ଘରର ଦାୟିତ୍ୱ

                ଦିନେ ଶାଶୁ ଶ୍ୱଶୁରଙ୍କୁ କହିଲେ, “ଦେଖୁଛ ତ ମୁଁ ଆସି ବୁଢୀ ହେଲିଣି । ଆଉ କେତେଦିନ ଘର ଚଳାଇବି? ବ୍ୟବସ୍ଥା କରିବ କହି ପାଞ୍ଚବର୍ଷ ତ କଟିଗଲା କାହିଁ ତୁମେ ତ କୌଣସି ଚିନ୍ତା କରୁନାହଁ ।”

                ସେହିଦିନହିଁ ଶ୍ୱଶୁର ତାଙ୍କ ବୋହୁମାନଙ୍କୁ ଡାକି କହିଲେ ଯେ ଯେଉଁ ଧାନ ମୁଠିକ ପାଞ୍ଚବର୍ଷ ପୂର୍ବେ ମୁଁ ଦେଇଥିଲି ସେଗୁଡିକ ଏବେ ମତେ ଫେରସ୍ତ ଦିଅ । ବଡ ବୋହୁ ଓ ଦ୍ୱିତୀୟ ବୋହୁ ଏକଥା ଶୁଣି ଖମାରରୁ ଧାନ ମୁଠାଏ ଲେଖା ଆଣି ଶ୍ୱଶୁରଙ୍କୁ ଦେଲେ । ତାକୁ ଦେଖି ଶ୍ୱଶୁର ଚମକି ଉଠିଲେ ଓ ଧୀର ଭାବରେ ପଚାରିଲେ, “ମୁଁ ଯେଉଁ ଧାନ ତୁମମାନଙ୍କୁ ଦେଇଥିଲି ଇଏ କ’ଣ ସେହି ଧାନ? ସେ ଧାନର ରୂପରଙ୍ଗ ତ ଭିନ୍ନ ଥିଲା ।”

                ଶ୍ୱଶୁରଙ୍କ ଏଭଳି କଥା ଶୁଣି ସେ ଦୁଇବୋହୁଯାକ ଚୁପ୍ ରହିଲେ । କହିବା ପାଇଁ ସେମାନଙ୍କ ପାଖରେ ଆଉ କିଛିବି ନଥିଲା । ଶ୍ୱଶୁର ପଚାରିଲେ, “ସତ କୁହ ସେ ଧାନ ନେଇ ତୁମେ କ’ଣ କଲ?”

                ସେମାନେ ଶେଷକୁ ବାଧ୍ୟ ହୋଇ ସତ କଥା କହିଲେ । ତୃତୀୟ ବୋହୁ ନିଜ ପେଡିରୁ ପାଟକନା ଖଣ୍ଡିକରେ ବନ୍ଧା ହୋଇଥିବା ପୂର୍ବ ଧାନତକ ଆଣି ଦେଲା । ଚତୁର୍ଥ ବୋହୁ ରୋହିଣୀ କହିଲା, “ମୁଁ ସେଗୁଡିକ ମୋ ମା’ ପାଖରେ ନେଇ ରଖିଛି । ସେସବୁ ଆଣିବାକୁ ମୋତେ ଦୁଇଦିନ ଲାଗିବ ସେଥିପାଇଁ ମୋତେ ଦୁଇଦିନ ସମୟ ଦରକାର ।”

                ଦୁଇଦିନ ପରେ ରୋହିଣୀର ମା’ ଘରୁ କେତେଗୁଡିଏ ଶଗଡଗାଡି ଭର୍ତ୍ତି ହୋଇ ଧାନ ଆସିଲା । ଧାନ ସବୁ ବସ୍ତାରେ ରଖା ଯାଇଥିଲା । ସେସବୁକୁ ଦେଖି ଶ୍ୱଶୁର ଦଣ୍ଡପାଣି ଭାରି ଆଶ୍ଚର୍ଯ୍ୟ ହେଲେ । ପାଞ୍ଚବର୍ଷ ତଳେ ଦେଇଥିବା ମୁଠାଏ ଧାନର ଆଜି ଏ ପରିଣତି ।

                ରୋହିଣୀ ଶାଶୁ ଶ୍ୱଶୁରଙ୍କୁ ବୁଝାଇ ଦେଲା ଯେ କିପରି ତାହାର ନିର୍ଦେଶ ମତେ ଧାନ ରଖା ହୁଏ ପୁଣି ବୁଣା ହୁଏ ଓ ପୁଣି ଅମଳ ହୁଏ । କ୍ରମେ ତାହାର ପରିମାଣ ବଢିବାରୁ ଅଧିକ କ୍ଷେତରେ ବୁଣାହୁଏ ଇତ୍ୟାଦି ।

                ଏସବୁ ଦେଖି ଶାଶୁ ଭଦ୍ରା ତାଙ୍କ ପ୍ରଶ୍ନର ସଠିକ୍ ଉତ୍ତର ପାଇଗଲେ । ଶ୍ୱଶୁର କହିଲେ, “ଏବେ ତ ସମସ୍ତେ ନିଃସନ୍ଦେହ ରୂପେ ମାନି ନେବା ଉଚିତ୍ ଯେ ଘରର ଦାୟିତ୍ୱ ସାନବୋହୁ ରୋହିଣୀ ସମ୍ଭାଳିବ ।”

                ଭଦ୍ରା ପଚାରିଲେ “ତେବେ ବାକି ତିନିଜଣଙ୍କର କାମ କ’ଣ?”

                ଶ୍ୱଶୁର କହିଲେ “ବାକି ତିନି? ସେମାନଙ୍କୁ କିଛି ନା କିଛି ଦାୟିତ୍ୱ ଦିଆଯିବ । ବଡ ଉଜିକାକୁ ଯାହା ମୂଲ୍ୟହୀନ ଲାଗେ ସେ ତାକୁ ନେଇ ଫିଙ୍ଗିଦିଏ । ତେଣୁ ଘରକୁ ସଫା ରଖିବା ଓ ପରିଷ୍କାର ରଖିବା ତା’ର କାମ । ଦ୍ୱିତୀୟ ଭୋଗବତୀ ସବୁକିଛି ଚାଖିକରି ପରୀକ୍ଷା କରେ । ତେଣୁ ତାକୁ ରୋଷେଇ ଘରର ଦାୟିତ୍ୱ ଦିଆଯାଉ । ସବୁକିଛିକୁ ସାଇତି ରଖିବା ତୃତୀୟ ରକ୍ଷିକାର କାମ । ତେଣୁ ବ୍ୟବସାୟ ଓ ତାହାର ହିସାବପତ୍ର, ଭଣ୍ଡାର ଘରର ସବୁ ଦାୟିତ୍ୱ ତା’ର । କ’ଣ ଠିକ୍ କହିଲି ନା ନାହିଁ?”

                ସ୍ୱାମୀଙ୍କ କଥା ଶୁଣି ଭଦ୍ରା ହସି ଦେଲେ । ବୋହୁମାନେ ମଧ୍ୟ ନିଜ ନିଜ ଶକ୍ତି ସାମର୍ଥ୍ୟ ଓ ସ୍ୱଭାବ ଅନୁସାରେ କାମ ପାଇଗଲେ । ତେଣୁ ବୁଢାବୁଢୀ ଚିନ୍ତାମୁକ୍ତ ହୋଇ ସବୁ ଦାୟିତ୍ୱ ବୋହୁମାନଙ୍କୁ ସମର୍ପି ଦେଇ ଆନନ୍ଦରେ ରହିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ