ଗୁପ୍ତଧନ

“ମନ୍ତ୍ରୀବର! କିନ୍ତୁ ଆପଣ ଗୋଟାଏ କଥା ଭୁଲିଯାଉଛନ୍ତି । ଆମର ଅନେକ ସୈନିକ ସେ ଡକାଏତଦଳ ସହ ସଂଘର୍ଷରେ ନିଜ ପ୍ରାଣ ଦେଇଛନ୍ତି । ବର୍ଷେକାଳ କଠୋର ପରିଶ୍ରମ କରିଥିବା ଅବଶିଷ୍ଟ ସୈନିକଙ୍କୁ ପୁଣି ଯୁଦ୍ଧକୁ ପଠାଇବା ସେମାନଙ୍କ ପ୍ରତି ବଡ ଅନ୍ୟାୟ ହେବ । ଆମକୁ ଏକ ନୂଆ ସୈନ୍ୟଦଳ ଗଠନ କରିବାକୁ ପଡିବ । କିନ୍ତୁ ନୂଆ ସୈନ୍ୟ ମନୋନୟନ କରି ସେମାନଙ୍କୁ ତାଲିମ୍ ଦେବା ନିମନ୍ତେ ଯେତିକି ଅର୍ଥ ଦରକାର, ସେତିକି ମଧ୍ୟ ରାଜକୋଷରେ ନାହିଁ ।”

ମନ୍ତ୍ରୀ କହିଲେ “ମହାରାଜ! ମୋର ଗୋଟିଏ ପ୍ରସ୍ତାବ ରହିଛି । ଆପଣ କଳିଙ୍ଗର ବିଖ୍ୟାତ ତନ୍ତ୍ରପୀଠ ଯାଜପୁର ନିବାସୀ ତାନ୍ତ୍ରିକ ଶୁଭ ଶର୍ମାଙ୍କ କଥା ତ ଜାଣନ୍ତି । ସେ କେଇଦିନ ପାଇଁ ମୋର ଅତିଥି ହୋଇଛନ୍ତି । ଗୁପ୍ତଧନର ସନ୍ଧାନ ଦେବାକୁ ସେ ସକ୍ଷମ । କିନ୍ତୁ ସେଥିପାଇଁ ଆପଣ ତାଙ୍କୁ ଅନୁରୋଧ କରିବା ଠିକ୍ ହେବ ।”

ରାଜା ତାନ୍ତ୍ରିକଙ୍କୁ ଡକାଇ ତାଙ୍କୁ ବହୁତ ସମ୍ମାନ ଦେଖାଇଲେ ଓ ଗୋପନରେ ନିଜ ଆବଶ୍ୟକତା କଥା ସେ କହିଲେ । ତାନ୍ତ୍ରିକ ଗଣାପଢା କରି କହିଲେ, “ମହାରାଜ! ଆପଣଙ୍କ ରାଜ୍ୟର ଉତ୍ତର ସୀମାନ୍ତବର୍ତ୍ତୀ ଅରଣ୍ୟର ଗୋଟିଏ ଗୁମ୍ଫା ଭିତରେ ପ୍ରଚୁର ବିତ୍ତ ରହିଛି । କିନ୍ତୁ ତାକୁ ହସ୍ତଗତ କରିବା ଏତେ ସହଜ ନୁହେଁ ।”

ରାଜା ତାନ୍ତ୍ରିକଙ୍କୁ ଧନ୍ୟବାଦ ଦେଇ ଏକାକୀ ସେ ଗୁମ୍ଫାର ସନ୍ଧାନରେ ବାହାରିଲେ । ଗୁମ୍ଫାର ଅଦୂରରେ ସେ ଗୋଟିଏ ସୁନ୍ଦର କୁଡିଆ ଦେଖି ତହିଁ ଭିତରେ ପଶିଲେ । ସେଠାରେ ଜଣେ ସନ୍ନ୍ୟାସୀ ଧ୍ୟାନମଗ୍ନ ଥାନ୍ତି । ରାଜା ଧୈର୍ଯ୍ୟ ଧରି ଅପେକ୍ଷା କଲେ । ସନ୍ନ୍ୟାସୀଙ୍କ ଧ୍ୟାନ ଭଙ୍ଗ ହେବାରୁ ସେ ତାଙ୍କୁ ପ୍ରଣିପାତ କରି କହିଲେ, “ମହାଭାଗ! ମୁଁ ଜାଣିବାକୁ ପାଇଲି କି ପାର୍ଶ୍ଵବର୍ତ୍ତୀ ଗୁମ୍ଫା ଭିତରେ ପ୍ରଚୁର ବିତ୍ତ ରହିଛି । ଏହା ସତ୍ୟ କି? ମୁଁ ତାକୁ କାର୍ଯ୍ୟରେ ଲଗାଇ ପାରେ କି?”

ସନ୍ନ୍ୟାସୀ ମୃଦୁ କଣ୍ଠରେ କହିଲେ, “ବିତ୍ତ ଥିବା କଥା ତ ସତ୍ୟ । ଏ ବଣରେ ଥିବା ଡାକୁ ସର୍ଦ୍ଦାର ତୁମ ସହ ସଂଘର୍ଷରେ ତା’ର ପତନ ଅନିର୍ବାଯ୍ୟ ଜାଣି ସେ ମୋ ଗୁରୁଙ୍କୁ ସମସ୍ତବିତ୍ତ ସମର୍ପଣ କରିଥିଲା । ମୋ ଗୁରୁ ଆଉ ନାହାଁନ୍ତି । ହେଲେ ସେ ବିତ୍ତ କିନ୍ତୁ ସେମିତି ରହିଛି ।”

ରାଜା ପଚାରିଲେ “ମହାଭାଗ! ଆପଣ କ’ଣ ସେ ବିତ୍ତର ପ୍ରହରୀ?”

ଉତ୍ତର ଆସିଲା “ନା । ଗୋଟିଏ ବିଷଧର ନାଗ ଓ ଗୋଟିଏ ବାଘ ସେ ବିତ୍ତର ପ୍ରହରୀ ।”

ରାଜା ଶ୍ରୀକରଙ୍କର ହଠାତ୍ ମନେ ପଡିଲା, ଧାନ୍ୟପୁରୀର ରାଜା ସର୍ପାଘାତରେ ଏବଂ ସପ୍ତଭୂମିର ରାଜା ବାଘ ଆକ୍ରମଣରେ ପ୍ରାଣ ହାରିଛନ୍ତି । ରାଜା ଶ୍ରୀକର ଏହିକଥା ସେ ସନ୍ନ୍ୟାସୀଙ୍କୁ କହିବାରୁ ସନ୍ନ୍ୟାସୀ କହିଲେ, “ଠିକ୍ କଥା । ଧାନ୍ୟପୁରୀର ରାଜା କନକପୁରୀ ଆକ୍ରମଣ ଉଦ୍ଧେଶ୍ୟରେ ସେ ବିତ୍ତ ଚାହୁଁଥିଲେ ଓ ସର୍ପଦଂଶନରେ ସେ ନିଜର ପ୍ରାଣ ଦେଲେ । ତାଙ୍କ ମୃତ୍ୟୁରେ ଧାନ୍ୟପୁରୀରେ ଅରାଜକତା ବ୍ୟାପିଛି ଶୁଣି ସପ୍ତଭୂମିର ରାଜା ଧାନ୍ୟପୁରୀ ଆକ୍ରମଣ କରିବା ନିମନ୍ତେ ବିତ୍ତ ସନ୍ଧାନରେ ଆସି ସେ ମଧ୍ୟ ବାଘ କବଳରେ ମଲେ ।”

ରାଜା ଶ୍ରୀକର ପ୍ରଶ୍ନ କଲେ “ତେବେ କ’ଣ ସେ ବିତ୍ତର ଉପଯୋଗ କେବେବି ହୋଇପାରିବ ନାହିଁ?”

“ହୋଇ ପାରିବ – ଯଦି ଜଣେ କୌଣସି ଭୟ ବା ଗ୍ଳାନିବୋଧ ବିନା ସେ ବିତ୍ତକୁ ସ୍ପର୍ଶ କରିବ ।”

ରାଜା ଶ୍ରୀକର ସନ୍ନ୍ୟାସୀଙ୍କୁ ପ୍ରଣାମ କରି ଚାଲିଗଲେ ଓ ସେହି ଗୁମ୍ଫାରେ ଯାଇ ପ୍ରବେଶ କଲେ । ସାପ ତାଙ୍କୁ ଦେଖି ଖାଲି ଫଁ ଫଁ ହେଲା । ରାଜା ଚୁପ୍ଚାପ୍ ଠିଆ ହୋଇ ରହି ତା’ପରେ ସେଠୁ ସେ ଫେରି ଆସିଲେ । ନଅରକୁ ଯାଇ ସେ ପରଦିନ ଉଭୟ ଧାନ୍ୟପୁରୀ ଓ ସପ୍ତଭୂମିର ମନ୍ତ୍ରୀମାନଙ୍କ ପାଖକୁ ଦୂତ ପଠାଇଲେ । ଦୂତ ଏହି ବାର୍ତ୍ତା ନେଇ ଯାଇଥାଏ, “ରାଜାଙ୍କ ମୃତ୍ୟୁରେ ଆମ୍ଭେ ବିଶେଷ ଦୁଃଖିତ । ଏତେବେଳେ ଯଦି କୌଣସି ସହାୟତା ପ୍ରୟୋଜନ ହେବ, ତେବେ ଆମ୍ଭଙ୍କୁ ଜଣାଇବାକୁ କେବେବି କୁଣ୍ଠାବୋଧ କରିବେ ନାହିଁ ।”

ଉଭୟ ରାଜ୍ୟର ମନ୍ତ୍ରୀ ଓ ରାଜପରିବାର ରାଜା ଶ୍ରୀକରଙ୍କ ଉପରେ ଅତ୍ୟନ୍ତ ପ୍ରୀତ ହେଲେ ଓ ନିଜ ନିଜ ରାଜ୍ୟର ଯୁବରାଜଙ୍କ ଅଭିଷେକରେ ତାଙ୍କ ଉପସ୍ଥିତି ସେମାନେ ପ୍ରାର୍ଥନା କଲେ । ରାଜା ଶ୍ରୀକର ତାଙ୍କର ସେ ନିମନ୍ତ୍ରଣ ଗ୍ରହଣ କଲେ ।

ଏହାର କିଛିଦିନ ପରେ କେତେଜଣ ବିଶ୍ୱସ୍ତ ପ୍ରହରୀଙ୍କୁ ନେଇ ରାଜା ଶ୍ରୀକର ପୁଣି ସେହି ବଣ ଭିତରେ ଯାଇ ପହଁଚିଲେ । ଅନୁଚରମାନଙ୍କୁ ବାହାରେ ରଖି ସେ ଗୁମ୍ଫା ଭିତରେ ପ୍ରବେଶ କଲେ । ସାପ ଓ ବାଘ ତାଙ୍କୁ ଦେଖି ଗର୍ଜନ କଲେ, କିନ୍ତୁ କୌଣସି ପ୍ରକାର ଆକ୍ରମଣ କଲେ ନାହିଁ । ରାଜା ସେମାନଙ୍କୁ ଅଭିବାଦନ କରି ବିତ୍ତରାଶି ଆଡେ ଅଗ୍ରସର ହୁଅନ୍ତେ ସେମାନେ ଆସି ପାଖରେ ଗେହ୍ଲେଇ ହେଲେ ।

ରାଜା ସେ ବିତ୍ତରାଶିରୁ ଖଣ୍ଡିଏ ଅଳଙ୍କାର ଉଠାଇ ନେଇ ବାହାରକୁ ଆସିଲେ ଓ ଅନୁଚରମାନଙ୍କୁ କିଛି ନିର୍ଦ୍ଧେଶ ଦେଇ ନଅରକୁ ଫେରିଲେ । ପରେ ପରେ ଅନୁଚରମାନେ ସବୁ ବିତ୍ତ ନେଇ ଆସିଲେ । ସାପ ବା ବାଘ ସେମାନଙ୍କ ଆଗକୁ କେହିବି ଆସିଲେ ନାହିଁ । ରାଜା ସେ ବିତ୍ତ ଦ୍ୱାରା ବିଶାଳ ବନ୍ଧ ନିର୍ମାଣ କଲେ । ବନ୍ୟା ଦାଉରୁ ରାଜ୍ୟ ରକ୍ଷା ପାଇଲା । ପ୍ରଜାଏଁ ମଧ୍ୟ ସୁଖରେ ରହିଲେ ।

ବେତାଳ ଟିକିଏ ନୀରବ ରହି ନିଜ କଣ୍ଠସ୍ୱର ତୀବ୍ର କରି ପ୍ରଶ୍ନ କଲା, “ରାଜା! ସାପ ଧାନ୍ୟପୁରୀର ରାଜାଙ୍କୁ ଚୋଟ ମାରିଲା, କିନ୍ତୁ ସପ୍ତଭୂମିର ରାଜାଙ୍କୁ ସେ ବା କାହିଁକି ଛାଡିଦେଲା? ଯଦି ସାପ ଛାଡିଦେଲା, ବାଘ ତାଙ୍କୁ କାହିଁକି ମାରିଲା? କନକପୁରୀର ରାଜା ଶ୍ରୀକରଙ୍କୁ ସାପ ବା ବାଘ କେହି କାହିଁକି ଆକ୍ରମଣ କଲେ ନାହିଁ? ପ୍ରଥମ ଥର ରାଜା ଶ୍ରୀକର ଗୁମ୍ଫାରେ ପ୍ରବେଶ ନ କରିବା ସତ୍ତ୍ୱେ ଦ୍ୱିତୀୟଥର ତାହା ସେ କିପରି କଲେ? ରାଜା! ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ । ଉତ୍ତର ଦେବାର ଶକ୍ତିଥିବା ସତ୍ତ୍ୱେ ତମେ ଯଦି ନିରୁତ୍ତର ରହିବ, ତେବେ ତମ ଶିର ସ୍କନ୍ଧଚ୍ୟୁତ ହେବ ।”

ରାଜା ବିକ୍ରମାର୍କ ମୁହୂର୍ତ୍ତେ ମଧ୍ୟ ଆଉ ବିଳମ୍ବ ନକରି କହିଲେ, “ଆମେ ମନେରଖିବା କଥା ହେଲା, ସେ ଧନ ଉପରେ ସନ୍ନ୍ୟାସୀଙ୍କ ଗୁରୁ କିଛି ବିଶେଷ ଶକ୍ତି ରଖିଯାଇଥିଲେ – ଯାହାଦ୍ୱାରା ତାହା କେବଳ ସତ୍ କାର୍ଯ୍ୟରେହିଁ ଲାଗିପାରିବ । ଧାନ୍ୟପୁରୀର ରାଜା ତୁଚ୍ଛା ସ୍ୱାର୍ଥପର ଭାବରେ କନକପୁରୀ ଉପରେ ଆକ୍ରମଣ କରିବା ନିମନ୍ତେ ସେହି ବିତ୍ତ ଲୋଡୁଥିଲେ । ତେଣୁ ପ୍ରଥମ ପ୍ରହରୀ ସାପ ତାଙ୍କୁ ମାରିଦେଲା । ସପ୍ତଭୂମିର ରାଜା ଧାନ୍ୟପୁରୀର ରାଜାଙ୍କ ମୃତ୍ୟୁ ଯୋଗୁଁ ସେ ରାଜ୍ୟରେ ଅରାଜକତା ବ୍ୟାପିଥିବା ଦୃଷ୍ଟିରୁ ତାହା ଦଖଲ କରିବାକୁ ବସିଥିଲେ । ତେଣୁ ସେ ଅପେକ୍ଷାକୃତ କମ୍ ସ୍ୱାର୍ଥପର । ତେଣୁ ସାପ ଛାଡିଦେଲା, କିନ୍ତୁ ବାଘ ମାରିଦେଲା । ରାଜା ଶ୍ରୀକର ସାପ ଗର୍ଜନ ଶୁଣି ରହିଗଲେ ଓ ଭାବି ଦେଖିଲେ, ପରରାଜ୍ୟ ଆକ୍ରମଣ କରି ନିଜ ପ୍ରଜାଙ୍କ ହିତ କରିବା କେତେ ଦୂର ଯୁକ୍ତିଯୁକ୍ତ? ତାଙ୍କ ମନରେ ଭୟ ନଥିଲେ ବି ଗ୍ଳାନି ଥିଲା । ତେଣୁ ସେ ଫେରିଗଲେ । ପରେ ଭାବିଲେ, ଗୁମ୍ଫାରୁ ଧନ ନେଇ, ସେଥିରେ ସୈନ୍ୟବାହିନୀ ଗଢି, ଅନ୍ୟ ରାଜ୍ୟ ଆକ୍ରମଣ କରି ସେଠାରୁ ଧନ ଆଣି ତହିଁରେ ବନ୍ଧ ନିର୍ମାଣ କରିବା ପରିବର୍ତ୍ତେ ସିଧାସଳଖ ଗୁମ୍ଫା ଧନରେହିଁ ବନ୍ଧ ନ କରିବେ କିଆଁ? ଏଥର ତ ତାଙ୍କ ମନରୁ ଗ୍ଳାନି ବି ଚାଲିଗଲା । ତାଙ୍କ ନିର୍ମଳ ସଦିଚ୍ଛା ଯୋଗୁଁ ସାପ ଓ ବାଘ ତାଙ୍କର କିଛିବି ଅନିଷ୍ଟ କଲେ ନାହିଁ ।”

ରାଜାଙ୍କ ଉତ୍ତର ଦାନ ଶେଷ ହେବା ମାତ୍ରେ ଶବ ସହ ଶବସ୍ଥିତ ବେତାଳ ଖସି ପୁନର୍ବାର ସେ ବୃକ୍ଷ ଡାଳରେ ଯାଇ ଝୁଲି ପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ