ଚତୁରୀ ଦାସୀ

ବୋଲକରା ଉପଦେଷ୍ଟାଙ୍କର କଥା ଶୁଣି ସାରି କଷ୍ଟେ ମଷ୍ଟେ ଆଗକୁ ଚାଲି ଯାଇ ଧର୍ମଶାଳା ଠାରେ ଅଟକି ରହିବାରୁ ଚତୁର ବ୍ୟଙ୍ଗକାର କହିଲେ ହଁ ଆମେ ଠିକ୍ ସ୍ଥାନରେ ପହଁଚି ଗଲେ । ଏଥର ଗଣ୍ଠିଲି ପତ୍ର ଏହି ଠାରେ ରଖି ଦିଅ । ତୁମେ ଆଗ ଯାଇ ନିଜର ହସ୍ତ ପଦାଦି ଧୋଇ କରି ଆସ । ପଇସା ନେଇ ଦେବ ମନ୍ଦିରରୁ ମହା ପ୍ରସାଦ କିଣି ଆଣିବ ।

ଅବୋଲକରାକୁ ତ ଖୁବ୍ କ୍ଷୁଧା ହେଉ ଥାଏ । ସେ ସଙ୍ଗେ ସଙ୍ଗେ ହସ୍ତ ପଦାଦି ଧୌତ କରି ଆସି ଉପଦେଷ୍ଟାଙ୍କ ଠାରୁ ପଇସା ନେଇ ଦେବ ମନ୍ଦିରରେ ଯାଇ ପହଁଚିଲା ।

ଅବୋଲକରା ନିମନ୍ତେ ଏହା ଏକ ନୂଆ ସ୍ଥାନ ହୋଇ ଥିବାରୁ ସେ ମନ୍ଦିର ମଧ୍ୟରେ ପ୍ରବେଶ କରି ମନ୍ଦିରର ଚାରି ପାଶ୍ୱର୍ରେ ଥିବା ପାର୍ଶ୍ବ ସ୍ଥାନୀୟ ଦେବତା ମାନଙ୍କୁ ଦେଖିବାକୁ ଲାଗିଲା । ଏହି ପରି ଦେଖିବା ମଧ୍ୟରେ ସେ ଏମିତି ଏକ ସ୍ଥାନୀୟ ଦେବତାଙ୍କୁ ଦେଖିଲା ଯେ ସେ ପୁରାପୁରି ଆଶ୍ଚର୍ଯ୍ୟ ହୋଇ ଗଲା ।

ସେ ଦେଖିଲା ଯେ ଗୋଟିଏ ସୁନ୍ଦର ମନୋରମ ସୁସଜ୍ଜିତ କୋଠା ଗୃହ । ତା’ମଧ୍ୟରେ ରହିଛି ଏକ ରତ୍ନ ବେଦୀ । ବେଦୀ ଉପରେ ରହିଛି ଏକ ସୁବର୍ଣ୍ଣର ପଞ୍ଜୁରି । ସେ ପଞ୍ଜୁରି ମଧ୍ୟରେ ସ୍ଥାପିତ ହୋଇଛି ଏକ ରୂପା ଚଢେଇ । ପୁଣି ସେହି ରୁପା ଚଢେଇକୁ ମନ୍ଦିର ମଧ୍ୟକୁ ଯାଉ ଥିବା ଭକ୍ତ ମାନେ ଭକ୍ତି ପୂତ ଭାବରେ ପ୍ରଣାମ କରୁ ଥାଆନ୍ତି । ବୋଲକରା ଏପରି ଏକ ଘଟଣା ଦେଖି ବିସ୍ମିତ ହୋଇ ଗଲା । ସେ ବିଷୟରେ ସେଠାରେ ଥିବା ମନ୍ଦିର ପୂଜକଙ୍କ ଠାରୁ ଆରମ୍ଭ କରି ସେବାୟତ ମାନଙ୍କୁ ପଚାରନ୍ତେ କାହାରି ପାଖରୁ ସେ ଠିକ୍ ଉତ୍ତର କିଛି ପାଇ ପାରିଲା ନାହିଁ । କେବଳ ସମସ୍ତଙ୍କ ମୁଖରୁ ସେହି ଗୋଟିଏ କଥା ଶୁଣିବାକୁ ପାଇଲା ଯେ ଏଠାକୁ ଯେତେବେଳେ ଯୋଉ ଭକ୍ତ ଆସନ୍ତି, ସ୍ଥାନୀୟ ଦେବତା ଭାବରେ ସେହି ରୂପା ଚଢେଇକୁ ପ୍ରଣାମ କରନ୍ତି କିନ୍ତୁ ଏହି ସ୍ଥାନୀୟ ଦେବତାଙ୍କ ବିଷୟରେ କେହି କେବେବି ବୁଝିବାକୁ ଚାହିଁ ନାହାଁନ୍ତି ।

ସମସ୍ତଙ୍କ ଠାରୁ ସେହି ପରି ଗୋଟିଏ କଥା ଶୁଣିବା ପରେ ବୋଲକରାର ମନ ଆଉ ସେଠାରେ ଲାଗିଲା ନାହିଁ । ଖାଇବା ନିମନ୍ତେ ପ୍ରସାଦ କିଣି ସାରି ବୋଲକରା ଯଥା ଶୀଘ୍ର ଆସି ଉପଦେଷ୍ଟାଙ୍କ ପାଖରେ ଥୋଇ ଦେଇ କହିଲା – ହେ ମହାନୁଭବ, ମୁଁ ଆଜି ମନ୍ଦିର ମଧ୍ୟରେ ଏକ ସ୍ଥାନୀୟ ଦେବତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଗଲି । ସେଠାରେ ସେହି ସ୍ଥାନୀୟ ଦେବତାଙ୍କ ବିଷୟରେ ଯାହାକୁ ପଚାରନ୍ତେ କେହି ତାହାର ସଠିକ୍ ଉତ୍ତର ଦେଇ ପାରିଲେ ନାହିଁ । ତାହା ହେଲେ ଆପଣ କୁହନ୍ତୁତ, ମନ୍ଦିର ମଧ୍ୟରେ ଥିବା ସୁବର୍ଣ୍ଣ ପଞ୍ଜୁରିରେ ରୁପା ଚଢେଇକୁ ପୂଜା କରା ଯାଉଛି କାହିଁକି?

 ଚତୁର ବ୍ୟଙ୍ଗକାର କହିଲେ ଏହି କଥା, ଠିକ୍ ଅଛି କ୍ଷୁଧା ହେଉଛି ଆଗ ଆମେ ଭୋଜନ କାର୍ଯ୍ୟ ସାରି ଦେବା । ତା’ପରେ ମୁଁ ତୋତେ ରୁପା ଚଢେଇର ପୂଜା ହେବାର କାରଣ କହି ଦେବି ।

ଏଥର ବୋଲକରାର ମନରେ ଆନନ୍ଦ ଭରି ଗଲା । ସଙ୍ଗେ ସଙ୍ଗେ ଖାଇବା କାର୍ଯ୍ୟ ସାରି ଦେଇ ସେ ମହାନୁଭବଙ୍କ ହସ୍ତକୁ ପାନ ଖଣ୍ଡିକ ବଢାଇ ଦେଇ କହିଲା ଏବେ ଆପଣେ ରୁପା ଚଢେଇର କଥା କୁହନ୍ତୁ ମହାନୁଭବ । ଚତୁର ବ୍ୟଙ୍ଗକାର କହିଲେ – ଶୁଣ ତାହା ହେଲେ ମୁଁ ଏବେ ତୋତେ ସେହି ରୁପା ଚଢେଇର ମରମ କଥା କହୁଛି ।

ପ୍ରାଚୀନ କାଳର କଥା । ବିକ୍ରମ ପୁର ନାମରେ ଏକ ରାଜ୍ୟ ଥିଲା । ସେ ରାଜ୍ୟରେ ଯେ ରାଜା ଥିଲେ ସେ ବଡ ପ୍ରତାପଶାଳୀ । ହାତୀ, ଘୋଡା ସଇନ ସାମନ୍ତ ତାଙ୍କ ପାଖରେ ଏସବୁର କିଛି ଅଭାବ ନଥିଲା । ସେ ସମୟରେ ତାଙ୍କ ରାଜ୍ୟର ପାଖା ପାଖି ଯେତେ ପଡୋଶୀ ରାଜା ଥିଲେ ଏ ରାଜା ବିକ୍ରମ କେଶରୀଙ୍କ ନିକଟରେ ସମସ୍ତେ ହୀନ ବଳ ଥିଲେ । ବିକ୍ରମ କେଶରୀ ଜଣେ ଖୁବ୍ ଅତ୍ୟାଚାରୀ ରାଜା ଭାବରେ ପରିଚିତ ଥିଲେ । ତାଙ୍କ ଅତ୍ୟାଚାରରେ ଯେପରି ନିଜ ରାଜ୍ୟର ପ୍ରଜା ମାନେ ଅତ୍ୟାଚାରିତ ହେଉ ଥିଲେ ଠିକ୍ ସେହି ପରି ତାଙ୍କ ଠାରୁ ହାରି ଯାଉ ଥିବା ପ୍ରଜା ମାନେ ମଧ୍ୟ ସେମିତି ଅତ୍ୟାଚାର ସହୁ ଥିଲେ । ରାଜାଙ୍କର ଅଭ୍ୟାସ ତଥା ଲକ୍ଷ୍ୟ ଥିଲା ଯେ କିପରି ତାଙ୍କର ରାଜ୍ୟର ଆୟତନ କ୍ଷେତ୍ରରେ ବଡ ହେବ । ସେଥି ଲାଗି ବିକ୍ରମ ପୁରର ରାଜା ନିଜର ଶକ୍ତି ବଳରେ ବହୁ ପଡୋଶୀ ରାଜାଙ୍କୁ ହରାଇ ସେମାନଙ୍କର ସମ୍ପତି ସବୁ ଲୁଟି ନେଉ ଥିଲେ ।

ସେ ରାଜାଙ୍କର ଏକମାତ୍ର କନ୍ୟା ଥିଲା । ପିତାଙ୍କ ପରି ସେ କନ୍ୟା ମଧ୍ୟ ଖୁବ୍ ଶକ୍ତିମତି ତଥା ତାସଙ୍ଗେ ସଙ୍ଗେ ଖୁବ୍ ତେଜସ୍ୱୀ ମଧ୍ୟ ଥିଲା । ଆଉ ମଧ୍ୟ ସେ ଦେଖିବା ନିମନ୍ତେ ସୁନ୍ଦରୀ ଥିବାରୁ ରାଜା ତାହାର ନାମ ଦେଇ ଥିଲେ ସ୍ୱପ୍ନ ସୁନ୍ଦରୀ ।

ସ୍ୱପ୍ନ ସୁନ୍ଦରୀ ନିଜର ଇଷ୍ଟ ଦେବୀ ଭାବରେ ବନ ଦୁର୍ଗାଙ୍କୁ ପୂଜା କରୁ ଥିଲା । ଏହି ପରି ଭାବରେ ଦେବୀଙ୍କର ପୂଜା କରୁ କରୁ ରାଜ କନ୍ୟାଙ୍କ ପ୍ରତି ବନ ଦୁର୍ଗା ସନ୍ତୁଷ୍ଟ ହୋଇ ସାକ୍ଷାତ ଦେଇ ସେହି ସୁବର୍ଣ୍ଣର ପଞ୍ଜୁରିଟିକୁ ଦାନ କଲେ । ଆଉ କହି ଗଲେ ଯେ ଆଲୋ ମାଆ, ମୁଁ ତୋ ଉପରେ ସନ୍ତୁଷ୍ଟ ହୋଇ ତୋତେ ଏହି ବର ଦେଇ ଯାଉଛି ଯେ ତୁ ଯେତେବେଳେ ଯାହା ଇଚ୍ଛା କରିବୁ ଏହି ପଞ୍ଜୁରି ପାଖରେ ଠିଆ ହୋଇ ମାଗିବୁ ଯେ ତାହା ତୋତେ ସେହିଠାରେ ହିଁ ପ୍ରାପ୍ତ ହେବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ