ଚନ୍ଦରା ଚନ୍ଦିରୀ ଫାର୍ସ

ଏଣେ ଚନ୍ଦରା ବି ତା’ କାମ ସାରି ବିଲରୁ ଫେରିଲା । ଚନ୍ଦିରୀ ଚନ୍ଦରାକୁ ଖାଇବାକୁ ଦେଲା । ଚନ୍ଦରା ଖାଇ ସାରିବା ପରେ ଚନ୍ଦିରୀ କହିଲା, ଆଜିଠୁ ତୁମେ ମୋତେ ଆଉ କେବେବି ବୋଉ ଡାକିବନି । ମୁଁ ବି ତୁମକୁ ବାପା ବୋଲି ଡାକିବିନି । ଏସବୁ ମୋତେ ଭାରି ସରମ ଲାଗୁଛି । ଆଜି ସାଇ ମାଇପେ ମୋତେ ଅଲାଜୁକି ଆଉ ତୁମକୁ ଅଲାଜୁକ ବୋଲି କହିଲେ । ମାଇପେ କହିଲେ କେହି ସ୍ତ୍ରୀ ତା’ ସ୍ୱାମୀକୁ ବାପା ବୋଲି ଡାକେ ନାହିଁ କି କେହି ସ୍ୱାମୀ ତା’ସ୍ତ୍ରୀକୁ ବୋଉ ବୋଲି ମଧ୍ୟ ଡାକେ ନାହିଁ । ସ୍ତ୍ରୀମାନେ ସ୍ୱାମୀଙ୍କ ନାଆଁ ଧରି ବି ଡାକନ୍ତି ନାହିଁ । ଏଇଟା ପାରମ୍ପରିକ କଥା । ତେଣୁ ମୁଁ ତୁମକୁ ବାପା ବୋଲି ଡାକୁଥିଲି ଆଉ ତମେ ବି ମୋତେ ବୋଉ ବୋଲି ଡାକୁଥିଲ । ଠାକୁରେ ତ ଆମକୁ ନିଃସନ୍ତାନ କଲେ, ତେଣୁ ଆମେ ତ ବାପା ବୋଉ ହୋଇପାରିଲେ ନାହିଁ । କେବଳ ସେହି ଦୁଃଖକୁ ଭୁଲିବା ପାଇଁ ଆମେ ବାପା ବୋଉ ଡକାଡକି ହେଉଥିଲେ । ଏକଥା କ’ଣ ସାହି ମାଇପେ ଜାଣିବେ ନା ଏ ସମାଜ ବୁଝିବ । ତମେ ଆଜିର ଲୋକ ପାଂଚ ଦଶ ଜଣ ବସାଇ ଏହାର ମୀମାଂସା କର । ଆମ ନାଆଁ ଆମେ ବଦଳାଇ ଦେବା । ନୂଆ ନାଆଁ ଦେବା ସମସ୍ତେ ଜାଣିବେ । ତମେ ଯାଇ ସରପଂଚକୁ ଡାକିବ । ଗାଆଁ ମୁଖିଆ ବି ସେଠାକୁ ଆସିବେ । ଗାଆଁରୁ ପାଂଚ ଜଣ ଭଦ୍ରଲୋକ ମଧ୍ୟ ବସିବେ । ଆମେ ଆମ ନାଆଁ ବଦଳାଇ ଦେବା । ଯଦି ତମେ ଏତିକି ନକର ତେବେ ମୁଁ ସିଧା ମୋ ବାପା ଘରକୁ ଚାଲିଯିବି ।

ଏକଥା ଶୁଣି ସେ ଚନ୍ଦରା କହିଲା, ଏଇ ଗୋଟିଏ କଥା । କାଲି ଭିତରେ ମୁଁ ଏହାର ମୀମାଂସା ନିଶ୍ଚୟ କରିଦେବି । ତା’ପରଦିନ ସକାଳେ ଚନ୍ଦରା ଆଉ କାମକୁ ଗଲା ନାହିଁ । ଗାଆଁ ମୁଖିଆ ଗୌରାଙ୍ଗ ସାମଲଙ୍କ ନିକଟରେ ଯାଇ ପହଁଚିଲା । ଆଉ ସେ ମୁଖିଆଙ୍କୁ ସବୁ କହିଲା, ସରପଂଚଙ୍କୁ ବି କହିଲା । ସଂନ୍ଧ୍ୟାବେଳେ ଗାଆଁ ମୁଖିଆ ଗ୍ରାମ ସଭା ଡକାଇଲେ, ସେଠିକି ସରପଂଚ ବି ଆସିଲେ । ଚନ୍ଦରା ଚନ୍ଦରୀ ସେ ସଭାରେ ମଧ୍ୟ ଉପସ୍ଥିତ ହେଲେ । ସଭା ହେଲା, ସଭାରେ ସମସ୍ତେ କହିଲେ ଚନ୍ଦରା ଯାହା ବି କହୁଛି ସବୁ ଠିକ୍ । ନାଆଁ ବଦଳାଇ ଦେବା । ସେମାନଙ୍କ ବାପା ବୋଉଙ୍କୁ ଡାକ, ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳି ହୁଏ ନାହିଁ । ଏହା ତ ନିହାତି ଭୁଲ୍ ଓ ଲୋକହସା ସମ୍ବୋଧନ । ତେଣୁ ଗାଆଁ ମୁଖିଆ ଗୌରାଙ୍ଗ ସାମଲ କହିଲେ, ଚନ୍ଦରା, ପ୍ରଥମେ କହ ତୋର କ’ଣ ସବୁ ଅଛି । ସମସ୍ତଙ୍କର ନୂଆ ନାଆଁ ଦେଇ ଦେବା । ତାପରେ ଯାଇ ତମେମାନେ ସେଇ ନାଆଁରେ ଡକାଡକି ହେବ । ଚନ୍ଦରା କହିଲା – ମୋର ହଳେ ବଳଦ, ଗୋଟିଏ ପୋଷା ବିଲେଇ, ଗୋଟିଏ ପୋଷା କୁକୁର ବି ଅଛି । ତେଣୁ ଆମ ସହିତ ଏମାନଙ୍କୁ ମଧ୍ୟ ନାମକରଣ କରାଯାଉ । ଏକଥା ଶୁଣି ସେ ଗାଆଁ ମୁଖିଆ ଗୌରାଙ୍ଗ ସାମଲ କହିଲେ, ଠିକ୍ ଅଛି । ଚନ୍ଦରା ଆଜିଠୁ ତୋ ନାଆଁ ରଖାଗଲା ‘ତେଲ’ ଆଉ ତୋ ସ୍ତ୍ରୀର ନାଆ ‘କାଞ୍ଜି’ । ତୋ ପୋଷା ବିଲେଇ ନାଆଁ ଶଙ୍କରା ତୋ ପୋଷା କୁକୁର ନାଆଁ ମଧ୍ୟ ସେଇ ଶଙ୍କରା ହିଁ ଥାଉ । ତୋ ବଳଦ ହଳକର ନାମ ‘ବାନ୍ଧେ, ବାଡା’ । ସରପଂଚ, ଗାଆଁବାଲା ଏମିତିକି ସମସ୍ତେ ଏଇ ନାଆଁ ସବୁକୁ ପସନ୍ଦ କଲେ । ଚନ୍ଦରା ଶଳାର ନାଆଁ ଯେ ଶଙ୍କରା ଏକଥା ଆଉ କାହାରି ବି ମନେ ନାହିଁ । ସେ ଯା’ ବି ହେଉ ପଛକେ ଗାଆଁ ମୁଖିଆ କହିଲେ ଆଜିଠାରୁ ତମେ ଏଇ ନାମରେ ପରିଚିତ ହେଲ । ବାପା, ବୋଉ ଡାକିବା ଛାଡି ତେଲ ଓ କାଞ୍ଜି ଡକାଡକି ହେବ । ତାପରେ ସଭା ଭାଙ୍ଗିଲା, ଚନ୍ଦରା ଚନ୍ଦିରୀ ଘରକୁ ଫେରିଲେ । ସେହିଦିନଠାରୁ ଚନ୍ଦରା ଚନ୍ଦିରୀକି ଡାକିଲା କାଞ୍ଜି ଓ ଚନ୍ଦିରୀ ଚନ୍ଦରାକୁ ଡାକିଲା ତେଲ ।

କିଛିଦିନ ଚାଲିଗଲା । ଦିନକର ଘଟଣା, ଚନ୍ଦରା ହଳ ନେଇ ବିଲକୁ ଯାଇଥାଏ । ତା’ ଶଳା ଶଙ୍କରର ହଳ ଦରକାର ହେଲା । ଶଙ୍କରା ସିଧାସଳଖ ଭିଣୋଇ ଘରକୁ ନଆସି ବିଲରେ ଯାଇ ପହଁଚିଗଲା । ଭିଣୋଇ ଚନ୍ଦରା ତା’ ଶଳା ଶଙ୍କରାକୁ ଦେଖି ଆସିବାର ଅଭିପ୍ରାୟ ପଚାରି ବୁଝିଲେ । ତହୁଁ ସେ ଶଙ୍କରା କହିଲା, ବିଲ ଚାଷ କରିବ ତା’ର ହଳ ବଳଦ ଦରକାର । ଚନ୍ଦରା କହିଲା, ହଉ ଶଙ୍କରା ତୁ ଗୋଟେ କାମ କର । ଯା, ଆଉ ଅଳ୍ପ ଜମି ଅଛି ମୁଁ ଚାଷ କରି ଘରକୁ ଯିବି । ତୁ ଆଗେ ଆଗେ ଯା ‘କାଞ୍ଜି’ ଅଛି ଯା-ଖାଇବୁ ମୁଁ ପଛରେ ଯାଉଛି । ଶଙ୍କରା ମନେ ମନେ ଭାବିଲା, ମୋ ଭିଣୋଇ ତ ଜଣେ ଖ୍ୟାତନାମା ଚାଷୀ । ଆଖପାଖ ପାଂଚ ସାତ ଖଣ୍ଡ ଗାଆଁରେ ମୋ ଭିଣୋଇର ତ ଭଲ ନାଆଁ ଅଛି । ମୋ ଭିଣୋଇ ଭଲ ଖଣ୍ଡେ ଖାଏ ଓ ଭଲ ଗଣ୍ଡେ ପିନ୍ଧେ । ମୁଁ ଏଇ ଛ ସାତ ମାସ ହେବ ଭିଣୋଇ ଘରକୁ ମୋଟେ ଆସି ନାହିଁ । ୟା ମଧ୍ୟରେ ମୋ ଭିଣୋଇ କ’ଣ ଏତେ ଗରିବ ହୋଇଗଲେଣି ନା କୃପଣ ହୋଇଗଲେଣି । ତାଙ୍କ ଘରେ, କାଞ୍ଜି ଅଛି ମୁଁ କାଞ୍ଜି ଖାଇବି । କିନ୍ତୁ ଭିଣୋଇର କହିବା ଅର୍ଥକୁ, ଯେ କହିଛି ସେ ହିଁ ଠିକ୍ ଜାଣିଛି । କାଞ୍ଜି ତା ସ୍ତ୍ରୀର ନାମ ଓ ଶଙ୍କରା ପୋଷା କୁକୁରର ନାଆଁ । ଏକଥା ତ ଆଉ ଶଙ୍କରା ଜାଣିନାହିଁ । ଭିଣୋଇ କହିବା କଥା ତୋ ଭଉଣୀ କାଞ୍ଜି ଘରେ ଅଛି ସେ ତୋତେ ଖାଇବାକୁ ଦେବ । ତୁ ଖାଇ ପିଇ ମୋତେ ଅପେକ୍ଷା କରିଥିବୁ । ଏକଥା ଶଳା ଶଙ୍କରା ଆଦୌ ବୁଝିନାହିଁ । ଶଙ୍କରା ଏମିତି ଭାବି ଭାବି ଭଉଣୀ ଘରେ ଯାଇ ପହଁଚିଲା । କାଞ୍ଜି, ଯେମିତି ଭାଇ ଶଙ୍କରାକୁ ଦେଖିଛି, ଆନନ୍ଦରେ ତା’ମନ କୁଣ୍ଢେ ମୋଟ ହୋଇଗଲା । କାଞ୍ଜି କହିଲା, ଶଙ୍କରା ଏତେ ଦିନେ ତୋର ତୋ ଭଉଣୀ କଥା ମନେ ପଡିଲା । ହଉ ଖଟ ଉପରେ ବସ । ତେଲ ଆସୁ ଗାଧୋଇବୁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ