କୃଷ୍ଣାବତାର

ମଲ୍ଲଯୁଦ୍ଧ ପୁଣି ଚାଲିଲା । କୃଷ୍ଣ ଓ ଚାଣୁର ପରସ୍ପରକୁ ହରାଇବା ପାଇଁ ନାନା ପ୍ରକାର କୌଶଳ ଦେଖାଉଥା’ନ୍ତି । ବହୁ ସମୟ ଧରି ଘୋର୍ ମଲ୍ଲଯୁଦ୍ଧ ଚାଲିବା ପରେ କୃଷ୍ଣଙ୍କର ଏକ ଭୟଙ୍କର ମୁଷ୍ଟିକା ପ୍ରହାର ଯୋଗୁଁ ଚାଣୁର ରକ୍ତବାନ୍ତି କରି ମୃତ୍ୟୁଲୋକକୁ ପ୍ରାପ୍ତ ହେଲା । ଇତିମଧ୍ୟରେ ବଳରାମ ମଧ୍ୟ ମୁଷ୍ଟିକ ସହିତ ବହୁତ ଯୁଦ୍ଧ କରି ତାକୁ ଶେଷରେ ସେ ମାରିଦେଲେ । ଦୁଇଭାଇଙ୍କର ବିଜୟ ଦେଖି କଂସ ମୁହଁରେ ଭୟ ଓ କ୍ରୁରତା ଏତେ ଭୟଙ୍କର ଭାବରେ ପ୍ରକାଶିତ ହେଲା ଯେ ଯାଦବମାନେ ଭୟରେ କମ୍ପି ଉଠିଲେ ।

ଏକଥା ଶୁଣି ଦେବକୀ ମଧ୍ୟ ବହୁତ ଦୁଃଖୀ ହେଲେ । ପ୍ରଥମେ ତ କୃଷ୍ଣର ବୀରତ୍ୱ ଶୁଣି ସେ ଅତ୍ୟନ୍ତ ଖୁସି ହୋଇଥିଲେ । କିନ୍ତୁ କଂସ ଯେ ତାକୁ ମାରିଦେବା ନିମନ୍ତେ ଚେଷ୍ଟା କରୁଛି, ସେ କଥାରେ ତାଙ୍କ ହୃଦୟ ଶତଧା ବିଦୀର୍ଣ୍ଣ ହେଲା । ସାତଟି ପୁଅର ମୃତ୍ୟୁ କଷ୍ଟ ପରେ ଏହି ଗୋଟିଏ ମାତ୍ର ପୁତ୍ର ତାଙ୍କର ବଂଚିଛି । ସିଏ ପୁଣି ଏତେ ଦିନ ପରେ ଆସିଛି । ମା’ ହୋଇ ସେ ଏତେ କଷ୍ଟ କିମିତି ସହିବେ? ଏସବୁ କଥା ଭାବି ସେ ଅତ୍ୟନ୍ତ ଦୁଃଖରେ ଭାଙ୍ଗି ପଡିଲେ । କୃଷ୍ଣଙ୍କର ଦୀର୍ଘଜୀବନ କାମନା କରି ତାଙ୍କ ମନେ ମନେ ସେ ଅନେକ ଦେବତାଙ୍କୁ ପ୍ରାର୍ଥନା କଲେ ।

ଏଣେ କଂସ ଖାଲି କ୍ରୋଧରେ ଜଳୁଥାଏ, ଭୟରେ ସେ ବ୍ୟସ୍ତ ବିବ୍ରତ ହେଉଥାଏ । ତା’ପରେ ସେ ତା’ର ଚାରିଜଣ ବିଶ୍ୱସ୍ତ ଅନୁଚରଙ୍କୁ ଡାକି କହିଲା, “ଦେଖ, କୃଷ୍ଣ ଓ ବଳରାମ ମଥୁରାକୁ ଆସି ଏଠାରେ ବହୁତ ଅତ୍ୟାଚାର କଲେଣି । ଏବେ ତାଙ୍କର ଶେଷ ସମୟ ଆସି ଉପସ୍ଥିତ । ତୁମେମାନେ ନନ୍ଦ ସହିତ ଅନ୍ୟାନ୍ୟ ଗୋପପୁରବାସୀଙ୍କର ଶିରଚ୍ଛେଦ କର । ଆଉ ଏ ଦୁଇଭାଇଙ୍କୁ ମୃତ୍ୟୁଦଣ୍ଡ ଦିଅ ।”

କଂସର ଏ କ୍ରୁର ଆଦେଶ ଶୁଣି ଦେବକୀ ମୂର୍ଚ୍ଛିତ ହେଲେ । ସେବକମାନେ କୃଷ୍ଣଙ୍କର ବଳବୀର୍ଯ୍ୟ ଦେଖି ଏତେ ଚକିତ ଓ ଭୟଭୀତ ହୋଇଥିଲେ ଯେ ସେମାନେ କ’ଣ କରିବେ ଏହା ଭାବି ଭାବି ଖୁବ୍ ବ୍ୟସ୍ତ ହୋଇ ପଡୁଥିଲେ । ମୁହଁ ତାଙ୍କର ବିକଳ ହୋଇଗଲା । ଏପରି ଅବସ୍ଥା ଦେଖି ସ୍ୱୟଂ କୃଷ୍ଣ ତଳୁ କୁଦାମାରି କଂସ ବସିଥିବା ମଂଚ ଉପରକୁ ଉଠିଲେ ।

ସମଗ୍ର ସଭା ମଧ୍ୟରେ ଭୟପୂର୍ଣ୍ଣ ନିସ୍ତବ୍ଧତା ବିରାଜମାନ କଲା । କେହି କଳ୍ପନା ସୁଧା କରି ନଥିଲେ ଯେ କୃଷ୍ଣ ଏଡେ ସାହସ ଦେଖାଇ ଖୋଦ୍ କଂସ ଆଗରେ ଯାଇ ଠିଆ ହୋଇଯିବେ । ଆଜି ପର୍ଯ୍ୟନ୍ତ କଂସକୁ ସାମ୍ନା କଲାଭଳି ବୀର ସମ୍ଭବ ହୋଇନଥିଲେ । କଂସ ଆଗରେ ସମସ୍ତେ ଭୟରେ ଖାଲି କମ୍ପମାନ ହେଉଥାନ୍ତି । ଆଜି ଏଭଳି ଦୃଶ୍ୟ କିପରି ସମ୍ଭବପର ହେଲା? ଅନେକେ ନିଜ ନିଜ ଆଖିକୁ ମୋଟେ ବିଶ୍ୱାସ କରିପାରିଲେ ନାହିଁ ।

କଂସ ନିଜେ ମଧ୍ୟ ବିହ୍ୱଳ ଦେଖାଗଲା । ସେ କ୍ରୋଧାନ୍ଧ ହୁଙ୍କାର ଦେଇ ସିଂହାସନରୁ ଉଠି ଠିଆହୋଇ ପଡିଲା । କଂସର ସେଭଳି ବିକଟ ରୂପ ଦେଖି ଓ ସେ ବଜ୍ର ହୁଙ୍କାର ଶୁଣି ସଭାର ଅନେକ ଲୋକ ମୂର୍ଚ୍ଛା ଗଲେ । ଯାଦବମାନେ କୃଷ୍ଣଙ୍କ ନିରାପତ୍ତା ବିଷୟ ଚିନ୍ତାକରି ବେଶ୍ ଆତଙ୍କିତ ଦେଖାଗଲେ । କିନ୍ତୁ କାହାରିକୁ ବେଶି ସମୟ ଆଉ ସନ୍ଦେହରେ ରହିବାକୁ ପଡିଲା ନାହିଁ ।

କଂସ କିଛି କରିବା ପୂର୍ବରୁ କୃଷ୍ଣ ତାହାର ମୁକୁଟକୁ ଗୋଟାଏ ଚାପୁଡ଼ାରେ ପକାଇ ଦେଇ ନିଜେ ତା’ର ଚୁଟି ଧରି ତାକୁ ଏକ ବ୍ରହ୍ମଚାପୁଡା ମାରିଲେ । ସେଥିରେ କଂସର ଆଖିକାନ ଓ ମୁହଁରୁ ଖାଲି ରୁଧିର ବହିବାକୁ ଲାଗିଲା । ସେଇ ଅବସ୍ଥାରେ କୃଷ୍ଣ ତାକୁ ମଂଚ ଉପରୁ ତଳକୁ ସିଧା ପକାଇ ଦେଲେ । କଂସ କୃଷ୍ଣଙ୍କ ମୁହଁକୁ ଚାହିଁ ଜୀବନ ଛାଡିଲା ଓ ସେ ସିଧା ସ୍ୱର୍ଗକୁ ଗଲା । କଂସର ଏଭଳି ଅଚାନକ ମୃତ୍ୟୁରେ ସମସ୍ତେ ଜୟଧ୍ୱନୀ କଲେ ।

କୃଷ୍ଣ ସେହି ଅବସ୍ଥାରେହିଁ ପିତାମାତା ବସୁଦେବ ଓ ଦେବକୀଙ୍କ ପାଖକୁ ଯାଇ ସେମାନଙ୍କୁ ପ୍ରଣାମ କଲେ । ସେତେବେଳେ ତାଙ୍କ ସାଥିରେ ବଳରାମ ବି ଥିଲେ । ଏତେଦିନ ପରେ ଦେବକୀଙ୍କର ଭାଗ୍ୟ ଖୋଲିଲା । ଏ ମିଳନରେ ସମସ୍ତେ ଆନନ୍ଦ ପ୍ରକାଶ କଲେ । ଧନୁଉତ୍ସବ ହେବାର ଥିଲା । କିନ୍ତୁ ଏ ଉତ୍ସବ ସେ ଉତ୍ସବ ଅପେକ୍ଷା ଅନେକ ଭାବରେ ଶ୍ରେୟସ୍କର । କଂସର ମୃତ୍ୟୁରେ ସାରା ମଥୁରାରେ ଉତ୍ସବ ଲାଗି ରହିଲା ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। କିଛି କାହାଣୀରେ କିଛି ମାତ୍ରାରେ ସତ୍ୟତା ଥିଲେ ମଧ୍ୟ ତାହା ମନଗଢା କଥା ଦ୍ୱାରା ବର୍ଣ୍ଣିତ ଏବଂ ବଢ଼େଇ ଚଢେଇ ଲିଖିତ । ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ