କୃଷ୍ଣାବତାର

                ଶିଶୁପାଳ କହିଲା, “ଆମର ରଥୀମାନେ ଏହା ଉପରକୁ ଯାଇ ପାରିବେ ନାହିଁ । ଆମେ ଚାରିପଟରୁ ଘେରି ରଖିଲେ ସେମାନେ ବାହାରୁ କିଛି ନ ପାଇ ସେଠାରେ ନିଶ୍ଚୟ ମରିବେ । ତା’ଛଡା ଆମେ ପର୍ବତ ଚାରିପଟରେ ନିଆଁ ଧରାଇ ଦେବା, ତେବେ ସେମାନେ ବହୁତ କଷ୍ଟ ପାଇବେ ।”

                ଶିଶୁପାଳର କଥା ଜରାସନ୍ଧର ମନକୁ ବେଶ୍ ପାଇଲା । ସେ ସୈନିକମାନଙ୍କୁ ସେହିପରି ଆଦେଶ ଦେଲା । ସୈନ୍ୟମାନଙ୍କୁ ସେ ଡାକି କହିଲା, “ହେ ବୀର ସୈନିକଗଣ, ଏବେ ତମେମାନେ ନିକଟସ୍ଥ ଅରଣ୍ୟ ମଧ୍ୟରୁ ଶୁଷ୍କକାଷ୍ଠ ଆଦି ନେଇଆସି ପର୍ବତ ଚାରିପାଖରେ ରଖ ଏବଂ ସେଥିରେ ଅଗ୍ନି ସଂଯୋଗ କର । ସେଇଟା ତୁମମାନଙ୍କର ପ୍ରଧାନ କାର୍ଯ୍ୟ । କିନ୍ତୁ ତମେମାନେ ତା’ପରେ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଧରି ପ୍ରସ୍ତୁତ ହୋଇ ରହିଥିବ । ସେ ଗୋପାଳ ଟୋକା ଦୁହେଁ ଅଗ୍ନିତାପରେ ବାହାରି ଆସିବା ମାତ୍ରେ ଚାରିପଟରୁ ଆକ୍ରମଣ କରି ତାଙ୍କୁ ମାରିଦେବ । ଏହାହିଁ ମୋର ଆଦେଶ ।”

                ଜରାସନ୍ଧର ଏଭଳି ଆଦେଶ ଶୁଣି ସୈନ୍ୟଦଳ ତତ୍କ୍ଷଣାତ୍ କାମରେ ଲାଗିଗଲେ । ରାଜାମାନେ ଅସ୍ତ୍ରଶସ୍ତ୍ର ଧରି ପ୍ରସ୍ତୁତ ହୋଇଥା’ନ୍ତି । ସୈନ୍ୟମାନେ ସବୁ ଶୁଷ୍କକାଷ୍ଠ ଓ ଅନ୍ୟାନ୍ୟ ଉପକରଣ ସବୁ ପର୍ବତର ଚାରିପାଖରେ ଠୁଳ କରି ନିଆଁ ଧରାଇ ଦେଲେ । ଅଗ୍ନିର ଲେଲିହାନ ଶିଖା ପବନର ସହାୟତା ପାଇ ଖୁବ୍ ଉପରକୁ ଉଠିଲା ଓ ପର୍ବତର ଚାରିପାଖ ଧୁଆଁରେ ଛାଇଗଲା ।

                ଉପରେ ଥାଇ ଶ୍ରୀକୃଷ୍ଣ ଓ ବଳରାମ ଏସବୁ ଘଟଣା ଦେଖୁଥା’ନ୍ତି । କିଛି ସମୟ ସେମାନେ ନିଆଁ ଧୁଆଁ ଭିତରେ ରହିଲେ । ତା’ପରେ ବଳରାମ ରାଗିଯାଇ ଶ୍ରୀକୃଷ୍ଣଙ୍କୁ କହିଲେ, “ଆମକୁ ଯଦି ଯୁଦ୍ଧ କରିବାକୁହିଁ ହେବ ତେବେ ଆମେ ଆଉ ଅପେକ୍ଷା କାହିଁକି କରିବା? ଆଉ କାପୁରୁଷ ପରି କାହିଁକି ବା ଲୁଚି ରହିବା ଚାଲ ପ୍ରସ୍ତୁତ ହୁଅ । ଦେଖ ସେମାନଙ୍କର ବୁଦ୍ଧି… । ଆମକୁ ମାରିବା ପାଇଁ ପର୍ବତକୁ ଏମାନେ କେତେ କଷ୍ଟ ଦେଉଛନ୍ତି । ଏସବୁ ସହ୍ୟ କରିବାହିଁ ଅପରାଧ । ଏବେ ମୁଁ ସେହି ସୈନ୍ୟଦଳ ମଧ୍ୟକୁ ଡେଇଁ ପଡିବି ଓ ସେମାନଙ୍କୁ ଏପରି ଶିକ୍ଷା ଦେବି ଯେ ସେହି ରାଜାମାନେ ଆଉ କେବେବି ଏପରି ଭୁଲ୍ କରିବେ ନାହିଁ ।” ଏତିକି କହି ବଳରାମ ପର୍ବତ ଉପରୁ ସେନାମାନଙ୍କ ମଧ୍ୟକୁ ଡେଇଁ ପଡିଲେ ଓ ସମସ୍ତିଙ୍କୁ ମାରି ମାରି ଛିନ୍ନଛତ୍ର କରି ପକାଇଲେ । କୃଷ୍ଣ ମଧ୍ୟ ଭାଇଙ୍କ ସହିତ ଡେଇଁ ପଡିଲେ । ସେ ଦୁହିଁଙ୍କର ଘୋର୍ ରଣ ଯୋଗୁଁ ରାଜା ଓ ସୈନ୍ୟମାନେ ସେଠାରୁ ପଳାଇବାକୁ ଲାଗିଲେ ଓ ଅସଂଖ୍ୟ ସୈନ୍ୟ ପ୍ରାଣ ଦେଲେ । ସେହିଭଳି ଭୟଙ୍କର ଯୁଦ୍ଧ ବହୁତ ସମୟ ଧରି ଚାଲିଲା । କୃଷ୍ଣ ଓ ବଳରାମଙ୍କର ପ୍ରବଳ ପରାକ୍ରମ ଦେଖି ସୈନ୍ୟ ଓ ବୀରମାନେ କ୍ରମେ ଛତ୍ରଭଙ୍ଗ ଦେଲେ । ଧୀରେ ଧୀରେ ରଣକ୍ଷେତ୍ର ଖାଲି ହେବାକୁ ଲାଗିଲା । ଏହି ସୁଯୋଗରେ ଶ୍ରୀକୃଷ୍ଣ ତୀର ମାରି ପାତାଳଗଙ୍ଗାକୁ ଆବାହନ କଲେ । ଚାରିପଟରେ ଅଗ୍ନି ଜଳୁଥିବା ଯୋଗୁଁ ପର୍ବତକୁ ବହୁତ କଷ୍ଟ ହେଉଥିବା ଭାବି ଶ୍ରୀକୃଷ୍ଣ ଏପରି କଲେ, “ପ୍ରକୃତରେ ପର୍ବତ ଅଗ୍ନି ଯୋଗୁଁ ବହୁତ କଷ୍ଟ ପାଉଥିଲା । ପାତାଳ ଗଙ୍ଗା ଶ୍ରୀକୃଷ୍ଣଙ୍କ ଆବାହନ ଯୋଗୁଁ ପୃଥିବୀ ପୃଷ୍ଠକୁ ଆସି ଅଗ୍ନି ଉପରେ ଜଳ ବର୍ଷିବାକୁ ଲାଗିଲେ । କୀୟତ୍କ୍ଷଣ ମଧ୍ୟରେ ଅଗ୍ନି ସବୁ ନିର୍ବାପିତ ହୋଇଗଲା । ଚାରିଆଡେ ଶାନ୍ତି ବିରାଜମାନ କଲା । କିନ୍ତୁ ତାହା ମଧ୍ୟ ଖୁବ୍ ଅଳ୍ପ ସମୟ ପାଇଁ । ଏ ଦୁଇଭାଇଙ୍କ ରଣକୌଶଳ ଓ ଶୌର୍ଯ୍ୟ ଦେଖି ଦେବତାମାନେ ଅତି ଆନନ୍ଦରେ ସେ ଦୁହିଁଙ୍କ ଉପରେ ପୁଷ୍ପବୃଷ୍ଟି କଲେ । ସେତେବେଳେ ଶ୍ରୀକୃଷ୍ଣ ସ୍ୱୟଂ ମହାବିଷ୍ଣୁ ଓ ବଳରାମ ସହସ୍ର ଫଣାଧାରୀ ଆଦିଶେଷ ରୂପରେ ପ୍ରତୀତ ହେଲେ ।

                ସେଠାରୁ ପଳାଇଯାଉଥିବା ରାଜାମାନଙ୍କୁ ଏକାଠି କରି ଜରାସନ୍ଧ କହିଲା, “ତମେ ସବୁ ରଥୀ, ଅତିରଥି ଓ ମହାରଥି ଯୋଦ୍ଧା ହୋଇ ଏହି ସାମାନ୍ୟ ଦୁଇଟା ଟୋକାଙ୍କୁ ଡରି ପଳାଉଛ? ମୁଁ ଥାଉ ଥାଉ ସେମାନେ ତୁମର କିଛିବି କରିପାରିବେ ନାହିଁ । ଆସ ସେମାନଙ୍କୁ ଆକ୍ରମଣ କର ।”

                ଜରାସନ୍ଧର ଆହ୍ୱାନ ଶୁଣି ଯୋଦ୍ଧାମାନେ ପୁଣି ଶ୍ରୀକୃଷ୍ଣ ଓ ବଳରାମଙ୍କ ଉପରେ ଆକ୍ରମଣ କଲେ ଓ ଅସ୍ତ୍ରଶସ୍ତ୍ର ବୃଷ୍ଟି କଲେ । ଶ୍ରୀକୃଷ୍ଣ ଓ ବଳରାମ ପୁଣି ସୈନ୍ୟ ସଂହାର କରି ଚାଲିଲେ । ଏ ବିଭତ୍ସ ଦୃଶ୍ୟ ଦେଖି ରାଜାମାନେ ଅତ୍ୟନ୍ତ ଭୟ ପାଇଲେ । ଶ୍ରୀକୃଷ୍ଣ କହିଲେ, “ତମେମାନେ କାହିଁକି ବୃଥାରେ ଆମ ସହିତ ଲଢୁଛ? ତମେମାନେ ଏତେ ବୁଦ୍ଧିମାନ ଓ ଯୁଦ୍ଧଶାସ୍ତ୍ର ବିଶାରଦ; ପୁଣି ଡରି ଯାଉଛ? ଏକଥା ତ ସୁନ୍ଦର ଦେଖାଯାଉ ନାହିଁ । ଆଉ ଜରାସନ୍ଧ ତୁମକୁ ଆଗକୁ ଠେଲି ଦେଇ ନିଜେ ପଛରେ ଲୁଚିଛି । ତୁମେ ସବୁ ବୃଥାରେ କାହିଁକି ନିଜର ପ୍ରାଣ ଦେଉଛ?”

                ଏକଥା ଶୁଣି ଜରାସନ୍ଧ ଭୀଷଣ ମାତ୍ରାରେ ରାଗିଯାଇ ଆଗକୁ ଆସିଲା ଓ କହିଲା, “ମୋ ସମ୍ମୁଖରେ ତୁମେ ଦୁହେଁ କାହିଁକି ରାଜାମାନଙ୍କର ଅପମାନ କଲ? ତୁମେ ଯୁଦ୍ଧ କୌଶଳ ବିଷୟରେ କ’ଣ ବା ଜାଣ? ବଣରେ ଗାଈ ଚରାଇବା ପିଲା ଯୁଦ୍ଧ କୌଶଳ ଦେଖାଉଛ? ଏବେ ତୁମେ ମୋ ସହିତ ଲଢାଇ କର । ଅଳ୍ପ ସମୟରେ ତୁମ ଦୁହିଁଙ୍କୁ ମୁଁ ଯମ ହାତରେ ସମର୍ପଣ କରିବି ।”

ଶ୍ରୀକୃଷ୍ଣ ହସି ହସି କହିଲେ, “ତୁମେ ମୋର ପରାକ୍ରମ ଦେଖିବାକୁ ଚାହୁଁଛ? ବୀର କେବେବି ତୁମପରି ପ୍ରଳାପ କରେନାହିଁ । ମୁଁ ତ ତୁମ ସମ୍ମୁଖରେ ହିଁ ଅଛି । ଏବେ ତୁମେ ତୁମର ଅସ୍ତ୍ରଶସ୍ତ୍ରର ଶକ୍ତି ଦେଖାଅ ।”

ତା’ପରେ ସେ ଦୁହିଁଙ୍କର ଘୋର୍ ଯୁଦ୍ଧ ହେଲା । ଜରାସନ୍ଧର ସେନାପତି ଓ ଅନ୍ୟ ରାଜାମାନେ ମଧ୍ୟ ସେହି ଯୁଦ୍ଧରେ ଯୋଗ ଦେଲେ । ଶ୍ରୀକୃଷ୍ଣଙ୍କ ପଟେ ଏକା ବଳରାମ । କିନ୍ତୁ ଅଳ୍ପ ସମୟ ମଧ୍ୟରେ ଜରାସନ୍ଧ ଓ ତା’ର ଦଳ ଅଚେତନ ହୋଇ ପଡିଗଲେ । ରଥରେ ସେମାନଙ୍କ ଅଚେତନ ଶରୀରକୁ ନେଇ ସେମାନଙ୍କ ସାରଥୀମାନେ ପଳାଇଲେ । ଶ୍ରୀକୃଷ୍ଣ ସେମାନଙ୍କ ପରାଜୟ ପରେ ଖୁସି ହୋଇ ନିଜର ପାଞ୍ଚଜନ୍ୟ ଶଙ୍ଖ ଫୁଙ୍କିଲେ ।

ତା’ପରେ ଶ୍ରୀକୃଷ୍ଣ ଓ ବଳରାମ କିଛି ସମୟ ପାଇଁ ଗୋମନ୍ତ ପର୍ବତର ଦୁର୍ଗରେ ବିଶ୍ରାମ କରିବାକୁ ଗଲେ । ଏହି ସମୟରେ ଏକ ବିଚିତ୍ର ଘଟଣା ଘଟିଲା । ଜରାସନ୍ଧ ସହିତ ସମସ୍ତ ରାଜା ଓ ସୈନ୍ୟମାନେ ସେଠାରୁ ପଳାଇଗଲେ । କୃଷ୍ଣ ଓ ବଳରାମ ଭୟଙ୍କର ଯୁଦ୍ଧ ପରେ ବିଶ୍ରାମ ନେବା ଅବସ୍ଥାରେ ପୁଣି ଏକ ସୈନ୍ୟଦଳ ସେହି ପର୍ବତ ଆଡକୁ ଆସୁଥିବାର ଦେଖି ପାରିଲେ । ସେମାନେ ଭାବିଲେ ବୋଧହୁଏ ନୂଆ ସୈନ୍ୟଦଳ ଧରି ଜରାସନ୍ଧ ପୁଣି ଯୁଦ୍ଧ କରିବା ପାଇଁ ଆସିଲାଣି । ସେମାନେ ପ୍ରସ୍ତୁତ ହୋଇ ରହିଥା’ନ୍ତି । କିନ୍ତୁ ତାଙ୍କ ଆଶଙ୍କା ଅମୂଳକ ଥିଲା । ନିକଟତର ହେବାରୁ ସୈନ୍ୟଦଳ ଓ ତା’ର ନେତା ଚେଦିରାଜ ଦମଘୋଷଙ୍କୁ କୃଷ୍ଣ ଓ ବଳରାମ ଠିକ୍ ଚିହ୍ନିଲେ । ପ୍ରକୃତରେ ସେ ହେଉଛନ୍ତି ସେମାନଙ୍କର ନିଜ ପିଉସା । ହଠାତ୍ ସେ କାହିଁକି ଫେରି ଆସିଲେ, ଟିକିଏ ଆଗରୁ ତ ସେ ଜରାସନ୍ଧ ସହିତ ମିଶି ଯୁଦ୍ଧ କରୁଥିଲେ । ସେମାନେ ଏପରି ଭାବୁଛନ୍ତି, ଠିକ୍ ସେତିକିବେଳେ ଶିଶୁପାଳର ପିତା ଦମଘୋଷ ସେଠାରେ ଉପସ୍ଥିତ ହୋଇ କହିଲେ, “ବତ୍ସ, ମୁଁ ତୁମର ନିଜର ପିଇସା, ମୁଁ ଜରାସନ୍ଧକୁ ତୁମ ସହିତ ଶତ୍ରୁତା ନ କରିବାକୁ ବାରମ୍ବାର କହିଲି । ହେଲେ ସେ କିଛିବି ଶୁଣିଲା ନାହିଁ । କିନ୍ତୁ ମନେରଖ ସୁଯୋଗ ପାଇଲେ ସେ ପୁଣି ତୁମକୁ ମାରିବାକୁ ଚେଷ୍ଟା କରିବ । ସେ ବଡ ଧୂର୍ତ୍ତ ଓ ନିଷ୍ଠୁର । ତା’ଛଡା ଯୁଦ୍ଧ ପରେ ତୁମେ ଏଠାରେ ରହିବା ଆଦୌ ଉଚିତ୍ ନୁହେଁ । ମୁଁ ତୁମକୁ ମୋର ଦୁଇଟି ରଥ ସମର୍ପଣ କରୁଛି ଏଥିରେ ବସି ଚାଲ । ଏ ଅଂଚଳର ରାଜା ଜରାସନ୍ଧାର ବଡ ପ୍ରିୟ । ତାକୁ ଦମନ କରି ମଥୁରା ଅଭିମୁଖେ ଯାତ୍ରା କରିବା । ମୁଁ ଆଜିଠାରୁ ତୁମରି ପକ୍ଷ ବୋଲି ମନେରଖ ।”

କୃଷ୍ଣ ଅତି ଆନନ୍ଦିତ ହୋଇ କହିଲେ, “ବନ୍ଧୁବାନ୍ଧବ ହେବ ତ ଆପଣଙ୍କ ପରି ହେବା ଉଚିତ୍ । ଆପଣଙ୍କର ପ୍ରେମପୂର୍ଣ୍ଣ ବାକ୍ୟ ଆମେ ସ୍ୱୀକାର କରୁଛୁ । ଆପଣ ଯେଉଁ ଆତ୍ମୀୟତା ଆଜି ଦେଖାଇଲେ ସେଥିପାଇଁ ମୁଁ ସାରା ଜୀବନ ଆପଣଙ୍କ ନିକଟରେ ଋଣୀ ରହିବି । ଆମେ ପ୍ରକୃତରେ ଧନ୍ୟ ହେଲୁ ।”

ତା’ପରେ ଦମଘୋଷ ଦେଇଥିବା ରଥ ଉପରେ ବସି ବଳରାମ ଓ କୃଷ୍ଣ, ଦମଘୋଷ ଓ ତାଙ୍କ ସୈନ୍ୟମାନଙ୍କ ସହ ସେ ସ୍ଥାନ ଛାଡି ଫେରିଲେ । ବାଟରେ ଜରାସନ୍ଧର ବନ୍ଧୁ ଓ ତାଙ୍କର ଶତ୍ରୁ କରବୀରପୁରର ରାଜାଙ୍କୁ ଦମନ କରିବା ଉଦ୍ଧେଶ୍ୟରେ ସେମାନେ କରବୀରପୁରରେ ପହଁଚି ଶିବିର ସ୍ଥାପନ କଲେ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। କିଛି କାହାଣୀରେ କିଛି ମାତ୍ରାରେ ସତ୍ୟତା ଥିଲେ ମଧ୍ୟ ତାହା ମନଗଢା କଥା ଦ୍ୱାରା ବର୍ଣ୍ଣିତ ଏବଂ ବଢ଼େଇ ଚଢେଇ ଲିଖିତ । ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ