ଘୋଡା ଭଡା

“ଠିକ୍ ଅଛି, ଆମେ ତ ଦେବାକୁ ମନା କରୁନାହୁଁ । ତେବେ ଦେଖିବାକୁ ହେବ ଯେ ସେ ଘୋଡାଟି ଆମ କାମ ତୁଲାଇ ପାରିବ ନା ନାହିଁ ।” ଏତିକି କହି ଶେଖର ଯାଇ ସେ ଘୋଡାର ପିଠି ମାପିବାକୁ ଲାଗିଲା । ପିଠି ମାପୁ ମାପୁ ଶେଖର କହିଲା, “ମୋହନ, ତୋ ପାଇଁ ଦୁଇଚାଖଣ୍ଡ ସ୍ଥାନ ଦରକାର, ଆଉ ତୋ ପଛରେ ମୁଁ ବସିବା ପାଇଁ ଦେଢଚାଖଣ୍ଡ ସ୍ଥାନ ଦରକାର । ପୁଣି ମୋ ପଛରେ ମୋ ସ୍ତ୍ରୀ ବି ବସିବ । ତା’ ପାଇଁ ଅନ୍ତତଃ ଦୁଇଚାଖଣ୍ଡ ଲୋଡା । କିନ୍ତୁ ତୋ ସ୍ତ୍ରୀ ତ ଟିକିଏ ମୋଟା ନା? ତା’ ପାଇଁ ଦୁଇଚାଖଣ୍ଡ ଚାରି ଆଙ୍ଗୁଳି ସ୍ଥାନ ରଖିବା । ତାକୁ ଆଗରେ ବସାଇଲେ ଛୁଆମାନେ ପୁଣି କେଉଁଠି ବସିବେ? ତୋ ଝିଅଟି ତ ନିହାତି ସାନ ତାକୁ ଘୋଡାର ବେକ ଉପରେ ବସାଇ ଦେବା । ସାନପୁଅ ପାଇଁ ଜାଗା ଦରକାର ନାହିଁ । ସେ ତୋ ସ୍ତ୍ରୀ କୋଳରେ ବସିଯିବ ।”

ଏ ସବୁକଥା ଶେଖରଠାରୁ ଶୁଣି ରବି ରାଗରେ ଥରିଲାଣି । ସେ ଚିତ୍କାର କରି କହିଲା, “ବାସ୍, ସେତିକି ଥାଉ, ତମର ଆଉ ବୁଦ୍ଧିଭ୍ରଂଶ ହୋଇନାହିଁ ତ? କ’ଣ ଗୋଟିଏ ଘୋଡା ପିଠିରେ ଏତେ ଲୋକ ବସି ଯିବେ?”

ଶେଖର ପଚାରିଲା “ଆରେ ଭାଇ, ସେକଥା ତ ଘୋଡା ବୁଝିବ । ଆମ ସମସ୍ୟା ହେଲା ଏତେଲୋକ ଘୋଡା ଉପରେ ବସି ଯାଇପାରିବେ ନା ନାହିଁ । ଆମେସବୁ ତୀର୍ଥ ବୁଲି ଯିବୁ ତ ସେଥିପାଇଁ ।”

ରବି କହିଲା “ତୀର୍ଥ ଯାଅ କି ନର୍କକୁ ଯାଅ, କିନ୍ତୁ ମୋ ଘୋଡା ଉପରେ ଦୁଇଟା ବଂଶ ପୁରା ବସି ଯିବାକୁ କିଏ କହିଲା । ଏ ଅବସ୍ଥାରେ ମୁଁ ଘୋଡା ଆଦୌ ଦେଉ ନାହିଁ । କେବଳ ସହରକୁ ଯିବା ଆସିବା ପାଇଁ ମୁଁ ଘୋଡା ଦେବାକୁ ରାଜି ହୋଇଥିଲି ।”

ଶେଖର କହିଲା “ସହରକୁ ଯାଇ କ’ଣ ତୀର୍ଥ କରି ହେବ ମପାମପି କରି ଦେଖିଲି ଘୋଡା ପିଠି ଉପରେ ଜାଗା ଅଛି । ଟିକିଏ ଅସୁବିଧା ହେଲେ ବି ଚଳିଯିବ ।”

ରବି କହିଲା “ଘୋଡା ନେବା ପୂର୍ବରୁ ତମେ ଏସବୁ କଥା କହିଲ ଭଲ କଲ । ନହେଲେ ତ ମୋ ଘୋଡାଟି ମରି ଯାଇଥା’ନ୍ତା । ମୁଁ ତୁମକୁ ଘୋଡା ଦେଉନାହିଁ । ବୁଝିଲ?”

“ତମେ ତ ଘୋଡା ଦେବାକୁ କଥା ଦେଇଛ । ଆମେ ସେହି ଅନୁସାରେ ସବୁ ପ୍ରସ୍ତୁତ କରିଛୁ । ଏବେ ଆମର ଜିନିଷ ସବୁ ନଷ୍ଟ ହେବ । କଥା ଦେଇ ପୁଣି ଠକାଉଛ? ଏବେ ତାହେଲେ ଥାନାକୁ ଚାଲ ।” ପୁଣି ମୋହନକୁ ଅନାଇ ସେ କହିଲା, “ଆରେ ମୁଁ ତ ତୋ ବୁଢୀମା କଥା ପୁରାପୁରି ଭୁଲି ଯାଇଥିଲି । ସିଏ ବି ଯିବ ପୁଣି ଜିନିଷ ପତ୍ର କିଛି କିପରି ଲଟକାଇ ନେବା ସେସବୁ ଭାବି ଠିକ୍ କର ।”

ରବି ରାଗିକରି କହିଲା “କୌଣସି ସର୍ତ୍ତରେ ବି ମୁଁ ଘୋଡା ଦେଉନାହିଁ । ତମେ କ’ଣ ମୋ ଘୋଡାକୁ ମାରି ଦେବାକୁ ଚାହଁ?”

ଶେଖର କହିଲା “କହିଦେଲେ ହେଲା? ଠକେଇ ଅଭିଯୋଗରେ ତୁମକୁ ଏବେ ମୋ ସହିତ ଥାନାକୁ ଯିବାକୁ ହେବ । କଥା ଦେଇଛ ପୁଣି ଅଗ୍ରୀମ ପାଞ୍ଚଟି କଖାରୁ ନେଇ ଏବେ ମନା କରୁଛ?” ରବି କହିଲା “ତୁମ ପାଞ୍ଚଟି କଖାରୁ ଏବେ ନିଅ । ଏଠୁ ଯାଅ ।”

ଶେଖର କହିଲା “ତମେ ତ ପନ୍ଦର କଖାରୁରେ ରାଜି ହୋଇଥିଲ । ଦଣ୍ଡ ସ୍ୱରୂପ ଆଉ ଦଶଟି ନ ଦେଲେ ଥାନାକୁ ଗଲି ।”

ରବି ରାଗିକରି କହିଲା “କିନ୍ତୁ ମୋହନ ତ ପାଞ୍ଚଟି କଖାରୁ ଦେଇଥିଲା ।”

ଶେଖର କହିଲା “ତେବେ ଦଣ୍ଡସ୍ୱରୂପ ତମକୁ କିଛି ଦେବାକୁ ତ ହେବ ।”

ରବି ରାଗିଯାଇ ଆଉ କିଛି ଅଧିକା କଖାରୁ ଦେଇ କହିଲା, “ବାବା ଏଥର ଯାଅ ଆଉ ମୋତେ ପାଗଳ କରିଦିଅ ନାହିଁ ।”

ଶେଖର ଓ ଶଙ୍କର ହସି ହସି ତା’ କଖାରୁତକ ତାକୁ ପୁଣି ଫେରାଇ ଦେଇ ମୋହନର ପାଞ୍ଚଟି କଖାରୁ ନେଇ ଆସିଲେ । ଏହାପରେ ସେ ତିନି ବନ୍ଧୁଯାକ ଆନନ୍ଦରେ ଘରକୁ ଫେରିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ