କୃଷ୍ଣାବତାର

ଏମିତି କିଛିଦିନ ବିତିଗଲା । ପୁଣି ଯୁଦ୍ଧ କରିବାକୁ ତା’ର ଇଚ୍ଛା ହେଲା । ସେ ଦିନେ ଶିବଙ୍କ ପାଖକୁ ଯାଇ କହିଲା, “ଭଗବାନ୍! ମୋ ସହିତ ଯୁଦ୍ଧ କରିବା ଭଳି ବୀର ଆଉ କେହି ବି ନାହାଁନ୍ତି । ଦୟାକରି କୁହନ୍ତୁ ମୋର ଏହି ଯୁଦ୍ଧ ଲାଳସା କିପରି ସନ୍ତୁଷ୍ଟ ହେବ?”

ବାଣର ଏଭଳି କଥା ଶୁଣି ଶିବ କହିଲେ, “ଶୁଣ ତୁମେ ଯାହା ଚାହୁଁଛ ତାହା ପାଇବ । ଦେଖିବ ଦିନେ ତୁମର ମୟୁର ଧ୍ୱଜ କୌଣସି କାରଣ ନଥାଇ ଢଳି ପଡିବ । ସେତେବେଳେ ଯାଇ ତୁମେ ଜାଣିବ ଯେ, ତୁମର ଜଣେ ସମକକ୍ଷ ଯୋଦ୍ଧା ତୁମ ସହିତ ଯୁଦ୍ଧ କରିବାକୁ ଆସୁଛି ।”

ଏକଥା ଶୁଣି ବାଣ ବହୁତ ଖୁସି ହୋଇ ଶିବଙ୍କୁ ପ୍ରଣାମ କରି ଘରକୁ ଫେରିଲା । ସେ ସର୍ବଦା ତା’ର ପତାକାକୁ ନିଜ ସମୀପରେ ରଖିଥାଏ । ଦିନେ ଦରବାରରେ ରାଜା ତାଙ୍କ ମନ୍ତ୍ରୀ କୁମ୍ଭାଡକୁ ଡାକି କହିଲେ, “ମୁଁ ଏଥର ଶିବଙ୍କଠାରୁ ଏକ ଶୁଭ ସମାଚାର ଆଣିଛି ।”

ମନ୍ତ୍ରୀ ପଚାରିଲେ, “ମହାରାଜ! କି ପ୍ରକାରର ଶୁଭ ସମାଚାର, ଏହା ତ ଅନେକ ପ୍ରକାରର । କ’ଣ ଭଗବାନ୍ ଶିବ ଆପଣଙ୍କୁ କୌଣସି ନୂଆ ବର ପ୍ରଦାନ କଲେ? ଅବା ଦେବରାଜ ଇନ୍ଦ୍ରଙ୍କୁ ପାତାଳକୁ ପଠାଇ ଆପଣଙ୍କୁ ସେ ଇନ୍ଦ୍ରପଦ ଦେଲେ? ଅଥବା ଭଗବାନ୍ ଶ୍ରୀକୃଷ୍ଣଙ୍କୁ ପରାଜିତ କରିବାକୁ ଶିବ ଆପଣଙ୍କୁ କିଛି ଉପାୟ କହି ଦେଇଛନ୍ତି? ଯଦି ତାହାହିଁ ହୁଏ ତ ତେବେ ଆପଣଙ୍କ ପିତା ଧର୍ମାତ୍ମା ବଳୀଙ୍କୁ ମୁକ୍ତି ଦେଇ, ତାଙ୍କୁ ଦର୍ଶନ କରି ଆମେ ଧନ୍ୟ ହୋଇ ପାରିବା ।”

ମନ୍ତ୍ରୀ କଥା ଶୁଣି ବାଣ ଅଳ୍ପ ହସି କହିଲା, “ନାଁ, ମନ୍ତ୍ରୀବର, ସେପରି କିଛି କଥା ନୁହେଁ । ମୋର ସମକକ୍ଷ ଯୋଦ୍ଧାର ଅଭାବ କଥା କହିବାରୁ ଶିବ କହିଲେ, “ତୁମର ମୟୁରଧ୍ୱଜ ଯେଉଁଦିନ ଢଳି ପଡିବ, ଠିକ୍ ସେହିଦିନ ହିଁ ତୁମେ ଜାଣିବ  ଯେ ତୁମର ସମକକ୍ଷ ଯୋଦ୍ଧା ସହିତ ତୁମେ ଯୁଦ୍ଧ କରିବାକୁ ଯାଉଛ ।”

ମନ୍ତ୍ରୀ କହିଲେ, “ଓଃ ଏ କିପରି କଥା? ଶିବଙ୍କଠାରୁ ଆପଣ ଏ କି ପ୍ରକାର ବରପ୍ରାପ୍ତ କଲେ? ପ୍ରହ୍ଲାଦଙ୍କ ବଂଶରୁ ଜନ୍ମ ଆପଣଙ୍କର ଦଣା ଏପରି ହେଲା କାହିଁକି?”

ମନ୍ତ୍ରୀ ଏଭଳି କଥା କହିବା ମାତ୍ରେ ମୟୁରଧ୍ୱଜ ସେହିକ୍ଷଣି ଢଳି ପଡିଲା । ଏକଥା ଦେଖି ବାଣ ମନେ ମନେ ବହୁତ ଖୁସି ହେଲା । ଭାବିଲା ଏବେ ତା’ର ସମକକ୍ଷ ଯୋଦ୍ଧା ସହିତ ଯୁଦ୍ଧ କରିବା ପାଇଁ ସମୟ ଆସିଛି । କିନ୍ତୁ ପ୍ରାକୃତିକ ବ୍ୟୁତ୍ପାତ ସବୁ ଦେଖାଦେଲା । ରକ୍ତବର୍ଷା ହେଲା, ଧୂଳିଝଡ ହେଲା ଓ ଆକାଶରେ ନୂଆ ଧୂମକେତୁର ଉଦୟ ହେଲା ।

ଏସବୁ ଦେଖି ମନ୍ତ୍ରୀ ଡରିଗଲେ ଓ ଭାବିଲେ, “ବାଣ ତିନି ଲୋକରେ ଅନେକ ବିଜୟ କରି ଗର୍ବିତ ହୋଇ ଶିବଙ୍କୁ ସମକକ୍ଷ ଯୋଦ୍ଧା ସହିତ ଯୁଦ୍ଧ କରିବାର ବରଦାନ ମାଗିଲା – କି ମୂର୍ଖ – ଏତେ ବୁଦ୍ଧି ବିବେକ ଥିଲେ ମଧ୍ୟ ଆସୁରିକ ବୁଦ୍ଧି କିଛିଟା ରହିଛି । ସେଥିପାଇଁ ବରଦାନ ରୂପରେ ପ୍ରାପ୍ତ ଯୁଦ୍ଧ ଏବେ ଅନିବାର୍ଯ୍ୟ ହେବ । କିନ୍ତୁ ବିଷ୍ଣୁଙ୍କ ବ୍ୟତୀତ ଆଉ କିଏ ବା ବାଣର ସମକକ୍ଷ ଯୋଦ୍ଧା ହେବ? ପୁଣି ବାଣ ସୁଖସମ୍ଭୋଗ ଭିତରେ ବୁଡି ରହି ମଧ୍ୟ ବିଷ୍ଣୁଙ୍କ ସହିତ ଯୁଦ୍ଧ କରିବାକୁ ପ୍ରସ୍ତୁତ ହୋଇ ବସିଛି । କ’ଣ ହେଉଛି ଦେଖାଯାଉ ।”

ବାଣର ଉଷା ନାମରେ ଏକ ପରମାସୁନ୍ଦରୀ ଝିଅ ଥିଲା । ମନେ ହେଉଥିଲା ସେ ଯେପରି ଚନ୍ଦ୍ରମାଙ୍କର ଷୋଳକଳାକୁ ନେଇ ଜନ୍ମ ହୋଇଛି । ମନ୍ତ୍ରୀଙ୍କ ଝିଅ ଚିତ୍ରରେଖା ଉଷାର ପ୍ରିୟ ସଖୀ ଥିଲା । ଉଷା ତା’ ପିତାଙ୍କ ଆଜ୍ଞାନୁସାରେ ଉତ୍ତମ ସ୍ୱାମୀ ପ୍ରାପ୍ତ କରିବାକୁ ପାର୍ବତୀ ଦେବୀଙ୍କର ଉପାସନା କରୁଥାଏ ।

ଶିବ ତ ସବୁ ସମୟରେ ଶୋଣପୁରରେ ଥା’ନ୍ତି । ଏବେ ଚୈତ୍ରମାସ ଆସିବାରୁ ସେ ପାର୍ବତୀଙ୍କୁ ସେଠାକୁ ଡାକି ଆଣିଲେ । ଅନେକ ଗନ୍ଧର୍ବ, କିନ୍ନରକୁ ସବୁ ନିମନ୍ତ୍ରଣ କରାଗଲା । ସମସ୍ତେ ମିଶି ବସନ୍ତୋତ୍ସବ କଲେ । ସମସ୍ତ ଯୁବକ ଶିବଙ୍କ ପରି ବେଶଧାରଣ କରିଥା’ନ୍ତି ଓ ସମସ୍ତ ଯୁବତୀ ପାର୍ବତୀଙ୍କ ପରି ବେଶ ଧାରଣ କରିଥା’ନ୍ତି । ବହୁତ ସମୟ ଉତ୍ସବ ହେବା ପରେ ପାର୍ବତୀଙ୍କର ପରମଭକ୍ତ ଉଷା ପାର୍ବତୀଙ୍କ ଆହ୍ୱାନ କ୍ରମେ ସେଠାକୁ ଆସିଲା । ଦେବୀ ପାର୍ବତୀ ଉଷା ସହିତ କଥୋପକଥନ କରି ତା’ର ମନକଥା ଜାଣିପାରି କହିଲେ, “ବତ୍ସ୍ୟେ, ମୁଁ ତୋର ମନ କଥା ଜାଣିପାରିଛି । ତୁ ଏକ ସୁଯୋଗ୍ୟ ପତି ପ୍ରାପ୍ତ କରିବାର ଅଭିଳାଷ ରଖି ମୋର ଉପାସନା କରୁଛୁ । କୁମାରୀ କନ୍ୟାମାନଙ୍କର ସ୍ୱାଭାବିକ ଇଚ୍ଛା ତ ଏହା । ତୋର ଅଭିଳାଷ ଅଚିରେ ପୂର୍ଣ୍ଣ ହେବ ।”

ଏକଥା ଶୁଣି ଉଷା କହିଲା “ହେ ମାତା, ଏହା କିପରି ଓ କେବେ ସମ୍ଭବ ହେବ ଦୟାକରି ମୋତେ ତାହା କୁହନ୍ତୁ ।”

ତହୁଁ ପାର୍ବତୀ ହସି ହସି କହିଲେ, “ଆଗାମୀ ବୈଶାଖ ଶୁକ୍ଳ ଦ୍ୱାଦଶୀ ଦିନ ଜଣେ ଦିବ୍ୟ ସୁନ୍ଦର ଯୁବକକୁ ତୁ ସ୍ୱପ୍ନରେ ଦେଖି ପାରିବୁ ସେହିଁ ହେବ ତୋର ଭାବିସ୍ୱାମୀ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ