ଗାରୁଡି ମନ୍ତ୍ର

ସାପ କାମୁଡିଛି କି ନାହିଁ ସାଆନ୍ତ ବୋହୂ ଗୋଡ ଭିଡିଆଣି ପରଖି ବସିଲେ । ମାତ୍ର ସେ ବୋହୂଟା ଖାଲି ତା’ଗୋଡ ଭିଡି ନେଉଥାଏ । ଏହା ଦେଖି ସାଆନ୍ତ କହିଲେ, “ହାଁ ହାଁ, ଏପରି କଲେ ମନ୍ତ୍ର କାଟୁ କରିବ ନାହିଁ ।” ଦେଖାଗଲା, ବୋହୂ ବାଁ ଗୋଇଠିରେ ଘାଉଡ ହୋଇଛି । ତହୁଁ ସେ ସାଆନ୍ତ କହିଲେ, “ହଁ ହଁ, ସତ – ପଦୀ କଥା ସତ, ଏଟା ଚିତ୍ରାନାଗ, ଦେଖୁ ନାହଁ, ଗୋଟାଏ ଦାନ୍ତ ବସିଛି! ଏ ନାଗର ଗୋଟିଏ ବୋଲି ଦାନ୍ତ । ତେବେ କିଛି ବି ଚିନ୍ତା କରିବାର ନାହିଁ । ଦି କଲି ମନ୍ତ୍ର ଡାକିଦେଲେ ସବୁ ବିଷ ହରିଯିବ । ଆଲୋ ଶୁକ୍ରୀ; ଯା, ଡେବିରି ହାତରେ ପୋଖରୀରୁ କଂସାଏ ପାଣି ଆଣ – ଡେବିରି ଆଖି ବୁଜି ଯିବୁ – ସାପର ଗୋଟାଏ ଦାନ୍ତ ପରା!”

ସାଆନ୍ତ – ‘ହଁ, ଏବେ ମୁହଁରୁ ଲୁଗା କାଢ ।’ ମାତ୍ର ଏକଥା ଶୁଣି ସେ ବୋହୂ ତା’ ଓଢଣାଟାକୁ ଆହୁରି ଭିଡି ଦେଉଛି । ପଦୀ – ‘ଆଗୋ ମା! ଓଢଣା କାଢ, ଓଢଣା କାଢ’ ଏହା କହି ସେ ଆଗେ ଓଢଣାଟି କାଢି ପକାଇଲା । ସେତେବେଳେ ସେ ବୋହୂଟା ଖାଲି ଭିଡିମୋଡି ହେଉଥାଏ । ପଦୀ ଆଉ ଶୁକ୍ରୀ ଦୁହେଁଯାକ ସେ ବୋହୂର ଦୁଇ ବାହୁ ଆଂଟକରି ଧରି ବସିଥାନ୍ତି । ସାଆନ୍ତ ବୋହୂର ଜୁଡା ଫିଟାଇ ପକାଇଲେ । ଜୁଡା ଫିଟାଇଲାବେଳେ ବୋହୂଟା ବଡ ଭିଡିମୋଡି ହେଲା, କିନ୍ତୁ ପଦୀ ବୋହୂଙ୍କର ମୁଣ୍ଡରେ ପିଠିରେ ହାତ ବୁଲାଇ ତାଙ୍କୁ ବହୁତ ହିମତ ଦେଉଥାଏ । ବୋହୂଟା ଆଉ କଣ କରିବ, ଯୋଡାଏ ମାଇକିନିଆ ଆଂଟକରି ତାଙ୍କୁ ଧରିଛନ୍ତି, ପଦୀ ବୋହୂଙ୍କର ପିଠିରେ ହାତ ବୁଲାଇ ପୁଣି ତାଙ୍କୁ ହିମତ୍ ଦେଉଥାଏ । ସାଆନ୍ତ ପାଣି କଂସାକ ମନ୍ତ୍ରି ବୋହୂ ମୁହଁ, ଘାଉଡ ଜାଗା ତିନି ଥର କରି ଧୋଇଦେଲେ । ତାହା ବାଦେ ସେ କହିଲେ, ‘ଏବେ ମୁଁ ଗାରିଡି ଡାକିବି, ମୋ ମୁହଁକୁ ଏକଧ୍ୟାନରେ ତୁମକୁ ଚାହିଁ ରହିବାକୁ ହେବ ।’ ଏଣେ ଜୀବନବିକଳ କଥା, ତେଣେ ମାଇକିନିଆ ଦୁଇଟାଙ୍କ ପାଟି – ‘ଚାହଁ ଚାହଁ’ । ବଡ କଷ୍ଟରେ ବୋହୂ ତା’ମୁଣ୍ଡଟାକୁ ଟିକିଏ ଓହଳାଇ ସାଆନ୍ତଙ୍କୁ ଏକ ଧ୍ୟାନରେ ଚାହିଁ ରହିଲା । ତା’ପରେ ଯାଇ ସେ ବାବୁ ଗାରିଡି ମନ୍ତ୍ର ଡାକିଲେ –

                “ଅଂ, କାଳନ୍ଦୀ ହ୍ରଦରେ ଥିଲା କାଳୀ;

କୃଷ୍ଣ ଗଲେ ପଦ୍ମ ତୋଳି;

କାଳୀ ଦେଲା କାମୁଡି,

ଶ୍ରୀକୃଷ୍ଣ ଗଲେ ପଡି ।

ଗରୁଡ ଅଇଲା ଉଡି କରି,

ବିଷ ଗଲା ଘା’ ମୁହଁରେ ହରି ।”

ଆ-ଫୁ-ଆ-ଫୁ-ଆ-ଫୁ

                ଏହିପରି ସାତ ଥର ମନ୍ତ୍ର ପଢିସାରି ରୋଗିଣୀ ବେକରେ ଖଣ୍ଡେ ମନ୍ତ୍ର ସୂତା ସାଆନ୍ତ ବାବୁ ବାନ୍ଧିଦେଲେ । ସାଆନ୍ତ କହିଲେ, “ଚିତ୍ରା ନାଗସାପ ବିଷ ଦୀର୍ଘ ପାଂଚ ଦିନ ଯାଏଁ ରହେ – ତେଣୁ ଏହି ପାଂଚ ଦିନ ସକାଳ-ସଞ୍ଜ ମନ୍ତ୍ର ଫୁଙ୍କାଯିବ ।”

                ସାଆନ୍ତ ଦେଖିଲେ, ରୋଗିଣୀ ଦେହରୁ ଏଥର ସେ ଅସଲ ବିଷଟା ଢେର୍ ଛାଡିଗଲାଣି । ମନ୍ତ୍ର ଫୁଙ୍କାବେଳେ ବୋହୂଟା ଖୁବ୍ ବଳରେ ଓଠ କାମୁଡି ରହିଛି, ବୋଧେ ସେ ତା’ର ହସ ସମ୍ଭାଳି ପାରୁ ନାହିଁ । ପଂଚମ ଦିନ ସକାଳେ, ସାଆନ୍ତ କହିଲେ, “ବୋହୂ ବେକରେ ଯେଉଁ ସୂତା ବନ୍ଧା ହୋଇଛି, ଶନିବାର ବଡି ସକାଳେ ଜଣେ ବିଧବା ସ୍ତ୍ରୀ ଅଧୁଆ ମୁହଁରେ ଡେବିରି ହାତରେ ସେ ସୂତା ଛିଣ୍ଡାଇ ନେଇ ଏକମୁହାଁ ହୋଇ ଚାଲିଯିବ ଯେ, ତିନି ମାସ ତିନି ପକ୍ଷ ତିନିଦିନ ଯାଏଁ ସେ ଆଉ ଦେଖାଦେବ ନାହିଁ ।” ଏକଥା ଶୁଣି ସେ ପଦୀ ଚଂଚଳ କହି ପକାଇଲା, “ଏ କାମ ଆଉ କାହା ହାତରେ ବି ହେବ ନାହିଁ, ମୁଁ ସେ ସୂତା ଛିଣ୍ଡାଇ ନେଇଯିବି ।” ସାଆନ୍ତ ତ ସେହି କଥା ଖୋଜୁଥିଲେ, ତେଣୁ ତାଙ୍କ ମନରେ ବଡ ଖୁସି! ପଦୀ ମନରେ ବି ବଡ ଆନନ୍ଦ – ‘ଭଲ ହେଲା’ ଗାଁକୁ ପଳାଇବା – ଏ ସାପୁଆ ମୁଲକରେ କିଏ ରହିବ ମ?

ମାସେ ଦୁଇମାସ ବିତିଗଲାଣି, ସ୍ତ୍ରୀ ପୁରୁଷ ଦୁଇଜଣ ସେ ଉଆସ ଭିତରେ ବସି ପଢାପଢି କରନ୍ତି । ଉଆସ ପଛତୋଟା ନିରୋଳା । ଦୁଇଜଣ ଫୁଲ ବଗିଚାରେ ସଞ୍ଜବେଳେ ବୁଲାବୁଲି କରନ୍ତି । ମୋହିନୀଟା ବୁଦ୍ଧିମତୀ, ଗୁଡାଏ ପଢିଲାଣି ।

ଦିନେ ମୋହିନୀ ହସି ହସି କହିଲା, “ହଁ ହେ, ତୁମେ ଏଡେ ଦୁଷ୍ଟ ନା?” ଏହା କହି ସେ ଖଣ୍ଡେ କାଗଜ, ଖଣ୍ଡେ ଡାଙ୍ଗ ପଲଙ୍କ ତଳୁ କାଢି ଆଣିଲା – ତିନି ଆଙ୍ଗୁଳି ଅନ୍ଦାଜ ଚୌଡା, ଦେଢହାତ ଲମ୍ବ ଖଣ୍ଡେ କାଗଜ – କଳା ଆଉ ହଳଦୀରେ ଚିତ୍ର ହୋଇଛି – ଏକ ପାଖ ମୁଣ୍ଡରେ ଖଣ୍ଡେ ଗେଙ୍ଗୁଟି ବନ୍ଧା । ସେହି ଗେଙ୍ଗୁଟିଟା ଧରି ଫୋପାଡି ଦେଲେ କାଗଜ ଖଣ୍ଡକ ହଲଚଲ ହୋଇ ସାପ ପରି ଚାଲିଯାଏ । ଆଉ ଖଣ୍ଡେ ବାଉଁଶକଣି ଆଗରେ ଗୋଟାଏ କଂଟା ବନ୍ଧା । ମୋହିନୀ ହସି ହସି କହିଲା, “ତୁମେ ଏଡେ ଦୁଷ୍ଟ, କବାଟ କଣରୁ କାଗଜଖଣ୍ଡ ଫୋପାଡି ଦେଇ କଂଟାଟା ଫୁଟାଇ ଦେଲ?”

ଏକଥା ଶୁଣି ସେ ମଦନବାବୁ କହିଲେ, “ହୋଇ ଲୋ ଶୁକ୍ରୀ, ୟାଙ୍କୁ କହିଦେଲୁ କିଆଁ? ସାପ ଦେଖାଇଲୁ କିଆଁ?” ଶୁକ୍ରୀ ଏପରି କଥା ଶୁଣି ସେଠୁ ହସି ହସି ପଳାଇଲା ।

                                                                                                                                       ଗାଳ୍ପିକ – ଫକୀରମୋହନ ସେନାପତି


ଗପ ସାରଣୀ

ତାଲିକାଭୁକ୍ତ ଗପ