ରକାର ସୁବ୍ୟବସ୍ଥା ସବୁ କରିଦେଲେ । କୃଷ୍ଣ ବଳରାମଙ୍କୁ ପାଇ ମଥୁରାବାସୀ ଧନ୍ୟ ହେଲେ ।

ଅନେକ ବର୍ଷ ପରେ ମଥୁରାରେ ପୁଣି ସ୍ୱାଭାବିକ ଜୀବନ ଧାରା ଫେରି ଆସିଲା । ଉଗ୍ରସେନ ଅତ୍ୟନ୍ତ ଦୟାବାନ୍ ଥିଲେ ଓ ନ୍ୟାୟପରାୟଣ ରାଜା ବି । କଂସ-ରାଜୁତି କାଳର ବିଭୀଷିକା ପରେ ପୁଣି ଉଗ୍ରସେନଙ୍କ ଶାସନର ସୁଫଳ ଲାଭ କରି ମଥୁରାବାସୀମାନେ ନିଜ ନିଜକୁ ଧନ୍ୟ ମନେ କଲେ । ସେମାନେ ନିର୍ଭୟରେ ସୁଖଶାନ୍ତିରେ କାଳ ଯାପନ କଲେ ।

କିଛିଦିନ ପରେ ଦିନେ କୃଷ୍ଣ ବଳରାମଙ୍କୁ କହିଲେ, “ଭାଇ, ଆମେ ତ ଗାଈ ଜଗି ଖେଳିବୁଲି ସବୁ ସମୟ କଟାଇ ଦେଲେ । ଏଣିକି ଆମକୁ ରାଜପୁତ୍ର ଭାବରେ ଅବସ୍ଥାନ କରିବାକୁ ପଡିବ । ତେଣୁ କିଛି ବିଦ୍ୟାଶିକ୍ଷା ମଧ୍ୟ କରିବାକୁ ହେବ । କିନ୍ତୁ କିଏ ହେବେ ଆମର ବିଦ୍ୟାଗୁରୁ?”

ବଳରାମ ମଧ୍ୟ କୃଷ୍ଣଙ୍କ କଥାକୁ ଶୁଣି ଗଭୀର ଭାବରେ ଚିନ୍ତା କଲେ । ପରେ ସେମାନେ ଏକଥା ନିଜର ଗୁରୁଜନମାନଙ୍କୁ କହିଲେ । ସେତେବେଳେ ତ ଅବନ୍ତୀପୁର ନିବାସୀ ମୁନି ସନ୍ଦୀପନୀ ବିଦ୍ୟାଗୁରୁ ଭାବରେ ଖୁବ୍ ଖ୍ୟାତି ଲାଭ କରିଥା’ନ୍ତି । ପିତାମାତାଙ୍କର ପରାମର୍ଶ କ୍ରମେ ସେମାନେ ସନ୍ଦୀପନୀ ମୁନିଙ୍କ ନିକଟକୁ ବିଦ୍ୟାଶିକ୍ଷା କରିବାକୁ ଗଲେ ।

ସନ୍ଦୀପନୀ ମୁନି ଆଗରୁ ନିଜ ଧ୍ୟାନ ବଳରେ ଜାଣିପାରିଥା’ନ୍ତି ଯେ କୃଷ୍ଣ ବଳରାମ ତାଙ୍କ ପାଖକୁ ବିଦ୍ୟାଶିକ୍ଷା କରିବାକୁ ଆସୁଛନ୍ତି । ତେଣୁ ବହୁ ପୂର୍ବରୁ ସେ ପ୍ରସ୍ତୁତ ଥିଲେ । ଦୁହିଁଙ୍କୁ ଅତି ଆଦରର ସହିତ ସେ ଅଭ୍ୟର୍ଥନା କରି ନେଇଗଲେ ।

ତା’ପରେ ବିଦ୍ୟାଶିକ୍ଷା ଆରମ୍ଭ ହେଲା । ମାତ୍ର ଚଉଷଠି ଦିନରେ ସେମାନେ ଚାରିବେଦ ଶିଖିଗଲେ ଓ ବାରଦିନ ମଧ୍ୟରେ ଧର୍ମଶାସ୍ତ୍ର, ତର୍କ, ନ୍ୟାୟ ଶାସ୍ତ୍ର, ଗଣିତ, ସଙ୍ଗୀତ ଓ ସୈନିକ ବିଦ୍ୟା ଆଦି ଶିଖିଗଲେ । ତା’ପରେ ପଚାଶ ଦିନ ମଧ୍ୟରେ ସେମାନେ ଅସ୍ତ୍ରଶସ୍ତ୍ର ଶିକ୍ଷା ଭଲଭାବରେ କଲେ । ସେମାନଙ୍କର ଅଧ୍ୟୟନ ଶକ୍ତି ଦେଖି ଗୁରୁ ଅତ୍ୟନ୍ତ ବିସ୍ମିତ ହେଲେ ।

ଦୁଇ ରାଜପୁତ୍ର ଯାଇ ସାଧାରଣ ବିଦ୍ୟାର୍ଥୀଙ୍କ ସହ ଗୁରୁଙ୍କ ଆଶ୍ରମରେ ରହିଲେ । ନିଜ ନିଜର ଅମାୟିକ ଓ ବାଳକ-ସୁଲଭ ବ୍ୟବହାର ଦ୍ୱାରା ସେମାନେ ଅନ୍ୟମାନଙ୍କ ସହ ଏପରି ଅନ୍ତରଙ୍ଗ ଭାବରେ ମିଶି ପାରୁଥିଲେ ଯେ ସେମାନେ ରାଜପୁତ୍ର ବୋଲି ସହପାଠୀମାନେ ଆଦୌ ମନେ ରଖୁ ନଥିଲେ! ସମସ୍ତଙ୍କ ଭଳି ସେମାନେ ଅଧ୍ୟୟନ କରିବା ସଙ୍ଗେ ସଙ୍ଗେ ଗୁରୁଙ୍କ ନିର୍ଦ୍ଧେଶରେ ଆଶ୍ରମ ନିମନ୍ତେ ପ୍ରୟୋଜନୀୟ କାମଦାମରେ ମଧ୍ୟ ମନୋନିବେଶ କରୁଥିଲେ ।

ଅଧ୍ୟୟନ ଶେଷ ହୁଅନ୍ତେ ଦୁଇ ରାଜପୁତ୍ର ଗୁରୁଙ୍କୁ ଭକ୍ତିପୂର୍ବକ ପ୍ରଣାମ କରି କହିଲେ, “ଗୁରୁଦେବ, ଆପଣଙ୍କ କୃପାରୁ ଆମେମାନେ ଅନାୟାସରେ ସମସ୍ତ ବିଦ୍ୟାରେ ପାରଙ୍ଗମ ହୋଇପାରିଛୁ । ଆପଣ ଆମକୁ ଜନ୍ମିତ ପିତା ପରି ସ୍ନେହ ଆଦରରେ ରଖିଥିଲେ । ଏବେ କୁହନ୍ତୁ ଆମେମାନେ ଆପଣଙ୍କୁ କି ଗୁରୁଦକ୍ଷିଣା ଦେବୁ?”

ଏକଥା ଶୁଣି ଗୁରୁ ଟିକିଏ ସଙ୍କୋଚ କରି କହିଲେ, “ବତ୍ସ, ତୁମମାନଙ୍କୁ ଶିଷ୍ୟରୂପେ ପାଇ ମୁଁ ଆଜି ଧନ୍ୟ ହୋଇଛି । ପ୍ରଭୁଙ୍କ କୃପାରୁ ମୋର ଅପୂର୍ଣ୍ଣ କିଛି ନାହିଁ । ହେଲେ ଗୋଟିଏ ଦୁଃଖର ସ୍ମୃତି ଏବେବି ମୋ ମନକୁ ଅତ୍ୟନ୍ତ ଅଥୟ କରେ । ମୋର ଏକମାତ୍ର ପୁତ୍ର ସମୁଦ୍ର ସ୍ନାନ କରିବାବେଳେ ତାକୁ ତିମିଟିଏ ଖାଇ ପକାଇଲା । ମୁଁ କ’ଣ ସେ ପୁତ୍ରକୁ ଆଉ କେବେବି ଫେରି ପାଇପାରିବି?” ଗୁରୁ ଜାଣିଥିଲେ ଶ୍ରୀକୃଷ୍ଣ ସ୍ୱୟଂ ଭଗବାନ୍ ଥିଲେ, ସେ ସବୁ କିଛି କରିପାରିବେ ।

କୃଷ୍ଣ ଅଳ୍ପ ହସି କହିଲେ, “ଆପଣଙ୍କ ଦୁଃଖର ଯେପରି ଅବସାନ ହୁଏ ସେଥିପାଇଁ ମୁଁ ସବୁ ପ୍ରକାର କାର୍ଯ୍ୟପନ୍ଥା ଗ୍ରହଣ କରିବି ।”

ଗୁରୁ ଓ ବଳରାମଙ୍କଠାରୁ ବିଦାୟ ନେଇ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ହୋଇ କୃଷ୍ଣ ସମୁଦ୍ର ତୀରରେ ଯାଇ ପହଁଚିଲେ । ସମୁଦ୍ରକୁ ଡାକି ତାକୁ ସେ ଆଦେଶ ଦେଲେ, “ମୁଁ ଶୁଣିଛି ମୋର ଗୁରୁ ସନ୍ଦୀପନୀଙ୍କ ପୁତ୍ରକୁ ଏଠାରେ ସମୁଦ୍ର ଭିତରେ ତିମି ଖାଇ ଯାଇଛି । ଏବେ ମୋତେ ଦେଖାଅ କିଏ ସେହି ଦୁଷ୍ଟ ଜନ୍ତୁ ।”

ସମୁଦ୍ର ଦେବତା ହାତଜୋଡି କହିଲେ, “ପ୍ରଭୁ, ପଞ୍ଚଜନ ନାମକ ଜଣେ ରାକ୍ଷସ ତିମି ରୂପରେ ବୁଲୁ ବୁଲୁ ଆପଣଙ୍କ ଗୁରୁପୁତ୍ରକୁ ସେହିଁ ଖାଇଛି । ଏବେ ଆପଣଙ୍କ ନିକଟକୁ ମୁଁ ତାକୁ ଡାକି ଆଣୁଛି ।”

ପରକ୍ଷଣରେହିଁ ଏକ ବିରାଟକାୟ ତିମି ଆସି ପହଁଚିଲା । ଶ୍ରୀକୃଷ୍ଣଙ୍କର ସେହି ରୁଦ୍ରରୂପ ଦେଖି ସେ କହିଲା, “ପ୍ରଭୁ, ମୁଁ ତ ପ୍ରାଣୀମାତ୍ର, ଆହାର ଯାହା ପାଏ, ତାକୁହିଁ ଖାଇ ବଂଚେ । ମୁଁ କି ଜାଣେ ମୋର ଖାଦ୍ୟ ଆପଣଙ୍କର ଗୁରୁପୁତ୍ରହିଁ ଥିଲା, ଆପଣ ଏବେ ଯମପୁରକୁ ଯାଇ ତାକୁ ଫେରାଇ ଆଣନ୍ତୁ ।” ଏତିକି କହି ସେ କୃଷ୍ଣଙ୍କୁ ପାଞ୍ଚଟି ସ୍ୱର ଉତ୍ପନ୍ନ କରୁଥିବା ଏକ ବିରାଟ ଶଙ୍ଖ ଉପହାର ଦେଲା । କୃଷ୍ଣ ସେହିଦିନଠାରୁ ସେଇଟିକୁ ନିଜ ହାତରେ ଧାରଣ କରିଥାନ୍ତି । ସେହି ରାକ୍ଷସର ନାମ ଅନୁସାରେ ଶଙ୍ଖଟିର ନାମ ହେଲା “ପାଞ୍ଚଜନ୍ୟ” ।

କୃଷ୍ଣ ଉକ୍ତ ରାକ୍ଷସର ନମ୍ରତା ଓ ସତ୍ୟପରାୟଣତା ଦେଖି ତା’ ଉପରୁ କ୍ରୋଧ ସମ୍ବରଣ କଲେ ଓ ତାକୁ କୌଣସି ଦଣ୍ଡ ଦେଲେ ନାହିଁ ।

ତା’ପରେ କୃଷ୍ଣ ଯମପୁରରେ ଯାଇ ପହଁଚିଲେ । କୃଷ୍ଣଙ୍କର ଏ ରୂପ ଦେଖି ଯମରାଜ ଭୀତତ୍ରସ୍ତ ହୋଇ କହିଲେ, “ପ୍ରଭୁ, ଆପଣ ଯେଉଁଥିପାଇଁ ଏଠାକୁ ଆସିଛନ୍ତି ତାହା ମୁଁ ଜାଣେ । ପ୍ରତ୍ୟେକ ଜୀବର ଆୟୁ ଶେଷ ହେଲେ ତାକୁ ଏଠାକୁ ତା’ ମୃତ୍ୟୁ ନେଇ ଆସେ । ଏଥିରେ ଆମର କିଛିବି ଦୋଷ ନାହିଁ ।”

ଗୁରୁପୁତ୍ରକୁ ଫେରାଇ ଦେବାପାଇଁ କୃଷ୍ଣ ମୃତ୍ୟୁକୁ ଡାକି ଆଦେଶ ଦେଲେ । ତାହାହିଁ ହେଲା । ଏହାପରେ ଶ୍ରୀକୃଷ୍ଣ ଗୁରୁପୁତ୍ରକୁ ନେଇ ଫେରି ଆସିଲେ ଓ ଗୁରୁଙ୍କୁ ତାହା ଗୁରୁଦକ୍ଷିଣା ସ୍ୱରୂପ ଅର୍ପଣ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ