ଗୀତା, ବନଲତା, ନନ୍ଦିତା ଓ ପୁଷ୍ପାକୁମାରୀ କାହାଣୀ

ଏପଟେ ତ ସେ ପୁଷ୍ପା କୁମାରୀ ଫୁଲ ଗଛଟିଏ ହୋଇ ଉଡି ଉଡି ଯାଉଛି । ତା’ର କିନ୍ତୁ କିଛି ଚାରା ନାହିଁ । ମାତ୍ର ସେ ସବୁ କଥା ଜାଣି ପାରୁଥାଏ । ତାର ସମସ୍ତ ସଖୀମାନେ ଗୋଟି ଗୋଟି ହୋଇ ତାକୁ ଛାଡି ଚାଲି ଯାଉ ଥାନ୍ତି । ତଥାପି ମଧ୍ୟ ସେ ନିରୁପାୟ । କାହାର କ’ଣ ବା ସେ କରି ପାରିବ? ନିଜର ନାରୀତ୍ୱ ବଂଚାଇବା ପାଇଁ ସେ ଦସ୍ୟୁ ପ୍ରବୀର କିଶୋର ସାମନ୍ତରାୟର କବଳରୁ ପଳାଇ ଆସିଛି । ସେମାନେ ଯେ ପ୍ରତିଜ୍ଞା କରିଥିଲେ ଚାରି ସଖୀଯାକ କେବେହେଲେ କେହି କାହାଠୁ ଛଡାଛଡି ହେବେନି । କିନ୍ତୁ କଥା ତ ଆଉ ରହିଲାନି, ବିଧାତାର ନିର୍ଦ୍ଦୟା ହେତୁ କିଏ କୁଆଡେ ସବୁ ଚାଲି ଗଲେଣି । ସେମାନଙ୍କ ସଙ୍ଗେ ଜୀବନରେ ଆଉ କେବେ ଦେଖା ହେବ, କି ନ ହେବ, ତାର ବି କିଛି ସ୍ଥିରତା ନାହିଁ । ତଥାପି ଭାଗ୍ୟରେ ଯାହା ଥିବ ।

ଠିକ୍ ସେହି ସମୟରେ ଭଅଁର ଟିଏ କୁଆଡୁ ଉଡି ଉଡି ଆସିଲା ସେହି ପୁଷ୍ପା କୁମାରୀର ବୃକ୍ଷ ନିକଟକୁ ଟିକେ ମଧୁ ପିଇବାକୁ । ବଢିଆ ବଢିଆ ସଜ ଫୁଟା ଫୁଲ ଦେଖି ସେହି ଭଅଁରର ମନ ଭାରି ହାଇଁ ପାଇଁ ହୋଇ ଉଠିଲା । ତେଣୁ ସେ ସ୍ନେହ ଆନନ୍ଦରେ କେବଳ ଗୁଣୁ ଗୁଣୁ ହୋଇ ତୁରନ୍ତ ସେହି ବୃକ୍ଷରେ ଫୁଟି ଥିବା ସଜ ଫୁଟା ଫୁଲ ଉପରକୁ ଡେଇଁପଡି ଦେଖିଲା, ସେଥିରେ ଗୋଟିଏ ହେଲେ ବି ଆଉ ଫୁଲ ନାହିଁ । ସବୁ କିଛି ଉଭାନ୍ ହୋଇ ଯାଇଛି ।

ଏହି ସବୁ ଘଟଣା ଦେଖି ଅଶ୍ଚର୍ଯ୍ୟ ହୋଇଗଲା ସେହି ଭଅଁର । ହଠାତ୍ ତା ମନର ସମସ୍ତ ସରାଗ ମଉଳି ପଡିଲା । ତା ପରେ ସେ ଭଅଁରଟି ସେ ଗଛ ପଛେ ପଛେ ଗୋଡାଇ ଗୋଡାଇ କହିଲା – “ବୃକ୍ଷରାଣୀ ଫୁଲ ଫୁଟା, ମୁଁ ଟିକେ ମଧୂ ପିଇବି ।

ତହୁଁ ସେହି ବୃକ୍ଷ କହିଲା – “ଏହା ଦ୍ୱାରା ମୋର ସତୀତ୍ୱ ନଷ୍ଟ ହେବ । ତେଣୁ ତୁ ଏଠାରୁ ଫେରି ଯା ।”

ଭଅଁର କହିଲା –

ଅଳି ପାଇ କଳି                               ମୁକୁଳ ହୁଅଇ

                      ଏ ଅଟେ ବିଶ୍ୱର ଧାରା

ଚୁମ୍ବନ ବିହୁନେ                                ଅସାର ଅଟଇ

                      ଫୁଲର ଜୀବନ ସାରା । –

ବୃକ୍ଷ କହିଲା –

                ଏ ଫୁଲ ଫୁଟିଛି                               ଉଲଟ ବୃକ୍ଷରେ

                                    ହୋଇବାରୁ ଭାଗ୍ୟ ହତ

                ଚୁମ୍ବ ଦେଲେ ଅଳି                             ନାଶ ହେବ ଧର୍ମ –

                                    ସଙ୍ଗେ ଜାଣ ସତୀବ୍ରତ ।

                ଭଅଁର ପଚାରିଲା – “ଏହାର ଅର୍ଥ?”

                ଗଛଟି ସଙ୍ଗେ ସଙ୍ଗେ ମଣିଷ ପରି ତା ଜୀବନରେ ଘଟି ଯାଇଥିବା ସମସ୍ତ ଘଟଣା କହିଲା । ଏହା ଶୁଣି ଶୁଣି ଭଅଁର ଜଣକ କହିଲା – “ଆଲୋ ଝିଅ, ତୋ ଦୁଃଖ କଥା ଶୁଣି ମୋ ଆଖିରେ ବି ଲୁହ ଆସୁଛି । ଆଉ କେବେହେଲେ ବି ମୁଁ ତୋ ସଙ୍ଗେ କଟାଳ କରିବିନି । ପାରିଲେ ମୁଁ ତୋତେ କିଛି ସାହାଯ୍ୟ ନିଶ୍ଚୟ କରିବି ।”

ଗଛଟି ପଚାରିଲା – “ଆଚ୍ଛା ତୁ ମୋତେ କଣ ସାହାଯ୍ୟ କରିବୁ?”

ସେଠୁ ଭଅଁରଟି କହିଲା – “ଦେଖ, ମୁଁ ଆଗେ ଆଗେ ଉଡି ଉଡିକା ଯାଉଛି ତୁ ମୋ ପଛେ ପଛେ ଆ । ଗୋଟିଏ ମନ୍ଦିର ଦ୍ୱାରେ ତୁ ରହିବୁ । ତାପରେ ତୁ କେବେ ତୋ ମନରେ କିଛି କଷ୍ଟ କରିବୁନି । ଏଭଳି ଗୋଟିଏ ଦିନ ଆସିବ, ସେହି ଦିନ ହିଁ ନିଶ୍ଚେ ତୋତେ ଦେଖାଯିବ ମୁକ୍ତିର ବାଟ।

ଗଛଟି ମଧ୍ୟ ସଙ୍ଗେ ସଙ୍ଗେ ସେହି ଭଅଁରଟିର କଥାରେ ବିଶ୍ୱାସ କରି ତା ପଛେ ପଛେ ଉଡି ଗଲା । ଭଅଁରଟି ଉଡି ଉଡି ଯାଇ ପହଁଚିଲା ଗୋଟିଏ ମନ୍ଦିର ପାଖରେ । ସେହି ମନ୍ଦିରରେ ଥାଆନ୍ତି ମଦନମୋହନଙ୍କର ପ୍ରତିମୂର୍ତ୍ତୀ । ମାତ୍ର ସବୁଦିନେ ପୂଜା ପାଇବା କଥା ତାଙ୍କ ଭାଗ୍ୟରେ ଜୁଟେନି । ଅକସ୍ମାତ କେବେ କେହି ଆସିଲେ ତାଙ୍କର ଟିକିଏ ପୂଜାଉଜା ହୁଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ