ଗୁରୁ ସନ୍ଦିପନୀ

                ସମୟ ଆସିଲା ଯେତେବେଳେ କି ସନ୍ଦିପନୀଙ୍କର ବିଦ୍ୟାଶିକ୍ଷା ଶେଷ ହେଲା । ସେ ତାଙ୍କ ସାଥୀମାନଙ୍କ ସହ ପାରମ୍ପରିକ ରୀତିରେ ଆଶ୍ରମରୁ ବିଦାୟ ନେଇ ଗୃହାଭିମୁଖୀ ହେଲେ । ଏମିତି କିଛି କାଳ ଅତିବାହିତ ହେବା ପରେ ଦିନେ ସେ ନିଜ ଘରେ କାର୍ଯ୍ୟବ୍ୟସ୍ତ ଥିବା ସମୟରେ ଜାଣିବାକୁ ପାଇଲେ କି ତାଙ୍କର ଗୁରୁଦେବ ଖୁବ୍ ଅସୁସ୍ଥ ଅଛନ୍ତି । ସେ ଆଉ ଅଧିକ କାଳ ବଂଚିବେ କି ନାହିଁ, ତାହା ଆଉ ମୋଟେ ବି କହି ହେବ ନାହିଁ । ଗୁରୁଦେବଙ୍କର ଅନ୍ତିମ କାଳ ବୋଲି ଜାଣି ତାଙ୍କର ଶିଷ୍ୟମାନେ ଯିଏ ଯେଉଁଠି ଥିଲେ, ସେମାନେ ଗୁରୁଦେବଙ୍କୁ ଶେଷ ଦର୍ଶନ କରିବାକୁ ଆସି ପହଁଚିଲେ । ଠିକ୍ ସେମିତି ସନ୍ଦିପନୀ ମଧ୍ୟ ଆସି ଗୁରୁଙ୍କ ପାଖରେ ପହଁଚିଲେ । ଶିଷ୍ୟମାନେ ତାଙ୍କ ଗୁରୁଙ୍କ ପାଖରୁ ଆଶୀର୍ବାଦ ସହ ତାଙ୍କ ବ୍ୟବହୃତ ପଦାର୍ଥମାନ ଗୋଟିଏ ଗୋଟିଏ ନେଇ ସେ ଆଶ୍ରମରୁ ବିଦାୟ ନେଲେ । କିନ୍ତୁ, ‘ସନ୍ଦିପନୀ ତ ସେମିତି ଗୁରୁଦେବଙ୍କ ରହିଥିବା କୋଠରୀର ଏକ କୋଣରେ ଦୁଃଖିତ ମନରେ ବସିଥାଆନ୍ତି ।’ ଗୁରୁଦେବ ତ ତାଙ୍କୁ ବହୁ ପୂର୍ବରୁ ଦେଖି ମଧ୍ୟ କିଛି ବି କହୁ ନଥିଲେ । ମାତ୍ର ସମସ୍ତେ ସେଠାରୁ ଚାଲିଯିବା ପରେ ଗୁରୁଦେବ ସନ୍ଦିପନୀଙ୍କୁ ପାଖକୁ ଡାକି କହିଲେ, ‘ପୁତ୍ର ! ମୁଁ ଆଉ ତୁମକୁ କ’ଣ ବା ଦେବି? ତଥାପି, ମୁଁ ଜାଣିଛି ତୁମେ ହିଁ ହେଉଛ ମୋର ଏକାନ୍ତ ଆଦରର ଶିଷ୍ୟ । ତୁମେ ମୋର ଆଜ୍ଞା ଏପରି ପାଳନ କରିଛ ଯେ, ସେପରି ଅନ୍ୟ କୌଣସି ଶିଷ୍ୟ କାର୍ଯ୍ୟ କରି ପାରି ନାହାଁନ୍ତି ।’ ତେଣୁ ମୁଁ ଆଶୀର୍ବାଦ କରୁଛି ତୁମେ ଜୀବନରେ ଅନନ୍ତ ସୁଖର ଅଧିକାରୀ ହେବ । ଆଉ ତା’ରି ମଧ୍ୟରେ ଯେତେବେଳେ ସ୍ୱୟଂ ଭଗବାନ ଅବତାର ଗ୍ରହଣ କରି ଏ ପୃଥିବୀ ପୃଷ୍ଠକୁ ଓହ୍ଲାଇ ଆସିବେ, ସେତେବେଳେ ତୁମେ ହିଁ ତାଙ୍କର ଗୁରୁ ହୋଇ ଯଥାର୍ଥ ଦକ୍ଷିଣା ପାଇବ । ଏ କଥା ତୁମେ ସଦାବେଳେ ମନେ ରଖିବ ।’ ଗୁରୁଙ୍କ ମୁହଁରୁ ଏହି କଥା ଶୁଣିବା ପରେ ସେ ସନ୍ଦିପନୀ ତାଙ୍କ ଗୁରୁଦେବଙ୍କ ପାଦ ତଳେ ପଡି କେବଳ ଅଶ୍ରୁ ବୁହାଇବାକୁ ଲାଗିଲେ । ଗୁରୁଦେବ ସନ୍ଦିପନୀଙ୍କ ମୁଣ୍ଡରେ ହାତ ବୁଲାଇ ଦେଇ ସେଠାରୁ ବିଦାୟ ନେବାକୁ କହିଲେ । ଏତିକି ବେଳେ ଗୁରୁଦେବଙ୍କ ଓଠରେ ଚେନାଏ ହସ ଲାଖି ରହିଥିବା ବେଳେ ଶିଷ୍ୟ ସନ୍ଦିପନୀଙ୍କ ହୃଦୟରେ ପୂରି ରହିଥିଲା କେବଳ କୋହ ଆଉ କୋହ । କାରଣ ତାହା ହିଁ ଥିଲା ତାଙ୍କ ପାଇଁ ଦର୍ଶନ ଏବଂ ଅନ୍ତିମ ଆଶୀର୍ବାଦ । ପଶ୍ଚିମ ଆକାଶରେ ସୂର୍ଯ୍ୟଙ୍କ ବିଦାୟ ବେଳର ସୂଚନା ଏତିକି ବେଳେ ତଥା ସଂନ୍ଧ୍ୟାର ଇଙ୍ଗିତରେ ଦଳ ଦଳ ପକ୍ଷୀ ଉଡି ଯାଉଥିଲେ ନିଜସ୍ୱ ବସା ଆଡକୁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ