କୌମୁଦୀ କଥା

       “ତୁମେ କାହିଁକି କାନ୍ଦୁଛ? କ’ଣ ହୋଇଛି ତମର? କ’ଣ ଦୁଃଖ ତମର?” ମହାରାଜାଙ୍କର ଏ ପ୍ରଶ୍ନରେ ନାରୀ ଜଣକ ଆହୁରି ଜୋର୍ରେ କାନ୍ଦି କହିଲା, “ମୋ ଦୁଃଖ ମୋର । ତମକୁ କହି ଲାଭ କ’ଣ? ତମେ କ’ଣ ମୋ ଦୁଃଖ ଲାଘବ କରି ପାରିବ? ବରଂ ତମେ ତମ ବାଟରେ ଚାଲିଯାଅ । ମୋ ଭାଗ୍ୟରେ ଯାହା ଥିବ ତାହା ହେବ ।”

       “ଚିନ୍ତା କରନାହିଁ । ମୋ ପାଖରେ ସବୁକଥା ଖୋଲି କୁହ । ମୁଁ ନିଶ୍ଚୟ ତମକୁ ସାହାଯ୍ୟ କରିବି । ମୁଁ ଏ ଦେଶର ରାଜା । ତମର ସବୁ ଅସୁବିଧା ଦୂର କରିବାପାଇଁ ମୁଁ ସାଧ୍ୟମତେ ଚେଷ୍ଟା କରିବି ।”

       ବିକ୍ରମାଦିତ୍ୟଙ୍କ କଥା ଶୁଣି ନାରୀ ଜଣକ କହିଲା, “ଆପଣ ତେବେ ମହାରାଜ ବକ୍ରମାଦିତ୍ୟ? ଆଗରୁ ଶୁଣିଥିଲି । କେବେ ଦେଖି ନଥିଲି । ମୋର ପ୍ରଣାମ ଗ୍ରହଣ କରନ୍ତୁ । ମୁଁ ଜାଣେ ଆପଣ ନିଶ୍ଚୟ ନ୍ୟାୟ ବିଚାର କରିବେ ।”

       ପ୍ରଥମେ ତମର ସମସ୍ୟା କ’ଣ ଆଶଙ୍କା ନ ରଖି ପ୍ରକାଶ କର । ଉପଯୁକ୍ତ ନ୍ୟାୟ ନିଶ୍ଚିତ ଭାବରେ ପାଇବ । ଏଥିରେ ସନ୍ଦେହ ନାହିଁ ।

       ନାରୀ ଜଣକ କହିଲା, “ମୋ ସ୍ୱାମୀ ଜଣେ ଚୋର । ଖୁନୀ, ଯେତେ କହିଲେ ମଧ୍ୟ କାମଧନ୍ଦା କରେ ନାହିଁ । ଚୋରି କରି ଘର ଚଳାଏ । ସେଇ ଚୋରୀ ଅପରାଧରେ ନଗର କଟୁଆଳ ତାକୁ ବାନ୍ଧି ଗୋଟିଏ ଉଚ୍ଚ ଗଛ ଉପରେ ବାନ୍ଧି ଝୁଲାଇ ଦେଇଛନ୍ତି । ଚୋରି କଲା ବୋଲି ସେ କ’ଣ ନଖାଇ ନ ପିଇ ଶୁଖି ଶୁଖି ମରିବ ଗଛରେ ଝୁଲି ରହି? ମୁଁ ତା’ ପାଇଁ ଖାଦ୍ୟ ରାନ୍ଧି ଆଣିଥିଲି । ଯେତେଜଣଙ୍କୁ ଅନୁରୋଧ କଲି କେହି ତାକୁ ନେଇ ଖାଦ୍ୟ ଦେବା ବ୍ୟବସ୍ଥା କଲେ ନାହିଁ । ରାଜଦଣ୍ଡ ଭୟରେ କେହି ପାଖ ମାଡିଲେ ନାହିଁ । ଆପଣ କୁହନ୍ତୁ ୟେ କେମିତିକା ନ୍ୟାୟ?”

       “ସତରେ ତମ କଥା ଠିକ୍ । ତଥାପି ମନଦୁଃଖ କରନାହିଁ । ମୋ ସହିତ ଆସ । କୋଉଠି ତମ ସ୍ୱାମୀଙ୍କୁ ବନ୍ଧା ଯାଇଛି, ଦେଖାଇ ଦିଅ । ତା’ପରେ ଯାହା କରିବାର କଥା ମୁଁ କରିବି । ତମେ ଭୟ କରନାହିଁ ।”

       ନାରୀ ଜଣକ ମହାରାଜାଙ୍କୁ ସେଇ ସ୍ଥାନକୁ ନେଇଗଲା ଯେଉଁଠି ଗୋଟିଏ ଗଛଡାଳରେ ବନ୍ଧାହୋଇ ଲୋକଟିଏ ଝୁଲୁଥାଏ । ଆଉ କେହି ନ ଥାନ୍ତି ପାଖରେ । ମହାରାଜା ଏ ଦୃଶ୍ୟ ଦେଖି ସମବେଦନା ପ୍ରକାଶ କଲେ ଏବଂ ଅନ୍ୟ କିଛି ଉପାୟ ନ ଦେଖି କହିଲେ, “ଦେବୀ ତୁମେ ମୋ କାନ୍ଧ ଉପରେ ଚଢି ତମ ସ୍ୱାମୀଙ୍କୁ ଖାଦ୍ୟ ଖୁଆଅ । ସେ ପରା ଦୁଇଦିନ ହେଲା କିଛି ଖାଇ ନାହାଁନ୍ତି? ତା’ପରେ ଯାହା କରିବା କଥା ମୁଁ କରିବି ।”

       ନାରୀଜଣକ ଠିକ୍ ଏଇଆ ଚାହୁଁଥିଲା । ସେ ଜଣେ ସାଧାରଣ ନାରୀ ନଥିଲା । ଥିଲା ଗୋଟିଏ ପିଶାଚିନୀ । ପ୍ରତିଜ୍ଞା କରିଥିଲା ରାଜାଙ୍କ କାନ୍ଧରେ ଚଢି ମଣିଷ ମାଂସ ଖାଇବ । ଏଣୁ ଚଟାପଟ୍ ମହାରାଜ ବିକ୍ରମାଦିତ୍ୟଙ୍କ କାନ୍ଧରେ ସବାର ହୋଇ ଗଛରେ ଝୁଲୁଥିବା ମଣିଷକୁ ଖାଇଲା ଏବଂ ତଳକୁ ଓହ୍ଲାଇ କହିଲା, “ମହାରାଜ! ମୁଁ ଆପଣଙ୍କ ଉପରେ ପ୍ରୀତ । ଇଚ୍ଛାମତେ କ’ଣ ମାଗିବାର କଥା ମାଗନ୍ତୁ । ମୁଁ ତୁରନ୍ତ ତାହା ପ୍ରଦାନ କରିବି ।”

       ମହାରାଜ କହିଲେ, “ଯଦି ଦେବାକୁ ଇଚ୍ଛା ତେବେ ମୋତେ “ଅନ୍ନପୂର୍ଣ୍ଣା ପାତ୍ର” ଦିଅ ଯାହା ମାଧ୍ୟମରେ ମୁଁ ଦରକାର ବେଳେ ମୋ ପ୍ରଜାମାନଙ୍କର ଖାଦ୍ୟାଭାବ ଦୂର କରିପାରିବି ।”

       “ଠିକ୍ ଅଛି ମୋ ସହିତ ଆସନ୍ତୁ । ଅନ୍ନପୂର୍ଣ୍ଣା ପାତ୍ରର ମାଲିକାଣୀ ମୁଁ ନୁହେଁ । ସେ ମୋ ଭଉଣୀ । ତାକୁ କହି ମୁଁ ସେ ପାତ୍ର ପ୍ରଦାନ କରାଇବି ନିଶ୍ଚିତ ।”

       ମହାରାଜ ପିଶାଚିନୀକୁ ଅନୁସରଣ କଲେ । କିଛିଦୂର ଯିବା ପରେ ଏକ ଅନ୍ଧାରୁଆ ସଂକୀର୍ଣ୍ଣ ଗଳିରେ ଥିବା ଭଙ୍ଗାଘର ପାଖରେ ଅଟକିଲା । ତା’ର ଡାକରେ କବାଟ ଖୋଲି ଜଣେ ସୁନ୍ଦରୀ ନାରୀ ବାହାରି ଆସିଲା । ପିଶାଚିନୀ ପରିଚୟ କରାଇଦେଲା, “ଇଏ ହେଉଛନ୍ତି ମହାରାଜ ବିକ୍ରମାଦିତ୍ୟ । ସେ ଖୁବ୍ ଉପକାରୀ, ପ୍ରଜାହିତୈଷୀ । ଅନ୍ନପୂର୍ଣ୍ଣା ପାତ୍ରର ପ୍ରକୃତ ଅଧିକାରୀ କେବଳ ଇଏ ହୋଇ ପାରିବେ । ତୁ ତାଙ୍କୁ ସେ ପାତ୍ର ପ୍ରଦାନ କରି ଅନୁଗୃହୀତ କର । ମୁଁ ଜାଣେ ତୁ କେବେ ମୋ କଥା କାଟି ପାରିବୁ ନାହିଁ । ସେଥିପାଇଁକି ମୁଁ ତାଙ୍କୁ ତୋ ପାଖକୁ ନେଇ ଆସିଛି ।”

       ପିଶାଚିନୀର ଭଉଣୀ ଭିତରକୁ ଯାଇ ଏକ ମୂଲ୍ୟବାନ୍ ପାତ୍ର ଆଣି ମହାରାଜାଙ୍କ ହାତକୁ ବଢାଇଦେଇ କହିଲା, “ମହାରାଜ! ଏ ପାତ୍ରର ଗୁଣ ଓ କାର୍ଯ୍ୟକାରିତା ସମ୍ପର୍କରେ କହୁଛି ଶୁଣନ୍ତୁ । ଏହି ପାତ୍ରର ଏକ ଚମତ୍କାରୀ ଗୁଣ ରହିଛି । ଯେତେବେଳେ ବହୁ ଲୋକଙ୍କୁ ସ୍ୱାଦିଷ୍ଟ ଭୋଜନ ଦେବାକୁ ଚାହିଁବ ସେତେବେଳେ ଏହାକୁ ଛୁଇଁ କାମନା କରିବ । ନିଶ୍ଚିତ ଭାବରେ ଇଚ୍ଛା ପୂରଣ ହେବ ।”

       ମହାରାଜ ଅନ୍ନପୂର୍ଣ୍ଣା ପାତ୍ରଧରି ଆନନ୍ଦ ମନରେ ଉଆସକୁ ଫେରୁଥିବା ସମୟରେ ରାସ୍ତାରେ ଜଣେ ସାଧୁଙ୍କ ସହିତ ଭେଟ ହୋଇଗଲା । ସାଧୁ ଜଣକ କହିଲେ, “ମହାରାଜ! ମୁଁ କ୍ଷୁଧାର୍ତ । ସାଧୁଙ୍କୁ ଉତ୍ତମ ଭୋଜନ ଦେଇ ଆପ୍ୟାୟିତ କର ।”

       ସଙ୍ଗେ ସଙ୍ଗେ ଯାଦୁ ବିଦ୍ୟାପରି ନାନା ସୁଖାଦ୍ୟ ଆସି ପହଁଚିଗଲା । ସାଧୁଖାଇ ତୃପ୍ତ ହେଲେ । ମହାରାଜାଙ୍କୁ ପ୍ରଶଂସା କଲେ । ସେ ବିଦାୟ ଦେବା ପୂର୍ବରୁ ମହାରାଜ କହିଲେ, “ସାଧୁ ମହାଶୟ! ଆପଣ ତ ଭୋଜନ କଲେ । ଏବେ କ’ଣ ଦକ୍ଷିଣା ଗ୍ରହଣ କରିବେ କହିଲେ ମୁଁ କୃତାର୍ଥ ହେବି ।”

       ସାଧୁ ତ ଅନ୍ନପୂର୍ଣ୍ଣା ପାତ୍ରର ଚମତ୍କାରିତା ନିଜ ଆଖିରେ ଦେଖିଥିଲେ । ଏଣୁ କହିଲେ, “ହେ ମହାରାଜ! ଆପଣ ଯଦି ମୋତେ ଦକ୍ଷିଣା ଦେବାକୁ ଚାହାଁନ୍ତି ତେବେ ସେଇ ଅନ୍ନପୂର୍ଣ୍ଣା ପାତ୍ରଟିକୁ ପ୍ରଦାନ କଲେ ମୁଁ ସନ୍ତୁଷ୍ଟ ହେବି । କାରଣ ତାହା ପାଖରେ ରହିଲେ- ମୋର ଆଉ କିଛି ଅଭାବ ଅସୁବିଧା ରହିବ ନାହିଁ । କାହାପାଖରେ ହାତ ପାତିବାକୁ ପଡିବ ନାହିଁ । ଯେତେବେଳେ ଇଚ୍ଛା ସ୍ୱାଦିଷ୍ଟ ଭୋଜନ ଖାଇବା ସହିତ ଅନ୍ୟକୁ ଖୁଆଇ ପାରିବି ।”

       ମହାରାଜ ବିକ୍ରମାଦିତ୍ୟ ବିନା ଦ୍ୱିଧାରେ ସାଧୁଙ୍କ ହାତରେ ଅନ୍ନପୂର୍ଣ୍ଣାପାତ୍ର ଧରାଇ ଦେଇ ମନଖୁସିରେ ନିଜ ମହଲ ଆଡକୁ ଅଗ୍ରସର ହେଲେ ।

       ଏତକ କହି କୌମୁଦୀ ପ୍ରଶ୍ନ କଲା, “କୁହନ୍ତୁ ମହାରାଜ! ଆପଣ କ’ଣ ରାଜଚକ୍ରବର୍ତ୍ତି ବିକ୍ରମାଦିତ୍ୟଙ୍କ ସହିତ ସମକକ୍ଷ ହୋଇପାରିବେ? ଯଦି ନିଜକୁ ଉପଯୁକ୍ତ ମନେ କରୁଛନ୍ତି ତେବେ ସିଂହାସନ ଆରୋହଣ କରନ୍ତୁ ।”

       ମହାରାଜ ଭୋଜ ଆତ୍ମସମୀକ୍ଷା କରିବା ପାଇଁ ନିଜ ରାଜପ୍ରାସାଦକୁ ଫେରିଗଲେ । କୌମୁଦୀ ପୁଣି ଥରେ କଣ୍ଢେଇ ସାଜି ସିଂହାସନରେ ଲାଖି ରହିଲା ।-


ଗପ ସାରଣୀ

ତାଲିକାଭୁକ୍ତ ଗପ