ଗୀତା, ବନଲତା, ନନ୍ଦିତା ଓ ପୁଷ୍ପାକୁମାରୀ କାହାଣୀ

ଉପରେ ଅନନ୍ତ ଆକାଶ, ତଳେ ଅନନ୍ତ ଜଳରାଶି । ମଧ୍ୟବର୍ତ୍ତୀ ବାୟୁମଣ୍ଡଳର ଶୂନ୍ୟ ଆସ୍ତରଣ ଭେଦୀ ଉଡି ଉଡି ଯାଉଛି ଯୋଡିଏ ଗଛ । ସେହି ଗଛରେ ବସିଛନ୍ତି ଯୋଡିଏ ରାଜ କୁମାରୀ । ସେମାନେ ଦୁହେଁ ଦେଖିବାକୁ ଖୁବ୍ ସୁନ୍ଦରୀ, ତନ୍ୱୀ ଏବଂ ମୁନି ମନ ମୋହିନୀ । ତାଙ୍କ ଦେହର ଛାୟା ସେହି ଜଳ ଦର୍ପଣରେ ପରିଷ୍କାର ଦେଖା ଯାଉ ଥାଏ । ମାଛ, କଇଁଛ, ତିମି, ମଗର ଓ ସାଙ୍କୁଚମାନେ ମୁଣ୍ଡ ଉଠାଇ ଖାଲି ସେହି ମାନଙ୍କୁ ଦେଖୁ ଥାଆନ୍ତି । କୁମ୍ଭୀର ଗୁଡାକ ଜଳରେ ସେହି ରାଜ କୁମାରୀ ମାନଙ୍କର ଛାୟାଟାକୁ ଦେଖି ଖାଦ୍ୟ ଭ୍ରମଣରେ ନିଜ ଖଗ ଉଠାଇ ଖାଲି ଦଉଡିଥାନ୍ତି ଶିକାର କରିବାକୁ ।

ଟାହି କରି ଗୀତା ସେହି ପାଣିକି ଅନାଇ ବୋଲି ଦେଲା ଦି’ପଦ ଗୀତ –

କଳା କଳା ଜଳ                                           ନାହିଁ କୂଳ ଥଳ

                        ଖେଳନ୍ତି ଅସଂଖ୍ୟ ଜୀବ,

ବିଧାତାର ଗତି                                            କେ ପାରିବ ଚିନ୍ତି?

                        ଏ ବିଶ୍ୱେ ନାହିଁ ନ ଥିବ ।

ଭାଗ୍ୟେ ଥିଲା ଯେଣୁ                                     ଦେଖା ହେଲା ତେଣୁ

                         ଦୁଃଖରେ ଅବା ସୁଖରେ,

ବିଚିତ୍ର ବିନ୍ଧାଣୀ                                            ମହିଁମା ବଖାଣି

                         ହେବ କି, ଛୋଟ ମୁଖରେ?

ବନଲତା ଏହା ଶୁଣି ଚିଡିଲା । ସେ କହିଲା – “ମଲା ମୋର, ବିପଦରେ ପଡିଛେ କିପରି ଏଠାରୁ ପାର ଉତାର ହୋଇ ନିଜ ଜନ୍ମଭୂମିରେ ପହଁଚିବା, ଏଥିପାଇଁ ମନେ ମନେ ତୁମେ ଭଗବାନଙ୍କୁ ନ ଡାକି ଏଣେ ତେଣୁ ଗୁଡାଏ ପାଟି କରୁଛ କାହିଁକି? ଗୀତା କହିଲା – “ଆମେ ସଙ୍ଗାତ! ଗଛ ଡାଳରେ ମୁଣ୍ଡ ପିଟି ଲୁହ ଧାରରେ ଛାତିଠୁ ଆଖି ଯାଏଁ ଓଦା କରିଦେଲେ ବି ଫଳ କିଛି ମଧ୍ୟ ହେବନି । ବିଧାତା ଆମ ଭାଗ୍ୟରେ ଯାହା ଲେଖିଛି, ତାହା ତ ନିଶ୍ଚୟ ଆମକୁ ଭୋଗ କରିବାକୁ ପଡିବ । ତେଣୁ ତୁମେ ଏପରି ମଉନ ହୋଇ ଏଠାରେ କାହିଁକି ବସିଛ? ଜୀବନଟାକୁ ଫୁର୍ତି କର, ମନଟା ଟିକେ ଆନମନା ହେଉ । ଆମେ ମାନେ ସବୁ ଅଢେଇ ଦିନିଆ ଜୀବନଟା ଘେନି ଏହି ସଂସାରକୁ ଆସିଛେ । ଦିନେନାଁ ଦିନେ ତ ଆମେ ମାନେ ନିଶ୍ଚେ ମରିବା । ଏଥି ପାଇଁ ଆମେ ମାନେ ଆଗରୁ କତରା ଘୋଡି ହୋଇ ଶୋଇବା କାହିଁକି?

ଦିହେଁ ଏହିଭଳି କଥାବାର୍ତ୍ତା ହୋଇ ଯାଉଥାନ୍ତି । ଏହି ସମୟରେ ଦୂରରେ ଗୋଟିଏ ସମୁଦ୍ର କୂଳ ଦେଖା ଗଲା । ସେଠାରେ ବଢିଆ ଦେବ ମନ୍ଦିର ଖଣ୍ଡେ ଥିଲା । ସେହି ମନ୍ଦିରଟି ଅଷ୍ଟରତ୍ନରେ କଡୌତ ହୋଇଥାଏ । ସେମାନେ ଦେଖିଲେ ଯେ, ସେହି ମନ୍ଦିର ନିକଟରେ କୌଣସି ଗାଁ ନାହିଁ କି କୌଣସି ସହର ମଧ୍ୟ ନାହିଁ । ସେହି ମନ୍ଦିରକୁ ଖାଲି ଲାଗି ରହିଛି ନିଘଂଚ ବନଭୂମି । ମଂଚ ମଣିଷର ଗନ୍ଧ ନାହିଁ । କେବଳ ସେଠାରେ ରୁଣ୍ଡ ହୋଇଥାନ୍ତି କେତେ ଗୁଡିଏ “ଜଳପରୀ” । ବୋଧହୁଏ ସେହି ଜଳପରୀ ମାନେ ସେଠାକୁ ଆସିଥିଲେ ଗାଧୁଆ ପାଧୁଆ କରିବାକୁ । ସେ କାମ ସାରି ସେମାନେ ମନ୍ଦିର ପାଖରେ ଜମା ହେବାର ମୁଖ୍ୟ ଉଦ୍ଧେଶ୍ୟ ହେଉଛି ଶିବ ଦର୍ଶନ କରିବାକୁ ।

ସେହି ମନ୍ଦିରଟି ଥିଲା ସାଗରେଶ୍ୱର ମହାଦେବଙ୍କର । କାହିଁ କୋଉ ଆବହମାନ କାଳରୁ ମହାରାଜ ବରୁଣ ଏହି ମନ୍ଦିରକୁ ସ୍ଥାପନ କରିଛନ୍ତି । ଏହା ମର୍ତ୍ୟର ମନୁଷ୍ୟ ମାନଙ୍କ ପାଇଁ ନୁହେଁ । କେବଳ ସାଗର କନ୍ୟା ଓ ଜଳପରୀ ମାନଙ୍କ ସେବା ପୂଜା ଓ ଦର୍ଶନ ପାଇଁ ଏହା ଉର୍ଦ୍ଦିଷ୍ଟ । ତେଣୁ ପ୍ରତିଦିନ ସମୟାନୁସାରେ ଜଳପରୀ ଓ ସାଗର କନ୍ୟା ମାନେ ସେଠାକୁ ଆସି ତାଙ୍କ ଠାକୁରଙ୍କୁ ଦର୍ଶନ କରନ୍ତି, ସେବା ପୂଜା କରନ୍ତି, ସେଠାକୁ ଚାଲି ଚାଲି ଯାଆନ୍ତି । ବେଳେ ବେଳେ ସେହି ସ୍ଥାନଟା ଖୁବ୍ ନିର୍ଜନ ହୋଇ ପଡି ରହେ ।

ସେଦିନ ସେହି ଜଳପରୀ ମାନେ ହୁଳହୁଳି ଦେଇ ପୂଜା କରୁଥିବାବେଳେ ଏହି ଗଛ ଯୋଡିକ ସେହି ବାଟେ ଆସିଲା । ଏହି ଗଛ ଯୋଡିକର ଛାୟା ଦେଖି ଜଳପରୀ ମାନେ  ଉପରକୁ ଅନାଇଲେ । ଜଳପରୀ ମାନେ ଦେଖିଲେ ଆକାଶରେ ଯୋଡିଏ ଗଛ ଉଡି ଉଡି ଯାଉଛି । ସେ ଗଛରେ କନ୍ୟା ଯୋଡିଏ ମଧ୍ୟ ବହୁତ ମନ ଦୁଃଖରେ ବସିଛନ୍ତି । ପୁଣି ସେହି ବୃକ୍ଷଟିରେ ଫୁଲ ବି ଫୁଟିଛି ଫଳ ବି ଫଳିଛି ।

ଘଟଣାଟା କ’ଣ ଜାଣିବା ପାଇଁ ସେହି ଜଳପରୀମାନଙ୍କର ପ୍ରବଳ ଇଚ୍ଛା ହେଲା । ତେଣୁ ନୀଳପରୀ ସଙ୍ଗେ ସଙ୍ଗେ ବଜାଇ ଦେଲା ଗୋଟିଏ ବଂଶୀ ।

ସେହି ବଂଶୀ ସ୍ୱରରେ ଗୋଟିଏ ଉଚ୍ଚାଟ ଅଛି । ତେଣୁ ନାମଟି ତାର ଉଚ୍ଚାଟ ବଂଶୀ । ସେହି ଉଚ୍ଚାଟ ବଂଶୀ ଯାହା କାନରେ ବାଜିବ, ତା ମନରେ ବି ଉଚ୍ଚାଟ ଆସିବ । ଏହି କାରଣରୁ ଗୀତା ଓ ବନଲତାଙ୍କ ମନରେ ମଧ୍ୟ ଉଚ୍ଚାଟ ଆସିଲା । ତେଣୁ ସେମାନେ ଇଚ୍ଛା କଲେ କୌଣସି ମତେ ସେଠାରେ ତଳକୁ ଓହ୍ଲାଇବା ପାଇଁ । ସେଥି ଲାଗି ସେମାନେ ସେହି ଗଛ ଦୁହିଁଙ୍କୁ ଅନୁରୋଧ କରି ଯେତେ କହିଲେ, ମଧ୍ୟ ସେହି ଗଛଦୁଇଟି କିଛି ନ ଶୁଣି ସିଧା ଉଡି ଚାଲିଲେ ଆଗକୁ ।

ନୀଳପରୀ କିନ୍ତୁ ଥରକୁ ଥର ତାର ବଂଶୀରେ ତାନମାନ ଦେଇ ମୂର୍ଚ୍ଛନା ତୋଳିଲା । ସେହି ସବୁ ଶୁଣି ଶୁଣି ଶେଷରେ ଗୀତା ଓ ବନଲତା ଆଦୌ ନିଜକୁ ଆଉ ସମ୍ଭାଳି ହୋଇ ପାରିଲେନି । ଫକ୍ ଫକ୍ କରି ଡେଇଁ ପଡିଲେ ସିଧା ତଳକୁ । ଠିକ୍ ସେତିକି ବେଳେ ଜଣେ ବିଦ୍ୟାଧର ଓ ଜଣେ କିନ୍ନର ରଥରେ ବସି ଫେରୁଥିଲେ ମେରୁ ମେଖଳାକୁ । ହଠାତ୍ କନ୍ୟା ଯୋଡିଏ ତଳକୁ ଖସି ପଡୁଥିବା ଦେଖି ସେହି ବିଦ୍ୟାଧର ଓ କିନ୍ନର ନିଜର ଯାଦୁମନ୍ତ୍ର ବଳରେ ଦୁଇ ରାଜକୁମାରୀଙ୍କୁ ଉଠାଇ ନେଲେ ନିଜ ନିଜ ରଥକୁ । ଗୀତା ପଡିଲା ବିଦ୍ୟାଧର ରଥରେ, ଓ ବନଲତା ପଡିଲା କିନ୍ନର ରଥରେ ।

ଗଛ ଯୋଡିକ କିନ୍ତୁ କାହାରିକୁ ଅପେକ୍ଷା ନ କରି ଉଡି ଉଡି ଯାଉଥିଲା ଶୂନ୍ୟେ ଶୂନ୍ୟେ । ସେହି ଦୁଇଟି ଗଛ ଫୁଲ ଓ ଫଳରେ ଭରପୁର ହୋଇ ଥାଏ । ହେଲେ ତାକୁ ବା ଶୂନ୍ୟ ଭୂବନରେ ଦେଖୁଛି କିଏ? ତା ଛାଏଁ ଛାଏଁ ସେ ଓ ୟା ଛାଏଁ ଛାଏଁ ୟେ ମଧ୍ୟ ଉଡି ଯାଉଛି ।

ବାଟରେ ଗୋଟିଏ ଧର୍ମକାକ ଆସି ସେହି ଫଳ ଗଛରେ ବସିଲା । ସେ ଧର୍ମକାକ କହିଲା – “ଯଦି ହୋଇଥିବୁ ମାୟା ବୃକ୍ଷ ମାୟାରେ ମିଳାଇଯିବୁ । ସତ ହୋଇଥିଲେ କାକ ବନେ ଯାଇ ଫଳ ଓ ଫୁଲ ବିତରିବୁ ।”

ସଙ୍ଗେ ସଙ୍ଗେ ଦେଖୁ ଦେଖୁ ସେହି ଗଛଟି ଝିଅଟିଏ ହୋଇଗଲା ।

ଏହା ସବୁ ଦେଖି କାକ ପଚାରିଲା – “ତୁ କିଏ ଲୋ? କାହିଁକି ଗଛରୂପ ତୁ ଧରିଛୁ?

ଧର୍ମକାକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେହି ଝିଅଟି ତା ଜୀବନର କଥା ଓ ସଖୀ ମାନଙ୍କ କଥା ଆମୁଳଚୂଳ କହିଗଲା । ଏସବୁ ଶୁଣି ସେହି କାକ କହିଲା – ଦେଖ, ଯାହାତ ହେବାର ଥିଲା ହୋଇ ଗଲାଣି । ମୁଁ ଦେଖୁଛି, ତୋ ଧର୍ମବଳର ଖୁବ୍ ଯୋର ଅଛି, ସହଜରେ ତୋର କେହି କିଛି ମଧ୍ୟ ଅନିଷ୍ଟ କରି ପାରିବେନି । ଏହି କ୍ଷଣି ତୁ ମୋ କଥା ମାନି ସିଧା ଚାଲି ଯା’ କାମସେଶା ପର୍ବତକୁ । ସେଠି ତୋତେ ଜଣେ ଋଷି ନିଶ୍ଚୟ ଦେଖା ହେବେ । କିଛି ଦିନ ତୁ ତାଙ୍କର ଆଶ୍ରମରେ ରହି ସେଠାକାର ଫଳ ଖାଇବୁ । ତା’ ପରେ ଯାଇ ତୋର ସୁଦିନ ଆସିଯିବ ।

କାକ ଏତିକି କହି ସାରିବା ପରେ ସେହି ଝିଅଟି ପୁଣି ପୂର୍ବପରି ଗଛଟିଏ ହୋଇ ଉଡି ଗଲା ସେହି କାମସେଶା ପର୍ବତକୁ । ସିଦ୍ଧବଚନ ପୁଣି ସେ କାକର । ତା ତ କେବେ ଅନ୍ୟଥା ହେବାର ନୁହେଁ । ତେଣୁ କାକ ସେଠାକୁ ଯିବାକୁ କହିଦେବା ମାତ୍ରେ ସେହି ଫଳ ଗଛଟିର ଆଉ କୌଣସି ଚାରା ସେଠାରେ ରହିଲା ନାହିଁ ।

ସେହି କାମସେଶା ପର୍ବତରେ ଥାଏ ବାମଦେବ ଋଷିଙ୍କ ଆଶ୍ରମ । ଭାରି ସିଦ୍ଧ ପୁରୁଷ ସେ । ଦିନରାତି ବସି ସେ କେବଳ ତପସ୍ୟା କରନ୍ତି । ଭଗବାନଙ୍କ ନାମ ଛଡା ଅନ୍ୟ କିଛି ଚିନ୍ତା ନ ଥାଏ ତାଙ୍କର । ଫଳ, ପତ୍ର, ପାଣି, ପବନ, ଯେଉଁଦିନ ଯାହା ମିଳେ, ତାହା ସେ ଆହାର କରନ୍ତି । କିଛି ନ ମିଳିଲେ ସେ କେବେବି କାହାକୁ ମାଗନ୍ତିନି, କି ଭୋକ ବିକଳରେ କେବେ ଛଟପଟ ମଧ୍ୟ ହୁଅନ୍ତିନି ।

କାକ ଆଜ୍ଞାରେ ସେହି ଫଳ ଗଛଟି ସେଠୁ ଯାଇ ସିଧା ଋଷି ବାମଦେବଙ୍କ ଆଶ୍ରମ ଦ୍ୱାରେ ରହିଗଲା, ପରଦିନ ଋଷି ବାମଦେବ ତାକୁ ଦେଖି ନିଜ ଧ୍ୟାନ ବଳରେ ସମସ୍ତ କଥା ଜାଣି ପାରିଲେ । ମାତ୍ର ତାକୁ କିଛି କହିଲେନି କି ନିଜ ହାତ ବଢାଇ ସେହି ବୃକ୍ଷରୁ ଗୋଟିଏ ହେଲେବି ଫଳ ଛିଣ୍ଡେଇଲେନି ।

ଏ ତ ଗଲା – ନନ୍ଦିତା କୁମାରୀ କଥା ।


ଗପ ସାରଣୀ

ତାଲିକାଭୁକ୍ତ ଗପ