ଗୀତା, ବନଲତା, ନନ୍ଦିତା ଓ ପୁଷ୍ପାକୁମାରୀ କାହାଣୀ

ଏହି ସମୟରେ ଜଣେ ଗଣକ ଆସି କହିଲା – “ମହାରାଜ! ଆପଣ ମାନେ ବର୍ତ୍ତମାନ ସହସ୍ର ଚେଷ୍ଟା କଲେ ମଧ୍ୟ ସେହି ରାଜ କୁମାରୀ ମାନଙ୍କୁ ପାଇବେନି । ଖଡି ଡାକୁଛି ଦୀର୍ଘ ବାରବର୍ଷ ପରେ ସେମାନଙ୍କ ସନ୍ଧାନ ନିଶ୍ଚୟ ମିଳିଯିବ ।

ଏହି କଥା ଶୁଣି ରାଣୀମା ମାନେ ପଚାରିଲେ – “ସେମାନେ ଭଲରେ ଅଛନ୍ତି ତ?

ଏହା ଶୁଣି ଗଣକ କହିଲା – “ପାଠ ଲେଖୁଛି ସେମାନେ ସେଠାରେ ବହୁତ ଦୁଃଖରେ ଅଛନ୍ତି । କିନ୍ତୁ ଆଉ ଅଳ୍ପ ଦିନ ପରେ ସେମାନଙ୍କ ଅବସ୍ଥା ନିଶ୍ଚୟ ଭଲ ଆଡକୁ ଆସିବ । ହେଲେବି ସେମାନଙ୍କ ମନକଷ୍ଟ ମୋଟେ ଘୁଂଚିବନି ।”

ରାଣୀମା ମାନେ ଏହା ଶୁଣି ପଚାରିଲେ – “ସେମାନେ ବଂଚି ରହିବେ ତ?”

ଏହା ଶୁଣି ଗଣକ କହିଲା – “ସେ ବିଷୟରେ ଆପଣମାନେ କିଛି ଭାବନ୍ତୁନି! ସେମାନଙ୍କ ଆୟୁ ରେଖା ଖୁବ୍ ପ୍ରବଳ ଅଛି । ଯମ ନିଜେ ମଧ୍ୟ ହଜାର ହଜାର ଥର ଚେଷ୍ଟା କଲେ ବି ସେହି ରାଜକୁମାରୀ ମାନଙ୍କର କିଛି ହେଲେ ମଧ୍ୟ କ୍ଷତି କରିପାରିବନି ।”

ନଈବଢିକି ଦିଅଁଙ୍କ ରାଣ ଭଳି ଗଣକଙ୍କ କଥାରେ ନିର୍ଭର କରି ସେହି ଚାରି ରାଇଜର ରାଜା ମାନେ ଖୁବ୍ ମନ ଦୁଃଖରେ ଫେରି ଗଲେ ନିଜ ନିଜ ରାଜ୍ୟକୁ । କିନ୍ତୁ ସେମାନଙ୍କ ମନରେ ଲାଗି ଥିବା ଅଲିଭା ଦାଗ ଆଉ ଯମାରୁ ଲିଭିଲା ନାହିଁ । ସମସ୍ତେ ଜାଣିଲେ ଯେ ସେହି ଚାରି ରାଜକୁମାରୀ ମାନେ ହଜି ଯାଇଛନ୍ତି ।

ଜାହାଜିଆ ଜଣେ ମାରାତ୍ମକ ଲୋକ । ସେ ଦେଶ ବିଦେଶରୁ ସମସ୍ତ ସୁନ୍ଦରୀ କନ୍ୟାମାନଙ୍କୁ ନେଇ ସେମାନଙ୍କୁ ଭଲ ଭଲ ଲୋକଙ୍କୁ ବିକ୍ରି କରେ, ଓ ସେଥି ପାଇଁ ସେ ପ୍ରଚୁର ଅର୍ଥ ବି ପାଏ । ସାଙ୍ଗରେ ତା’ର ସାହାଯ୍ୟକାରୀ ଭାବେ କେଇ ଜଣ ଭେଣ୍ଡା ଭେଣ୍ଡା ଯୁବକ ମଧ୍ୟ ଥା’ନ୍ତି । ସେମାନଙ୍କ ଅଂଟାଟାମାନ ଦେଖିଲେ ମଇଁଷି ପଣ୍ଡା ପରି ଦିଶେ । ଯେପରି ଗଣ୍ଡା ଗଣ୍ଡା ମଣିଷ ସେମାନଙ୍କ ସଙ୍ଗେ ଲଢେଇ କଲେବି ସେମାନଙ୍କୁ ପାରିବେନି । ସେମାନେ ଏକା ଏକା ଦଣ୍ଡା ମାରି ସମସ୍ତଙ୍କୁ ଗୁଣ୍ଡା କରିଦେବେ । ଖୁବ୍ ହୁଣ୍ଡା ପ୍ରକୃତିର ବି ସେମାନେ । ମୁଣ୍ଡାକୁ ମୁଣ୍ଡା ମାଉଁସ ତୁଣ୍ଡରେ ପୁରାଇ ଝୋଳ କଂସାକୁ କଂସା ତେଣ୍ଡି ଦିଅନ୍ତି ସେମାନେ ।

ସେମାନଙ୍କୁ ବା ବଳରେ ପାରିବ କିଏ? ଭାରି ବଳୁଆ, ଭାରି ବୁଦ୍ଧିଆ ବି ସେମାନେ । ଏ କାମରେ ଗୋଡ ନ ପୂରାଇ ଯେବେ ଗାଁମାନଙ୍କରେ ସେମାନେ ହଳୁଆ କାମ କରିଥାନ୍ତେ ତେବେ ବଳଦଙ୍କ ହାଲତ ଆଉ ଭଲ ରହନ୍ତା ନାହିଁ ।

ସମୁଦ୍ର ମଝିରେ ଖଣ୍ଡିଏ ଛୋଟ ଟାପୁ । ଦୂରରୁ ତାହା ଜଙ୍ଗଲ ପରି ଦେଖା ଯାଉଥାଏ । ମାତ୍ର ପ୍ରକୃତରେ ତାହା ଜଙ୍ଗଲିଆ ନୁହେଁ । କାଳେ ସମୁଦ୍ର ଯାତ୍ରୀ ଲୋକମାନେ ସେହି ଟାପୁ ଭିତରର ଦୃଶ୍ୟ ଦେଖି ପାରିବେ, ଏଥିପାଇଁ ସେଠାରେ କୋଉ ଆବାହମାନ କାଳରୁ ଉଠିଥିବା ଝଙ୍କାଳିଆ କଂଟା ଗଛ ଗୁଡିକ ଚାରି ପାଖରେ ଛାଡି ଦିଆ ଯାଇଛି । କିନ୍ତୁ ସେହି ଟାପୁଟିର ମଝି ସ୍ଥାନଟି ଖୁବ୍ ପରିଷ୍କାର ଓ ପରିଚ୍ଛନ୍ନ । ସେଠାରେ କେବଳ ଧାଡି ଧାଡି ହୋଇ ଦୋତାଲା କୋଠା ମାନ ଥାଏ । ସେଥିରେ ଗୁଡିଏ ଚାକର ବାକର ମଧ୍ୟ ଅଛନ୍ତି । ସେହି ଟାପୁ ମଧ୍ୟରେ ଫୁଲ ବଗିଚା, ଫଳ ବଗିଚା, ମଧୁର ପାଣିର କୂଅ, ପୋଖରୀ ସବୁ ଅଛି । କେତେ ବଖରା ଘର ମଧ୍ୟ ସେଠାରେ ଅଛି, ମାତ୍ର ସେଥିରେ ସବୁବେଳେ ତାଲା ପଡି ଥାଏ । ଜଣେ ଲୋକ ଛଡା ଦ୍ୱିତୀୟ ଲୋକ କେହି କେବେ ହେଲେ ତା’ର ଚାବି ଖୋଲେନି । ସେହି ଲୋକଟି ହେଉଛି ଏହି ଟାପୁର ମାଲିକ । ଭଲ ଭଲ ଝିଅ ମାନଙ୍କୁ ଚୋରେଇ ଆଣି ସେ ଏହିଠାରେ ରଖେ ଓ ବେଳ ଦେଖି ସେ ସେହି ଝିଅ ମାନଙ୍କୁ ବଡ ବଡ ଲୋକମାନଙ୍କୁ ବିକ୍ରୀ କରି ଅଜସ୍ର ଟଙ୍କା ପାଏ । ନାମ ତା’ର ‘ପ୍ରବୀର କିଶୋର ସାମନ୍ତରାୟ ।’

ବାଘ, ସାପ ଅପେକ୍ଷା ଆହୁରି ଭୟଙ୍କର ସେ ଲୋକଟା । ଯେମିତି ଦୟା, ଧର୍ମ କ’ଣ ତାକୁ କିଛି ଜଣା ନାହିଁ । ମଣିଷ ଜୀବନ ଘେନି ତା’ ସହିତ ଖେଳ ଖେଳିବାକୁ ସେ ଭାରି ଭଲ ପାଏ । ତା କାର୍ଯ୍ୟରେ ଯେ ବାଧା ଦେବାକୁ ଚାହେଁ, ସେ ଚାହେଁ ତାର ରକ୍ତ । କୌଣସି ସମୟରେ ବି ସେ ଭୀରୁ ପରି ପଛକୁ ପଳାଏନି । ସବୁବେଳେ ମୁହଁଟା ତାର ଥାଏ ଆଗକୁ ।

ଗୀତା, ବନଲତା, ନନ୍ଦିତା ଓ ପୁଷ୍ପା ଏ ଚାରି ରାଜକୁମାରୀ ପଡିଛନ୍ତି ତା’ରି କବଳରେ । ଅପରୂପ ସୁନ୍ଦରୀ, ନୂତନ ଯୌବନା ରାଜ ନନ୍ଦିନୀ ସେମାନେ । ସେ ପ୍ରବୀର କିଶୋର ସାମନ୍ତରାୟ ମନେ ମନେ ଭାବିଛି ଏମାନଙ୍କୁ ବିକ୍ରୀ କଲେ ତାକୁ ଅଜସ୍ର ଟଙ୍କା ମିଳିବ । ତେଣୁ ତରତର ହେବା ଅନୁଚିତ୍ ଭାବି ସେ ପ୍ରବୀର କିଶୋର ସାମନ୍ତରାୟ  ସେହି ରାଜ କୁମାରୀ ମାନଙ୍କୁ ଗୋଟାଏ ଦ୍ୱିତଳ ପ୍ରାସାଦରେ ଆଣି ରଖାଇଲା । ସେମାନଙ୍କ ମନ ଭଲ ରହିବ ଓ ସେମାନେ ଯେପରି ନିଜ ଘର ଦ୍ୱାର ଭୁଲିଯିବେ, ସେଥିପାଇଁ ସେମାନଙ୍କ ଲାଗି ଦାସ ଦାସୀ ଓ ସମସ୍ତ ପ୍ରକାର ବିଳାସ ସାମଗ୍ରୀ ମାନ ଖଞ୍ଜା ଗଲା । ସବୁବେଳେ ସେମାନଙ୍କୁ ବୁଝାଇ ସୁଝାଇ ବାଟକୁ ଆଣିବାକୁ ସେମାନଙ୍କ ପାଖରେ ରଖାଗଲା ଜଣେ ବୃଦ୍ଧା ଲୋକଙ୍କୁ । ବିଷଧୂଆଁ ସାହାଯ୍ୟରେ ସେହି ରାଜ କୁମାରୀ ମାନଙ୍କୁ ଅଚେତ କରାଇ ଘେନି ଆସିଥିବାରୁ ସେମାନଙ୍କ ଶରୀରରେ ଯେଉଁ ବିଷକ୍ରିୟା ପ୍ରବେଶ କରିଥିଲା, ତାହା ସେମାନଙ୍କ ଶରୀରରୁ ଦୂର ହେବା ପାଇଁ ତାଙ୍କ ପାଖରେ ଥାଏ କେତୋଟି ଗଛର ଗୋଟିଏ ତୋଟା । ସେହି ତୋଟାରୁ ଆସୁଥିବା ପବନ ଗୋଟିଏ ଦିନ ଗୋଟିଏ ରାତି ଦିହରେ ବାଜିଲେ ବିଷକ୍ରିୟା ଆପଣା ଛାଏଁ ଛାଏଁ କମି ଯାଏ । କିନ୍ତୁ କେହିବି ସେ କଥାଟା ଜାଣି ପାରନ୍ତିନି । ଏହି କଥାଟି କେବଳ ପ୍ରବୀର ସାମନ୍ତରା ଏକା ହିଁ ଜାଣେ ।

କୁମାରୀ ମାନେ ବର୍ତ୍ତମାନ ସେହି ଅମୃତ ଗୁଣଦ ତୋଟା ମଧ୍ୟରେ ଥିବା ଦ୍ୱିତଳ ପ୍ରକୋଷ୍ଠରେ ଅଛନ୍ତି । ବୁଢୀ ଜଣକ ତାଙ୍କର ସମସ୍ତ ପ୍ରକାର ଖବର ବୁଝେ, ସେମାନଙ୍କୁ ଖାଇବା ପିଇବାକୁ ମଧ୍ୟ ଦିଏ । ସେମାନଙ୍କୁ ଗାଧୋଇ ଆଣେ, ସେମାନଙ୍କ ମୁଣ୍ଡ ବାନ୍ଧିଦିଏ, ଲୁଗାପଟା ସଜାଡି ରଖେ । ଅନ୍ୟାନ୍ୟ ଚାକର ଚାକରାଣୀ ମାନେ ମଧ୍ୟ ସେମାନଙ୍କର ଅନ୍ୟାନ୍ୟ ସବୁ କାମ ବୁଝନ୍ତି । ନିଜ ରାଜମହଲ ଅପେକ୍ଷା ସେହି ରାଜ କୁମାରୀ ମାନେ ଅବଶ୍ୟ ସେଠାରେ ବେଶି ସୁଖରେ ଥାଆନ୍ତି । ହେଲେବି ସେମାନଙ୍କ ମନରେ କିନ୍ତୁ ଆଦୌ ସୁଖ ନଥାଏ ।

ବୁଢୀ ସେମାନଙ୍କୁ ନାନା ପ୍ରକାର କଥା ବୁଝାଇ, ଉପଦେଶ ମାନ ଦିଏ । ସେମାନଙ୍କୁ ହସ ଖୁସିର କାହାଣୀ ମଧ୍ୟ ଶୁଣାଏ । ସେମାନଙ୍କୁ କହେ ବାସନା ତେଲ ଲଗାଅ, ତୁମେ ତୁମ ମୁଣ୍ଡ ଭିତରେ ଆଦୌ କୌଣସି ଦୁଶ୍ଚିନ୍ତା ପୁରାଅନି । ଥଣ୍ଡା ତେଲକୁ ନେଇ ନିଜ ନିଜ ମୁଣ୍ଡରେ ମାଖ । ଝିଅ ଜନ୍ମଟାତ ପର ଘର ପାଇଁ । ଯୋଉଠି ହେଉ, ଜଣେ ଯୋଗ୍ୟ ବର ପାତ୍ରର ହାତ ଧରିବାର କଥା । ତା’ରି ସଙ୍ଗେ ଦୁଃଖସୁଖରେ ନିଜ ଜୀବନଟାକୁ ଉପଭୋଗ କରିବ, ତାଙ୍କରି ସଙ୍ଗେ ସଂସାର ଗଢିବ, ପୁଅ ଝିଅର ମା’ ମଧ୍ୟ ହେବ । ସେ କଥାରେ ତ ତୁମକୁ ତିଳେ ହେଲେ କେହି ବାଧା ଦେଇ ପାରିବେନି । ତେବେ ତୁମେ ମାନେ ଏତେ ଚିନ୍ତା କରୁଛ କାହିଁକି?

କୁମାରୀ ମାନେ ସେ ବୁଢୀର ସବୁ କଥା ଶୁଣନ୍ତି, କେବଳ ହୁଁ ହୁଁ ମାରନ୍ତି; ମାତ୍ର ସେହି କଥାଯାକ ରାଜ କୁମାରୀ ମାନଙ୍କର ଏକାନରେ ପଶି ସେକାନରେ ବାହାରି ଯାଏ । ରାଜ କୁମାରୀ ମାନଙ୍କର ମନର କଥା କାଳେ ଧରା ପଡିଯିବ, ଏଥିପାଇଁ ସେହି ରାଜ କୁମାରୀ ମାନେ ବୁଢୀ ପାଖରେ ହାତେ ମାପି ଚାଖଣ୍ଡକରେ ଚାଲନ୍ତି ।

ଦିନେ ଚାରି ସଖିଯାକ ବିଚରା ବିଚିରି ହୋଇ ଭାଙ୍ଗ ଖାଇବା ଛଳରେ ସେହି ବୁଢୀକି ଦୁଦୁରା ଫଳ ବାଟି ପିଆଇ ଦେଲେ । ଠିକ୍ ରାତି ଅଧବେଳକୁ ସେ ବୁଢୀ ଅବଶ ହୋଇ ଶୋଇ ପଡିଲା । ଏହି ସମୟରେ ପାଖରେ ଆଉ ତାଙ୍କର କେହି ନାହିଁ । ଏହିପରି ଏକ ନିରୋଳା ମୁହୂର୍ତରେ ବନଲତା କହିଲା – “ଆଗୋ! ଯାହା କରିବାର କଥା ଏତିକିବେଳେ କର । ପୁଣି ବୁଢୀ ଯେବେ ଚେତା ପାଇ ଉଠିବ, ତେବେ ଆମେ ଆଉ କିଛି ବି କରି ପାରିବାନି । ପଛରେ ସେ କିନ୍ତୁ ଜାଣି ପାରିବ ଯେ, ଆମେ ତାକୁ ବିଷ ଦେଇଥିଲୁ ବୋଲି । ତେଣୁ ଏହା ପରେ ତା’ର ଆମ ପ୍ରତି ଆଉ ବିଶ୍ୱାସ ବି ରହିବନି କି, ସେ ଆମକୁ ଆଉ ନିରୋଳା ହେବାର ସୁଯୋଗ ମଧ୍ୟ ଦେବନି ।”

ଏହି କଥାଟା ସବୁରି ମନକୁ ଆସିବାରୁ ସମସ୍ତେ ଏକାଠି ବସି ବିଚାର କଲେ – ଯେ କୌଣସି ମତେ ଏଠୁ ଆଜି ଆମେ ନିଶ୍ଚୟ ଖସି ପଳାଇଯିବା।

ପୁଷ୍ପା କହିଲା – “ଦେଖ, ମୁଁ ଗୋଟାଏ ଫୁଲ ବୃକ୍ଷ ହୋଇ ଉଡି ଯାଇ ପାରିବି ।

ନନ୍ଦିତା କହିଲା – “ମୁଁ ବି ତ ଗୋଟିଏ ଫଳ ବୃକ୍ଷ ହୋଇ ଉଡି ଯାଇ ପାରିବି ।

ବନଲତା ପଚାରିଲା – “ତେବେ ଆମେ ଦିହେଁ କ’ଣ କରିବୁ?”

ସେମାନେ କହିଲେ – ତୁମ୍ଭେ ଦିହେଁ ଦି’ ଗଛର ଡାଳରେ ବସି କହିବ –

ସତ୍ୟ ଯେବେ ଧର୍ମ                           ପୁଣି ଧର୍ମ ଯିବେ ସ୍ଥିର

ଉଡିଯିବ ବୃକ୍ଷରାଜ                            ହୋଇ ଧୀର ଧୀର ।

ଚେର ନ ଲାଗିବ ତଳେ                      ଶାଖା ଆକାଶରେ –

ନ ଲାଗି ଉଡିବ ଖାଲି                           ବାୟୁ ମଣ୍ଡଳରେ

ରହ କହିଲେ ରହିବ                          ଯା’ ବୋଇଲେ ଯିବ

ଥାଆ କହିଲେ ଗୋଟିଏ                      ସ୍ଥାନେ ରହିଥିବ ।

କଥାଟା ଶୁଣି ବନଲତା ଓ ଗୀତା ସଙ୍ଗେ ସଙ୍ଗେ ସେମାନଙ୍କ କଥାରେ ରାଜି ହୋଇ ଯିବାରୁ ପୁଷ୍ପା ଓ ନନ୍ଦିତା ଦୁହେଁଯାକ ସେହିକ୍ଷଣି ଯୋଡିଏ ଗଛ ହୋଇ ଗଲେ । ଫୁଲ ଗଛରେ ବନଲତା ଓ ଫଳ ଗଛରେ ଗୀତା ବସି ସେମାନେ ଯେପରି ଶିଖାଇ ଥିଲେ ଠିକ୍ ସେହିପରି କହି ଦେଲେ ।

ଗଛ ଯୋଡିକ ମଧ୍ୟ ସେହି କ୍ଷଣି ସଙ୍ଗେ ସଙ୍ଗେ ଶୂନ୍ୟେ ଶୂନ୍ୟେ ଉଡି ଚାଲିଲେ ସେହି ସମୁଦ୍ରର ଜଳରାଶି ଉପର ଦେଇ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ