ଗୀତା, ବନଲତା, ନନ୍ଦିତା ଓ ପୁଷ୍ପାକୁମାରୀ କାହାଣୀ

ତା’ପରେ ପିଶାଚ ଗୀତାକୁ ଗୋଟିଏ ମଣି ଦେଲା ଓ ତାକୁ କହିଲା – ତୁ ଏହି ମଣିକି ତୋ ଗଳାରେ ବାନ୍ଧି ରଖ ।

ଗୀତା ପଚାରିଲା – “କାହିଁକି?”

ପିଶାଚ ତହୁଁ କହିଲା – ଏହି ମଣିର ନାମ ପିଶାଚ-ମଣି । ଯାହା ଗଳାରେ ଏଥିରୁ ଗୋଟିଏ ଥିବ, ତାକୁ ଖରା, ବର୍ଷା, କି ଶୀତ କେହି ମଧ୍ୟ ବାଧିବେନି । କାଳକୂଟ ବିଷର ପ୍ରଚଣ୍ଡ ଜ୍ୱାଳା ବି ତାର କିଛି କ୍ଷତି କରି ପାରିବନି । ପୁଣି ପିଶାଚ ସେହି ଗୀତାକୁ ଆଉ ଖଣ୍ଡିଏ ଅଙ୍ଗାର ଦେଇ କହିଲା – “ଏ ଖଣ୍ଡକ ତୁ ତୋ କାନିରେ ସର୍ବଦା ବାନ୍ଧିଥିବୁ । ମନେରଖ କେତେବେଳେ ବି ତୁ ତୋ କାନିକୁ ଫିଟାଇବୁନି ।

ଗୀତା ପଚାରିଲା – “ଗାଧୋଇଲା ବେଳେ?”

ପିଶାଚ କହିଲା – “ନା ନା କେତେବେଳେ ବି ନୁହେଁ ।”

ଗୀତା ପୁନଶ୍ଚ ପଚାରିଲା – “ଏହାଦ୍ୱାରା କ’ଣ ହେବ?”

ପିଶାଚ କହିଲା – “ଯଦି କେତେବେଳେ କେଉଁଠି ତୋତେ ଆଲୋକ ଦର୍କାର ପଡେ, ତେବେ ତୁ ଏହି ଅଙ୍ଗାରକୁ କହିବୁ –

                                “ଉଦ୍ଦଣ୍ଡ ପିଶାଚ ଆଜ୍ଞାର ବଳ ।

                                ଜଳ ଅଙ୍ଗାର ତୁ ଆଲୁଅ ଜଳ ।”

ଗୀତା ପୁଣି ପଚାରିଲା – “ଏହା କହିଲେ କ’ଣ ହେବ?”

ପିଶାଚ କହିଲା – ଏତିକି କହିବା ଦ୍ୱାରା ତୋ ଦର୍କାର ଅନୁସାରେ ଆଲୁଅ ଜଳିବ । ତା’ପରେ ଏହା ମଧ୍ୟ ମନକୁ ମନ ଲିଭିଯିବ । ଠିକ୍ ସେତେବେଳକୁ ବିନାୟକ ବିଦ୍ୟାଧର ମଧ୍ୟ ଖଣ୍ଡିଏ ମାୟା-ରଥ ଓ ଟୁଙ୍ଗୁଣୀ ମୁଙ୍ଗୁଣୀ ଠେଙ୍ଗାର ଯୋଗାଡ କରି ସାରି ଥାଏ । ଉଦ୍ଦଣ୍ଡ ପିଶାଚ ସେ ବିନାୟକ ବିଦ୍ୟାଧରକୁ ଡାକିବାରୁ ସେ କହିଲା – ତୁମ କହିବା ଅନୁସାରେ ମୁଁ ଏହି କନ୍ୟାକୁ ରଥ ଖଣ୍ଡିଏ ତ ନିଶ୍ଚୟ ଦେବି । ପୁଣି ତା’ସହିତ ତାକୁ ମଧ୍ୟ ଦେବି “ଟୁଙ୍ଗୁଣୀ-ମୁଙ୍ଗୁଣୀ ଠେଙ୍ଗା ।”

ଗୀତା ହଠାତ୍ ବିସ୍ମିତ ହୋଇ ପଚାରିଲା – “ସେ ଠେଙ୍ଗାର କାମ କ’ଣ?”

ତହୁଁ ବିନାୟକ ବିଦ୍ୟାଧର ମଧ୍ୟ ସଙ୍ଗେ ସଙ୍ଗେ କହିଲା – “ତୁମେ ଜଣେ ମାଇପି ଲୋକ । ବାଟ ଘାଟ ଅବଶ୍ୟ ଭଲ ନୁହେଁ । ଏଠୁ ଯିବାବେଳେ ବି ତୁମକୁ ନାନା ସ୍ଥାନରେ ନାନା ଦୁର୍ଘଟଣା ଦେଖା ଦେଇ ପାରେ । ଏହି ସବୁ କାରଣରୁ ଏହି ଠେଙ୍ଗାଟି ତୁମ ପାଖରେ ଥିବା ନିତାନ୍ତ ଆବଶ୍ୟକ । କାହିଁକିନା ଯଦି କେହି ତୁମ ସହିତ ଶତ୍ରୁତା କରେ, ତେବେ ତୁମେ ସଙ୍ଗେ ସଙ୍ଗେ ଏ ଠେଙ୍ଗାକୁ ନିଜ ହାତରେ ଧରି କହିବ –

ଟୁଙ୍ଗୁଣୀ ଠେଙ୍ଗା ଭାଇରେ ।

ଠୁଣୀ ମାରୁଥିବୁ ଧାଇଁ ଧାଇଁରେ ।

ଏମୁଣ୍ଡ ଛାଡିଲେ ସେ ମୁଣ୍ଡ ଲାଗୁ

ଶତ୍ରୁ ମାନଙ୍କର ଦରପ ଭାଙ୍ଗୁ ।

ସେ…… ଠକ୍, ଠାକ୍ ଠିକ୍

ମାରୁଥିବୁ ଖାଂଚି ନ ପାରୁଛି ଘୁଂଚି ଜୀବନଟା ଲାଗୁ ରିକ୍ ।

                ଏହିପରି କହିଦେଲେ ଏହି ଟୁଙ୍ଗୁଣୀ ମୁଙ୍ଗୁଣୀ ଠେଙ୍ଗା ଯାଇ ତୁରନ୍ତ ତୁମ ଶତ୍ରୁ ମାନଙ୍କୁ ମାରି ମାରି ସେମାନଙ୍କୁ ପୁରାପୁରି ଥଣ୍ଡା ବନେଇ ଦେବେ । ଏହାରି କୋପରେ ଯେତେ ବଡ ଟାଣୁଆ ଲୋକ ହେଲେ ମଧ୍ୟ ସେ କେବେବି ତୋର ପାଖ ପଶି ପାରିବନି ।

                ତହୁଁ ସେ ଉଦ୍ଦଣ୍ଡ ପିଶାଚ ବିନାୟକ ବିଦ୍ୟାଧରକୁ ବହୁତ ପ୍ରଶଂସା କରି କହିଲା – “ଯାହା କିଛି ହେଉ ପଛେ ମେରୁମେଖଳାର ମହତ୍ୱକୁ ଅକ୍ଷୁର୍ଣ୍ଣ ରଖିବାରେ କିଛିବି ତ୍ରୁଟି କରି ନାହୁଁ ତୁ । ଆଚ୍ଛା, ରଥ?

                ବିନାୟକ ବିଦ୍ୟାଧର ସଙ୍ଗେ ସଙ୍ଗେ ଅନାଇଲେ ଉପରଆଡେ । ସେହି ଗୋଟିଏ ମାତ୍ର ଦୃଷ୍ଟି । ଦେଖୁ ଦେଖୁ ଉପରୁ ସଙ୍ଗେ ସଙ୍ଗେ ଖସି ଆସିଲା ଖଣ୍ଡେ ଛୋଟିଆ ବିମାନ । ସେହି ରଥର ତଳେ ଗୋଟିଏ ମାତ୍ର ଚକ ଲାଗି ଥାଏ । ସେହି ଚକଟି ପୁଣି ଘୁରୁଥାଏ ବିଜୁଳି ପରି । ରଥଟି ଦେଖିବାକୁ ମଧ୍ୟ ଖୁବ୍ ସୁନ୍ଦର ଥିଲା । କଥା ମାନିଲା ପରି ସେହି ରଥଟି ଆସି ବିନାୟକ ବିଦ୍ୟାଧରର ପାଖରେ ଆସି ଚକର କାଟିବା ଦେଖି ବିନାୟକ ଗୀତାକୁ କହିଲା – “ତୁମେ ଏହି ରଥ ଉପରେ ବସି ଖୁସିରେ ଚାଲି ଯିବ ।”

ପିଶାଚ ମଧ୍ୟ ଏଥର ଗୀତାକୁ ପରାମର୍ଶ ଦେଲା ଯିବା ପାଇଁ । ପିଶାଚ ମଣି ଓ ପିଶାଚ ଆଲୋକ ଯୋଡିକ ସେ ଗୀତା ତ ପୂର୍ବରୁ ଯତ୍ନରେ ସାଇତି ସାରି ଥାଏ । ଟୁଙ୍ଗୁଣୀ ମୁଙ୍ଗୁଣୀ ଠେଙ୍ଗା ଖଣ୍ଡିକ ହାତରେ ଧରି ସେ ଗୀତା ଉଠିଲା ରଥ ଉପରକୁ । ପିଶାଚ ପୁଣି ଯୋଡିଏ ବଟିକା ଗୀତାର ହାତକୁ ବଢାଇ ଦେଇ କହିଲା – “ନେ ଏହାକୁ ଖାଇ ଦେ ଝିଅ!

ଗୀତା ସଙ୍ଗେ ସଙ୍ଗେ ପଚାରିଲା – “ଏହାକୁ ଖାଇଲେ କ’ଣ ହେବ?”

ପିଶାଚ କହିଲା – ‘ବିଦେଶରେ ଥିବା ପର୍ଯ୍ୟନ୍ତ ତୋତେ ମୋଟେ ଭୋକ କି ଶୋଷ କରିବ ନାହିଁ । ଆହୁରି ମଧ୍ୟ କାର୍ଯ୍ୟ କରିବାକୁ ତୋର ଶକ୍ତି ବଢିବ, ତା ସଙ୍ଗେ ସଙ୍ଗେ ତୋତେ ପ୍ରେରଣା ବି ମିଳିବ ।’

ଏ କଥା ଶୁଣି ଗୀତା ପିଶାଚ ପ୍ରଦତ୍ତ ସେହି ଯୋଡିକ ବଟିକା ତୁରନ୍ତ ଖାଇ ଦେଲା ।

ପିଶାଚ ତାକୁ କଲ୍ୟାଣ କରି କହିଲା – ପ୍ରଭୁ ତୋର ସମସ୍ତ ମଙ୍ଗଳ କରିବେ । ଏହି କ୍ଷଣି ମାହେନ୍ଦ୍ର ବେଳା ଅଛି । ତୁ ଆଉ କାଳ ବିଳମ୍ବ ନକରି ନିଜ ଇଷ୍ଟ ଦେବତାଙ୍କୁ ନମସ୍କାର କରି ତୁ ଏଠୁ ସିଧା ସିଧା ଚାଲିଯା, ସେହି ଗଣ୍ଡ ଗୋପାଳ ତୀର୍ଥକୁ । ସେଠାରେ ତୋତେ ନିଶ୍ଚୟ ଦେଖା ମିଳିବେ ଗଣ୍ଡ ଗୋପାଳ ଠାକୁର । ତୁ ତାଙ୍କୁ ଦେଖି ମୋଟେ ବେଖାତିର କରିବୁନି କି ତାଙ୍କୁ ପରିହାସ ମଧ୍ୟ କରିବୁନି । ତାଙ୍କ ଗୋଡ ତଳେ ପଡି ତୁ ତାଙ୍କୁ ତୋ ସମସ୍ତ ଦୁଃଖ କଥା ଜଣାଇବୁ । ତା ପରେ ସେ ନିଶ୍ଚୟ ତୋ ଉପରେ ଦୟା କରି ତୋତେ ସକଳ ଉପାୟ ବତାଇ ଦେବେ ।

ଯିବା ଆଗରୁ ସେହି ପିଶାଚକୁ ଭକ୍ତି ଭାବରେ ପ୍ରଣାମ କଲା ଗୀତା । ତା ପରେ ସେ ବିନାୟକକୁ ମଧ୍ୟ କହିଲା ଯେ, ‘ତୁମେ ଆଜି ଠାରୁ ମୋର ଧର୍ମର ଭାଇ ହେଲ । ତୁମେ ଆଉ ନିଜ ମନରେ କଦାପି ଦୁଃଖ କରିବନି । ମୋତେ କେବଳ କଲ୍ୟାଣ କରୁଥିବ ଯେ, ତୁମର ଏହି ହତଭାଗିନୀ ଭଉଣୀଟିର ସବୁ କିଛି ମଙ୍ଗଳ ହେଉ ବୋଲି ।


ଗପ ସାରଣୀ

ତାଲିକାଭୁକ୍ତ ଗପ