ଖଟ୍ୱାଙ୍ଗ ପୁରାଣ

ଏଣେ ଗୋପାଳ ଭାଣ୍ଡ ନିଜ ଘରକୁ ଯାଇ ଏଣେ ତେଣେ ଖୋଜି ଖୋଜି ଗୋଟିଏ ଭଙ୍ଗା ଖଟିଆର ଗୋଡ ତହିଁରେ ନାନା ପ୍ରକାର ଛିଣ୍ଡା କନା, କନା ଧଡି ଓ ଡୋର ୨୦୦ ପ୍ରସ୍ଥ ପୋଥି ଡୋର ପରି ଗୁଡାଇ ଖୁବ୍ ମଜବୁତ୍ କରି ବାନ୍ଧି ରଖିଲେ । ତାପରେ ଗୋପାଳ ଭାଣ୍ଡ ଜଣେ ବ୍ରାହ୍ମଣ ବେଶ ଧାରଣ କରି ଗୋଟିଏ ଖଟୁଲି ସିଂହାସନ ଉପରେ ସେହି ଖଟିଆ ଖୁରାକୁ ରଖି ତା ନାମ ‘ଖଟ୍ୱାଙ୍ଗ ପୁରାଣ’ ଦେଇ ସିଂହାସନକୁ ନିଜେ ବହନ କରି ଗଜେନ୍ଦ୍ର ଗମନେ ଝୁଲି ଝୁଲି କରି ନବାବ୍ ବାହାଦୁର୍ଙ୍କ ସଭାରେ ଉପସ୍ଥିତ ହେଲେ ।

‘ଜୟ ନବାବ୍ ବାହାଦୁର୍ଙ୍କ ଜୟ’ କହି କହି ସଭା ସ୍ଥାନକୁ ଗମନ କଲେ । ନବାବ୍ ସାହେବ୍ ଗୋପାଳଙ୍କୁ ଜଣେ ପଣ୍ଡିତ ମନେ କରି ସମାଦାରରେ ଅଭ୍ୟର୍ଥନା କରି କହିଲେ –

ନବାବ୍ ସାହେବ୍!

ମୋତେ ଆପଣଙ୍କ ନିକଟକୁ ମହାରାଜା କୃଷ୍ଣ ଚନ୍ଦ୍ର ରାୟ ପଠାଇ ଅଛନ୍ତି । ମୁଁ ତାଙ୍କର ଜଣେ ସଭା ପଣ୍ଡିତ । ମୋ ନାମ ଗଣକ ଚୂଡା ମଣି । ଆପଣଙ୍କର ପରା ଜଣେ ଉତ୍କୃଷ୍ଟ ଜ୍ୟୋତିର୍ବିଦ୍ ପଣ୍ଡିତ ଆବଶ୍ୟକ ଅଛି । ସେଥି ସକାଶେ ମୁଁ ଆସିଛି । ନବାବ୍ କହିଲେ –

ହଁ ହଁ ଦରକାର ଅଛି, କିନ୍ତୁ ଆପଣ କହି ପାରିବେ କି ପୃଥିବୀ ତଳେ କ’ଣ ଅଛି? ଏହା କହି ପାରିଲେ ମୁଁ ଅତ୍ୟନ୍ତ ସନ୍ତୁଷ୍ଟ ହେବି । ଗୋପାଳ କହିଲେ –

ଯାହାଁପନା ମୁଁ ଜଣେ ଅଦ୍ୱିତୀୟ ଜ୍ୟୋତିର୍ବିଦ୍ ପଣ୍ଡିତ ଏବଂ ପୃଥିବୀ ତଳେ କ’ଣ ଅଛି ତାହା ଆପଣଙ୍କୁ ଜଣାଇବି, କାରଣ ମୁଁ ସ୍ୱୟଂ ଆସି ଅଛି ।

ନବାବ୍ ବାହାଦୁର ଗୋପାଳର ଏଭଳି ସନ୍ତୁଷ୍ଟ କଥା ଶୁଣି ଖୁସି ହୋଇ କହିଲେ –

“ମହାଶୟ  । ମୁଁ ବୁଝି ପାରୁଛି ଆପଣଙ୍କ ଭଳି ପଣ୍ଡିତ ଖୁବ୍ କମ୍ ଅଛନ୍ତି । ଯାହା ହେଉ ଯଦ୍ୟପି ଆସିଛନ୍ତି ତାହେଲେ ବର୍ତ୍ତମାନ ବସାକୁ ଯାଇ ବିଶ୍ରାମ କରନ୍ତୁ । ପରେ ମୋର ବକ୍ତବ୍ୟ ବ୍ୟକ୍ତ କରିବି ।” ଏହା କହି ନବାବ୍ ବାହାଦୁର ଗୋପାଳଙ୍କର ରହିବା ସ୍ଥାନ ଭୋଜନ ଇତ୍ୟାଦିର ସୁବ୍ୟବସ୍ଥା କରି ଦେଲେ । ଗୋପାଳ ବସାକୁ ଯାଇ ନବାବୀ ଚାଲ୍ରେ ନାନା ପ୍ରକାର ଭୋଜନ କରି ୩ ଦିନ କଟାଇଲେ । ତା’ ପରେ ନବାବ୍ଙ୍କର ସଭାକୁ ଗଣକଙ୍କର ଅଦ୍ଭୁତ ଶକ୍ତି ଦେଖି ବାକୁ ଅନେକ ଲୋକ ଆସି ଅଛନ୍ତି । ନବାବ୍ ସଭା କରାଇ ଗୋପାଳଙ୍କୁ ଡକାଇଲେ । ଗୋପାଳ ନବାବ୍ଙ୍କର ଆଦେଶ ପାଇଲା ମାତ୍ରେ ସଭାକୁ ଗମନ କଲେ । ନବାବ୍ ଗୋପାଳଙ୍କୁ ଦିବ୍ୟ ଆସନରେ ବସାଇ କହିଲେ –

“ପଣ୍ଡିତ ମହାଶୟ ପୃଥିବୀ ତଳେ କ’ଣ ଅଛି ଏବଂ ଭୂମିକମ୍ପ ହୁଏ କାହିଁକି, ଏହା ଗଣନା କରି କୁହନ୍ତୁ? ନବାବଙ୍କର ଆଦେଶ ପାଇ ଗୋପାଳ ଚକା ଆସନ ପକାଇ ସେହି ପୋଥି ଆକାର ଖଟିଆ ଖୁରାକୁ ଯେ ଆଜ୍ଞା କହି ତାଙ୍କର ସେହି ‘ଖଟ୍ୱାଙ୍ଗ ପୁରାଣ’ ଶାସ୍ତ୍ର ଖୋଲି ବାକୁ ଆରମ୍ଭ କରିଲେ । ପୁରାଣରୁ ଅଧିକାଂଶ ଛିଣ୍ଡା କନା ଫିଟାଇଲେ । ବାକି ଗୋଟିଏ ପରସ୍ତ ଖୋଲିବାକୁ ବାକି ରଖି ପୁଣି ସେହି କନାକୁ ଓ ଡୋରକୁ ସେଥିରେ ଗୁଡାଇଲେ । ଏହି ପରି ବାରମ୍ବାର ଗୁଡାଉ ଥାନ୍ତି ଓ ଖୋଲୁ ଥାନ୍ତି । କିନ୍ତୁ ଏଣେ ନବାବଙ୍କୁ କି ଉତ୍ତର ଦେବେ ତାହା ଆକାଶ ପାତାଳ ଭାବୁ ଥାନ୍ତି । ସଭାର ସମସ୍ତ ଲୋକ ଏକ ଦୃଷ୍ଟିରେ ଚାହିଁ ରହି ଅଛନ୍ତି । ଏ ବ୍ୟାପାରଟା କ’ଣ ଆଶ୍ଚର୍ଯ୍ୟ କଥା ଶୁଣିବାକୁ ମଧ୍ୟ ଚଂଚଳ ହେଉ ଥାନ୍ତି । ଗୋପାଳର ଏ ବାତୁଳତା କାଣ୍ଡ ଦେଖି ନବାବ୍ ବାହାଦୁର କହିଲେ-

“କି ପଣ୍ଡିତଜୀ । ମୋର ପ୍ରଶ୍ନର ଉତ୍ତର ଶୀଘ୍ର ଦିଅ ଆଉ ବିଳମ୍ବ କର ନାହିଁ । ଯଦ୍ୟପି ନକହି ପାର ତାହା ମଧ୍ୟ ଶୀଘ୍ର କହି ଦିଅ ।”

ତହୁଁ ଗୋପାଳ ଭାଣ୍ଡ ଗମ୍ଭୀର ଭାବରେ ବିରକ୍ତ ହୋଇ କହିଲେ – “ହଜୁର୍ ଯାହାଁପନା ।”

ମୁଁ ଆଉ ଗଣି ପାରିବି ନାହିଁ । ତେବେ ଆଉ ଯେଉଁ ମାନେ କି ଗଣନା କରି ପାରିବେ ତାହା ଏହି ଖଟ୍ୱାଙ୍ଗ ପୁରାଣ ଶାସ୍ତ୍ର – ବିଶେଷ ରୂପେ ଲିଖିତ ଅଛି । ତାହା କହୁଛି ଶୁଣନ୍ତୁ ହେ ।

ପ୍ରବଳ ପ୍ରତାପନ୍ୱିତ ନବାବ୍ ବାହାଦୁର ।

ଆପଣ ବିଶାଳ ବିଷୟାଶକ୍ତ ଭୋଗ ବିଳାଶରେ ସର୍ବଦା ମତ ଥାଇ ଜ୍ଞାନହୀନ ହୋଇ ଅଛନ୍ତି । ବାହାରର କଥା କିଛି ବୁଝି ପାରନ୍ତି ନାହିଁ । ଆମ୍ଭର ହିନ୍ଦୁ ଧର୍ମର ଶାସ୍ତ୍ରରେ ଲେଖା ଅଛି ଯେ ହିନ୍ଦୁ ମାନେ ମରିଲେ ସେ ମୁର୍ଦାର୍ ମାନଙ୍କୁ ପୋଡି ଦିଆ ଯାଏ । ସେ ଧୂଆଁ ସବୁ ଉପରକୁ ଉଠି ଯାଏ । ସେଥି ସକାଶେ ହିନ୍ଦୁ ମାନେ ଚନ୍ଦ୍ର ଗ୍ରହଣ, ସୂର୍ଯ୍ୟ ପରାଗ, ଗ୍ରହ ଓ ନକ୍ଷତ୍ର ମାନଙ୍କର ଗତି ଗଣନା କରି ଆକାଶର ବିଷୟ ସବୁ କହି ପାରନ୍ତି । ପରେ ଯବନ ମାନେ ମରି ଗଲେ ସେମାନେ ମାଟିରେ ପୋତା ହୁଅନ୍ତି । ଏଣୁ କରି ଯବନ ମୌଲା ମାନେ ମାଟି ଭିତରେ କ’ଣ ଅଛି? ଭୂମିକମ୍ପ ହେବାର କାରଣ କ’ଣ? ଏସବୁ କଥା ଗଣନା କରି କହି ଦେଇ ପାରିବେ । ଆପଣ ଅକାରଣରେ ହିନ୍ଦୁ ପଣ୍ଡିତ ମାନଙ୍କୁ ବନ୍ଦୀ କରି ହଇରାଣ କରିଲେ କ’ଣ ହେବ? ସେମାନେ ତ ମାଟିରେ ପୋତା ହୁଅନ୍ତି ନାହିଁ । ଏଣୁ ସେମାନଙ୍କର ମାଟି ତଳ କଥା କହିବାର ଶକ୍ତି ନାହିଁ । ଆପଣ ଏ କଥା ଏକାନ୍ତ ଜାଣିବାକୁ ଯବନ ମୌଲାନା ମାନଙ୍କୁ ପଚାରନ୍ତୁ । ସେମାନେ ପୋତା ହୁଅନ୍ତି । ମାଟି ତଳ କଥା କହି ସେମାନେ ଆପଣଙ୍କର ଏ ଅଭିଳାଷ ପୂର୍ଣ୍ଣ କରିବାକୁ ସକ୍ଷମ ହେବେ । ଯେଉଁ ମାନଙ୍କର ବାଷ୍ପ ଉଦ୍ଧ୍ୱର୍କୁ ଯାଏ ସେ ଉପର କଥା କହିବେ । ଯେଉଁ ମାନଙ୍କର ବାଷ୍ପ ଭିତରକୁ ଯାଏ ସେମାନେ ମାଟି ଭିତର କଥା କହି ପାରିବେ । ଏହାତ ନିଶ୍ଚିତ କଥା । ଯାହାଁପନା ଏହା ହିନ୍ଦୁ ଶାସ୍ତ୍ରରେ ଲେଖା ଅଛି । ଏବେ ଆପଣ ଧୀର ଚିତ୍ତରେ ବିବେଚନା କରି ଦେଖନ୍ତୁ । ନବାବ୍ ସାହେବ୍ ଗୋପାଳ ଗଣକ ଚୁଡା ମଣିର କଥା ଶୁଣି ଭାବିଲେ, “ହଁ ହଁ ଠିକ୍ କଥା ।” ତହୁଁ ନବାବ୍ଙ୍କର ହୁକୁମ୍ ହେଲା ହିନ୍ଦୁ ପଣ୍ଡିତ ମାନଙ୍କୁ ବନ୍ଦୀରୁ ଛାଡି ଦିଅ । ମୁସଲ୍ମାନ୍ ବଡ ଦାଢିଆ ଅର୍ଥାତ୍ ପଣ୍ଡିତ ମାନଙ୍କୁ ଡାକି ପଚାର । ଏ ପ୍ରଶ୍ନର ଉତ୍ତର ନଦେଇ ପାରିଲେ ସେମାନଙ୍କୁ ବନ୍ଦୀ କର ।

ଏଣେ ଗୋପାଳ ଖୁସି ହୋଇ ଜ୍ୟୋତିର୍ବିଦ୍ ପଣ୍ଡିତ ମାନଙ୍କୁ ବନ୍ଦୀରୁ ଉଦ୍ଧାର କରି ‘ଜୟ ଖଟ୍ୱାଙ୍ଗ ପୁରାଣର ଜୟ’ ବୋଲି ପ୍ରତିଧ୍ୱନି କରି ପଣ୍ଡିତ ମାନଙ୍କୁ ସଙ୍ଗରେ ନେଇ କୃଷ୍ଣ ଚନ୍ଦ୍ରଙ୍କ ସଭାରେ ଉପସ୍ଥିତ ହେଲେ । ମହାରାଜା, ଗୋପାଳ ଓ ପଣ୍ଡିତ ମାନଙ୍କୁ ଦେଖି ବିଶେଷ ଆନନ୍ଦିତ ହେଲେ ।

ରାଜା କୃଷ୍ଣ ଚନ୍ଦ୍ର ଗୋପାଳକୁ ଡାକି କହିଲେ –

 “କିପରି ନିର୍ଦ୍ଦୟ ନବାବଙ୍କ ଠାରୁ ପଣ୍ଡିତ ମାନଙ୍କୁ ମୁକ୍ତ କରି ଆଣିଲ?”

ଗୋପାଳ କହିଲେ –

“ମହାରାଜ! ମୋର କି କ୍ଷମତା ଯେ ପଣ୍ଡିତ ମାନଙ୍କୁ ମୁଁ ମୁକ୍ତି କରି ଆଣି ପାରି ଥାନ୍ତି । ଦେଖନ୍ତୁ ମୋର ସର୍ବ ଶକ୍ତି ସ୍ୱୟଂ ଖଟ୍ୱାଙ୍ଗ ପୁରାଣ ପଣ୍ଡିତ ମାନଙ୍କର ଏକ ମାତ୍ର ମୁକ୍ତି ଦାତା । ଏହା କହି ଗୋପାଳ ଖଟ୍ୱାଙ୍ଗ ପୁରାଣର ସମସ୍ତ ଛିଣ୍ଡା କନା ଓ ଧଡି ଫିଟାଇ ଅବଶେଷରେ ଖଟ ଖୁରାଟିକୁ ଦେଖାଇ ଦେଲେ ଏବଂ ତାହା ରାଜାଙ୍କ ଛାମୁରେ ରଖି ଖୁରାଟିକୁ ସାଷ୍ଟାଙ୍ଗ ଦଣ୍ଡବତ ହେଲେ । ଗୋପାଳର ଏହି କୌତୁକ ଦେଖି ଶୁଣି ସଭା ଲୋକ ଓ ରାଜା ହାତ ତାଳି ଦେଇ ଠୋ ଠୋ ହୋଇ ହସିଲେ । ପରେ ଗୋପାଳଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ହଳେ ପାଟ ଓ ଥଳିଏ ଟଙ୍କା ଦେଇ ବିଦାୟ ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ