କୃଷ୍ଣାବତାର

ଠିକ୍ ସେହି ସମୟରେ ଦାରୁକ ରଥ ନେଇ ଆସି ସେଠାରେ ପହଁଚିଲେ । ଶ୍ରୀକୃଷ୍ଣଙ୍କର ଏଭଳି ଅବସ୍ଥା ଦେଖି ସେ ଅଧୈର୍ଯ୍ୟ ହୋଇ ପଡିଲେ । ଶ୍ରୀକୃଷ୍ଣ ତାଙ୍କୁ ବୁଝାଇ କହିଲେ, “ବ୍ୟସ୍ତ ହୁଅନାହିଁ । ସାରା ଯାଦବବଂଶ ମଦରେ ଉନ୍ମତ ହୋଇ ପରସ୍ପରକୁ ସଂହାର କରି ପ୍ରାଣ ହରାଇଛନ୍ତି । ବଳରାମ ଯୋଗାସନରେ ବସି ଦେହତ୍ୟାଗ କରିଛନ୍ତି । ମୁଁ ମଧ୍ୟ ଅଳ୍ପ ସମୟରେ ଏ ଶରୀର ତ୍ୟାଗ କରି ନିଜ ଧାମକୁ ଚାଲିଯିବି; ତୁମ୍ଭେ ଏଠାରୁ ଯାଇ ମୋର ମାତା ପିତା ଓ ଅବଶିଷ୍ଟ ବନ୍ଧୁବାନ୍ଧବଙ୍କୁ ଅର୍ଜ୍ଜୁନଙ୍କ ପାଖକୁ ପଠାଇ ଦିଅ । ଆଜିର ଘଟଣା କଥା ଭୁଲିଯାଅ । ଜ୍ଞାନ ଯୋଗ କରି ନିଷ୍ଠାରେ ଥାଇ ଜୀବନ ବିତାଅ । ତୁମେ ସାରା ଜୀବନ ମୋର ପ୍ରିୟ କାର୍ଯ୍ୟ କରିଛ, ତେଣୁ ମୋତେ ଦେଖି ତୁମର ନିଶ୍ଚୟ ଗଭୀର ଦୁଃଖ ହେଉଥିବ । କିନ୍ତୁ ଧୈର୍ଯ୍ୟ ଧରି କର୍ତ୍ତବ୍ୟ କରିଯାଅ । ମୋ ପରେ ଏ ଦ୍ୱାରକା ନଗରୀ ଜଳମଗ୍ନ ହେବ ।” ଦାରୁକ ବ୍ୟଥିତ ଦୃଦୟରେ ଶ୍ରୀକୃଷ୍ଣଙ୍କୁ ପ୍ରଦକ୍ଷିଣ କରି କାନ୍ଦି କାନ୍ଦି ଦ୍ୱାରକା ଲେଉଟି ଗଲେ । ଦାରୁକଙ୍କଠାରୁ ଉଗ୍ରସେନ, ବାସୁଦେବ, ଦେବକ, ଦେବକୀ ଆଦି ଦାରୁଣ ଦୁଃସମ୍ବାଦ ପାଇଲେ, ତାକୁ ସହିବା ଭଳି ଶକ୍ତି ସେମାନଙ୍କର ନଥିଲା । ତା’ପରେ ସେମାନେ କାନ୍ଦି କାନ୍ଦି ସେହି ସ୍ଥାନକୁ ଗଲେ ଯେଉଁଠି କି ସମସ୍ତେ ପ୍ରାଣତ୍ୟାଗ କରିଥିଲେ । କିନ୍ତୁ କାହାକୁ ବି ସେମାନେ ପାଇଲେ ନାହିଁ । ତେଣୁ କାନ୍ଦି କାନ୍ଦି ଅନେକେ ମରିଗଲେ । ଆଉ କେତେକ ଅଗ୍ନିରେ ପ୍ରବେଶ କରି ସତୀ ହେଲେ ।

ଅର୍ଜ୍ଜୁନ ଏ ଖବର ପାଇ ସେଠାରେ ଆସି ପହଁଚିଲେ । ମୃତମାନଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସଂପନ୍ନ କଲେ । ତା’ପରେ ଧୀରେ ଧୀରେ ସମୁଦ୍ର ମାଡି ଆସି ଦ୍ୱାରକା ନଗରୀକୁ ଜଳମଗ୍ନ କଲା । ଅବଶିଷ୍ଟ ଲୋକମାନଙ୍କୁ ଧରି ଅର୍ଜ୍ଜୁନ ଇନ୍ଦ୍ରପ୍ରସ୍ଥ ଫେରି ଆସିଲେ । ବଜ୍ର ବୋଲି ଶ୍ରୀକୃଷ୍ଣଙ୍କ ନାତି ଯିଏ କି ଅନିରୁଦ୍ଧଙ୍କର ଜଣେ ପୁଅ ଥିଲେ । ତାଙ୍କୁ ସିଂହାସନରେ ବସାଇ ଅର୍ଜ୍ଜୁନ ତା’ର ରାଜ୍ୟାଭିଷେକ କଲେ । ଅର୍ଜ୍ଜୁନ ବଜ୍ରଙ୍କୁ ଶ୍ରୀକୃଷ୍ଣଙ୍କର ବାର୍ତ୍ତା ଶୁଣାଇ କହିଲେ, “ତମେ ଜ୍ଞାନ-ନିଷ୍ଠାରେ ତୁମର ସମୟ ବିତାଇବ ଏହାହିଁ ଶ୍ରୀକୃଷ୍ଣଙ୍କର ତୁମ ପ୍ରତି ବାର୍ତ୍ତା । ନ୍ୟାୟ ଓ ଅନ୍ୟାୟ ମଧ୍ୟରେ ସର୍ବଦା ନ୍ୟାୟ ଓ ସତ୍ୟର ହିଁ ଜୟ ହୁଏ । ତେଣୁ ସତ୍ୟ ଓ ନ୍ୟାୟର ପଥ ତୁମେ କେବେ ମଧ୍ୟ ତ୍ୟାଗ କରିବ ନାହିଁ ।”

ଏଣେ ଅର୍ଜ୍ଜୁନ ତାଙ୍କ ନାତି ପରିକ୍ଷିତକୁ ମଧ୍ୟ ଅଳ୍ପ ବୟସରେ ରାଜ୍ୟଭାର ଦେଇ ପଂଚପାଣ୍ଡବ ଓ ଦ୍ରୌପଦୀ ମହାପ୍ରସ୍ଥାନ ପାଇଁ ଯାତ୍ରାରମ୍ଭ କଲେ । ଶ୍ରୀକୃଷ୍ଣଙ୍କ ମହାପ୍ରୟାଣ ସମୟରେ ଇନ୍ଦ୍ର, ବ୍ରହ୍ମା ଓ ରୁଦ୍ରଙ୍କ ସମେତ ଛତିଶକୋଟି ଦେବତା ଦିବ୍ୟବିମାନ ନେଇ ସେଠାରେ ଆସି ପହଁଚିଲେ ଓ ଶ୍ରୀକୃଷ୍ଣଙ୍କୁ ସେଥିରେ ବସାଇ ବୈକୁଣ୍ଠକୁ ଲେଉଟି ଗଲେ । ଉପରୁ ପୁଷ୍ପବୃଷ୍ଟି ହେଉଥାଏ । ଅନେକ ଭକ୍ତ ତାଙ୍କୁ ଦର୍ଶନ କଲେ । ଶ୍ରୀକୃଷ୍ଣ ଦିବ୍ୟ ବିଷ୍ଣୁ ରୂପ ଧାରଣ କରି ଦିବ୍ୟଧାମକୁ ଚାଲିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ