ଘୋଡା ଭଡା

ଚାନ୍ଦିପୁର ଗ୍ରାମରେ ମୋହନ ଓ ଶେଖର ନାମକ ଦୁଇଜଣ ଚାଷୀ ଥିଲେ । ମୋହନ ଜଣେ ସାଧାସିଧା ଓ ସରଳ ଲୋକ । କିନ୍ତୁ ଶେଖର ବହୁତ ବୁଦ୍ଧିମାନ୍ । ମୋହନର ସାଧୁପଣିଆରୁ ବହୁ ସ୍ଥାନରେ ତାକୁ ଲୋକେ ଠକନ୍ତି ।

କନ୍ଦମୂଳ ଆମଦାନୀ ପରେ ମୋହନ ଚାହିଁଲା ସେଗୁଡିକ ନେଇ ସହରରେ ବିକିଲେ କିଛି ଅଧିକ ପଇସା ପାଇବ । ସେଥିପାଇଁ ସେ ତା’ର ବନ୍ଧୁ ଶଙ୍କର ପାଖକୁ ଯାଇ କହିଲା, “ଭାଇ ଶଙ୍କର ଦିନକ ପାଇଁ ତୋ ଘୋଡାଟିକୁ ଦେଲେ ମୁଁ ସହରକୁ ଯାଇ ସେଠାରେ କନ୍ଦମୂଳ ଗୁଡିକ ବିକ୍ରି କରି ସଂଧ୍ୟା ସୁଦ୍ଧା ଫେରି ଆସନ୍ତି ।”

ଶଙ୍କର କହିଲା, “ଭାଇ, ଏଇଟା କ’ଣ ଆଉ ବଡ କଥା । ହେଲେ ମୋ ଘୋଡା ତ କାଲିଠାରୁ କୁଆଡେ ପଳାଇଛି । ତେବେ ତୁ ରବି ଘରକୁ ଯାଇ ତା’ ଘୋଡାଟି ମାଗିପାରୁ । ଅବଶ୍ୟ ସିଏ ଟିକିଏ କଞ୍ଜୁସ୍ ।”

ତା’ପରେ ମୋହନ ଯାଇ ରବି ଘରେ ପହଁଛି ତାକୁ ସବୁକଥା କହିଲା । ରବି କିଛି ସମୟ ଚିନ୍ତା କରି କହିଲା, “ଘୋଡା ତ ଦେବି, କିନ୍ତୁ ସେଥିପାଇଁ ତୋତେ ଭଡା ଦେବାକୁ ପଡିବ ।” ମୋହନ ବିଚରା କ’ଣ କରିବ । ବଡ ବ୍ୟସ୍ତ ହୋଇ ସେ କହିଲା, “ଏବେ ତ ମୋ ପାଖରେ ଫଟା ପାହୁଲାଟିଏ ସୁଧା ନାହିଁ । ମୁଁ ଭାବିଥିଲି ତମେ ଶଙ୍କର ପରି ଦିନକ ପାଇଁ ଘୋଡାଟି ସେମିତି ଦେବ । ନିହାତି ଯଦି କିଛି ଚାହଁ ତେବେ ମୁଁ ସହରରୁ ଫେରିଲେ ଅଳ୍ପ କିଛି ଦେବି ।”

“ନା, ନା, ମୁଁ ସେମିତି କାହାକୁ ଘୋଡା ଦିଏ ନାହିଁ । ଯଦି ପ୍ରକୃତରେ ତମର ଘୋଡାଟି ଦରକାର ତେବେ ଭଡା ବାବଦ ପନ୍ଦରଟି କଖାରୁ ଦେଇ ଦିଅ ।”

ମୋହନ କହିଲା “ଏଁ, ପନ୍ଦରଟି କଖାରୁ? ମୋ ଘରେ ତ ଏ ବର୍ଷର ଫସଲରୁ ଆଉ ମାତ୍ର ପାଞ୍ଚଟି କଖାରୁ ଅଛି ।”

ରବି କହିଲା “ଆଚ୍ଛା ଏବେ ନିଜ ଘରୁ ପାଞ୍ଚଟି ଓ ଅନ୍ୟ କେଉଁଠୁ ଦଶଟି ମିଶାଇ ଆଣ । ତେବେ ଯାଇ ମୋ ଘୋଡାକୁ ତୁମେ ପାଇବ ।”

ବିଚରା ମୋହନ ଆଉ କିଛି କହି ନପାରି ରବିର ସର୍ତ୍ତ ମାନିନେଲା । ସେ ରବି ଘରେ ନେଇ ପାଞ୍ଚଟି କଖାରୁ ଦେଇ ଆସିଲା । ତା’ପରେ ଦଶଟି ଯୋଗାଡ କରିବାକୁ ବାହାରି ଗଲା ।

ରାସ୍ତାରେ ତା’ର ଶଙ୍କର ସହିତ ଦେଖା ହେଲା । ଶଙ୍କର କହିଲା, “ଭାଇ ମୋହନ, ତୋ ଭାଗ୍ୟ ଭଲ, ମୋ ଘୋଡା ଫେରି ଆସିଛି । ତୁ ଏବେ ତାକୁ ନେଇପାରୁ ।” ମୋହନ କହିଲା “କିନ୍ତୁ ମୁଁ ତ ରବିକୁ କଥା ଦେଇ ଫେରିଛି । ଆଉ ତା’ ଘୋଡାର ଭଡା ପନ୍ଦରଟି କଖାରୁ । ସେଥିରୁ ପାଞ୍ଚଟି ତ ମୁଁ ଦେଇଛି । ଏବେ ଆଉ ଦଶଟି ଯୋଗାଡ ଯନ୍ତ୍ର କରିବାକୁ ମୁଁ ଯାଉଛି । ଏବେ ପୁଣି କ’ଣ ହେବ?”

“ଠିକ୍ ସେହି ସମୟରେ ଶେଖର ସେଇ ବାଟଦେଇ ଯାଉଥିଲା । ସେଠାକୁ ଆସି ସେ ସବୁକଥା ଶୁଣିଲା । ତା’ପରେ ସେ କହିଲା, “ମୋହନ ତୁ ଏବେ ରବି ପାଖକୁ ଯାଇ କହ କି ତୋର ଘୋଡା ଆଉ ଦରକାର ନାହିଁ । ସେ ତୋର ସେ ପାଞ୍ଚଟି କଖାରୁ ଫେରସ୍ତ ଦେଇ ଦେଉ ।”

ମୋହନ କହିଲା “ରବିକୁ ଦେଖିଲେ ତ ମୋତେ ଭାରି ଭୟ ଲାଗେ । ମୁଁ ତାକୁ ପୁଣି ଏତେ କଥା କିପରି କହିବି?”

ଶେଖର କହିଲା “ଚାଲ, ମୁଁ ବି ତୋ ସହିତ ଯିବି ଓ ତୋ କଖାରୁତକ ତା’ଠାରୁ ଫେରାଇ ଆଣିବି ।” ଏବେ ମଜା ଦେଖିବାକୁ ଶଙ୍କର ମଧ୍ୟ ସେମାନଙ୍କ ସଙ୍ଗରେ ଗଲା । ତିନିଜଣ ବନ୍ଧୁ ଯାଇ ରବି ଘରେ ପହଁଚିଲେ ।

ରବି ସେ ତିନିଜଣଙ୍କୁ ଦେଖି ପଚାରିଲା, “କଥା କ’ଣ?” ତହୁଁ ସେ ଶେଖର କହିଲା ତୁମ ଘୋଡା ଦେଖିବାକୁ ଆସିଛୁ । କାହିଁ ତୁମ ଘୋଡା?

ରବି କହିଲା “ତୁମ ସାମନାରେ ପରା ସେ ଠିଆ ହୋଇଛି । କିନ୍ତୁ ବାକି ଦଶଟି କଖାରୁ ନ ଦେଲେ ତ ମୁଁ ଏ ଘୋଡା ଦେଉନାହିଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ