ଘୋରକର ଉଦାରତା

“ଘୋରକୀ ରାତ୍ରି ସମୟରେ ନିଜ ଶୟନକକ୍ଷରେ ମନୁଷ୍ୟ ରୂପ ଧରି ଶୋଇଥାଏ । ଠିକ୍ ସେତିକିବେଳେ ମୁଁ ତୁମକୁ ନେଇ ସେଠାରେ ପହଁଚିବି । ତୁମକୁ ମୁଁ କିଛି ଜଡିବୁଟି ଦେବି ତୁମେ ତା’ର ମଥା ଉପରେ ନେଇ ରଖିବ । ତଦ୍ୱାରା ତା’ର ପ୍ରାଣ ଛାଡିଯିବ । ତା’ର ମଥା ଉଭେଇଯିବ । ତା’ପରେ ସେହି ତକିଆ ତଳୁ ତୁମେ କୁଙ୍କୁମ ଆଣିବ ।”

ତା’ପରେ ଘୋରକ ଦେଇଥିବା ଜଡିବୁଟି ସେ ତା’ଙ୍କ କାନିରେ ବାନ୍ଧି ନେଲେ ଓ ଘୋରକର ନିର୍ଦ୍ଧେଶରେ ଚକ୍ଷୁ ବନ୍ଦ କଲେ । କ୍ଷଣକ ମଧ୍ୟରେ ସେ ଆଖି ଖୋଲି ଦେଖିଲେ ଯେ ସେ ଏକ ବିଚିତ୍ର ପଲଙ୍କ ନିକଟରେ ଅଛନ୍ତି । ସେହି ପଲଙ୍କ ଉପରେ ଜଣେ ସ୍ତ୍ରୀ ଲୋକ ଶୋଇଥାଏ । ବୀରସେନ ଏଥିରୁ ବୁଝିଗଲେ କି ସେହି ନାରୀ ହେଉଛି ଘୋରକୀ । ବୀରସେନଙ୍କ ଜଡିବୁଟି କଥା ତାଙ୍କର ମନେ ପଡିଲା । କିନ୍ତୁ ଅକାରଣରେ ଜଣେ ନିରପରାଧି ବ୍ୟକ୍ତିକୁ ମାରିବାକୁ ତାଙ୍କର ଇଚ୍ଛା ହେଲା ନାହିଁ । ସେ ତା’ର ପଦସ୍ପର୍ଶ କରି ତାକୁ ଉଠାଇଲେ ।

ଘୋରକୀ ହୁଁକାର କରି ଉଠି ବସି କହିଲା, “ତୁମେ କିଏ? ଯେଉଁଠିକୁ ପବନ ପ୍ରବେଶ କରିବାକୁ ଭୟ କରେ, ତୁମେ ପୁଣି ସେଠାକୁ ଆସିଲ କିପରି?”

ବୀରସେନ ନିଜର ସମସ୍ତ କଥା ଶୁଣାଇ କହିଲେ, “ମୁଁ ଚାହିଁଥିଲେ ତୁମର ଜୀବନ ଶେଷ କରି ମୋ କାମ କରି ପାରିଥାନ୍ତି । କିନ୍ତୁ ମୁଁ ସେପରି କରି ନାହିଁ । ତେଣୁ ତୁମ ପ୍ରତି ଥିବା ମୋର ସହୃଦୟତା ପ୍ରତି ଯେବେ ତୁମେ ମୂଲ୍ୟଦେବ ତେବେ କୁଙ୍କୁମ କିଛି ମୋତେ ଦେଇଦିଅ ।”

ଘୋରକୀ ବୀରସେନଙ୍କ ସଦ୍ଗୁଣରେ ସନ୍ତୁଷ୍ଟ ହୋଇ କହିଲା, “ରାଜକୁମାର, ମୁଁ ତୁମକୁ ଏହି କୁଙ୍କୁମ ଦେଲେ, ତୁମେ ତାକୁ ନେଇ ଘୋରକକୁ ଦେବ । ଫଳସ୍ୱରୂପ ସେ ମୋତେ ତା’ର ଦାସୀ ବନାଇ ରଖିବ । ତେଣୁ ତୁମେ ମୋତେ ଯଦି ସାହାଯ୍ୟ କରିବ ତୁମ ସମସ୍ୟାର ମଧ୍ୟ ସମାଧାନ ହେବ । ତମେ ଏହି ଜଡିବୁଟି ନିଅ; ଘୋରକ ରାତିରେ ଶୋଇବା ବେଳେ ତାକୁ ମାରି ଡବାଟି ନେଇ ଆସ । ତେବେ ଯାଇ ତମକୁ ଚନ୍ଦ୍ରମତୀ ମିଳିବ ଓ ମୋ ପରି ଶକ୍ତିଶାଳୀ ବ୍ୟକ୍ତିର ସହାୟତା ଚିରଦିନ ପାଇଁ ମିଳିବ ।”

ବୀରସେନ ତା’ କଥାରେ ଅସମ୍ମତ ହୋଇ କହିଲେ, “ଏହି ସୃଷ୍ଟିରେ ସ୍ତ୍ରୀପୁରୁଷ ମିଳିମିଶି ଚଳିବା ଉଚିତ୍ । ତୁମେ ଦୁହେଁ ବିବାହ କଲେ ବଡ ଶକ୍ତିମାନ ହୋଇ ଆନନ୍ଦରେ ରହିବ । ମୁଁ ଫୁଟନ୍ତା ପାଣିରେ ପଡି ଦେହ ପୋଡିବାର କଷ୍ଟ ପାଇଲି କାହିଁକି? ଚନ୍ଦ୍ରମତୀ ପ୍ରେମ ଯୋଗୁଁ । ତମେ ସେପରି, ଘୋରକ ଯିଏ ମହାଶକ୍ତିମାନ ହେବାକୁ ଚାହୁଁଛି, ତୁମ ପାଖରେ ସେ ମଥାନତ କରିବ । କାରଣ ତାହାହିଁ ପ୍ରେମର ମହାନ ଶକ୍ତି ।”

ଘୋରକୀ ଧୀରେ ଧୀରେ ଉପଲବ୍ଧି କଲା କି ବୀରସେନଙ୍କ କଥା ସତ୍ୟ । ବିବାହ ପାଇଁ ସଙ୍କେତ ସ୍ୱରୂପ ସେ କିଛି କୁଙ୍କୁମ ବୀରସେନ ହାତରେ ଘୋରକ ପାଖକୁ ପଠାଇଲା ।

ବୀରସେନ ଘୋରକ ପାଖକୁ ଯାଇ ଯାହା ଯାହା ଘଟିଥିଲା ସବୁ କହିଲେ । ତା’ପରେ ସେ ପଚାରିଲେ, “ଘୋରକୀକୁ ବିବାହ କରି ତୁମେ ସୁଖୀ ହେବ ତ? କାରଣ ତୁମେ ଯେତେ ଶକ୍ତି ପାଇଲେ ମଧ୍ୟ, ତାକୁ ବିବାହ କରିବାର ସନ୍ତୋଷ ତୁମେ ଆଉ କେଉଁଥିରୁ ହେଲେବି ପାଇବ ନାହିଁ ।”

ଘୋରକ ଯେତେବେଳେ ଜାଣିଲା ଯେ ଘୋରକୀ ତା’ ପାଖକୁ କୁଙ୍କୁମ ଇଚ୍ଛା କରି ବିବାହର ସଙ୍କେତ ସ୍ୱରୂପ ପଠାଇଛି, ସେ ବହୁତ ଆନନ୍ଦିତ ହେଲା । ଚନ୍ଦ୍ରମତୀଙ୍କୁ ଆଣି ବୀରସେନ୍ଙ୍କୁ ଦେଲା ଓ ସେ ଦୁହିଁଙ୍କୁ ନେଇ ଜଙ୍ଗଲ ବାହାରେ ଛାଡି ଦେଲା ।

ଜଙ୍ଗଲ ବାହାରେଥିବା ରାଜକୁମାରମାନେ ସବୁକଥା ଶୁଣି କହିଲେ, “ଘୋରକ ଓ ଘୋରକୀ ଦୁହେଁ ବହୁତ ଦୁଷ୍ଟ । କୁଙ୍କୁମ ଓ ଡିବା ଏକାଠି ହେଲେ ପୃଥିବୀ ଉପରେ ସେମାନେ ଅନେକ କ୍ଷତି ଘଟାଇବେ । ତୁମେ ଯଦି ସେମାନଙ୍କୁ ମାରିବା ପାଇଁ ସୁବିଧା ପାଇଥିଲ, ତେବେ ତାକୁ କାହିଁକି ହାତ ଛଡା କଲ? ତୁମେ ତ କେବଳ ନିଜର ସ୍ୱାର୍ଥ ଦେଖିଲ, ଅନ୍ୟ ମାନଙ୍କ କଥା ଟିକିଏ ହେଲେ ମଧ୍ୟ ଚିନ୍ତା କଲ ନାହିଁ?”

ସେମାନଙ୍କର ଏଭଳି କଥା ଶୁଣି ବୀରସେନ ହସି ହସି କହିଲେ, “ପ୍ରେମ ମଧ୍ୟରେ କୌଣସି ପ୍ରକାର ଦ୍ୱେଷଭାବ ନଥାଏ । କେବଳ ଚନ୍ଦ୍ରମତୀ ବ୍ୟତୀତ ସେ ତ ଆଉ କାହାର କିଛିବି କ୍ଷତି କରି ନାହିଁ? ମୋ ବିଷୟରେ ତା’ର ବ୍ୟବହାର ତ ଉଦାରତା ପୂର୍ଣ୍ଣ । ଘୋରକ ନ କହିବା ପର୍ଯ୍ୟନ୍ତ ଆମେ ଘୋରକୀ କଥା ମଧ୍ୟ ଜାଣି ନଥିଲୁ । ଆମେ ଅନାବଶ୍ୟକ କଥା କାହିଁକି ଭାବିବା ଯେ ସେ ଆମର ଶତୃ ଓ ଆମର କ୍ଷତି କରିବ? ତଦ୍ୱାରା ଆମେ ନିଜେ ନିଜର କ୍ଷତି କରୁଛୁ ।”

ଏକଥା ଶୁଣି ରାଜକୁମାରମାନେ ଲଜ୍ଜିତ ହେଲେ । ଯଥା ସମୟରେ ବୀରସେନ ଓ ଚନ୍ଦ୍ରମତୀଙ୍କ ବଡ ଆଡମ୍ୱର ସହକାରେ ବିବାହ ହେଲା । ସେହି ବିବାହରେ ସୁନ୍ଦର ମଣିଷର ରୂପ ଧରି ଘୋରକ ଓ ଘୋରକୀ ମଧ୍ୟ ଆସିଥା’ନ୍ତି । ସେତେବେଳକୁ ଅବଶ୍ୟ ସେମାନେ ବିବାହ କରି ଜୀବନର ନୂତନ ବିଭାବକୁ ଉପଲବ୍ଧି କରି ଅତି ଆନନ୍ଦିତ ଓ ସନ୍ତୁଷ୍ଟ ହୋଇଥାନ୍ତି; ପ୍ରେମର ପ୍ରଭାବରେ ସେ ଦୁହିଁଙ୍କର ଦୁଷ୍ଟବୁଦ୍ଧି ଆଉ ନଥାଏ । ସେମାନେ କହିଲେ ପୃଥିବୀ ଉପରେ ସତ୍କାର୍ଯ୍ୟ କରିବା ପାଇଁ ସେମାନେ ସର୍ବଦା ସହାୟତା କରିବେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ