କୃଷ୍ଣାବତାର

ରାଜକନ୍ୟାଗଣ ସବୁ ଶୁଣିବା ପରେ କହିଲେ, “ହେ ମହାତ୍ମନ, ଆପଣଙ୍କର ସଦିଚ୍ଛା ଆମ ପାଇଁ ସୌଭାଗ୍ୟକର । କିନ୍ତୁ ଆପଣ ଦ୍ୱାରକାକୁ ଫେରିବା ପୂର୍ବରୁହିଁ ଏ ବିଷୟରେ ଆମେମାନେ ଯଥେଷ୍ଟ ଚିନ୍ତା କରି ମନସ୍ଥ କରିଛୁ ଯେ ନରକାସୁରର ଅତ୍ୟାଚାର ସହ୍ୟ କରିବା ପରେ ଆପଣଙ୍କୁ ଆମେ ଆମ ନିକଟରେ ପାଇଛୁ । ଆମେ ସମସ୍ତେ ହୃଦୟଙ୍ଗମ କରିଛୁ ଆପଣ ସ୍ୱୟଂ ଭଗବାନ । ତେଣୁ କାୟମନୋବାକ୍ୟରେ ଆପଣଙ୍କ ପାଦପଦ୍ମରେ ଆମେମାନେ ନିଜକୁ ସମର୍ପଣ କରି କୃତାର୍ଥ ହେଉଛୁ । ଆମକୁ ଏ ଦିବ୍ୟ ସନ୍ନିଧାନରୁ ବଂଚିତ କରନ୍ତୁ ନାହିଁ । ଆମର ଜନ୍ମ ସାର୍ଥକ ହେଉ ।”ଶ୍ରୀକୃଷ୍ଣ ସେମାନଙ୍କର ଇଚ୍ଛା ପୂରଣ କଲେ ।

ତା’ପରେ ନରକାସୁରର ବଧ କଥା ଓ ପାରିଜାତ ହରଣ କଥା ଶ୍ରୀକୃଷ୍ଣ ଦ୍ୱାରକାବାସୀଙ୍କୁ ସବିସ୍ତାର କରି ଶୁଣାଇଲେ । ଶ୍ରୀକୃଷ୍ଣଙ୍କର ଅଲୌକିକ କାର୍ଯ୍ୟ ସବୁ ଶୁଣି ସମସ୍ତେ ଖୁବ୍ ଆଶ୍ଚର୍ଯ୍ୟ ଓ ଆନନ୍ଦିତ ହେଉଥା’ନ୍ତି । ସତ୍ୟଭାମା ଓ ଅନ୍ୟାନ୍ୟ ରାଣୀମାନେ ପାରିଜାତ ବୃକ୍ଷର ଯତ୍ନ ନେଉଥାନ୍ତି; ଏବଂ ଫୁଲ ସବୁକୁ ମାଳା କରି ଶ୍ରୀକୃଷ୍ଣଙ୍କୁ ଦେଉଥା’ନ୍ତି ଓ ସେମାନେ ନିଜେ ମଧ୍ୟ ମଥାରେ ଲଗାଉଥା’ନ୍ତି ।

ଏଣେ ପାରିଜାତ ହରଣ ପରେ ଇନ୍ଦ୍ର ବହୁତ ଚିନ୍ତାମଗ୍ନ ଓ ବିଷାଦଗ୍ରସ୍ତ ହେଲେ । ସଚ୍ଚୀ ମଧ୍ୟ ବହୁଦିନ ପର୍ଯ୍ୟନ୍ତ ପାରିଜାତକୁ ଝୁରି ହେଲେ । କାଳ କ୍ରମେ ସେମାନେ ନିଜର ଦୁଃଖ ଭୁଲିଗଲେ ।

ଥରେ ହସ୍ତିନାପୁରରେ ଦୁର୍ଯ୍ୟୋଧନ ଏକ ଯଜ୍ଞ କରାଉଥା’ନ୍ତି । ଭାରତର ବହୁ ପ୍ରଦେଶରୁ ବହୁ ରାଜା ନିମନ୍ତ୍ରିତ ହୋଇ ଆସିଥା’ନ୍ତି । ସମସ୍ତେ ଚାହିଁଲେ ଶ୍ରୀକୃଷ୍ଣଙ୍କୁ କିପରି ଟିକିଏ ଦେଖନ୍ତେ ଓ ତାଙ୍କ ଆଶ୍ଚର୍ଯ୍ୟ ନଗରୀ ଦ୍ୱାରିକାକୁ ମଧ୍ୟ ଦେଖନ୍ତେ । ଏ ଖବର ପାଇବା ପରେ ଶ୍ରୀକୃଷ୍ଣ ସେମାନଙ୍କୁ ନିମନ୍ତ୍ରଣ କଲେ । ସମସ୍ତେ ଆସି ରୈବତକ ପର୍ବତରେ ପହଁଚିଲେ । ସେହିଠାକୁ ଶ୍ରୀକୃଷ୍ଣ ଓ ବଳରାମ ନିଜର ସୈନ୍ୟସାମନ୍ତ ଓ ପାତ୍ରମନ୍ତ୍ରୀ ଧରି ରାଜାମାନଙ୍କୁ ନିଜ ରାଜ୍ୟକୁ ପାଛୋଟି ନେଲେ । ଶ୍ରୀକୃଷ୍ଣ କହିଲେ, “ଆପଣମାନଙ୍କ ସେବା ପାଇଁ ସାରା ଦ୍ୱାରିକା ଅପେକ୍ଷା କରିଅଛି । ମୋର ସମସ୍ତ ବନ୍ଧୁବାନ୍ଧବ ଆପଣମାନଙ୍କର ମନୋରଞ୍ଜନ କରିବେ । ଆପଣମାନେ ନିଜ ନିଜର ପସନ୍ଦ ଅନୁସାରେ ଯାହା ଚାହିଁବେ ସଙ୍କୋଚ ନକରି କହିବେ: ଆମେ ସେସବୁ ଦେବାପାଇଁ ଯଥାଶକ୍ତି ଚେଷ୍ଟା କରିବୁ ।” ତା’ପରେ ସମସ୍ତ ରାଜା ଶ୍ରୀକୃଷ୍ଣ ଓ ବଳରାମଙ୍କ ସହ ଦ୍ୱାରିକା ଆସିଲେ । ଦ୍ୱାରକାବାସୀଙ୍କ ଉଚ୍ଛ୍ୱସିତ ସଂବର୍ଦ୍ଧନା ଓ ଶ୍ରୀକୃଷ୍ଣଙ୍କର ସ୍ନେହପୂର୍ଣ୍ଣ ଅତିଥିସତ୍କାର ପାଇ ରାଜାମାନେ ଅତି ଆନନ୍ଦିତ ହୋଇ ସେଠାରେ କିଛିଦିନ ରହିବା ପରେ ନିଜ ନିଜ ଦେଶକୁ ବାହୁଡି ଗଲେ ।

ଥରେ ଅର୍ଜୁନ ଯୁଧିଷ୍ଠିରଙ୍କଠାରୁ ଅନୁମତି ନେଇ ଶ୍ରୀକୃଷ୍ଣଙ୍କ ସହିତ ଦେଖା କରିବାକୁ ଗଲେ । ସେଠାରେ ସେ କିଛିଦିନ ଶ୍ରୀକୃଷ୍ଣଙ୍କ ସହିତ ଆନନ୍ଦରେ ରହିଥା’ନ୍ତି । ଶ୍ରୀକୃଷ୍ଣଙ୍କ ସେହି ସମୟରେ ଗୋଟିଏ ଯଜ୍ଞ ଆରମ୍ଭ କଲେ । ଦିନେ ଶ୍ରୀକୃଷ୍ଣଙ୍କ ଯଜ୍ଞରେ ବସିଥା’ନ୍ତି । ଜଣେ ବ୍ରାହ୍ମଣ ସେଠାରେ ଆସି ପହଁଚିଲେ । ଶ୍ରୀକୃଷ୍ଣ ବ୍ରାହ୍ମଣଙ୍କୁ ଆସିବାର କାରଣ ପଚାରନ୍ତେ ସେ କହିଲେ, “ମହାନୁଭବ, ଆପଣଙ୍କ ଅଲୌକିକ ଶକ୍ତି କଥା ଏ ପୃଥିବୀରେ ନ ଜାଣେ ବା କିଏ? ମୁଁ ଏକ ମହା ସମସ୍ୟାରେ ପଡିଛି; ଦୟାକରି ଏହାର କିଛି ସମାଧାନ କରନ୍ତୁ । ମୋର ପତ୍ନୀର ପିଲା ଭୂମିଷ୍ଠ ହେବା ମାତ୍ରେ କିଏ ତାକୁ ନେଇ ଚାଲି ଯାଉଛି । ଏପରି ପ୍ରାୟ ତିନିଥର ଘଟିଲାଣି । ଏବେ ଚତୁର୍ଥ ପିଲା ଜନ୍ମ ହେବାର ଦିନ ହୋଇ ଯାଇଛି । ମୁଁ ଚାହେଁ ଆପଣ ମୋତେ ଏ ବିପଦରୁ ରକ୍ଷା କରନ୍ତୁ ।”

ଏହି ସବୁ କଥା ଅର୍ଜୁନ ଶୁଣୁଥିଲେ । ସେ କହିଲେ, “ଏହି କଥା ପାଇଁ ଆପଣ କାହିଁକି ଯିବେ? ମୁଁ ଯାଇ ବ୍ରାହ୍ମଣ ମହାଶୟଙ୍କ ଘର ଜଗିବି । ତେବେ ସେହି ଦୁରାଚାର ଆଉ ପିଲା ନେଇଯିବାକୁ ଆଦୌ ସାହସ କରିବ ନାହିଁ । ଆପଣ ନିଶ୍ଚିନ୍ତ ରହନ୍ତୁ ।”

ଶ୍ରୀକୃଷ୍ଣ ଅଳ୍ପ ହସି କହିଲେ, “ପାର୍ଥ, ତୁମେ ଏହି କାମଟିକୁ ଯେତେ ସହଜ ବୋଲି ଭାବୁଛ ତାହା ସେତେ ସହଜ ନୁହେଁ । ଏହା କୌଣସି ସାଧାରଣ ଚୋରୀ ନୁହେଁ । ଏହା ପଛରେ ଅନ୍ୟ କିଛି ଅର୍ଥ ଅଛି । ତଥାପି ତମେ ଯଦି ଯାଉଛ ତେବେ ସାତ୍ୟକୀ, ବଳରାମ, ପ୍ରଦ୍ୟୁମ୍ନ ଓ କେତେକ ଯାଦବବୀରଙ୍କୁ ବି ନିଜ ସଙ୍ଗରେ ନେଇ ଯାଅ । ଏକା ଯାଅନାହିଁ ।”

ଶ୍ରୀକୃଷ୍ଣଙ୍କର ଏପରି କଥା ଅର୍ଜୁନଙ୍କୁ ସେତେବେଳେ ବହୁତ ବାଧିଲା । ମନେ ମନେ ସେ କ୍ଷୁନ୍ନ ହେଲେ ମଧ୍ୟ ବାହାରେ କିଛି ପ୍ରକାଶ କଲେ ନାହିଁ । କାରଣ ତାଙ୍କର ବୀରତ୍ୱ କଥା ଶ୍ରୀକୃଷ୍ଣ ବେଶ୍ ଭଲଭାବରେ ଜାଣନ୍ତି । ପୁଣି ଏ କିପରି ପ୍ରସ୍ତାବ? ଯାହାହେଉ ସେ କହିଲେ, “ଆପଣଙ୍କର ଯାହା ଇଚ୍ଛା ।” ଅର୍ଜୁନ ଯାଦବବୀରମାନଙ୍କୁ ନେଇ ବ୍ରାହ୍ମଣଙ୍କ ସହିତ ଗଲେ । ସେଠାରେ ତାଙ୍କ ସ୍ତ୍ରୀଙ୍କର ପ୍ରସବ ବେଦନା ଆରମ୍ଭ ହୋଇଥାଏ । ବାହାରେ ବୀରମାନେ ଜଗି ରହିଥା’ନ୍ତି । କିଛି ସମୟ ପରେ ଭିତରୁ ପିଲା ଜନ୍ମ ହେବାର ଶବ୍ଦ ଶୁଣାଗଲା । ପୁଣି ଅଳ୍ପ ସମୟ ପରେ “ଗଲା ଗଲା” ବୋଲି କୋଳାହଳ ଶୁଣାଗଲା । ବ୍ରାହ୍ମଣ ବାହାରକୁ ଆସି ଦେଖିଲେ ଅର୍ଜୁନ ସମେତ ଯଦୁବୀରମାନେ ଶର ମାରି ଗୃହଟିକୁ ଆଚ୍ଛାଦିତ କରି ରଖିଥିଲେ ମଧ୍ୟ ଶିଶୁଟି ଅପହୃତ ହୋଇ ଯାଇଛି । ଲଜ୍ଜାରେ ଅର୍ଜୁନ ଓ ଅନ୍ୟ ବୀରମାନେ ମୁଣ୍ଡ ତଳକୁ କଲେ । ବ୍ରାହ୍ମଣ ରାଗିଯାଇ କହିଲେ, “ହେ ଯୋଧୃବର୍ଗ, ହେ ବୀରମାନେ ତମମାନଙ୍କ ଉପସ୍ଥିତିରେ ମୋର ଚତୁର୍ଥ ଶିଶୁ ମଧ୍ୟ ଅପହୃତ ହେଲା । ମୁଁ ଜାଣିଥିଲି ଏ କାମ ଭଗବାନ୍ ଶ୍ରୀକୃଷ୍ଣଙ୍କ ବ୍ୟତୀତ ଆଉ କେହି ମଧ୍ୟ କରିପାରିବେ ନାହିଁ । ହେ ବୀର ଶ୍ରେଷ୍ଠ ଅର୍ଜୁନ ତୁମର ଗାଣ୍ଡିବ ଧନୁ ଧରିବା ବୃଥା । ଏତେ ଦମ୍ଭ ତୁମର କୁଆଡେ ଗଲା? ଛାଡ; ମୋର ଦୁର୍ଭାଗ୍ୟ ଯେ ମୁଁ ମୋର ଚତୁର୍ଥ ଶିଶୁଟି ହରାଇଲି । ଏବେ କ’ଣ କହି ମୁଁ ମୋର ସ୍ତ୍ରୀକୁ ସାନ୍ତ୍ୱନା ଦେବି । ପୁଣି ଥରେ ଶ୍ରୀକୃଷ୍ଣଙ୍କ ପାଖକୁ ଯାଏ ତେଣିକି ମୋ ଭାଗ୍ୟରେ ଯାହା ଥିବ ।”

ଅର୍ଜୁନ ଓ ଅନ୍ୟ ଯାଦବବୀରମାନେ ତଳକୁ ମୁହଁ କରି ଚାଲି ଚାଲି ଫେରିଲେ । ସେତେବେଳକୁ ଶ୍ରୀକୃଷ୍ଣ ସବୁ ଖବର ପାଇ ସାରିଥା’ନ୍ତି । ପୁଣି ବ୍ରାହ୍ମଣ ମଧ୍ୟ ପହଁଚି ସବୁ କଥା କହିଲେ । କୃଷ୍ଣ ଅଳ୍ପ ହସି ସାରଥି ଦାରୁକକୁ ରଥ ସଜ କରିବା ପାଇଁ ଆଦେଶ ଦେଲେ । ଦାରୁକ ରଥ ସଜ କରି ତହିଁରେ ଚାରୋଟି ଧଳା ଘୋଡା ଯୋଚିଲା । ସେମାନେ ହେଲେ ଶୈବ୍ୟ, ସୁଗ୍ରୀବ, ମେଘପୁଷ୍ପ ଓ ବଲାହାକଲ । ରଥ ପ୍ରସ୍ତୁତ ହେବା ପରେ ଶ୍ରୀକୃଷ୍ଣ ଦାରୁକକୁ କହିଲେ, “ଦାରୁକ, ଆଜିପାଇଁ ମୋ ରଥର ସାରଥୀ ସ୍ୱୟଂ ଅର୍ଜୁନ ହେବେ । ଆଉ ଏହି ବ୍ରାହ୍ମଣ ମଧ୍ୟ ଆମ ସହିତ ଯିବେ ।”

ଶୁଭକ୍ଷଣରେ ସେମାନେ ଘରୁ ବାହାରିଲେ ବହୁତ ଦୂର ଯିବା ପରେ ସମୁଦ୍ର ପଡିଲା । ସମୁଦ୍ର ନିଜେ ଶରୀର ଧରି ଶ୍ରୀକୃଷ୍ଣଙ୍କ ସମ୍ମୁଖରେ ଆବିର୍ଭୁତ ହୋଇ କହିଲେ, “ପ୍ରଭୁ, ମୁଁ କି ଭାବରେ ଆପଣଙ୍କର ସେବା କରିପାରେ?”

ଶ୍ରୀକୃଷ୍ଣ କହିଲେ “ସମୁଦ୍ର ଭିତରେ ରାସ୍ତା ଦିଅ ।”

“ଯେ ଆଜ୍ଞା” ସମୁଦ୍ର ସ୍ୱୀକାର କଲେ ଆଉ ତତ୍କ୍ଷଣାତ୍ ସମୁଦ୍ରରେ ରାସ୍ତା ହୋଇଗଲା । ତା’ପରେ କିଛି ଦୂର ଯିବା ପରେ ଘନ ଜଙ୍ଗଲ ଓ ଉତୁଙ୍ଗ ପର୍ବତମାଳା ସବୁ ଦେଖାଗଲେ । ଚାରିଆଡ ଅନ୍ଧକାର ଲାଗିଲା । ଅର୍ଜୁନ ରଥ ଚଳାଇ କ୍ଳାନ୍ତ ହୋଇଥା’ନ୍ତି; ପୁଣି ଏବେ ଅନ୍ଧକାର । ସେହି ଅନ୍ଧକାର ପ୍ରଦେଶକୁ ଆଲୋକିତ କରି ପର୍ବତମାନେ ଶରୀର ନେଇ ଶ୍ରୀକୃଷ୍ଣଙ୍କ ସମ୍ମୁଖରେ ଆବିର୍ଭୁତ ହୋଇ ପ୍ରଣାମ କଲେ ଓ କହିଲେ, “ପ୍ରଭୁ ଆମେ ଆପଣଙ୍କର କି ସେବା କରିପାରୁ?”

ଶ୍ରୀକୃଷ୍ଣ କହିଲେ, “ରାସ୍ତା ଦିଅ ।” ସେଠାରେ ମଧ୍ୟ ପର୍ବତମାନେ ରାସ୍ତା ଦେଲେ । ଶ୍ରୀକୃଷ୍ଣଙ୍କ ରଥ ଚାଲିଥାଏ । ଆହୁରି କିଛି ଦୂର ଯିବା ପରେ ସେମାନେ ଦେଖିଲେ ସମସ୍ତ ଅନ୍ଧକାରକୁ ଦୂରୀଭୂତ କରି ଏକ ବିରାଟ ଆଲୋକ ବଳୟ ଦେଖାଯାଉଛି । ତାହା ନାନା ବର୍ଣ୍ଣରେ ଉଦ୍ଭାସିତ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସେହିଠାରେ ରଥ ରଖିବାକୁ କହିଲେ । ତା’ପରେ ଶ୍ରୀକୃଷ୍ଣ ରଥରୁ ଅବତରଣ କରି ସେହି ଆଲୋକ ବଳୟ ମଧ୍ୟରେ କୁଆଡେ ଅନ୍ତର୍ହିତ ହୋଇଗଲେ । ଏଣେ ରଥରେ ଅର୍ଜୁନ ଓ ବ୍ରାହ୍ମଣ ଶ୍ରୀକୃଷ୍ଣଙ୍କର ପ୍ରତୀକ୍ଷା କରୁଥା’ନ୍ତି । କିଛି ସମୟ ପରେ ସେହି ଆଲୋକ ବଳୟ ମଧ୍ୟରୁ ଶ୍ରୀକୃଷ୍ଣ ବାହାରିଲେ । ସଙ୍ଗରେ ତିନୋଟି ପିଲା ଓ ହାତରେ ନବଜାତ ଶିଶୁଟି ।

ବ୍ରାହ୍ମଣ ତାଙ୍କର ପିଲାମାନଙ୍କୁ ଫେରି ପାଇ ଅତି ଆନନ୍ଦରେ ଗଦ୍ଗଦ୍ ହୋଇଗଲା । ଅର୍ଜୁନ କେବଳ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥା’ନ୍ତି । ସେକଥା ବୁଝିପାରି ଶ୍ରୀକୃଷ୍ଣ କହିଲେ, “ସଖା ଅର୍ଜୁନ, ତମେ ମୋର ପରମ ମିତ୍ର, ତୁମକୁ ମୁଁ ଏ ରହସ୍ୟର ଅର୍ଥ ପରେ ସମୟ କ୍ରମେ ବୁଝାଇ ଦେବି । ଚାଲ ଏବେ ଦ୍ୱାରକାକୁ ଫେରିଚାଲ ।” ତା’ପରେ ସମସ୍ତେ ରଥରେ ବସି ଅତି ଆନନ୍ଦରେ ଦ୍ୱାରକାପୁରୀକୁ ଫେରି ଆସିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ