ଗାରୁଡି ମନ୍ତ୍ର

ଏଇଟା ହେଲା ପ୍ରାୟ ତିରିଶ ଚାଳିଶ ବର୍ଷ ତଳର କଥା । ସେତେବେଳେ ତ କଟକରେ ନୂଆ କଲେଜ୍ ବସିଛି, ସେଠାରେ ଏଫ୍.ଏ. କ୍ଲାସ୍ ପର୍ଯ୍ୟନ୍ତ ପଢାହୁଏ । ଉପର କ୍ଲାସ୍ରେ ଗୋଟି ପନ୍ଦର ଷୋଳ ଛାତ୍ର । ସେଥିମଧ୍ୟରୁ ଆଠ ଦଶଗୋଟି ମଫସଲିଆ, ସେମାନେ ସବୁ ସହର ଭିତରେ ନାନା ଜାଗାରେ ବସାକରି ରହିଛନ୍ତି । ସେତେବେଳେ କଲେଜରେ ବୋର୍ଡିଂ ନ ଥିଲା । କଟକ ଚୌଧୁରୀବଜାର ଭିତରେ ଗୋଟିଏ ସାଦା ଦୋମହଲା କୋଠାରେ ବସା – ଛାତ୍ରଟିର ନାମ ମଦନମୋହନ । ନାମଟି ପରି ସେ ପିଲାଟି ଦେଖିବାକୁ ମଧ୍ୟ ମଦନମୋହନ, ବୟସ ଜଣାଯାଏ ଷୋଳ ସତର ଭିତରେ । ସେ ବସାରେ ପୂଜାହାରୀ, ଗୋଟିଏ ଭଣ୍ଡାରି ଆଉ ସାଆନ୍ତ, ଏହି ତିନୋଟି ଲୋକ । ହେଲେ କଣ, କେହି ଭାର କାନ୍ଧେଇ, କେହି ବୋଝ ମୁଣ୍ଡେଇ, କେହି ତୁଚ୍ଛା ହାତରେ ରୋଜିନା ଦୁଇ ତିନି ଜଣ ଧୂଳିଗୋଡିଆ ଲୋକ ଯା’ଆସ କରନ୍ତି । ଦିନେ ବୋଲି ଉପୁରି ଲୋକର ଛୁଟଣ ନାହିଁ । ଜିନିଷପତ୍ର ଧରି ଉପୁରିଲୋକଙ୍କ ଯା’ଆସ କରିବାର ଦେଖି ଏ ବସା ଆଖପାଖ ଦୋକାନୀଏ ବୁଝିଲେଣି ଯେ, ଏହି ବାବୁ ପିଲାଟି ମଫସଲର କୌଣସି ଜମିଦାର ଘରର ପୁଅ ହେବ ନିଶ୍ଚୟ । ଢେର୍ ଦିନ ପାଖରେ ଥିବା ଲୋକର ପରିଚୟ ଜାଣିବାପାଇଁ ଲୋକଙ୍କର ତ ସହଜରେ ଇଚ୍ଛା ବଳେ – ତା ଉପରେ ପୁଣି ବଡଲୋକ ହେଲେ ଲୋକେ ଆଗେ ପରିଚୟ ଖୋଜି ବସନ୍ତି । ଧୀରେ ଧୀରେ ପାଖ ଲୋକେ ସମସ୍ତେ ଜାଣିଗଲେଣି ଯେ, ସେ ପିଲାଟି ବଡନଈ ପରଗନାର ଶାଳପାଳ ତାଲୁକର ଜମିଦାର ଗୋଲାପଲୋଚନ ପଟ୍ଟନାୟକଙ୍କ ପୁଅ । ଏହା ମଧ୍ୟ ଜଣାଗଲାଣି, ଜମିଦାରଙ୍କର ଏହି ଗୋଟିଏ ବୋଲି ପୁଅ । ଏହି ପୃଥିବୀରେ ଯେତେ ପ୍ରକାର ହତଭାଗ୍ୟ ଲୋକ ଅଛନ୍ତି, ସେମାନଙ୍କର ଯଦି ଶ୍ରେଣୀ ବିଭାଗ କରାଯାଏ; ଏକପୁଅ ବାପ ମା ନିଶ୍ଚୟ ପ୍ରଥମ ଶ୍ରେଣୀର ପ୍ରଥମରେ ପଢିବେ – ଏକଥା ଲେଖକ ତମ୍ବା ତୁଳସୀ ଶାଳଗ୍ରାମ ଛୁଇଁ ଦୃଢରୂପେ ବୋଲିବାକୁ ପ୍ରସ୍ତୁତ ଅଛନ୍ତି । ପୁଅ ଖାଇ ନାହିଁ, ବାପ ମା’ଙ୍କର ଉପାସ । ପୁଅଟିର ବେମାର – ଆଖିରେ ନିଦ ନାହିଁ, ପେଟରେ ଭୋକ ନାହିଁ । ଦିନରାତି ବିଛଣା ପାଖରେ ସେ ଜଗି ବସିଛନ୍ତି । ପୁଅଟି କେମିତି ସୁଖରେ ରହିବ, ଖାସ୍ ସେଇଥିଲାଗି ଦିନ ରାତି ଭାବନା । ଆପଣାର ତିନିସିଆଁ ଲୁଗା, ପୁଅ ସକାଶେ ଯଥା ଉପରେ ଯଥା କିଣା ଲାଗିଛି । ଦେହର ରକ୍ତ ପରି ଟଙ୍କାଗୁଡାକ ପୁଅପାଇଁ ଅକାରଣ ବା ସକାରଣ ପାଣି ପରି ଖରଚ କରିବାକୁ ଟିକିଏ ହେଲେ ବି ହାଲିଆ ହୋଇପଡିବେ ନାହିଁ । ଏମିତିକି ପରକାଳ ଗତିପାଇଁ ପ୍ରଭୁଙ୍କ ନାମ ଶୁଣିବାକୁ ବି ବେଳ ମିଳେ ନାହିଁ । ବାପ ମା’ଙ୍କର ଯେତେ କିଛି ଧର୍ମକାର୍ଯ୍ୟ ସେ ସବୁଗୁଡିକ ଖାଲି ପୁଅର ମଙ୍ଗଳ କାମନାରେ । ମଦନ ତ କଟକରେ ପଢୁଛି, ବାପ ମା’ଙ୍କ ପିଣ୍ଡରେ ଅଛି ପ୍ରାଣ – ହେଲେ ସେମାନଙ୍କ ମନ ରହିଛି ଯାଇ ପୁଅ ପାଖରେ । ରୋଜିନା ପୁଅ ଦେହପା’ର ମଙ୍ଗଳ ବାତିନ ନ ପାଇଲେ ସାଆନ୍ତାଣୀ ଖୁବ୍ ଅଥୟ ହୋଇପଡନ୍ତି । କଟକ ସହର ଦୋକାନର ଚାଉଳଗୁଡାକ ପାଣିପଶା, ବାଲିଗୋଡି ମିଶା, ମଳୁଖିଆ । ସାଆନ୍ତାଣୀ ଉଆସ ମଧ୍ୟରେ ପୋଇଲୀମାନଙ୍କୁ ଲଗାଇ ଉଆପଖିଆ ସରୁ ଉରିଆ କୁଟାଇ ବାହାଙ୍ଗୀ ବେଠିଆରେ କଟକ ପଠାଇଦେଲେ । ତୋଟାରୁ ପାଚଲା କଦଳୀ କାନ୍ଦିଏ ଅଇଲା । ହେଲେ ମା’ ମନ ତ କେତେକ ବୁଝେ, ଆଗରୁ ହାଣ୍ଡିଏ ଫୁଲବଡି ପରା ହୋଇଥିଲା । – ସବୁ କଟକକୁ ଘେନି ଯା । ମାତ୍ର ଆଜି ପଠାଇବାକୁ କିଛି ବି ନାହିଁ । ତୁଚ୍ଛା ହାତରେ ହେଲେ ଜଣେ ନଗଦୀ ପାଇକ ଧାଇଁଯାଇ ପୁଅକୁ ଦେଖିଆସୁ । ରୋଜିନା ଏହିପରି ଚାଲିଛି ।


ଗପ ସାରଣୀ

ତାଲିକାଭୁକ୍ତ ଗପ